‘ଆଞ୍ଜୁଳାଏ ଅଭିମାନ’ ପାଠକାର୍ପିତ

ଭଦ୍ରକ : କଷଣର କଷଟିରେ ଘଷିକଷି ହୋଇ ଜୀବନର ମହନୀୟତା ଝଟକି ଉଠେ । ଏହି ଝଟକରୁ କେତୋଟି ସାଇତା ଅନୁଭବ କବିତା ହୋଇ ଉତୁରି ଆସିଥାଏ କବିର କଲମରୁ । ତେଣୁ ଜୀବନ ହିଁ କବିତାର ପ୍ରଥମ କୁଆଁ । ସ୍ଥାନୀୟ ସଂସ୍କୃତି ଭବନରେ ଭୁବନେଶ୍ୱରର ବର୍ଷା ପବ୍ଲିକେଶନ ଦ୍ଵାରା ପ୍ରକାଶିତ ତରୁଣ କବି ପତିତପାବନ ପାଣିଙ୍କ ପ୍ରଥମ କବିତା ସଂକଳନ “ଆଞ୍ଜୁଳାଏ ଅଭିମାନ”ର ପାଠକାର୍ପଣ ଉତ୍ସବରେ ବିଶିଷ୍ଟ ବକ୍ତାମାନେ ଏପରି ମତବ୍ୟକ୍ତ କରିଥିଲେ ।

ଯଶସ୍ଵୀ କବି ହୃଦାନନ୍ଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଧାମନଗର କଲେଜ ଅଧ୍ୟକ୍ଷ ତଥା ବିଶିଷ୍ଟ କଥାକାର ପବିତ୍ର ପାଣିଗ୍ରାହୀ ଯୋଗ ଦେଇ କହିଥିଲେ, କବିତା ଏକ ସୁକୁମାର କଳା । ସରଳପଣ ତଥା ସହଜ ଜୀବନ ଜୀଇଁବାରେ କବିତା ଉତୁରେ । କବିତା ଜୀବନକୁ ଅର୍ଥପୂର୍ଣ୍ଣ କରେ ବୋଲି ସେ ମତ ରଖିଥିଲେ । ମୁଖ୍ୟବକ୍ତା ଭାବେ ଡ. ଅଭୟ ଦାସ ଯୋଗ ଦେଇ କବିତା ପୁସ୍ତକର ସମୀକ୍ଷା କରିଥିଲେ । ଏଥିସହ ସାମ୍ପ୍ରତିକ ସମୟରେ ପାଠକ ଓ କବିର ଦୂରତା ପ୍ରସଙ୍ଗରେ ମତ ରଖି ଏହାର ସମାଧାନ ଉପରେ ଆଲୋକପାତ କରିଥିଲେ । ସଭାପତି କବି ହୃଦାନନ୍ଦ ପାଣିଗ୍ରାହୀ ବଦଳିଯାଉଥିବା ସମାଜ, ଜୀବନ ଓ ତା ସହିତ ତାଳ ଦେଇ ବଦଳୁଥିବା ବିଚାରବୋଧ ତଥା ଜୀବନ ଶୈଳୀର ପ୍ରତିଫଳନ କବିତରେ ଏକ ସଙ୍କଟ ସୃଷ୍ଟି କରୁଥିବା ଆଶା ବ୍ୟକ୍ତ କରିଥିଲେ । ଅନ୍ୟତମ ବରେଣ୍ୟ ବକ୍ତା କବି କିଶୋର ପାଣିଗ୍ରାହୀ ପତିତପାବନଙ୍କ କବିତା ଉପରେ ଆଲୋକପାତ କରିଥିଲେ । କବିତାର ଚିରନ୍ତନ ଆବେଦନ ସମାଜ ବ୍ୟବସ୍ଥା ବା ସାମ୍ପ୍ରତିକତାକୁ ଖାତିର ନକରି ମଣିଷପାଣିଆର ଆବେଦନ ଓ ସମ୍ବେଦନଶୀଳତାର ଅପେକ୍ଷା ରଖେ । ଜୀବନକୁ ଭୋଗ୍ୟ ପରିବରେ କବିତାର ଆଚମନ ଓ ପୁନରାଚମନ ବୋଲି ସେ କହିଥିଲେ । ଉତ୍ସବର ଆରମ୍ଭରେ ପ୍ରକାଶକ ତଥା ସୁଲେଖକ ବାଦଲ ମହାନ୍ତି ପ୍ରକାଶକୀୟ ଅଭିବ୍ୟକ୍ତି ରଖିଥିବା ବେଳେ କବୀ ତଥା ଆକାଶବାଣୀ ସମ୍ବଲପୁରର ଘୋଷିକା ମୀତା ପଟ୍ଟନାୟକ ସଭା ସଂଚାଳନା କରିଥିଲେ । କବି ପତିତପାବନ ପାଣି ଲେଖାକୀୟ ପ୍ରଥମ ପ୍ରତିକ୍ରିୟା ସ୍ୱରୂପ ପ୍ରଥମ ପୁରସ୍ତକର ପୁଲକ ବଖାଣି ଅତିଥିମାନଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *