ମିଠା ମିଠା ପ୍ରେମ କଥା

ଲଲାଟେନ୍ଦୁ କବି

ଉଠ କଥା ମାନି ମାନିନୀ
ଗଲା ଯାମିନୀ ସରି;
ଡାକରା ହେଲାଣି ମେଲାଣି
ଘେନି ଯିବି ସେ ପାରି ।୧।

କାନେ କାନେ କହି ଯିବି ଗୋ
ମୋର ମରମ ବ୍ୟଥା;
କାଲି କହିବନି ଗଲି ମୁଁ
ଚାଲି ନବୋଲି କଥା ।୨।

ନାହିଁ ତ ଗୁପତ ବିତ୍ତ ମୁଁ
ଥାନ ଦେବି ବୁଝାଇ;
ଛୋଟ ଗପ ଛୋଟ ଖାତାରେ
ରଖି ଅଛି ସଜାଇ ।୩।

ମିଠା ମିଠା ପ୍ରେମ କଥାର
ଖୋଲି ଦେବି ଗୋ ପେଡ଼ି;
ପ୍ରେମିକ-ଚଢ଼େଇ ଉଡ଼ିବେ
ଆଶା-ଆକାଶେ ପଢ଼ି ।୪।

ପ୍ରେମିକ ପ୍ରେମିକା ଦେଖିଲେ
ଡାକି ଆଣିବ ଘରେ
ବସାଇବ ନେଇ ଦୁଇଟି
ଦଉଡିଆ ଖଟରେ ।୫।

ବୁଝାଇ କହିବ ଏବେ ସେ
ଛୁଆଁ ଛୁଇଁ ନ ହେବେ,
ହାତେ ହାତ କରି ରହିବେ
ବାହା ସରିବ ଯେବେ ।୬।

ଚାହା ପାଣି ଦେଇ ଦେଖାଇ
ଦେବ ବାଡ଼ି ବଗିଚା,
କହିବ — ଏଇଠି ତୋଳ ରେ
ଫୁଲ ଯା’ ମନ ଇଚ୍ଛା ।୭।

ନେଇ ଯିବ ଫୁଲ, ତୋଳିବ
ନାହିଁ ଗୋଟିଏ କଢି,
ଆଉ କେବେ ଆସି ନେବ ରେ
ଗଲେ ସେ ଫୁଲ ବଢି ।୮।
ଫୁଲ ଫଳ ନିଅ, ଭାଙ୍ଗନା
ଡାଳ, ଧର ଯତନେ;
ଗଛଲତାଙ୍କଠୁ ନିଅ ରେ
ମାଗି ମିତ ବଚନେ ।୯।

ଛୋଟ ଛୋଟ ଶିଶୁ ଆସିବେ
ଯେବେ ଏ ଘର ବୁଲି,
ଖେଳନା କଣ୍ଢେଇ ରଖିଛି,
ଦେବ ଡବାଟା ଖୋଲି ।୧୦।

ହାତୀ ଘୋଡ଼ା ବାଘ ବିଲେଇ
ମୂଷା ଧାଡ଼ିକି ଧାଡ଼ି;
ରେଖାଯାନ ଉଡ଼ାଜାହାଜ
କୁନି ମଟର ଗାଡ଼ି ।୧୧।

କପୋତ କପୋତୀ ବଗୁଲୀ
ବଗ ବେଙ୍ଗ ବେଙ୍ଗୁଲୀ;
ଶୁଆ ସାରୀ ବଣି କଜଳ-
ପାତୀ କାଉ କୋଇଲି ।୧୨।

କରେଇ ଡେକିଚି ମାଠିଆ
ଗିନା ଡଙ୍କି ଖୋସଣୀ;
ପାଛିଆ ପନିକି କତୁରୀ
ନାରୀକେଳ-କୋରଣୀ ।୧୩।

ଦରାଣ୍ଡିବେ ମୋତେ ଏରୁଣ୍ଡି-
ବନ୍ଧ ପାଖରେ ଯେବେ;
କହିବ – ବରଷେ ପରେ ସେ
ଘରେ ଫେରି ଆସିବେ ।୧୪।

ମନ ଦେଇ ପାଠ ପଢ଼ ରେ
କର ଅଳପ ରୋଳ,
ଭଲ ଫଳ କଲେ ଖୁସିରେ
ଆସି ଯିବେ ସହଳ ।୧୫।

କହିବନି — ଫେରି ଖେଳିବି
ନାହିଁ ଆଉ ମୁଁ ଖେଳ;
କହିଲେ ଡରିବେ କରିବେ
ନାହିଁ ଏଠି ଚହଳ ।୧୬।

କହିବନି ତାଙ୍କୁ ଦୁନିଆଁ
ଦୁଇ ଦିନିଆଁ ମେଳା;
କଣ୍ଡେଇ ଧରାଇ କୁଣ୍ଡାଇ
ଧରି କରିବ ଗେଲା ।୧୭।

ଛବି ବହି କିଣି ରଖିଛି
ଟିକି ନାତୁଣୀ ଲାଗି;
ଜୋତା ଛତା ମୋଜା ରଖିଛି
ଆସି ହେବନି ରାଗି ।୧୮।

ରଙ୍ଗ ପେନ୍‌ସିଲ୍ ରବର
ତୂଳୀ ଭଳି ଭଳିକି;
ଆଲମାରୀ ସାରା ଭରିଛି,
ଛବି ଦେବ ସେ ଆଙ୍କି ।୧୯।

ଟିକି ଗୀତ ବହି ରଖିଛି
ସେଠୁ ଟିକି ଚଢ଼େଇ,
ଟିକି ତାରା, ଟିକି ଫୁଲର
ଗୀତ ଦେବ ସେ ଗାଇ ।୨୦।

ଟିପି ଟିପି ଝରି ପଡ଼ିବ
ଯେବେ ବରଷା ପାଣି;
ଫେରି ଯାଅ ପରେ ଆସିବ
ଗାଉ ଥିବ ନାତୁଣୀ ।୨୧।

ଖରା-ଛାଇ ସଙ୍ଗେ ବରଷା
ଯେବେ ଆସିବ ମାଡ଼ି;
ବିଲୁଆ ନନାର ବିବାହ
ଗୀତ ପଢ଼ିବ କାଢ଼ି ।୨୨।

ଚିକି ଚିକି ଆଖି ଆକାଶେ
ଦେଖି ଛୋଟିଆ ତାରା
ଖୋଲି ଦେବ ଛବି ବହିରୁ
ତା’ର ଗୀତ ପସରା ।୨୩।

ତା ତଳ ନାତି କି ପଢ଼ିବ
ସେ ତ ବଡ଼ ଚଗଲା
ତା ଲାଗି ଆଣିଛି ଫଉଜି
ବେଶ ବନ୍ଧୁକ ଗୋଳା ।୨୪।

ଝରାବତୀ କୁମ୍ପି ଆକାଶ-
ଛତା ବାଣ ଫୋଟକା
ଦୀପାଳିରେ ତାଳି ମାରିବ
ଖେଳି ଚଗଲା ଟୋକା ।୨୫।

ରଖିଛି ଶୀଶ୍କାର ମୃଦଙ୍ଗ
ଭେରୀ ନିଷଦ କେତେ,
ରାଜ-ସାଜେ ନାତି ନାଚିବ
ତାଳି ଦେବେ ତା ମିତେ ।୨୬।

ନାତି ନାତୁଣୀଙ୍କୁ ଦେଖେଇ
ଦେବ ଆକାଶ ତାରା,
କହିବ ସେଠୁ ମୁଁ ଦେଖୁଛି
ଆମ ଘରଟା ସାରା ।୨୭।

ରାୟରଙ୍ଗପୁର, ମୟୂରଭଞ୍ଜ, ମୋ : ୭୯୭୮୬୮୦୭୧୨

ଲେଖକ ପରିଚୟ

ପ୍ରାୟ ୩୮ ବର୍ଷ ପରେ ୨୦୧୪ରୁ ପୁଣିଥରେ ଆରମ୍ଭ କଲି ଲେଖାଲେଖି ଯଦିଓ ଛାତ୍ର ଜୀବନରେ ଅଳ୍ପ କିଛି କବିତା ଓ ଗପ ଲେଖିଥିଲି । ମୁଁ ସବୁବେଳେ ଓଡ଼ିଆ ଭାଷା ଓ ବ୍ୟାକରଣ ଉପରେ ଗୁରୁତ୍ଵ ଦିଏ । ସବୁବେଳେ ଛନ୍ଦ କବିତା ଲେଖିବାକୁ ଭଲପାଏ । ସାଧାରଣତଃ ସୋସିଆଲ ମିଡ଼ିଆ ଫେସବୁକକୁ ମୁଁ ମୋ ସାହିତ୍ୟ ସାଧନାର ମାଧ୍ୟମ କରେ ।

Related Posts

Leave a Reply

Your email address will not be published. Required fields are marked *