ନୀଳିମା ନିବେଦିତା

“ଖୁବ୍ ଛଳଛଳ, ଚଞ୍ଚଳ ସ୍ଵଭାବର ଥିଲା ସେ । ସଦ୍ୟ ଜନ୍ମିତ କଅଁଳ ବାଛୁରୀଟେ କି ସତେ ! ବଡ଼ ବଡ଼ ଟଣା ଟଣା ହରିଣୀ ଭଳି ଆଖି ତାର । କି ଖରା କି ଶୀତ, ସବୁବେଳେ ଓଠରେ ଲାଖିଥାଏ ଗୋଲାପି ରଙ୍ଗର କାକର । ସବୁଠୁ ଆକର୍ଷଣ ତା ଲମ୍ବେଇ ଲମ୍ବେଇ କଥା କହିବା ଶୈଳୀ । ତା’ କଥାରେ ଲଥା ଯୋଡ଼ି କହିବା ଯେକେହିକୁ ମୂହୁର୍ତ୍ତେକେ ଆପଣାର କରିଦେବ ଗୋ”, କହୁ କହୁ କାନ୍ଦ କାନ୍ଦ ହେଇଗଲା ପ୍ରତାପ । ପ୍ରତାପ ଭାଷାରେ ବିଜୟଲକ୍ଷ୍ମୀ କେବଳ ତା’ ପ୍ରଥମ ପ୍ରେମ କି ପ୍ରଥମ ପୁଲକର ସ୍ପର୍ଶ ନଥିଲା ବରଂ ଥିଲା, ଆଗତ ଧର୍ମପତ୍ନୀ । ହଁ ହଁ ଧର୍ମପତ୍ନୀ । ମନେମନେ ଧର୍ମକୁ ସାକ୍ଷୀ ରଖି ପ୍ରତାପ ବିଜୟଲକ୍ଷ୍ମୀକୁ ଅର୍ଦ୍ଧାଙ୍ଗିନୀର ଅଧିକାର ସବୁ ସଅଁପି ସାରିଥିଲା । ଏମିତିକି ଆଗାମୀ ବର୍ଷ ବୋଉର ଅସ୍ଥି ବିସର୍ଜନ ପାଇଁ ଉଭୟ ଗୟା ଯିବେ ଆଉ ଫେରିଲାବେଳେ ସିଧା ଘରକୁ ନଫେରି ଫେରାର ହେବେ ହଳେ ପ୍ରେମପକ୍ଷୀ ହୋଇ ମଥୁରା ଓ ବୃନ୍ଦାବନକୁ ବୋଲି କଥାବାର୍ତ୍ତା ବି ଛିଣ୍ଡିଥିଲା । ରାଧାକୃଷ୍ଣଙ୍କ ପ୍ରେମ ଭଳି ସେମାନଙ୍କ ପ୍ରେମ ବି ଚିରଦିନ ପାଇଁ ଅମର ହେଇ ରହିବ ଏ ବିଶ୍ଵାସ ଥିଲା ପ୍ରତାପର ଆଉ ଏ ପ୍ରତିଜ୍ଞାରେ ମୁଣ୍ଡ ଟୁଙ୍ଗାରି ହଁ ଭରିଥିଲା ବିଜୟଲକ୍ଷ୍ମୀ । ଏମିତି ଅନେକ ସ୍ଵପ୍ନ ବୁଣିଥିଲେ ଦୁହେଁ ଦୁହିଁଙ୍କ ଆଙ୍ଗୁଠିରେ ଆଙ୍ଗୁଠି ଛନ୍ଦି ସେଦିନ, ପୁରୀ ସମୁଦ୍ର ସାମ୍ନା ହୋଟେଲ ରୁମ୍ ଭିତରେ ।

ସ୍ଵପ୍ନ କେବଳ ଆଖିରେ ରହିଯାଏ ଏ କଥା ବିଶ୍ଵାସ କରିପାରୁନଥିଲା ପ୍ରତାପ । ମାତ୍ର ୭୨ ଘଣ୍ଟା ପୁରିଛି କି ନାଇଁ ଖୋଲା ଆଖିରେ ଦେଖିଥିବା ସ୍ଵପ୍ନସବୁ ସତ ହେବାର ଢେର ପୂର୍ବରୁ ଶବ ପାଲଟିଗଲେ । ଶବ …! ଆଖି ସାମ୍ନାରେ ଅନ୍ଧାର ଛାଇଗଲା । ସ୍ଥାଣୁ ପାଲଟିଗଲା ପ୍ରତାପ । ଏତକ କହୁକହୁ ସ୍ମିତା ସାମ୍ନାରେ ରାହା ଧରି କାନ୍ଦିଲା ପ୍ରତାପ । ସ୍ମିତା ହୁଁ ବି ମାରି ପାରୁ ନଥାଏ ଏଣେ । କେମିତି କହିବ ସେ ପ୍ରତାପକୁ, ଯେ ପ୍ରତାପ ଆଖିର ଲୁହମାନେ ମୋବାଇଲ ଦେଇ ସଞ୍ଚରି ଯାଉଛନ୍ତି ତା ଆଖି ଦ୍ୱୟକୁ ! ହୃଦୟ ବିଦାରି ହେବାର ଅନୁଭୂତି ତାର ମୃତ୍ୟୁସଂଜୀବନୀ ଭଳି ଏବେ ଏକ ସମ୍ଭାବନା ଅପେକ୍ଷାରେ ! କେମିତି ଶବ୍ଦରେ ବଖାଣିବ ସ୍ମିତା ଆଜିକୁ ୧୨ ବର୍ଷ ତଳର କଟା ଘା’କୁ ? ବାହାରୁ ଶୁଖି ଯାଇଥିଲେ ହେଁ ସେ ଘା’ର ଚିହ୍ନ ଏବେବି ସତେଜ ଆଉ ସବୁଜ !

ସ୍ମିତା ଆଉ ପ୍ରତାପ ଦୁହେଁ ସ୍କୁଲ, କଲେଜ କିମ୍ବା କୌଣସି ଆନୁଷ୍ଠାନିକ ସହପାଠୀ ନଥିଲେ । ନଥିଲେ ବି ଗୋଟିଏ କାର୍ଯ୍ୟ ସଂସ୍ଥାନରେ ସହକର୍ମଚାରୀ । ଦୁହେଁ ଦୁହିଁକୁ ଭେଟିଥିଲେ ଜଣେ ପ୍ରଖ୍ୟାତ କଳାକାରଙ୍କ ଏକାଦଶାହ ଉତ୍ସବରେ । କ୍ୟାମେରା ଥିଲା ଦୁହିଙ୍କ ଯୋଗସୂତ୍ରର ମାଧ୍ୟମ । ପ୍ରଥମ କଥାରେ ପ୍ରତାପର ତାଗିଦ, “ଆରେ ଏମିତି ଧର କ୍ୟାମେରା । ହଁ, ଆଉଟିକେ ତଳକୁ । ଆଉ ଟିକେ । ଆରେ ବସି ପଡ଼ । ଆଙ୍ଗେଲ୍ ଠିକ ରଖିଲେ ସିନା ଫଟୋ ଭଲ ଆସିବ !” ସ୍ମିତା ପାଇଁ ସେ ସ୍ଥାନ ନୂଆ, ସେଠାରେ ଉପସ୍ଥିତ ପ୍ରତ୍ୟେକ ଲୋକ ଅଚିହ୍ନା, ଏମିତିକି ପ୍ରତାପ ବି । ସ୍ମିତା ଡରିମରି କ୍ୟାମେରା ଧରି ଆଣ୍ଠେଇ ପଡ଼ିଲା ସିନା, ହେଲେ ଫଟୋ ଉଠେଇଲାବେଳେ ତା ହାତ ଥରିଲା । ଏସବୁ କେମିତି ଠଉରେଇଦେଲା ପ୍ରତାପ କେଜାଣି, ପାଖକୁ ଆସି ପୁଣି ଚଢା ଗଳାରେ ଉଚ୍ଚା ସ୍ଵରରେ କହିଲା, “ଆରେ ହାତ ସ୍ଥିର ରଖ, ଫଟୋ ଭଲ ଆସିବା ଦରକାର । ଆଉ ହଁ, ଫଟୋଗୁଡ଼ା ପଠେଇ ଦେବେ ମୋତେ । ୯୮୭******** ଏଇଟା ମୋ ନମ୍ବର । ଭୁଲିବେନି । ନିଶ୍ଚୟ ପଠେଇବେ ।“ ଅନ୍ୟୁନୋପାୟ ହୋଇ ଖାଲି ମୁଣ୍ଡ ଟୁଙ୍ଗାରିଲା ସ୍ମିତା, କିନ୍ତୁ ମନେମନେ ଦାନ୍ତ କଡ଼ମଡ଼ କରି ଭାବୁଥାଏ, “କିଏ କେଜାଣି ଏ ଟୋକାଟା । ଏମିତି ଅର୍ଡର ଦେଉଛି, ଯେମିତି ମୋ ବସ୍” ।

କଥା ରଖିବାରେ କିନ୍ତୁ ପାରଙ୍ଗମ ସ୍ମିତା । ଦେବା ପାଇଁ ସବୁବେଳେ ଆଗଭର । ସେ କାହାକୁ ସହଯୋଗ ହେଉ କି ଖୁସି । ଏହି ନ୍ୟାୟରେ ସ୍ମିତା ପଠେଇଥିଲା ଏକାଦଶାହ ଉତ୍ସବରେ ଉଠେଇଥିବା ପ୍ରତାପର କେତୋଟି ଫଟୋ । ନିଜର ଫଟୋ ପାଇ ସେପଟୁ କଲ୍ କରିଥିଲା ପ୍ରତାପ । ସେଦିନର ପ୍ରତାପ ଓ ଫୋନରେ ଥିବା ପ୍ରତାପ ଭିତରେ ଅନେକ ଫରକ ଦେଖୁଥିଲା ସ୍ମିତା । ଏତେ ଫରକ ଯେ ସ୍ମିତାକୁ ଲାଗୁଥିଲା, ସେ ଆଉ ଭୁଲ ମୋବାଇଲ ନମ୍ବରରେ ଫଟୋତକ ପଠେଇ ଦେଇନି ତ ! ସ୍ଵର, କଣ୍ଠ, କଥା କହିବା ଶୈଳୀ ସବୁ ଭିନ୍ନ, ମାରାତ୍ମକ ଭାବେ ଅଲଗା ଲାଗୁଥିଲା ସ୍ମିତାକୁ । ତେବେ ପ୍ରଥମଥର କଥା ହେଉହେଉ କଥା ଯେ ଏତେ ଲମ୍ବିବ, ତା ସିଧା ଯାଇ ବନ୍ଧୁତାର ଖିଅ ଧରିବ ଏ ସମ୍ପର୍କରେ ସମ୍ୟକ ଧାରଣା ନଥିଲା ସ୍ମିତାର । ପ୍ରଥମଥରରେ ପୁଣି ନିଜ ଅନ୍ଧାର ପକ୍ଷକୁ ସ୍ମିତା ସାମ୍ନାରେ ଏମିତି ଥୋଇଦେବା ବି ସ୍ମିତାକୁ ଆଚମ୍ବିତ କରିଥିଲା । କେତେବେଳେ ପ୍ରତାପକୁ ଶୁଣୁଶୁଣୁ ସ୍ମିତା ପ୍ରତାପ ପ୍ରେମରେ ପଡ଼ି ସାରିଥିଲା, ସେକଥା ନା ସ୍ମିତାର ୧୨ ବର୍ଷ ପୁରୁଣା ଘା’କୁ ମାଲୁମ ଥିଲା ନା ରିସିଭର ସେପଟେ ସ୍ନେହ ଛଳଛଳ ବାପମା’ ଛେଉଣ୍ଡ ପ୍ରତାପର ଭଙ୍ଗା ହୃଦୟକୁ ଗୋଚର ଥିଲା । ଦୁହେଁ କେବଳ ସାକ୍ଷୀ ଥିଲେ ଅର୍ଖ ନୂଆ ଏକ ବନ୍ଧୁତା ସମ୍ପର୍କର । ଯଉ ସମ୍ପର୍କରେ କୌଣସି ଦବାନବା ନୁହେଁ ବରଂ ଥାଏ ଜୀବନକୁ ସହଜ କରିଦେବାର ଉପାୟ ।

କଳିଙ୍ଗ ବିହାର, ଭୁବନେଶ୍ୱର-୦୩, ମୋ – ୯୬୬୮୯୯୬୩୮୯    

ଲେଖକ ପରିଚୟ

ନିଜକୁ ଯେତେବେଳେ ଖୁବ୍ ଅସହାୟ ମଣେ ଏବଂ ଶବ୍ଦମାନେ ଛାଟିପିଟି ହୁଅନ୍ତି ଛାତି ତଳେ, ଠିକ୍ ସେଇବେଳେ ଉତ୍ତାରି ହୁଏ ଭାବ, ଅନ୍ତର୍ନିହିତ କୋହ, କିଛି ଅସ୍ପଷ୍ଟ ଅବ୍ୟକ୍ତ ସ୍ଵର । ସେଗୁଡ଼ିକୁ ବିଭାଗୀକରଣ କଲେ ଗଢିହୁଏ କବିତା, ଗଳ୍ପ, ପ୍ରବନ୍ଧ, ସ୍ତମ୍ଭ ଅବା ସମୀକ୍ଷା । ପ୍ରାୟ ୧୦ ବର୍ଷ ହେବ ଲେଖାଲେଖି କ୍ଷେତ୍ରରେ ମୁଁ । ‘ସୃଜନ ଇଣ୍ଡିଆ’ ପ୍ରକାଶନୀରେ ଏଯାବତ୍ ଦୁଇ ଖଣ୍ଡ ବହି (କବିତା ସଂକଳନ “ନୀଳ ନିରବତା” ଏବଂ ଗଳ୍ପ ସଂକଳନ “ବାକିଟା ବ୍ୟକ୍ତିଗତ”) ପ୍ରକାଶିତ ହୋଇଯାଇଛି । ଶିକ୍ଷାଗତ ଯୋଗ୍ୟତା Masters in Computers ଏବଂ Mass Communication ।

Related Posts

Leave a Reply

Your email address will not be published. Required fields are marked *