ମୂଳ ରଚନା : କେଜି ଶଙ୍କର ପିଲ୍ଲାଇ

ଅନୁବାଦ : କ୍ଷୀରୋଦ ପରିଡ଼ା

ସାରା ଜୀବନ ଚଢେଇଟି ଆକାଶରେ ଉଡ଼ିଉଡ଼ି
ଯେବେ ପହଞ୍ଚି ପାରିଲାନାହିଁ
ତାହାରି ଈପ୍ସିତ ଆଦର୍ଶାଲୋକରେ
ଫେରିବାକୁ ଚାହିଁଲା ସେ ତାହାରି ନୀଡ଼କୁ
ଫେରି ଆସିବା ପାଇଁ ଅଛି ଯଦି ଜାଗାଟିଏ
ଧରିନିଅ ଯେ ତମେ ମୁକ୍ତ, ସ୍ଵାଧୀନ
ତାହାଲେ ଚଢ଼େଇଟି ଆଜି ଫେରିଲା
କେଉଁଠିକି ?

ଶିକାରୀମାନେ ଅପେକ୍ଷା କରିଛନ୍ତି
ସେମାନଙ୍କ ଅଦୃଶ୍ୟ ଜାଲ ଧରି
ସେମାନେ ତ ଡାକୁଛନ୍ତି ତମକୁ
ଠିକ୍ ତମରି ବେଶ ଓ ଧ୍ୱନିରେ –
ଯେଉଁମାନେ ଅପେକ୍ଷା କରିଛନ୍ତି
କବିତାର ମାସ୍ତୁଲ ଉପରେ
ସେମାନେ ଫେରାଇ ଆଣିବାକୁ ଚାହାଁନ୍ତି ତମକୁ
ନିର୍ଜନତାର ଏକ ପତାକା ଆଡ଼କୁ,
କାନଭାସ ଉପରେ ପଡ଼ିଛି ସ୍ପଷ୍ଟ ଦିବାଲୋକ
ଆଉ ଡାଳଟିଏ ନଇଁଛି ସେଇଠି
କେଉଁଠି ବିଶ୍ରାମ ନିଏ କ୍ଳାନ୍ତ ଚଢ଼େଇଟିଏ
କିନ୍ତୁ ଅଙ୍ଗୁଳି ଗୁଡ଼ିକର ସନ୍ଦିରେ
ତୁଳୀ ସଚଳ ଓ ସତର୍କ ଠିକ୍ ଆଗ ପରି !

ତାହେଲେ ଆଜି
ଚଢ଼େଇଟି ଫେରିଆସିବ କେଉଁଠିକୁ ?
ଏକ ସୁସ୍ୱାଦୁ ବ୍ୟଞ୍ଜନ ପରି
କାହାର ଖାଇବା ଟେବଲ ଉପରକୁ ?
ପ୍ରାର୍ଥନା କରିବାକୁ କେଉଁ ଅପଦେବତାଙ୍କୁ ?
ସେ ଫେରିଆସିବାକୁ ଭବିଷ୍ୟବାଣୀ କରୁଥିବା
କେଉଁ ଜ୍ୟୋତିଷର ପଞ୍ଜୁରି ପାଖକୁ ?
ସେହି ଚଢ଼େଇଟି ଆଜି ଫେରିଆସିବ
ଟିକିଏ ବିଶ୍ରାମ ସକାଶେ
ତାହାରି ଆଦର୍ଶାଲୋକର କେଉଁ ଡାଳ ଉପରକୁ ।

ସେକ୍ଟର ୫/୩୫୨, ନୀଳାଦ୍ରି ବିହାର, ଭୁବନେଶ୍ୱର- ୭୫୧୦୨୧, ମେଲ୍ : kshirodsahitya@gmail.com, ଫୋନ୍- ୯୯୩୭୪୯୬୨୦୮

ଲେଖକ ପରିଚୟ

ଓଡ଼ିଶା ସାହିତ୍ୟ ଏକାଡ଼େମୀ, ୨୦୧୦ ପୁରସ୍କାର ପାଇଥିବା ବେଳେ ଏଯାବତ ୨୪ ଟି ଅନୁବାଦ, ୪ ଟି କବିତା, ଦୁଇଟି ଉପନ୍ୟାସ ପୁସ୍ତକକୁ ମିଶେଇ ସମୁଦାୟ ୩୦ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇସାରିଛି । ଏତଦବ୍ୟତୀତ ଖୁବ୍ ନିକଟରେ ପ୍ରକାଶ ପାଇବାକୁ ଯାଉଛି ଆଉ କେତୋଟି ପୁସ୍ତକ ଯାହା ପୂର୍ବରୁ ଭିନ୍ନ ଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇସାରିଛି, କେବଳ ଗ୍ରନ୍ଥାୟିତ ହେବ । ତ୍ରୟମାସିକ ସାହିତ୍ୟ ପତ୍ରିକା “ଉଦ୍ଭାସ” ଓ ମାସିକ ସାହିତ୍ୟ ପତ୍ରିକା ” ନନ୍ଦିକା” ରେ ସମ୍ପାଦନା କାର୍ଯ୍ୟ ମଧ୍ୟ ସେ ତୁଲାଇଛନ୍ତି ।

Related Posts

Leave a Reply

Your email address will not be published. Required fields are marked *