ସୁପ୍ରିୟା ପଣ୍ଡାଙ୍କୁ ଦ୍ୱାଦଶ ‘ଜଗଦୀଶ କଥା ସମ୍ମାନ’

‘ଜଗଦୀଶ ଯୁବ ସମ୍ମାନ’ ପାଇଲେ ଶାନ୍ତନୁ କୁମାର ନାୟକ

ଭୁବନେଶ୍ୱର : ଜଗଦୀଶ ମହାନ୍ତିଙ୍କ ଗପ ପଢ଼ିବା ବେଳେ ଲାଗେନାହିଁ ଯେ ଆମେ ଗପ ପଢ଼ୁଛୁ, ବରଂ ଲାଗେ ଯେମିତି ଆମେ ଅତିପରିଚିତ କେଉଁ ଲୋକ ସହ କଥାବାର୍ତ୍ତା କରୁଛୁ । କାରଣ ସାଧାରଣ କଥୋପକଥନ ଭଙ୍ଗୀରେ ତାଙ୍କର ସାହିତ୍ୟ ରଚିତ । ‘ଜଗଦୀଶ ମହାନ୍ତି ଟ୍ରଷ୍ଟ୍‍’ ତରଫରୁ ଆୟୋଜିତ ‘ଜଗଦୀଶ ଜୟନ୍ତୀ’ ଅବସରରେ ଯୋଗଦେଇ ଅତିଥିଗଣ ଏପରି ମତ ଦେଇଛନ୍ତି । ଓଡ଼ିଆ କଥାସାହିତ୍ୟର ଜଣେ ଅପ୍ରତିଦ୍ୱନ୍ଦ୍ୱୀ କଥାକାର ଭାବେ ପରିଚିତ ଜଗଦୀଶ ମହାନ୍ତିଙ୍କ ସ୍ମୃତିରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କଥାକାର ସତ୍ୟ ମିଶ୍ର ଯୋଗଦେଇ ଜଗଦୀଶ ମହାନ୍ତିଙ୍କ ସୃଜନକୃତି ଓ ଜୀବନଚର୍ଯ୍ୟା ଉପରେ ସବିଶେଷ ଆଲୋଚନା କରିଥିଲେ ।

ଏହି ଅବସରରେ ବିଶିଷ୍ଟ ଗାଳ୍ପିକା ସୁପ୍ରିୟା ପଣ୍ଡାଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ‘ଜଗଦୀଶ କଥା ସମ୍ମାନ’ ପ୍ରଦାନ କରାଯାଇଥିଲା ବେଳେ ପୁରସ୍କାର ବାବଦରେ ୧୦ ହଜାର ଟଙ୍କା ଓ ସମ୍ମାନ ଫଳକ ପ୍ରଦାନ କରାଯାଇଥିଲା । ସେହିପରି ଯୁବଲେଖକଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଦିଆଯାଉଥିବା ୫ ହଜାର ଟଙ୍କା ଅର୍ଥରାଶି ସମ୍ବଳିତ ‘ଜଗଦୀଶ ଯୁବ ସମ୍ମାନ’ ଏଥର ଗାଳ୍ପିକ ଶାନ୍ତନୁ କୁମାର ନାୟକଙ୍କୁ ପ୍ରଦାନ କରାଯାଇଥିଲା । ଉଭୟ ପୁରସ୍କୃତ ଲେଖକ ସେମାନଙ୍କ ଲେଖକୀୟ ବକ୍ତବ୍ୟରେ ଜଗଦୀଶ ମହାନ୍ତିଙ୍କ ଗଳ୍ପର ପ୍ରଭାବ ଉପରେ ଆଲୋକପାତ କରିଥିଲେ ।

ଉତ୍ସବରେ ସଭାପତିତ୍ୱ କରିଥିଲେ କଥାକାର ଡକ୍ଟର ସରୋଜିନୀ ସାହୁ । ‘ଟ୍ରଷ୍ଟ୍‍’ର ସଂପାଦକ ତଥା ଲେଖକ ସରୋଜ ବଳ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହ ଉତ୍ସବ ସଂଚାଳନ କରିଥିଲେ । ଉତ୍ସବ ଆରମ୍ଭରେ ଯୁବକବି ଶିବଚରଣ ମହାପାତ୍ର ଜଗଦୀଶ ମହାନ୍ତିଙ୍କର ଏକ ଗଳ୍ପ ଉପସ୍ଥାପନ କରିଥିଲେ ।

ଉତ୍ସବ ପରିଚାଳନାରେ ତିଳୋତ୍ତମା ଦାସ, ପ୍ରଜ୍ଞା ପାରମିତା ରଥ, ଅନ୍ତର୍ଯ୍ୟାମୀ ମିଶ୍ର, ଜଗନ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିବାବେଳେ ବହୁ ଜଗଦୀଶପ୍ରେମୀ ପାଠକପାଠିକା, ଲେଖକ, ସଂପାଦକ, ପ୍ରକାଶକ ଓ ସାହିତ୍ୟାନୁରାଗୀ ଏଥିରେ ଯୋଗ ଦେଇଥିଲେ ।

Related Posts

Leave a Reply

Your email address will not be published. Required fields are marked *