ଧର୍ମରାଜ ମାଝୀ

ଅନ୍ୟମାନେ କ’ଣ ଭାବନ୍ତି ତୁମ ବିଷୟରେ,
ଏସବୁ ତୁମ ନିୟନ୍ତ୍ରଣରେ ନାହିଁ
ସିଏ ଜାଣନ୍ତି ନାହିଁ;
କେମିତି ପହଞ୍ଚିଛ ଆଜି ତୁମେ ଏଇଠି,
ତୁମ ଅତୀତ ବାଖଣୀ ଦେଲେ,
ସେ ଯେ ଅବାକ୍ ହେବେ, ବାବୁଲାଲ !!

ତୁମକୁ ନେଇ,
ସେମାନଙ୍କ ମତାମତ ନିଶ୍ଚୟ ହତୋତ୍ସାହିତ;
କାହିଁକି ନା ଅଙ୍ଗୁର ଖାଇ ନଜାଣିଲେ ଖଟା,
ତୁମ ବିଚାର ଆଉ ଚେତନାର ପୃଥିବୀରେ
ସେମାନେ ପରଗ୍ରହୀ ଜୀବ ।

ତୁମ ଆୟତ୍ତରେ ନାହିଁ, ବାବୁଲାଲ !
ଅନ୍ୟମାନେ ଦୋଷାରୋପ କରି ପ୍ରାଣପଣେ
ଚେଷ୍ଠା କରନ୍ତି, ପ୍ରମାଣିତ କରିବାକୁ ତୁମେ ନିହାତି
କାହା ଅନୁଗ୍ରହରେ ଆଜି ବଳୀୟାନ,
ତୁମ ତେଜ ତାଙ୍କୁ ଦ୍ଵିପ୍ରହରର ଝାଞ୍ଜି,
ତୁମ ନିରବତା ତାଙ୍କୁ ଅଭିମାନ ପରି ଲାଗେ ।

ତୁମ ଅଧିନରେ ଅଛି ତୁମ ଇପ୍ସିତ ପୃଥିବୀ
ତୁମ ଶକ୍ତି, ସାମର୍ଥ୍ୟକୁ ତୁମେ ହିଁ ଜlଣ;
ସମୟକୁ କଉ ରୁଚିରେ ତୁମେ ବିତାଉଛ
ପରନିନ୍ଦା, ପରଚର୍ଚ୍ଚାରେ ନା,
ନିଜକୁ ସ୍ଵୟଂସିଦ୍ଧ କରିବାରେ
ତୁମ ପରିସୀମାକୁ ବ୍ୟାପକ ଆଉ ସଶସ୍ତ୍ର କର,
କେତେ ପ୍ରଖର ଆଉ ତୀକ୍ଷ୍ଣ ହେବାକୁ
କେତେ କରୁଛ ତପ ଆଉ କେତେ ଅଛ ମଗ୍ନ,
ସବୁ ତୁମ ହାତରେ ଅଛି ।

ବାବୁଲାଲ,
ତୁମେ ଏତିକି ହିଁ ଆତ୍ମସ୍ଥ କର ,
ସଫଳତା ଆଉ ବିଫଳତା ଦୁଇକୂଳ ନଈର ।

କର୍ମଫଳରେ ଲାଳାୟିତ ହୁଅନ୍ତି ସଭିଏଁ,
କିଛି କରିବେ କଟାକ୍ଷ ।
ଅମଳକୁ ଦେଖି ,
ଚାଷୀକୁ ଈର୍ଷା କଲେ ଲାଭ କଣ ଯେ,
କର୍ମ, ତୁମ ସାଧନା, ତୁମ ବିଚାର ତୁମ ପରିଚୟ
ତୁମ ସଫଳ ପ୍ରୟାସ ସବୁ
ଏତିକି ବାର୍ତ୍ତା ଦେଉ ସଭିଙ୍କୁ; କଷ୍ଟ କଲେ କୃଷ୍ଣ ମିଳେ ।

ଚନ୍ଦାହାଣ୍ଡି, ନବରଂଗପୁର, ମୋ- ୯୪୩୭୯ ୫୧୯୮୭

ଲେଖକ ପରିଚୟ

ବୃତ୍ତିରେ ଓଡ଼ିଶା ପ୍ରଶାସନିକ ସେବାରେ ନିୟୋଜିତ ଥିଲାବେଳେ ପ୍ରବୃତ୍ତି କବିତା, ଗଳ୍ପ ଲେଖିବା ସହିତ ଅନୁବାଦ କରିବା । ଏଯାବତ ସମୁଦାୟ ଚାରି ଖଣ୍ଡ କବିତା ସଂକଳନ ପ୍ରକାଶିତ ହୋଇଥିବା ବେଳେ ଅନେକ ସମ୍ବର୍ଦ୍ଧନା, ସ୍ୱୀକୃତି ଓ ସମ୍ମାନ ମିଳିଛି ଓଡ଼ିଆ ସାହିତ୍ୟ କ୍ଷେତ୍ରରେ । ପାଠକଙ୍କୁ ପୁଞ୍ଜି କରି ଅବ୍ୟାହତ ରହିଛି ସାହିତ୍ୟ ଯାତ୍ରା ।

Related Posts

One thought on “ବାବୁଲାଲ – ୧୩

  1. ଚମତ୍କାର ସୃଜନ କବି ଧର୍ମରାଜ ମାଝୀ ମହୋଦୟ।ମାର୍ମୀକ ଉପସ୍ଥାପନା।

Leave a Reply

Your email address will not be published. Required fields are marked *