ଗଳ୍ପ ପୁସ୍ତକ ‘ଡେଣା ନଥିବା ସ୍ଵପ୍ନ’ ପାଠକାର୍ପିତ

ରାୟଗଡ଼ା : ସାହିତ୍ୟିକ, ସ୍ତମ୍ଭକାର ତଥା ଗାଳ୍ପିକ ଦ୍ଵିତୀଚନ୍ଦ୍ର ସାହୁଙ୍କ ପଞ୍ଚମ ଗଳ୍ପ ପୁସ୍ତକ ‘ଡେଣା ନଥିବା ସ୍ଵପ୍ନ’ ପାଠକାର୍ପଣ ହୋଇଯାଇଛି । ରାୟଗଡ଼ା ସର୍କିଟ ହାଉସରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କଥାକାର ତଥା ‘ସମ୍ବାଦ’ ଫିଚର ସମ୍ପାଦକ ଗୌରହରି ଦାସ ପାଠକାର୍ପଣ କରିଛନ୍ତି । ଦିନିକିଆ ରାୟଗଡ଼ା ଗସ୍ତରେ ଆସିଥିବା ଶ୍ରୀଦାସ ପୁସ୍ତକ ଉନ୍ମୋଚନ ଅବସରରେ ଶ୍ରୀ ସାହୁଙ୍କ ନିଷ୍ଠାପର ସାହିତ୍ୟ ସାଧନାକୁ ପ୍ରଶଂସା କରିଥିଲେ । ବାସ୍ତବ ଜୀବନର ଦୃଶ୍ୟପଟ୍ଟକୁ ଚରିତ୍ର ମୁତାବକ ନିଜସ୍ଵ ସ୍ୱତନ୍ତ୍ର ଶୈଳୀରେ ସୁନ୍ଦର ଢଙ୍ଗରେ ଗପ ଗଢିବା କଳାରେ ଗାଳ୍ପିକ ଅଭ୍ୟସ୍ତ ଓ ପରିପକ୍ଵ ବୋଲି ଶ୍ରୀଦାସ କହିଥିଲେ । ଦୀର୍ଘଦିନ ଧରି ତାଙ୍କ ଗପ ପଢି ଆସିଛି । ଅନେକ ଗପ ସାହିତ୍ୟ ପତ୍ରିକା ‘କଥା’ରେ ପ୍ରକାଶ ପାଇଛି । ବର୍ତ୍ତମାନ ଦ୍ଵିତୀଚନ୍ଦ୍ର ନିଜ ଅଞ୍ଚଳର ଜନଜୀବନ ଓ ସଂସ୍କୃତିକୁ ନେଇ ଖୁବ ସୁନ୍ଦର ଓ ହୃଦୟସ୍ପର୍ଶୀ ଗପ ଲେଖିପାରୁଛନ୍ତି । ଏସବୁ ଆଗାମୀ ପିଢି ପାଇଁ ସଂଗ୍ରହଣୀୟ ଓ ଉପାଦେୟ ତଥ୍ୟ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ‘ଡେଣା ନଥିବା ସ୍ଵପ୍ନ’ ପାଠକୀୟ ଶ୍ରଦ୍ଧା ଲାଭ କରିବ ବୋଲି ଶ୍ରୀ ଦାସ ଶୁଭକାମନା ଜଣାଇଥିଲେ ।

ଉନ୍ମୋଚନ ପର୍ବରେ କବି ତଥା ପଞ୍ଚବଟୀର ସମ୍ପାଦକ ସୁଶାନ୍ତ କୁମାର ନାୟକ, ଶିକ୍ଷାବିତ ତଥା ସମ୍ଭକାର ଡ. ଦୁଷ୍ମନ୍ତ କୁମାର ମହାନ୍ତି ଉପସ୍ଥିତ ରହି ଦ୍ଵିତୀଚନ୍ଦ୍ରଙ୍କ ସାହିତ୍ୟ କୃତି ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷକରି ଜନଜାତି ଗବେଷଣାରେ ଶ୍ରୀ ସାହୁଙ୍କ ପରିପକ୍ଵତା ସମ୍ପର୍କରେ ଜାଣିବା ପରେ ରାୟଗଡ଼ା ଜିଲ୍ଲାର ଜନଜାତିଙ୍କ ସମ୍ପର୍କରେ ଅଧିକ ଜାଣିବାକୁ ଆଗ୍ରହ ପ୍ରକଟ କରିଥିଲେ । ପଶ୍ଚିମା ପ୍ରକାଶନୀ ଦ୍ଵାରା ପ୍ରକାଶିତ ଗଳ୍ପ ସଂକଳନରେ ମୋଟ ୧୯ ଟି କ୍ଷୁଦ୍ର ଗଳ୍ପ ରହିଛି । ସମସ୍ତ ଗପ ବିଭିନ୍ନ ପତ୍ରପତ୍ରିକାରେ ପରକଷିତ ହୋଇ ବିପୁଳ ପାଠକୀୟତା ହାସଲ କରିଛି । ଅନ୍ୟପକ୍ଷରେ ଗୌରହରି ଦାସଙ୍କୁ ଆଜି ରାୟଗଡ଼ା ସମ୍ବାଦ ସାହିତ୍ୟଘର ସଦସ୍ୟଙ୍କ ସହ ବହୁ ସାହିତ୍ୟିକ ସାକ୍ଷାତ ପୂର୍ବକ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହାପରେ ରାୟଗଡ଼ାର ସାହିତ୍ୟ, ସଂସ୍କୃତି ଓ ଜନଜୀବନକୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।

Related Posts

Leave a Reply

Your email address will not be published. Required fields are marked *