ମନୋଜ ଦାସଙ୍କ ଫଟୋକୁ ‘ଶିଶୁଲେଖା’ରେ ବିକୃତ କରିବା ପ୍ରସଙ୍ଗ

ମନ୍ତ୍ରୀ, ଓଏସ୍ଡି, ନିର୍ଦ୍ଦେଶକ କେହି କିଛି ଜାଣିନାହାନ୍ତି
ଶିଶୁଲେଖା ବିକ୍ରି ବନ୍ଦ କରିବାକୁ ଦାବି
ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା
ସାମାଜିକ ଗଣମାଧ୍ୟମରେ ଭୁଲ ମାଗିଲେ ସଂପାଦକ
ଭୁବନେଶ୍ୱର: ସରକାରଙ୍କ ପକ୍ଷରୁ ପ୍ରକାଶିତ ଶିଶୁ ପତ୍ରିକା ‘ଶିଶୁଲେଖା’ରେ ପ୍ରଥିତଯଶା ଲେଖକ ମନୋଜ ଦାସଙ୍କ ଫଟୋକୁ ବିକୃତ କରିବା ପ୍ରସଙ୍ଗରେ ନଗ୍ନରୂପ ଦେଖିବାକୁ ମିଳୁଛି । ଓଡି଼ଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମୁଖ୍ୟମାନେ ଏ ସମ୍ପର୍କରେ କିଛି ବି ଜାଣିନଥିବା କହୁଛନ୍ତି । ଏମିତି କି ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି, ସେ ପତ୍ରିକାଟିକୁ ଛାପି ନାହାନ୍ତି । ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ନେବେ ।
ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ମଧ୍ୟ ଏ ସମ୍ପର୍କରେ କିଛି ଅବଗତ ନଥିବା ପ୍ରକାଶ କରିଛନ୍ତି । ଅଭିଯୋଗ କରିବା ପରେ କହିଛନ୍ତି, କଣ ହେଇଛି ମୁଁ ଦେଖୁଛି ।
ସେହିପରି ଭାଷା ପ୍ରତିଷ୍ଠାନର ଓଏସ୍ଡି(ଅଫିସର ଅନ୍ ସ୍ପେସିଆଲ ଡ୍ୟୁଟି) ଇନ୍ଦ୍ରମଣି ତ୍ରିପାଠୀ କହିଛନ୍ତି, ଏ ବିଷୟରେ କିଛି ବି ଜାଣିନାହାନ୍ତି । ମୁଁ ଦେଖୁଛି ।
ସରକାରଙ୍କ ମନ୍ତ୍ରୀ ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ମନ୍ତବ୍ୟ ଦେଖି ପ୍ରଶ୍ନ ଉଠୁଛି ଯେ, ସମସ୍ତଙ୍କ ଅଜ୍ଞାତରେ କେମିତି ଶିଶୁଲେଖା ପ୍ରକାଶିତ ହେଲା? ଟ୍ୱିଟର, ଫେସବୁକ ଆଦି ସାମାଜିକ ଗଣମାଧ୍ୟମରେ କିଛି ଦିନ ଧରି ତୀବ୍ର ପ୍ରତିକ୍ରିୟା ସତ୍ତ୍ୱେ କେହି କେମିତି କିଛି ଜାଣିନାହାନ୍ତି? ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଭାଗ ପର୍ଯ୍ୟନ୍ତ ସମସ୍ତଙ୍କୁ ଟ୍ୱିଟର ଜରିଆରେ ପ୍ରସଙ୍ଗକୁ ନେଇ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କେମିତି ସମସ୍ତେ ଅଜ୍ଞାତ ଥିବା ପ୍ରକାଶ କରୁଛନ୍ତି? ଯାହା ପ୍ରମାଣ କରୁଛି, ମନୋଜ ଦାସଙ୍କ ପରି ଜଣେ ପ୍ରସିଦ୍ଧ ଲେଖକଙ୍କୁ ନେଇ ସମସ୍ତେ କେତେ ବେପରୁଆ ।

ଅନ୍ୟପଟେ ପତ୍ରିକାର ସମ୍ପାଦକ ଦାଶ ବେନହୁର ଘଟଣା ସମ୍ପର୍କରେ ବିଭାଗ ଉପରକୁ ଦୋଷ ଠେଲିଛନ୍ତି । ସେ ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ତାଙ୍କର କାର୍ଯ୍ୟ ବିଷୟବସ୍ତୁ ସମ୍ପାଦନା କରିବା । ଫଟୋ ଚୟନ ଓ ସମ୍ପାଦନା କାର୍ଯ୍ୟ କଳା ନିର୍ଦ୍ଦେଶକ ଓ ଚିତ୍ରଶିଳ୍ପୀଙ୍କର । ସରକାର ଏ ପତ୍ରିକା ପ୍ରକାଶ କରିଥିବାରୁ ବିଭାଗ ହିଁ ନିଷ୍ପତ୍ତି ନେବ ।
ପରେ ଅବଶ୍ୟ ଏନେଇ ସାମାଜିକ ଗଣମାଧ୍ୟମରେ ଶ୍ରୀ ବେନହୁର କ୍ଷମାପ୍ରାର୍ଥନା କରିଛନ୍ତି । ଆଉ କହିଛନ୍ତି, ‘କେଉଁ ଛବି ଚିତ୍ରିଶିଳ୍ପୀ କେଉଁଠାରୁ ଆଣିଛନ୍ତି ବା ନିଜେ ଆଙ୍କିଛନ୍ତି ଅଥବା ଫଟୋଟିଏ ଆଣି ତାହା ନିଜ ବିଚାର ଅନୁସାରେ ବଦଳାଇଛନ୍ତି ସେ କଥା ଜାଣିବାର ସୁଯୋଗ ମୋ ପାଖରେ ନ ଥିଲା । ଏ ବାବଦରେ ମାନନୀୟ ଚିତ୍ରଶିଳ୍ପୀଙ୍କୁ ଆବଶ୍ୟକ ସ୍ୱାଧୀନତା ଦିଆଯାଇଥିଲା । ପତ୍ରିକାଟି ଛପାହୋଇ ବଜାରକୁ ଆସିବାପରେ ଗୋଟିଏ ଫଟୋକୁ ଚିତ୍ରଶିଳ୍ପୀ ଅସୁନ୍ଦର କରିଛନ୍ତି ବୋଲି ଫେସ୍ବୁକ୍ରେ କ୍ଷୋଭ ପ୍ରକାଶ ପାଇବା ପରେ ମୁଁ ମୂଳ ଫଟୋ ଦେଖିବାକୁ ପାଇଲି ଓ ଏହା ଏକ ଅଘଟଣ ମନେକରି କ୍ଷମାପ୍ରାର୍ଥୀ ବୋଲି ଲେଖିଲି ।’
ସମ୍ପାଦକଙ୍କ କ୍ଷମାପ୍ରାର୍ଥନା ପରେ ମଧ୍ୟ ଏ ବିବାଦ ସାମାଜିକ ଗଣମାଧ୍ୟମରେ ଥମିବାରେ ଲାଗୁନିା ଚିତ୍ରଶିଳ୍ପୀଙ୍କୁ ତୁରନ୍ତ ଗିରଫ କରିଯିବା ସହ ‘ଶିଶୁଲେଖା’ର ସ୍ୱତନ୍ତ୍ର ସଂଖ୍ୟାର ପ୍ରସାରଣ ବନ୍ଦ କରିବା ଓ ପୁଣିଥରେ ସଂଶୋଧନ କରି ପ୍ରକାଶ କରିବାକୁ ଦାବି ହେଉଛିା ଓଡି଼ଆ ଜାତିର ସମ୍ମାନକୁ ଆନ୍ତର୍ଜାତିକସ୍ତରରେ ବଢ଼ାଇଥିବା ସାଧକ ପୁରୁଷଙ୍କ ଅବର୍ତ୍ତମାନରେ ତାଙ୍କ ଫଟୋକୁ ବିକୃତ କରିବାକୁ ସମସ୍ତେ ନିନ୍ଦା କରୁଛନ୍ତି । ତୁରନ୍ତ ଏ ଦିଗରେ ଭାଷା ଓ ସଂସ୍କୃତି ବିଭାଗ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି ।