ଶିବାଶିଷ ପାଢ଼ୀ
ରବିବାର ଦିନଟି ମୋ ପାଇଁ ପୁରା ଫୁରସତର ଦିନ । ନା ସମୟର କୌଣସି ବନ୍ଧନ ନା କାର୍ଯ୍ୟାଳୟର ଚାପ । ଏଣୁ ତାକୁ ମନଭରି ଉପଭୋଗ କରିବାକୁ ଚାହେଁ ମୁଁ । ହେଲେ ମୋ ଯୋଜନାକୁ ପ୍ରତିହତ କରିବା ପାଇଁ ଯେମିତି ସବୁଦିନ ନିଜର ଯୋଜନା ପ୍ରସ୍ତୁତ କରିଥାନ୍ତି ସରିତା । ସେ ଭାବନ୍ତି ରବିବାର ଦିନଟି ଯେମିତି ତାଙ୍କର ଏକାନ୍ତ ନିଜସ୍ୱ ଆଉ ମୁଁ ସେଦିନ ତାଙ୍କ ଆଜ୍ଞାଧିନ କର୍ମଚାରୀ ।
ମୋ ଉଠିବାକୁ ଯେମିତି ଅପେକ୍ଷା କରିଥାନ୍ତି ସେ । ଉଠୁଉଠୁ ଗରମଗରମ ଚା’ କପେ ଧରାଇ ଦେଇ ସେ ଆରମ୍ଭ ହୋଇଯାନ୍ତି । କହନ୍ତି – “ଆଜି ଛୁଟି ଅଛି । ଯାଅ, ବଗିଚାକୁ ଟିକିଏ ସମୟ ଦିଅ । ଏଇଟା ଆଣିବାର ଅଛି, ସେଇଟା ଆଣିବାର ଅଛି, ଗ୍ୟାସ ବଦଳେଇ ଆଣ ଇତ୍ୟାଦି ଇତ୍ୟାଦି । ନାନା କାମର ତାଲିକା ଶୁଣୁଶୁଣୁ ମୁଁ ଭାବେ ୟାଠୁ ବରଂ ଅଫିସ ଭଲ ।“
ଆଜି ବି ସକାଳୁସକାଳୁ ଏକ ଲମ୍ବା ତାଲିକା ଧରାଇ ଦେଇ କହିଥିଲେ- “ଘରେ ସବୁ ଜିନିଷ ସରିବା ଉପରେ । ତୁମ ପାଖରେ ଦୁଇଟି ଅପସନ ଅଛି । ଯାଅ ଆଜି ନେଇଆସିବ, ନହେଲେ ଆଜି ଆମକୁ ବାହାରକୁ ନିଅ ।“
ତାଲିକାକୁ ଦେଖୁଦେଖୁ ମୁଁ ଭାବୁଥିଲି ବାହାରକୁ ନେବା ମାନେ ମହରଗରୁ ଯାଇ କାନ୍ତାରରେ ପଡ଼ିବା ହେବ । ଏଣୁ ମୁଁ ହସିଦେଇ କହିଥିଲି- “ମୁଁ ପ୍ରଥମ ଅପସନକୁ ବାଛିବି ।“
ହାଃ ହାଃ … ମୁଁ ଜାଣିଥିଲି- “କହି, ଦୁଇଟି ବ୍ୟାଗ ଧରାଇ ଦେଲେ ସେ ।“
ବାଥରୁମରୁ ଆସି ପ୍ୟାଣ୍ଟସାର୍ଟ ଗଳାଇ ଗାଡ଼ି ବାହାର କରୁଥିଲି ମୁଁ, ହେଲେ ସେପଟୁ ପୁଣି ସରିତାଙ୍କ ପାଟି ଶୁଣାଗଲା ।
“ଏତେ ପାଖକୁ ପୁଣି ଗାଡ଼ିରେ କାହିଁକି ଯିବ ? କେବେକେବେ ତ ଟିକିଏ ଚଲାବୁଲା କର । ପେଟକୁ ଦେଖୁଛ କି ନାହିଁ ?”
ସପ୍ତାହର ସବୁଦିନ ମୋ ହାକିମତି ସହୁଥିବା ସରିତାଙ୍କୁ ଏଇ ଗୋଟିଏ ଦିନ ଫ୍ରି ଦିଏ ମୁଁ । ଏଣୁ ସାମାନ୍ୟ ବିରକ୍ତି ଲାଗିଲେ ବି ପ୍ରତିବାଦ କରିବାକୁ ଚାହିଁ ନଥିଲି ।
ପ୍ରାୟ ଅଧ କିଲୋମିଟର ଦୂର ହେବ ଆମ ସହରର ସବୁଠୁ ବଡ଼ ଦୋକାନ । ମାରୁଆଡ଼ି ଦୋକାନ ନାମରେ ବିଖ୍ୟାତ ସେ ଦୋକାନ ସହ ଆମର ତିନି ପିଢ଼ିର ସମ୍ପର୍କ । ହାତରେ ବ୍ୟାଗ ଧରି ବାହାରିଗଲି ମୁଁ । ଠିକ ମୁଖ୍ୟ ରାସ୍ତାକୁ ଆସୁଆସୁ ଦେଖା ହୋଇଗଲା ବନ୍ଧୁ ସୁରଞ୍ଜନବାବୁଙ୍କ ସହ । ସେ ବି ବୋଧେ ଦୋକାନକୁ ଯାଉଥିଲେ । ସାଙ୍ଗରେ ଥିଲା ତାଙ୍କର କଲେଜ ପଢୁଆ ପୁଅ ସୋମ୍ୟ । ତା’ ହାତରେ ଥିବା ବ୍ୟାଗକୁ ଦେଖି ଅନୁମାନ କରୁଥିଲି ମୁଁ । କୌଣସି କାରଣରୁ ବହୁତ ଅସନ୍ତୁଷ୍ଟ ଲାଗୁଥିଲା ସୌମ୍ୟ । ତାକୁ ଦେଖିଲେ ହିଁ ଜଣାପଡୁଥିଲା ଯେମିତି ବାଧ୍ୟ୍ୟବାଧକତାରେ ଯାଉଛି ସେ ।
ବୟସରେ ସାମାନ୍ୟ ବଡ଼ ହେଲେ ବି ସୁରଞ୍ଜନବାବୁ ମୋର ଅତିଘନିଷ୍ଠ ବନ୍ଧୁ । ତାଙ୍କୁ ଭେଟ ହୋଇ ଖୁସି ଲାଗିଲା ମୋତେ । ପଚାରିଲି -କ’ଣ ଆପଣ ବି ଦୋକାନ ବାହାରିଲେ କି ? ଆଉ ସୋମ୍ୟର କ’ଣ ହୋଇଛି । ଅଲଗା ଜଣାପଡୁଛି ଯେ !
ହଁ, ପରା ଶିବବାବୁ । ୟା’ କଥା ଛାଡ଼ନ୍ତୁ । ସେ କହୁଛି, ଦୋକାନ ଯିବା କି ଦରକାର ? ସବୁ ତ ଅନଲାଇନରେ ଆସିଯିବ, ନହେଲେ ବିଗବଜାର ଯାଇ କିଣି ଆଣିବ । ହେଲେ ମୁଁ ତାକୁ ବୁଝାଉଛି ଯେ ଆମେ ତ ଖାଲି ସାମାନ୍ ପାଇଁ ଦୋକାନ ଯାଉନୁ ! ଦୋକାନ ଯାଉଛୁ ଭାବ ବିନିମୟ ପାଇଁ । ଯାହେଉ ଆପଣ ଭେଟ ହେଲେଣି, ଆପଣ ଟିକେ କହିଦିଅନ୍ତୁ ତ !
ହସିଦେଲି ମୁଁ । ସୋମ୍ୟକୁ ପାଖକୁ ଡାକି ତା’ ସହ ଚାଲିବା ଆରମ୍ଭ କରି କହିଲି- “ଚାଲ ସୋମ୍ୟ ! ମୁଁ ତୋତେ ଆଜି ଡେମୋ ଦେଖେଇବି । ଆମେ ଦୋକାନକୁ ପହଞ୍ଚିଲା ସମୟରେ ବେଶି ଭିଡ଼ ନଥିଲା । ଦୋକାନରେ ଥିଲେ ମାଲିକଙ୍କ ପୁଅ ସୁନୀଲବାବୁ । ଆମକୁ ଦେଖୁଦେଖୁ କହିଲେ-
“ଆରେ ମୁଁ କାଲି ଆପଣମାନଙ୍କ କଥା ମନେ ପକାଉଥିଲି । ଜାଣିଛନ୍ତି ନା ଆମ ଭାଇର ବାହାଘର ଅଛି । କାର୍ଡ ତ ପାଇଥିବେ ନିଶ୍ଚୟ ?
ହସିହସି ସମ୍ମତି ଜଣାଇଥିଲୁ ଆମେ । ସୋମ୍ୟ ବଢ଼ାଇ ଦେଇଥିଲା ତାଲିକା, ହେଲେ ସେତେବେଳକୁ ଆମ ପାଇଁ ଚା’ ଅର୍ଡର କରି ସାରିଥିଲେ ସେ । କହିଲେ- “ବସନ୍ତୁ ନା ! ଆଜି ତ ଛୁଟି ଅଛି !
ସୋମ୍ୟ ଜିନିଷ ବାଛୁଥିଲା । ଆମେ ଗପୁଥିଲୁ । ଜିନିଷ ସବୁ ଧରି ଆମେ ବାହାରିବାବେଳକୁ ଆମକୁ ନିଜଆଡୁ ଦୁଇଦୁଇ ପ୍ୟାକେଟ ବିସ୍କୁଟ ଦେଇ ସୁନୀଲବାବୁ କହିଥିଲେ-
“ଏଇଟା ନୂଆ ଆସିଛି । ଆପଣମାନେ ଟ୍ରାଏ କରନ୍ତୁ । ଭଲ ଥିଲେ କହିବେ । ମଗାଇବା ।“
ଖୁସିର ସହ ବିସ୍କୁଟକୁ ଆଣି ବ୍ୟାଗରେ ଭର୍ତ୍ତି କରୁଥିବା ସୋମ୍ୟ ମୋତେ କହିଥିଲା- “ଅଙ୍କଲ ! ରେଟରେ ଜମା ଫରକ ନାହିଁ । ଏଇଠି ଏତେ ଭେରାଇଟି ଜିନିଷ ଅଛି ନିଜ ହାତରେ ଛୁଇଁ ଜାଣିବା ଅଲଗା କଥା । ଫଟୋରୁ ଜାଣି ହୁଏ ନାହିଁ । ପ୍ରକୃତରେ ଏଇଠି ଅଲଗା ମଜା ଅଛି ।“
ହସିଦେଲି ମୁଁ । ଦୋକାନ ଛାଡୁଛାଡୁ ମୁଁ କହିଲି- “ବାବୁ ଅନଲାଇନରେ କେବଳ ଟଙ୍କା ଆଉ ବ୍ୟାପାର ଅଛି । ହୋଇପାରେ ଟଙ୍କେ ଦୁଇ ଟଙ୍କା ଶସ୍ତା ସେଇଠି । ଏଇଠି କିନ୍ତୁ ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ଅଛି, ବିଶ୍ୱାସ ଅଛି ।“
“ହଁ, ହଁ ଅଙ୍କଲ !” କହି ମୁଣ୍ଡ ଟୁଙ୍ଗାରୁଥିଲା ସୌମ୍ୟ । ଆମ କଥା ସବୁ ଶୁଣୁଥିବା ବନ୍ଧୁଙ୍କ ଚେହେରାରେ ଖେଳୁଥିଲା ଧାରେ ହସ ।
ହେମଗିର, ସୁନ୍ଦରଗଡ଼-୧୩, ମୋବାଇଲ – ୯୭୭୮୧୭୪୯୭୮
ଲେଖକ ପରିଚୟ
ପ୍ରାୟତଃ ତିନି ବର୍ଷ ହେବ ଗଳ୍ପ ଲେଖିବାର ଚେଷ୍ଟାରେ ମୁଁ । ଏ ଯାଏଁ ତିନୋଟି ଗଳ୍ପ ସଂକଳନ ପ୍ରକାଶିତ ହେବା ସହିତ ‘ସାରା ଆକାଶ’ ନାମକ ସଂକଳନ ପ୍ରକାଶିତ ହେବାକୁ ଯାଉଛି । ବିଭିନ୍ନ ପତ୍ରପତ୍ରିକାରେ ଅନେକ ଗଳ୍ପ ପ୍ରକାଶିତ ହୋଇସାରିଛି । ମୁଖ୍ୟତଃ ସାମାଜିକ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଥିବା ମୋର ଗଳ୍ପ ସବୁ କଳେବରରେ ଛୋଟ ନିଶ୍ଚେ କିନ୍ତୁ ନିଜ ଭିତରେ ଏକ ବୃହତ ସାମାଜିକ ବାର୍ତ୍ତା ବହନ କରିବାର ସାମର୍ଥ୍ୟ ରଖେ । ‘ଚିହ୍ନା ଚିତ୍ର ଅଚିହ୍ନା ଚରିତ୍ର’ ମାଧ୍ୟମରେ ଅନେକ କିଛି ଅନାଲୋଚିତ ଅବହେଳିତ ଚରିତ୍ରଙ୍କ ସହ ମୁହାଁମୁହିଁ ହେବାର ସୁଯୋଗ ଆଣିଦେବ ବୋଲି ଆଶା !!!
Story ta bhahut bhala lagila. Asha karu agaku b emiti bhala bhala gapa sunibu. Mu n pakha dokan ru sauda kiniba pasand kare. Pakha dokani 2 paisa paile bhala. Sukh dukh re emane hii thia huanti. Online re jinish sasta milijua sina dhani loka time ahiri dhani hua. Semiti b chakiri samasya bahut. Nija pakha lok nku ame saha jog kariba atmanirbharshila heba paii.
Sunil nayak