ବହି: ଲୁଣିଆଭୂତ (ଶିଶୁ ଗଳ୍ପ ସଙ୍କଳନ)
ଲେଖକ: ଶରତ ନାୟକ
ପ୍ରକାଶକ: ଇଟିକିଲି ମିଟିକିଲି, ଭୁଚବନେଶ୍ୱର
ମୂଲ୍ୟ: ୨୬୦ ଟଙ୍କା

ଓଡ଼ିଆ ଭାଷାରେ ଶିଶୁ-କିଶୋରମାନଙ୍କ ପାଇଁ ଲେଖା କମ୍, ଲେଖୁଥିବା ଲୋକ ବି କମ୍ । ଏହାର ଅନେକ କାରଣରୁ ଦୁଇଟି ବଡ଼ କାରଣ ହେଲା: ଏକ: ଶିଶୁମାନଙ୍କ ମନଲାଖି ଏବଂ ସେମାନଙ୍କ ପାଇଁ ଉପଯୋଗୀ ଲେଖା ଲେଖିବା କଷ୍ଟ । ଦୁଇ: ଶିଶୁ ସାହିତ୍ୟର ବଜାର ଖୁବ ଛୋଟ ।

ଶିଶୁଙ୍କ ମନଲାଖି ଏବଂ ଉପଯୋଗୀ ଲେଖା କଷ୍ଟ ହେବାର ଗୋଟେ ବଡ଼ କାରଣ ହେଲା: ଶିଶୁମାନଙ୍କର ଦ୍ରୁତ ପରିବର୍ତ୍ତିତ ହେଉଥିବା ପସନ୍ଦ । ‘ଶିଶୁ’ ବା ଇଂରାଜୀରେ ‘ଚିଲ୍ଡ୍ରେନ୍’ କହିଲେ, ଜନ୍ମରୁ ଗୋଟିଏ ନିର୍ଦ୍ଦିଷ୍ଟ ବୟସ ସୀମା ପର୍ଯ୍ୟନ୍ତ ଆମକୁ ଗ୍ରହଣ କରିବାକୁ ପଡିବ । ମିଳିତ ଜାତିସଂଘ ବା ୟୁନିସେଫ୍ ସଂସ୍ଥା ‘ଚିଲ୍ଡ୍ରେନ’ ଶବ୍ଦଟିକୁ ଜନ୍ମରୁ ଅଠର ବର୍ଷଯାଏ ପରିବ୍ୟାପ୍ତ କରିଛନ୍ତି । ଅତଏବ ଆମ ଦେଶରେ ମଧ୍ୟ ଯେ ପର୍ଯ୍ୟନ୍ତ ପିଲାଟିଏ ଅଠର ବର୍ଷ ଅତିକ୍ରମ ନକରିଛି, ସେ ଶିଶୁ ବୋଲି ଆଇନତଃ ବିବେଚିତ ହୋଇଥାଏ । କିନ୍ତୁ ଶିଶୁଟିଏ ପଢି ଶିଖିବା, ବହିକୁ ଆଦରିବାଠୁଁ ଆରମ୍ଭ କରିବା ଠୁଁ ଅଠର ବର୍ଷ (କୈଶୋର ଅତିକ୍ରମ କରି ଯୌବନରେ ପାଦ ଦେବା ଯାଏଁ) ଭିତରେ ତାର ପସନ୍ଦ ଓ ଆବଶ୍ୟକତାୋର ବହୁତ ପରିବର୍ତ୍ତନ ହୋଇଯାଏ । ସାଧାରଣତଃ ଛ-ସାତବର୍ଷ ବୟସ ହୋଇଗଲେ ପିଲାଟିଏ ନିଜେ କିଛି କିଛି ପଢ଼ିବା ଆରମ୍ଭ କରିଦିଏ । ସାତବର୍ଷରୁ ଦଶବର୍ଷର ପିଲାମାନେ ଯାହା ପଢ଼ିବାକୁ ଭଲ ପାଇବେ, ଏଗାର ବର୍ଷରୁ ଚଉଦ ବର୍ଷର ପିଲାମାନେ ତାହା ପଢ଼ିବାକୁ ହୁଏତ ଭଲ ପାଇବେ ନାହିଁ । କାରଣ ବୟସ ବଢ଼ିବା ସହିତ ପିଲାର ପାଠକୀୟ ରୁଚି ମଧ୍ୟ ବଦଳି ଯାଇଥାଏ । ପନ୍ଦର ବର୍ଷଠାରୁ ଅଠର ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କର ପଢ଼ିବା ରୁଚି ଆହୁରି ଭିନ୍ନ ହୋଇଯାଇଥାଏ । ସେତେବେଳକୁ ସେମାନେ ସମାଜର ବାସ୍ତବିକତା, ସମସ୍ୟା ଆଦି ସମ୍ପର୍କରେ ଜାଣିବାର ବୁଦ୍ଧି ହାସଲ କରିସାରିଥାନ୍ତି । ସେମାନଙ୍କ ଜ୍ଞାନ ଓ ମନୋରଂଜନର ଚାହିଦା ମଧ୍ୟ ଭିନ୍ନ ହୋଇ ସାରିଥାଏ । ତେଣୁ ଶିଶୁ-ସାହିତ୍ୟରେ ବହୁ ସ୍ତର ରହିଛି ।

ଶରତ ନାୟକ ମୋର ବାଲ୍ୟ ବନ୍ଧୁ । ସେ ବହୁ ବର୍ଷ ଧରି ଶିଶୁ-ସାହିତ୍ୟ କ୍ଷେତ୍ରରେ ଲେଖକ ଏବଂ ସଙ୍ଗଠକ ଭାବେ ସକ୍ରିୟ ଅଛନ୍ତି । ଏ କ୍ଷେତ୍ରରେ ତାଙ୍କର ନିଷ୍ଠା ଓ ପ୍ରତିବଦ୍ଧତା ପ୍ରଶ୍ନାତୀତ । ଶିଶୁ-କିଶୋରମାନଙ୍କ ପାଇଁ ସେ ଚଉଦ ଖଣ୍ଡ ବହି ଲେଖିଛନ୍ତି । ଶିଶୁସାହିତ୍ୟ ରଚନା ପାଇଁ ସେ ବହୁ ପୁରସ୍କାର ପାଇଛନ୍ତି ।

ତାଙ୍କର ‘ଲୁଣିଆଭୂତ’ ସଙ୍କଳନରେ ବିଭିନ୍ନ ବୟସର ଶିଶୁମାନଙ୍କ ମନଲାଖି ଗଳ୍ପ ଏକତ୍ରିତ କରିବାର ଏକ ସଚେତନ ପ୍ରୟାସ ରହିଛି ।
ଏ ସଙ୍କନରେ ବାଇଶଟି ଗପ ସ୍ଥାନିତ ହୋଇଛି । ଏଥି ମଧ୍ୟରେ କିଛି ଗପ ରହିଛି ଯାହା କି ସାତବର୍ଷରୁ ଦଶବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ଅଧିକ ଆମୋଦିତ କରିବ । ଯେହେତୁ ଏସବୁ ଗପରେ ପିଲାଳିଆମୀ ଭାବର ପରିପ୍ରକାଶ ପୂର୍ଣ୍ଣମାତ୍ରାରେ ଘଟିଛି । ସେ ସବୁ ଗପ ହେଲା – ‘ଚିଙ୍କୁହାତୀର ବାହାଦୁରୀ’, ‘ବେଙ୍ଗ ବୈଜ୍ଞାନିକ’, ‘ବିଚିତ୍ର ଅଣ୍ଡା’ ଓ ହାତୀର ବେଙ୍ଗ ଡିଆଁ’, ଇତ୍ୟାଦି ।

କିଛି ଗପ ରହିଛି, ଯାହାଅପେକ୍ଷାକୃତ ବଡ । ଏଗାରରୁ ଚଉଦ ବର୍ଷ ବୟସର ପିଲାମାନଙ୍କ ମନକୁ ନିଶ୍ଚୟ ଛୁଇଁବ । ସେମାନଙ୍କର ମନର ଭାବନାକୁ ନେଇ ଏସବୁ ଗପ ରଚିତ ହୋଇଛି । ସେ ସବୁ ଗପ ହେଲା – ‘ମୋ ଗାଁ ମୋତେ ଭଲ’, ‘ଅମାନିଆ ଶ୍ୟାମଳୀ’, ‘ମିକି ଓ କୁଆ’, ‘ବାଘ ସହିତ ମୁହାଁମୁହିଁ’, ‘ଲାଲ୍ଟୁ ଓ କୋଡ଼ିଏ ଟଙ୍କା’, ଇତ୍ୟାଦି ।

ପୁଣି ପନ୍ଦର ବର୍ଷରୁ ଅଠର ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କର ଦୃଷ୍ଟିଭଙ୍ଗୀକୁ ନେଇ ପୁସ୍ତକଟିରେ ଅପେକ୍ଷାକୃତ କିଛି ବଡଗପ ମଧ୍ୟ ସ୍ଥାନିତ ହୋଇଛି । ସେଗୁଡିକ ହେଲା – ‘ଅଜାଙ୍କ ପଖାଳ କାହାଣୀ’, ସୁକନ୍ୟା-କିରଣ’ ଓ ‘ଲୁଣିଆଭୂତ’ଇତ୍ୟାଦି ।

ମୋଟ ଉପରେ ପୁସ୍ତକଟିରେ ସ୍ଥାନିତ ଗପ ଗୁଡିକ, ସାତବର୍ଷରୁ ଅଠର ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ବୟସର ପିଲାମାନଙ୍କ ପାଇଁ ଯେପରି ଉପଯୋଗୀ ହୋଇ ପାରିବ, ସେହି ଉଦ୍ୟମ କରିଛି ।

ଅଧିକାଂଶ ଗପରେ ମନୋରଞ୍ଜନ ସହିତ ଲୁଚିରହିଛି ନୀତିଶିକ୍ଷାମୂଳକ କିଛି କିଛି ଉଦାହରଣ । ଏବେ ଅବଶ୍ୟ ପିଲାମାନଙ୍କୁ ସିଧାସଳଖ ନୀତିଶିକ୍ଷା (ସେମାନଙ୍କ ଭାଷାରେ- ଜ୍ଞାନ୍) ଦେଲେ, ସେମାନେ ତାକୁ ଗ୍ରହଣ କରିବାକ୍ୁ ନାପସନ୍ଦ କରୁଛନ୍ତି । ଗୋଟେ ଗୋଟେ ଗେଞ୍ଜିରେ ଦେଖିଲି ଛାପା ହୋଇଛି: ଜ୍ଞାନ ମତ୍ ଦୋ, ହାମ୍ ସବୁ ଜ୍ଞାନୀ ହୈ । ଜ୍ଞାନ ଦିଅନି, ଆମେ ସମସ୍ତେ ଜ୍ଞାନୀ । ତେଣୁ ପରୋକ୍ଷ ଭାବେ ନୀତିଶିକ୍ଷା ଦିଆଯାଉଛି ଶିଶୁସାହିତ୍ୟରେ । ‘ଲୁଣିଆଭୂତ’ ରେ ତାହାହିଁ କରିବାର ଚେଷ୍ଟା କରାଯାଇଛି ।

ପୁସ୍ତକର ଶେଷ ଗପ ‘ଲୁଣିଆଭୂତ’ ଲେଖକଙ୍କ ଜୀବନର ଏକ ସତ ଘଟଣା ଆଧାରିତ । ଏହା ସହିତ ପିଲାଙ୍କ ମନକୁ ଛୁଇଁଲାଭଳି କଳ୍ପନା ଓ ମହାତ୍ମାଗାନ୍ଧୀଙ୍କ ଆଦର୍ଶକୁ ବି ଯୋଡି ଦିଆଯାଇଛି ।

ପୁସ୍ତକରେ ସ୍ଥାନିତ ଗପଗୁଡିକ ସହିତ ଯଥାସମ୍ଭବ ଚିତ୍ର ସଂଯୋଜନା କରାଯାଇଛି, ଯାହାକି ପିଲାଙ୍କୁ ଖୁସିରେ ପଢ଼ିବାପାଇଁ ଆହୁରି ଅଧିକ ଖୋରାକ ଯୋଗାଇଦେବ ।

++

Related Posts

Leave a Reply

Your email address will not be published. Required fields are marked *