କୈଳାସ ଚନ୍ଦ୍ର ସାହାଣୀ 

ସକାଳର ଶିରୀ ସଞ୍ଜର ଗୋଧୂଳି
ରାତିର ଶିତ୍କାର ତୁମେ,
ପାହାନ୍ତା ପ୍ରହର ଶିଶିର ପାତ ମୁଁ
ମିଳନର ମଧୁଯାମେ ;
କୁହୁଡି ଦିହୁଡ଼ି ଜାଳେ….
ବଉଳ ଫୁଲର ମହକ ଭିତରେ
ମକର ଗୁମାନେ ଭାଳେ !

ଚାରିଆଡେ ଏବେ ଶୀତର ବିଦାୟ
ମଧୁ ମାସେ ବଧୂ ହସେ,
ସହକାର ଡାଳେ ମଧୁପ ଗୁଞ୍ଜନ
ମହମହ ଫୁଲ ବାସେ;
ପିକ କୁହୁ ଗିର ଧୀରେ….
ଆନମନା କରେ ଅତନୁର ପୀଡ଼ା
ବିଗତ ସ୍ମୃତିକୁ ସ୍ମରେ !

ତୁମେ ଲେଖିଥିଲ ମନ ସିଲଟରେ
ଅଜଣା ଅକୁହା କଥା,
ନିଶି ଉଜାଗରେ ପାହୁଥିଲା ରାତି
ମରମକୁ ଦେଇ ବ୍ୟଥା ;
ଫଗୁଣର ଫଗୁ ବୋଳି….
କେବେ ଛୁଇଁଥିଲା ଏ ଦେହ ଦେଉଳ
ଚେତନାକୁ ଧୀରେ ଚାଳି !

ବସନ୍ତ ବିଳାସ ଉପବନ ହସ
ମଧୁମାସ ଧୀରେ ଆସ,
କୁଆଁରୀ ଲାଜର ଓଢଣା ଫାଙ୍କରେ
ରଚିଯାଅ ନୂଆ ରାସ ;
ଭିଜା ଦୁକୁଳରେ ସହୀ…..
କେଳିଦୀପ ଜାଳି ଉଚ୍ଚାଟନେ ଥିବ
ମିଠା ହସେ ନେବ ମୋହି !

ଭଳିଭଳି ଫୁଲେ କବରୀ ମଣ୍ଡାଇ
ଧରଣୀ ରାଣୀର ବେଶ,
ଅଧା ଖରା ଅଧା ଛାଇ ତଳେତଳେ
ଋତୁରାଜ ତୁମେ ଆସ ;
ମଦନର ରଥ ପରେ…..
ନବ ପଲ୍ଲବର କଅଁଳ ଓଠରେ
ଚୁମି ଦିଅ ନିରୋଳାରେ !

ତୁମ ଆଗମନେ ଉଷାର ଉରସେ
ଉଇଁଆସୁ ବାଳ ରବି,
ତୁମ ପରଶରେ ମଳୟର ଛୁଆଁ
ପୁଲକିତ ହେଉ କବି;
ସଞ୍ଜର ଦୀପାଳି ଜାଳି…..
ମଞ୍ଜରୀ ଉଠୁ ଗୋ କୁଞ୍ଜ କାନନେ
ଅନୂଢା ରୂପସୀ କଳି !!

ଅଧ୍ୟାପକ, ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗଡ଼ପଳାଶୁଣୀ, ଢେଙ୍କାନାଳ, ମୋ-୯୪୩୭୮୪୩୨୧୯

ଲେଖକ ପରିଚୟ

ବୃତ୍ତିରେ ଅଧ୍ୟାପନା ମାତ୍ର ତାଙ୍କର ସାହିତ୍ୟ ଅନୁରାଗୀ ଭାବ ନିଶାରେ ପରିଣତ ହୋଇଛି କହିଲେ ଭୁଲ ହେବନି । ‘ନୀଳକଇଁର ସ୍ଵପ୍ନ’, ‘ଶୀତ ରାତିର ଗୀତ’, ଦୁଇ ଗୋଟି କବିତା ସଂକଳନ ପ୍ରକାଶିତ ହୋଇସାରିଥିବାବେଳେ ତୃତୀୟ କବିତା ସଂକଳନ ‘ଭୂମି’ ପ୍ରକାଶ ହେବାକୁ ଯାଉଛି । ରାଜ୍ୟସ୍ତରୀୟ କବିତା ସମ୍ମାନ, ନୀହାର କନ୍ୟା କବିତା ସମ୍ମାନ, ଜାତୀୟ ସେବା ଯୋଜନାର  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପୁରସ୍କାର, ରାଜ୍ୟ ସ୍ତରୀୟ ଶ୍ରେଷ୍ଠ କାର୍ଯ୍ୟକ୍ରମ ଅଧିକାର ପୁରସ୍କାର ଏବଂ ଜାତୀୟ ସେବା ଯୋଜନାର ଜାତୀୟ ପୁରସ୍କାର ପ୍ରାପ୍ତ କାର୍ଯ୍ୟକ୍ରମ ଅଧିକାରୀ ଆଦି ପୁରସ୍କାରରେ ବିମଣ୍ଡିତ ତାଙ୍କ ସାହିତ୍ୟ ସାଧନା ।

Related Posts

Leave a Reply

Your email address will not be published. Required fields are marked *