ଶାନ୍ତନୁ ପାଣିଗ୍ରାହୀ

ବିଷ ଚରେ
ଜିହ୍ଵାରୁ ଜଠର
ଅଙ୍ଗପ୍ରତ୍ୟଙ୍ଗକୁ,
ସ୍ନାୟୁତନ୍ତ୍ରୀରେ ଫୋଡ଼ିଚାଲେ
ଗୋଡ଼ିଶାଳ କଣ୍ଟା ।
ଛିନଭିନ୍ ହୋଇ ଛିଟିକି ପଡ଼େ
ଈର୍ଷା ଅସୂୟାର ଜୀବକୋଷ
ଅହଂକାର ଜଡ଼ସଡ଼
ଖଣ୍ଡଖଣ୍ଡ କଞ୍ଚାମାଂସ ।
ଛାତି ଫୁଲେ
ଛାତି ଫାଟେ
ସର୍ବାଙ୍ଗ ଥରାଇ
ପୁଣି ହାରେ ବିଷ ଜ୍ୱାଳାରେ ।
ନୀଳ ନିଶାରେ ଚୁର୍ ହୋଇ
କେବେ ସୂର୍ଯ୍ୟାସ୍ତ ଦେଖି ନଥିବା ଲୋକ
ଫେରିଯାଏ ଅନ୍ୟଏକ ଗ୍ରହକୁ
ପୁଣି ଜନ୍ମିବାକୁ ନିଆରା ଢଙ୍ଗରେ ।
ନିଜର କଳ୍ପନାରେ
ସକାଳର ସିନ୍ଦୁରାଠୁ ଗାଢ
ମଧ୍ୟାହ୍ନଠୁ ପ୍ରଚଣ୍ଡ ଭାବୁଥିବା ଲୋକ
ଅସହାୟ ହୋଇ ଫେରିଆସେ
ଯେଉଁଠି ବୁଣିଥିବା ମଞ୍ଜି ସବୁ
ଫାଟିଫାଟି ଆଁ ।
ପୁଣି ଛାତି ଫୁଲେ
ଛାତି ଫାଟେ
ସର୍ବାଙ୍ଗରେ ବିଷଗ୍ରାହୀ
ପୁଣି ହାରେ ।
ସକାଳର ସିନ୍ଦୁରାରେ
ଯିଏ ବିଭୋର ହୋଇନି
ଅସ୍ତାଚଳ ଆଭାରେ
ବିବ୍ରତ ହିଁ ହୁଏ ।
ବ୍ରାହ୍ମଣ ସାହି, ପୋ:ଅ/ଥାନା/ଜିଲ୍ଲା – ବୌଦ୍ଧ, ମୋ – ୮୯୧୭୪୦୫୯୮୮
ଲେଖକ ପରିଚୟ
ବୃତ୍ତିରେ ଯାନବାହାନ ଓ କୃଷି ଯନ୍ତ୍ରପାତି କାରୀଗର ହେଲେ ସୁଦ୍ଧା ସାହିତ୍ୟ ପ୍ରତି ଥିବା ଦୁର୍ବଳତା ଲେଖିବାକୁ ବାଧ୍ୟ କରେ ମୋତେ । ହାଇସ୍କୁଲ ପଢ଼ିବା ସମୟରୁ ହିଁ ଲେଖାଲେଖି ଆରମ୍ଭ କରିଥିଲି ମାତ୍ର ହାସ୍ୟବ୍ୟଙ୍ଗ ଲେଖିବାକୁ ବେଶି ଭଲପାଏ । ଏଯାବତ ‘ବତିଶି ଫାଳିଆ’, ‘ବାଇଶି ପଳିଆ’ ନାମକ ଦୁଇଟି ହାସ୍ୟବ୍ୟଙ୍ଗ କବିତା ସଂକଳନ ପ୍ରକାଶିତ ହୋଇ ପାଠକାଦୃତ ହୋଇଛି ।