କିଟ୍‍ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେବ ଦୁଇ ଦିନିଆ କବି ସମ୍ମିଳନୀ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ କିଟ୍‍ର ମିଳିତ ଆନୁକୂଲ୍ୟରେ ଚଳିତ ଫେବୃଆରୀ ମାସ ୪ ଓ ୫ ତାରିଖରେ ଦୁଇ ଦିନ ଧରି କିଟ୍‍ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି କବି ସମ୍ମିଳନୀ । କବି ସମ୍ମିଳନୀର ପ୍ରଥମ ଦିନରେ ‘ସାମ୍ପ୍ରତିକ ସମୟରେ ଓଡ଼ିଆ କବିତାର ସ୍ଥିତି, ଗତି, ପ୍ରକୃତି ତଥା ପ୍ରଭାବ’ ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ପରେପରେ ପଲ୍ଲୀ କବିତା, ଆଧୁନିକ କବିତା, ପ୍ରାଚୀନ କବିତା, ଗୀତି କବିତା ଓ ଦେଶାତ୍ମବୋଧକ କବିତା ଆଦି ଶୀର୍ଷକ ଉପରେ କବିମାନେ ସେମାନଙ୍କ ସ୍ୱରଚିତ କବିତା ଆବୃତି କରିବେ । ଏଥିସହିତ ଚିତ୍ରକଳା, ବାଲୁକା କଳା, ନୃତ୍ୟ ଓ ସଂଗୀତ ମଧ୍ୟରେ କବିତାର ଆତ୍ମିକ ପରିବେଶ ସୃଷ୍ଟି କରାଯିବ । ଦ୍ୱିତୀୟ ଦିନରେ ଅନୁବାଦ ଅଧିବେଶନରେ ‘ଭାଷା, ସଂସ୍କୃତି, ଭାବଗତ ବିକାଶ ନିମନ୍ତେ କବିତାର ଅନୁବାଦଗତ ପ୍ରାସଙ୍ଗିକତା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ଆମନ୍ତ୍ରିତ କବିମାନଙ୍କ କବିତା ସଙ୍କଳନର ଲୋକାର୍ପଣ ମଧ୍ୟ କରାଯିବ ଉକ୍ତ କାର୍ଯ୍ୟକ୍ରମରେ । ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ଚାରି ଶହ କବି ଯୋଗଦେବେ ବୋଲି ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ବକ୍ତୃତା ପ୍ରଦାନର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

Related Posts

Leave a Reply

Your email address will not be published. Required fields are marked *