ଭୁବନେଶ୍ଵର : କାହାଣୀରେ ପ୍ରେମ ଉତ୍ତରିତ ସ୍ତରକୁ ଚାଲିଗଲେ, ପାଠକକୁ ପ୍ରେମଗପ ପଢ଼ିବାକୁ ଭଲ ଲାଗେ । କଥାକାର ତଥା ବରିଷ୍ଠ ସାମ୍ବାଦିକ ଅମରେଶ ବିଶ୍ଵାଳଙ୍କ ପ୍ରେମଗପ ଗୁଡ଼ିକରେ, ପ୍ରେମ ଏକ ନିଆରା ପରିବେଶକୁ ସଂଚରି ଯାଇଥାଏ । ଏହା ସାଧାରଣ ଘଟଣାକୁ ଅଧିକ ଶୈଳୀଯୁକ୍ତ କରିପକାଏ । ‘ମଧୁଲିତା ପ୍ରକାଶନୀ’ ତରଫରୁ ପ୍ରକାଶିତ ଦୁଇଟି ପୁସ୍ତକ ‘ଅମରେଶର ପ୍ରେମିକାମାନେ’ ଓ ‘ଜୀବନ ଛନ୍ଦ’ ସହିତ ‘ମଧୁଲିତା’ ପତ୍ରିକାର ବିଶେଷ ସଂଖ୍ୟା ଉନ୍ମୋଚନ ଉତ୍ସବରେ ଉପସ୍ଥିତ ଅତିଥିମାନେ ଏହିପରି ନିଜ ନିଜର ମତ ରଖିଛନ୍ତି ।
ଭୁବନେଶ୍ଵରର ବୁଦ୍ଧ ମନ୍ଦିର ପରିସରରେ ‘ମଧୁଲିତା ପ୍ରକାଶନୀ’ ତରଫରୁ ଏକ ବିଶେଷ ପୁସ୍ତକ ଉନ୍ମୋଚନ ପର୍ବରେ କବି ନିରାକାର ଦାସଙ୍କ ସଭାପତିତ୍ଵରେ ସଭାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ପ୍ରସିଦ୍ଧ କଥାକାର, ଶିଶୁ ଲେଖକ ତଥା ସମ୍ଭକାର ‘ଦାଶ ବେନହୁର’ । ତାଙ୍କ ସହିତ ମୁଖ୍ୟବକ୍ତା ଥିଲେ ଭୋଗରାଇ ବିଧାୟକ, ବରିଷ୍ଠ ସାମ୍ବାଦିକ ଓ କଥାକାର ‘ଗୌତମବୁଦ୍ଧ ଦାସ’ ଏବଂ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ ଦୂରଦର୍ଶନ ସମ୍ବାଦ ପାଠିକା ତଥା ଲେଖିକା ‘କଳ୍ପନା ମିଶ୍ର’ ।
ଗପଗୁଡ଼ିକର କାହାଣୀ ସଂକ୍ଷିପ୍ତ, କିନ୍ତୁ ଗଳ୍ପ କହିବାର ଶୈଳୀ ଏତେ ଆକର୍ଷଣୀୟ ଯେ, ତାହା ପାଠକକୁ ବାନ୍ଧି ରଖେ ବୋଲି ନିଜ ବକ୍ତବ୍ୟରେ କହିଥିଲେ ମୁଖ୍ୟଅତିଥି ଦାଶ ବେନହୁର । ସେହିପରି ଗୌତମବୁଦ୍ଧ ଦାସଙ୍କ କହିବାନୁସାରେ ଅମରେଶଙ୍କ କାହାଣୀ କହିବାର ଶୈଳୀ ଅତି ଚମତ୍କାର । ତାଙ୍କ ଗପଗୁଡ଼ିକ ପଢ଼ିଲେ ଆମ ସମୟର ପ୍ରସିଦ୍ଧ ଦିବଂଗତ କଥାକାର କହ୍ନେଇଲାଲ ଦାସଙ୍କ କାହାଣୀ କଥା ମନେପଡ଼େ । ଏହି ଅବସରରେ ଅମରେଶ ବିଶ୍ଵାଳଙ୍କ ପୁସ୍ତକର ସମୀକ୍ଷା କରିଥିଲେ ଜଣାଶୁଣା ଅର୍ଥନୀତି ବିଶାରଦ ତଥା କବି ‘ମନୋରଂଜନ ଷଡ଼ଙ୍ଗୀ’ । ସେ କହିଥିଲେ, ଅମରେଶଙ୍କ ପ୍ରେମଗପ ସବୁ ପଢ଼ିଲେ ପାଠକ ହସି ହସି ଗଡ଼ିବ ଓ ତାଙ୍କ ପ୍ରେମରେ ପଡ଼ିଯିବା ସୁନିଶ୍ଚିତ ।
ସୁଜାତା ମହାନ୍ତିଙ୍କ କବିତା ପୁସ୍ତକ ‘ଜୀବନ ଛନ୍ଦ’ର ସମୀକ୍ଷା କରି ପ୍ରସିଦ୍ଧ ଟେଲିଭିଜନ ଉପସ୍ଥାପକ କେପି କହିଥିଲେ ଯେ ସୁଜାତା ତାଙ୍କ କବିତାଗୁଡ଼ିକୁ ଆମ ଚାରିପାଖର ଘଟଣାକୁ ନେଇ ଲେଖିଥିଲେ ମଧ୍ୟ ସେଗୁଡ଼ିକୁ ଏକ ଉତ୍ତରିତ ସ୍ତରକୁ ନେଇପାରିଛନ୍ତି । ସାଧାରଣ ପାଠକ କବିତାଗୁଡ଼ିକ ପଢ଼ିଲେ ଆନନ୍ଦ ପାଇବା ଥୟ । ଉକ୍ତ ଉତ୍ସବରେ ଭାଷାବିତ ଡ. ଦେବାଶିଷ ମହାପାତ୍ର, ବରିଷ୍ଠ ସାମ୍ବାଦିକ ଅପୂର୍ବ ମହାନ୍ତି, ଲେଖକ ତଥା ବରିଷ୍ଠ ପ୍ରଶାସନିକ ଅଧିକାର ଅଶୋକ ବେହେରା ପ୍ରମୁଖ ପ୍ରକାଶିତ ପୁସ୍ତକ ଓ ମଧୁଲିତା ପତ୍ରିକା ସଂପର୍କରେ ନିଜ ନିଜର ମତ ରଖିଥିଲେ । ପରିଶେଷରେ ଅନ୍ୟତମ ଅତିଥି କଳ୍ପନା ମିଶ୍ର, ମଧୁଲିତା ପତ୍ରିକା ଓ ଏହାର ସମ୍ପାଦିକାଙ୍କ ନିଷ୍ଠା ସଂପର୍କରେ ଆଲୋକପାତ କରିଥିଲେ ଏବଂ ସମ୍ପାଦିକା ମଧୁଲିତା ପରିଡ଼ା ପତ୍ରିକା ପ୍ରକାଶନୀ ସହିତ ପୁସ୍ତକ ପ୍ରକାଶ ଆରମ୍ଭ କରିଥିବାରୁ ତାଙ୍କୁ ଧନ୍ୟବାଦ ଦେଇଥିଲେ ।

