ବିନୟ ମହାପାତ୍ର
କେବେ ଯଦି ଜୀବନର ଜଞ୍ଜାଳରୁ
ଦୁଇଘଡ଼ି ଫୁରସତ୍ ମିଳିବ,
ସେଇଥିରୁ ଘଡ଼ିଏ,
ମୋ ପାଇଁ ସାଇତି ରଖିବ,
ଧଳାକଳା ମିଶା ଉଲୁରା ବାଳ ସଜାଡ଼ି
ପଣତରେ ଝାଳ ପୋଛିପୋଛି
କେବେ ଯଦି ଆସିବ,
ଅଗଣାର ବଉଳ ମୂଳରେ
ମୋ ପାଖେ ଖୁନ୍ଦି ହୋଇ ଦି’ଘଡ଼ି ବସିବ ।
ତୁମେ କିଛି କହିବ, ମୁଁ କିଛି କହିବି
ନିଜ କଥା କହି ଶୁଣି
କେବେ ହସି, କେବେ ପୁଣି
ଆଖି ଲୁହ ପଣତରେ ପୋଛିବା,
ସମୟ ସୁଅରେ ବିତିଗଲା ଦିନ
ଆଉ ହଜିଗଲା ବୟସର
ହିସାବକିତାବ ସାଥି ହୋଇ କରିବା ।
ଜୀବନ କେମିତି ଥିଲା,
ସମୟର ସୁଅରେ
କେତେ କଥା ବୋହିଗଲା
ସଂସାରର ତେଢାମେଢା ରାସ୍ତାରେ
ପଥ ଚାଲୁଚାଲୁ, କେତେ କଣ ପାଇଲେ,
ଆଉ କଣ ହରାଇଦେଲେ,
ଯାତ୍ରାର ଅନୁଭବ ନିଜ ସାଥେ ବାଣ୍ଟିବା ।
ଆମ ଜୀବନର ଯାତ୍ରା
କେଉଁଠୁ ଯାତ୍ରା ଆରମ୍ଭ ହେଲା
ଆଜି ଆସି କେଉଁଠି ପହଞ୍ଚିଗଲା
ଚଳଚଞ୍ଚଳ ଏ ଘରର ଗହଳଚହଳ
ଆଜି ସତେ ସ୍ୱପ୍ନ ପରି ଲାଗେ,
ସମୟର ସାଥେ, କଥା ସବୁ ସ୍ମୃତି ହୋଇଗଲା ।
ତୁମେ ମୋର ସାଥେ ଅଛ,
ଜୀବନ ସଂଧ୍ୟାରେ ସବୁ କିଛି ମନେପଡ଼େ,
ବର୍ଷ ଆଉ ବୟସ ବଢିବା ଭିତରେ
ଏ ଦେହ, ଏ ମନରେ
ସମୟ କେତେ ରଙ୍ଗ ବୋଳିଦେଲା
କେତେ କେତେ ଘାଆ ଦେଇଗଲା
ରଙ୍ଗ ସବୁ ଧୋଇଗଲା ପରେ
ଘାଆ ଯେତେ ଶୁଖିଗଲା ପରେ
ଦାଗ ଯେତେ ଜଳଜଳ ଦିଶେ ।
ପଟିଆ, ଭୁବନେଶ୍ୱର
ଲେଖକ ପରିଚୟ
ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।
One thought on “ଶୂନ୍ୟ ନୀଡ଼”