ଶ୍ରୀଗୋବିନ୍ଦ

ଦୁଇ ଦଶନ୍ଧି ଧରି ଲେଖାଲେଖି କରୁଥିଲେ ବି ମୋ ପାଖକୁ ଯେତିକି ଫୋନ୍ କି ମେସେଜ ଆସେନାହିଁ, ମୋ ଧର୍ମପତ୍ନୀ ପାଖକୁ ତା’ଠୁ ବହୁତ ଅଧିକ ଫୋନ କଲ ଆସେ । ଏମିତିକି ପୁରସ୍କାର ଦେବାକୁ ରାଜ୍ୟର ବିଭିନ୍ନ ସଂଗଠନ ମଧ୍ୟ ଆମନ୍ତ୍ରଣ କରନ୍ତି ତାକୁ । ଯଦିଓ ସେ ମାତ୍ର ୪/୫ ବର୍ଷ ହେଲା ଲେଖାଲେଖି କରୁଛି ତଥାପି ଫେସ୍‌ବୁକ୍‌ରେ ତା’ର ଫୋଲର୍ ସଂଖ୍ୟା ଅଧିକ । ଗପ କି କବିତାଟିଏ ପୋଷ୍ଟ କରିଦେଲେ, ସାଙ୍ଗେ ସାଙ୍ଗେ ହଜାର ହଜାର କମେଣ୍ଟ, ଲାଇକ୍ । ୱାଃ, ସୁନ୍ଦର, ଆପଣ ଯେମିତି ସୁନ୍ଦର ଆପଣଙ୍କ କବିତା ବି ସେମିତି ସୁନ୍ଦର । କଣ ନଲେଖିଲେ ମାଡ଼ାମ..ଏମିତି କେତେ କେତେ କଥା । କେହିକେହି ବି ଅତି ପ୍ରଂଶସା କରିବାକୁ ଯାଇ ଦୁର୍ବଳତା ପ୍ରକାଶ କରିବାକୁ ପଛାଇ ନାହାନ୍ତି । ମୁଁ ଭାବେ ମୋ ସ୍ତ୍ରୀର ବେଶୀ ପ୍ରଂଶସକ ଥିବାର କାରଣ ହେଲା ଦୁଇଟା । ପ୍ରଥମଟା ହେଲା ସେ ସୁନ୍ଦରୀ, ଯେତିକି ଲେଖାଲେଖି କରେ ବେଶୀ ନିଜର ସୁନ୍ଦର ପୋଜ୍ ଦିଆ ଫଟୋ ପୋଷ୍ଟ୍ କରେ । ମୁଁ ଏହାକୁ ପସନ୍ଦ କରେନି ବୋଲି ଦିଧାଡ଼ି ଏଣୁତେଣୁ କିଛି ଅର୍ଥ ନଥିବା କଥା ଲେଖିଦେଇ ନିଜର ଷ୍ଟାଇଲିସ୍ ଫଟୋକୁ ପୋଷ୍ଟ କରିଦିଏ । ତା’ର ଦେଖେଇହେବା ଗୁଣ ଏତେ ଅଧିକ ଯେ,  ଫଟୋ ପୋଷ୍ଟ କରିବାକୁ ବାହାନା ଦେଖାଇ ଖାଲି ଦି ଧାଡ଼ି ଲେଖେ । କହିଲେ କହିବ ତମେ ଏତେ କଞ୍ଜରଭେଟିଭ୍‌, ମୋ ଲେଖାଟେ ପୋଷ୍ଟ କରିବାବେଳେ ଯଦି ଇମେଜ୍ ବ୍ୟବହାର ପାଇଁ ଫଟୋଟେ ବସାଇଦେଲି କଣ ହେଲା ସେଠୁ ? ତମେ ଜମା ସହିପାରୁନ, ଖାଲି ଗେରେଗେରେ ହେବା ପଛରେ ଈର୍ଷା ବ୍ୟତୀତ ଆଉ କିଛି ନୁହେଁ । ମୁଁ ଚୁପ୍ ରହିଯାଏ, ସେ ସେମିତି ଲିପଷ୍ଟିକ୍‌, ଆଇ ଲାଇନର,ମସକରା, ସେଡ଼ୋ ଏମିତି ଯେତେ ଯେତେ କୃତିମ ଉପକ୍ରମ ରୂପ ମାଜିବାକୁ ଅଛି ସବୁ ଲଗାଇ ସେଲଫି ନିଏ, ଦିଧାଡ଼ି ପ୍ରେମକବିତା ଲେଖି ଛାଡ଼ିଦିଏ । ତା’ପରେ ତାକୁ ଯେଉଁ ଆଙ୍ଗେଲରୁ ଦେଖିଲେ ବି ସହଜରେ ବିବାହିତା ବୋଲି ଜଣାପଡ଼େ ନାହିଁ । ତା’ ସତୀତ୍ୱର ସିନ୍ଦୁରକୁ ଅତି କାଇଦାରେ ଚୁଟି ଭିତରେ ଲଗାଇ ଦେଇଥାଏ ଯେ କିଏ ବା ଜବ କାଚ ପକେଇ ଦେଖିବ ? ଦ୍ୱିତୀୟ କାରଣଟି ହେଲା ମୋ ସହ ସେ ଉଠାଇଥିବା ଫଟୋ ପୋଷ୍ଟ କରିବାକୁ କେବେ ଚାହେଁ ନାହିଁ । ଅବଶ୍ୟ ଏହା ପଛର କାରଣଟା କଣ ଆଜି ଯାଏ ମୋତେ ଜଣେଇବାକୁ ସୁଯୋଗ ଦେଇନି ସେ । ମୋର ଫେସ୍‌ବୁକ୍‌ରେ ଏମିତି ଛଟକ ହୋଇ ଫଟୋ ଛାଡ଼ିବାର ଆଗ୍ରହ ନଥିବାରୁ ମୁଁ କେବେ ପ୍ରତିକ୍ରିୟା ପ୍ରକାଶ କରିନାହିଁ । ଯେଉଁଠି ବଡ଼ ବଡ଼ କବି ଲେଖକମାନେ ଚେହେରା ହେଉ ଅବା ଲେଖା ହେଉ ୱାଃ..ୱା..କରୁଛନ୍ତି, ମୁଁ କି କବି ଦେଖେଇପାରିବି ତା’ଆଗରେ ! ଖବରକାଗଜରେ ଦିନରାତି ଖଟୁଥିବା ତଥା ନିଜକୁ ବିଜ୍ଞାପିତ କରିବାକୁ ଚାହୁଁ ନଥିବା ଜଣେ ଅଧମ ଲେଖକଙ୍କୁ ନେଇ ସେ ବା କାହିଁକି ତା’ ସ୍ୱାମୀ ବୋଲି ପରିଚୟ ଦେବ !

କିଛିଦିନ ହେଲା ଏବେ ତାର ଡ଼ିମାଣ୍ଡ ଏମିତି ବଢ଼ିଯାଇଛି କହିଲେ ନସରେ । ପ୍ରତ୍ୟେକଦିନ ଦଶ କି କୋଡ଼ିଏ ଫୋନ୍ । ପତ୍ରପତ୍ରିକା ବାଲା ଯାହା ତ ଫୋନ୍ କରନ୍ତି, ଛୋଟବଡ଼ ଖବରକାଗଜର ସହ-ସଂପାଦକମାନେ ବି ଉଠେଇ ବସେଇ ଦିଅନ୍ତିନି । ଯଦି ମେଲ୍ କରିପାରୁନାହାନ୍ତି ହ୍ୱାଟସ୍‌ଆପ୍‌ରେ ପଠେଇ ଦିଅନ୍ତୁ । ଆଉ କେହି କେହି କହିବେ ଯଦି କହିବେ ଆମେ ଅଫିସ୍ ଯିବା ବାଟରେ ନହେଲେ ନେଇ ଆସିବୁ । ସମ୍ପାଦକ ଓ ସହ-ସମ୍ପାଦକଙ୍କ କାଲୁବାଲୁ ଏତେ ବଢ଼ି ଯାଇଥିଲା, ଆମ ଦାମ୍ପତ୍ୟ ଜୀବନରେ ବି ଝଡ଼ ଆସିବା ଆରମ୍ଭ କଲା । ଟେବୁଲ ପାଖରେ ଝୁଙ୍କି ପଡ଼ି ମୁହଁ ତଳକୁ କରି କଣ ସବୁ ୟାଡ଼ୁସାଡ଼ୁ ଲେଖିଚାଲିଥିବ ଯେ ଉପରକୁ ମୁହଁ ଉଠାଇବାକୁ ତାର ତର ନଥିବ । ସତେକି ଛପାଖାନାର ମେସିନ । ପଚାରିଲେ କହିବ, ଲେଖା ଏତେ ପେଣ୍ଡିଙ୍ଗ୍ ଯେ ମୋତେ ଡ଼ିଷ୍ଟର୍ବ କରନି ବରଂ ପାରୁଛ ଯଦି ଚା’ ଟିକେ କରି ଆଣ । ଏହି ଚା’ କରିବା କାମରୁ ଏବେ ରୋଷେଇ କରିବା, ବାସନ ମାଜିବା, ଘର ଓଳେଇବା, ବିଛଣା ବିଛେଇବା ଯାଏଁ ତାଲିକା ଲମ୍ବା ହୋଇଗଲାଣି । ଆଗରୁ ଫୋନ୍ ଅବଶ୍ୟ ରାତି ୧୦ କି ସାଢ଼େ ୧୦ ଯାଏଁ ଆସୁଥିଲା, କିନ୍ତୁ ଏବେ ରାତି ଦୁଇଟା କି ଅଢ଼େଇଟା ଯାଏଁ ହ୍ୱାଟସ୍‌ଆପ୍‌ରେ ଚାଟିଂ ବନ୍ଦ ହେଉନି ।

ମୁଁ କବି ହେବି ବୋଲି ଦିନାକାତେ ଜୀବନକୁ ବୋହେମିଆନ କଲି । ଭଲ କ୍ୟାରିୟର ଥିଲେ ବି କବିତା ପଛରେ ପଡ଼ି ବରବାଦ୍ ହେଲି । ଠିକ୍ ବୁଢ଼ା ହେବାବେଳକୁ ଏମିତି କବି ପତ୍ନୀଟିଏ ପାଇଲି ଯେ ଅବସ୍ଥା କହିଲେ ନସରେ । ଏପଟେ କ୍ୟାରିୟର ନଦେଖି ଠିକ୍ ବୟସ ହେବାବେଳକୁ ପ୍ରାଇଭେଟ କମ୍ପାନୀରେ ବିନା ମୁଲଚାଲରେ ସ୍ୱଳ୍ପ ଦରମାରେ ଆଡ଼ଜଷ୍ଟ କରିବାକୁ ପଡ଼ିଲା ତ, ତେଣେ ସ୍ତ୍ରୀକୁ ଚଳାଇବାକୁ ଚାକିରି ନକଲେ ନଚଳେ ନ୍ୟାୟରେ ଯେତେ ଯାହା ଦିଅନ୍ତୁ ପଛେ ମାଟିକାମୁଡ଼ି ରହିବାକୁ ପଡ଼ିଲା । ଯାହା ବାଧୁଥିଲା କାହାକୁ କହିହେଉଥିଲା ନା’ ସହିହେଉଥିଲା । ଏହାର ମୌକା ସେ ନେବ ବୋଲି କଣ ଜାଣିଥିଲି ! ତା’ପରେ ପୁଣି ପାନରୁ ଚୁନ ଖସିଗଲେ ତମର ନୁହଁ । ମୋ ବାପଘର ଏସା ତେସା..ତମକୁ ବାହା ହୋଇ ଭୁଲ୍ କଲେ, ଏମିତି ସବୁ ସ୍ତ୍ରୀ ଲୋକମାନେ ଯାହା କୁହନ୍ତି । ମୁଁ ବିଚରା ଚୁପ୍ ରହିବା ବ୍ୟତୀତ ଆଉ କଣ ବା କରିପାରେ !

ସୁନ୍ଦରୀ ସ୍ତ୍ରୀ ପୁଣି ଲେଖିକା ହେବା ମୋ ପାଇଁ ବେଶୀ ମହଙ୍ଗା ପଡ଼ିଲା । ପୁଣି ପୁରସ୍କାର ପାଇବା ନାଁରେ ଦିନ ଦିନ ଛୁଆକୁ ଛାଡ଼ି ବାହାରେ ରହିବା ଆହୁରି ଆକ୍ରାନ୍ତ କଲା । ଏଥିରୁ ବର୍ତ୍ତିବା ପାଇଁ ଯଦିଓ ମୋ ପାଖରେ କିଛି ଉପାୟ ନଥିଲା । ଦେଖିଚାହିଁ ଚୁପ୍ ରହିବାକୁ ପଡ଼ିଲା । କହିଲେ ଏଣେ ଉଗ୍ରଚଣ୍ଡୀ ରୂପ ଧରି ଘର ଉଚ୍ଛନ୍ନ କରିଦେବ, ତେଣେ ଲୋକଲଜ୍ୟା ।

କିନ୍ତୁ ଦିନେ ଛୋଟ ଆଇଡ଼ିଆଟିଏ ଭଗବାନ ମୋ ମୁଣ୍ଡକୁ ଜୁଟେଇଲେ । ମୁଁ ମୋ ପତ୍ନୀଙ୍କୁ ପଟେଇ ତା’ଠିକଣା ତଳେ ମାର୍ଫତ ସହିତ ମୋ ଫୋନ୍ ନମ୍ବର ଲେଖିବାକୁ କହିଲି । ଅବଶ୍ୟ ସେ ଏଥିରେ ଅନେକ ପ୍ରତିବାଦ କଲା । ମୁଁ ଉପସ୍ଥିତ ବୁଦ୍ଧି ଖଟାଇ ଶେଷରେ ରାଜି କରେଇ ପାରିଥିଲି । ପୋଷ୍ଟମାଷ୍ଟର ଚିଠି କିମ୍ବା କୌଣସି ବହିର ପାର୍ସଲ ଆସିଲେ ଠିକଣା ପାଇ ପାରୁନାହିଁ ବୋଲି କହିବା ପରେ ସେ ମୋ ପ୍ରସ୍ତାବରେ ରାଜି ହୋଇଯାଇଥିଲା । ଏଥର ମାର୍ଫତ ଲେଖାହେବା ଓ ମୋ ଫୋନ୍ ନମ୍ବର ଦେବା ପରେ ମୋତେ ଊଣାଧିକେ ଜାଣିଥିବାରୁ ଯେଉଁ କେତଟା ବୟସ୍କ କି ମଧ୍ୟ ବୟସ୍କ ଲେଖକ ଫୋନ କି ଚାଟିଂ କରୁଥିଲେ କିଛିଟା କମିଯାଇଥିଲା । ଅନେକ ଲେଖକ ରାତିଅଧିଆ ଚାଟିଂ ବି ଛାଡ଼ି ଦେଇଥିଲେ । ଯେଉଁମାନେ ନଜାଣିଥିଲେ, ଥରେ ଦୁଇଥର ଉଚିତ ଜବାବ ପରେ ଜାଣିଗଲେ ଯେ ଏବେ ମୋ ନମ୍ବର ତା’ ଲେଖା ତଳେ ଦିଆଯାଉଛି । ଅସଲ କଥାଟା ଜାଣିବା ପରେ ଲେଖା ମାଗିବା ବି କମିଯାଇଥିଲା । ଆଉ କେତେଟା ବେହିଆ ରାସ୍ତାଘାଟରେ ଦେଖାହେଉଥିଲେ, ଦେବୀ ମାଡ଼ାମ ଆମ ଭାଉଜ ବୋଲି ଜାଣି ନଥିଲୁ କିନ୍ତୁ ବହୁତ ଭଲ ଲେଖନ୍ତି । ମୁଁ ମନେ ମନେ ଭାବୁଥିଲି ଯାହା ହେଉ ମାର୍ଫତ ସହିତ ଫୋନ ନମ୍ବର ଲେଖିବା ତ ସ୍ଲୋ ପଏଜନର କାମ ଦେଲା । ଯଦିଓ ସେ ତକଲିଫ୍ ଥିଲା, କିନ୍ତୁ ପ୍ରାର୍ଦୁଭାବ ଟିକେ କମିଯାଇଥିଲା ।

ସାନମଛୁଆଘାଇ, ରାଜଘରପୋଖରୀ, ଭଦ୍ରକ, ମୋ-୭୦୦୮୯୧୩୫୮୯

ଲେଖକ ପରିଚୟ

ଏଯାବତ ୫ ଖଣ୍ଡ କବିତା ସଂକଳନ, ଗୋଟିଏ ଗଳ୍ପ ସଂକଳନ ସହିତ ଗୋଟିଏ ଲଲିତ ନିବନ୍ଧ ସଂକଳନ ମଧ୍ୟ ପ୍ରକାଶିତ ହୋଇସାରିଛି । ‘ସାଧନା’ ନାମକ ଏକ ସାମାଜିକ ଅନୁଷ୍ଠାନରେ ସମ୍ପାଦକ ଭାବରେ ୨୦୦୦ ମସିହାରୁ ବୃକ୍ଷରୋପଣ, ରକ୍ତଦାନ ଶିବିର, ପରିବେଶ ସୁରକ୍ଷା, ଭାଗବତ ଆନ୍ଦୋଳନ, ପାଠାଗାର ଆଦି ଉଲ୍ଲେଖନୀୟ କାର୍ଯ୍ୟରେ କାର୍ଯ୍ୟରତ ଥିବାବେଳେ କଳା-ସାହିତ୍ୟ-ସଂସ୍କୃତିର ପୁନରୁଦ୍ଧାର ପାଇଁ ପ୍ରତିବର୍ଷ ସାଧନା ମହୋତ୍ସବ ଆୟୋଜନ କରାଯାଉଛି ।

Related Posts

Leave a Reply

Your email address will not be published. Required fields are marked *