ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ ‘ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ’ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ନୂଆଦିଲ୍ଲୀ: ଓମ୍ ପ୍ରିୟଦର୍ଶୀ ଛୋଟରାୟଙ୍କ ପୁସ୍ତକ “ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ” ବିଶ୍ଵ ପୁସ୍ତକ ମେଳାର ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଦ୍ଵାରା ପ୍ରାୟୋଜିତ ଏବଂ ଭାରତ ସରକାରଙ୍କ ରାଷ୍ଟ୍ରୀୟ ପୁସ୍ତକ ନ୍ୟାସ ଦ୍ୱାରା ପ୍ରକାଶିତ ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ କେନ୍ଦ୍ର ବୈଦେଶିକ ବ୍ୟାପାର ଓ ଶିକ୍ଷା ରାଜ୍ୟମନ୍ତ୍ରୀ ରାଜକୁମାର ରଞ୍ଜନ, ଫ୍ରାନ୍ସ ରାଜଦୂତ ଏମାନୁଏଲ ଲେନିନ, ନୋବେଲ ପୁରସ୍କାର ବିଜୟିନୀ ଏନି ଏନୋକ୍ଶ ଏବଂ ରାଷ୍ଟ୍ରୀୟ ପୁସ୍ତକ ନ୍ୟାସର ନିର୍ଦ୍ଦେଶକ ଯୁବରାଜ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

‘ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ’, ଓଡ଼ିଶା ରାଜନୀତିରେ ପାଇକଙ୍କ ଆଧିପତ୍ୟ, ତତ୍କାଳୀନ ଗଜପତି ରାଜବଂଶର ଆଭିମୁଖ୍ୟ, ଭାରତର ‘ଶେଷ ସ୍ୱାଧୀନ ଦୁର୍ଗ’ ଖୋର୍ଦ୍ଧା ଆକ୍ରମଣ, ଶ୍ରୀମନ୍ଦିର ପରିଚାଳନା, ତତ୍କାଳୀନ ଓଡ଼ିଆ ସାମାଜିକ ଜୀବନ, ମରହଟ୍ଟାଙ୍କ ଉତ୍ଥାନ ଓ ପତନ, ଫିରିଙ୍ଗି ତନ୍ତ୍ରର ଅତ୍ୟାଚାର, ଭାରତର ପ୍ରଥମ ସହୀଦ ଜୟୀ ରାଜଗୁରୁ, ସେନାପତି ବକ୍ସି ଜଗବନ୍ଧୁ, ଦଳ ବେହେରା ମାଧବ ଚନ୍ଦ୍ର ରାଉତରାୟ, ପିଣ୍ଡିକି ବାହୁବଳେନ୍ଦ୍ର, କୃତିବାସ ପାଟ୍ଟଶାଣୀ ଆଦି ମହାନ ଯୋଦ୍ଧାଙ୍କ ବୀରତ୍ୱ ଗାଥା ବର୍ଣ୍ଣିତ ଏକ ଐତିହାସିକ କଥାସାହିତ୍ୟ ଅଟେ ।

ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ୭୫ ଜଣ ଶ୍ରେଷ୍ଠ ଯୁବ ଲେଖକଙ୍କୁ ଚୟନ କରି ସେମାନଙ୍କୁ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଓ ଅନାଦୃତ ମୁକ୍ତିଯୋଦ୍ଧାଙ୍କ ବିଷୟରେ ପୁସ୍ତକ ରଚନା କରିବାକୁ ଦାୟିତ୍ୱ ଦେଇଥିଲେ । ଓମ୍ ଜଣେ ପାଇକ ବଂଶଧର ଭାବେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ଆନ୍ଦୋଳନ ସମ୍ବନ୍ଧରେ ପୁସ୍ତକ ଲେଖିବାର ନିଷ୍ପତି ନେଇଥିଲେ । ଦୀର୍ଘ ଏକ ବର୍ଷର ବିସ୍ତୃତ ଗବେଷଣା ପରେ, ପୁସ୍ତକଟି ଭାରତ ସରକାରଙ୍କ ଦ୍ୱାରା ବିଶ୍ୱ ପୁସ୍ତକ ମେଳାରେ ଉନ୍ମୋଚିତ ହୋଇଥିବାରୁ ନିଜର ଖୁସି ବ୍ୟକ୍ତ କରିବା ସହ ପୁସ୍ତକଟି ଖୁବଶୀଘ୍ର ଭାରତ ସରକାରଙ୍କ ୱେବସାଇଟ ଏବଂ ଅନ୍ୟାନ୍ୟ ଅନଲାଇନ ଷ୍ଟୋର ଓ ବହି ଦୋକାନଗୁଡ଼ିକରେ ଉପଲବ୍ଧ ହେବ ବୋଲି ଓମ୍ ଜଣାଇଛନ୍ତି ।

Related Posts

Leave a Reply

Your email address will not be published. Required fields are marked *