ଭୁବନେଶ୍ଵର : ଆଦିକବି ସାରଳା ଦାସଙ୍କ ବିଜୟ ଉତ୍ସବ ସାରଳା ମାଟିରୁ ଆରମ୍ଭ ହେବା ଆବଶ୍ୟକ । ସାହିତ୍ୟ ମଧ୍ୟରେ ରାଜନୀତି ପଶିଲେ ସମାଜ ଭାଗଭାଗ ହୋଇଯିବ । ସାରଳା ଦାସ ଓଡ଼ିଆ ଜାତିର ପରିଚୟ ବୋଲି କହିଛନ୍ତି ସାଂସଦ ବିଭୁପ୍ରସାଦ ତରାଇ । ମାଆ ସାରଳାଙ୍କ ପୀଠ ନିକଟରେ ଆଦିକବି ସାରଳା ଦାସଙ୍କ ଓଡ଼ିଆ ଭାଷା ପ୍ରତି ଅନନ୍ୟ ଅବଦାନର ଛଅ ଶହ ବର୍ଷ ପୂର୍ତ୍ତି ଅବସରରେ ବର୍ଷବ୍ୟାପୀ ଜାତୀୟ ସାହିତ୍ୟ ମହୋତ୍ସବ ବାଣୀପର୍ବର ଶନିବାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ତରାଇ ଏହା କହିଛନ୍ତି ।
ମୁଖ୍ୟବକ୍ତା ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡ଼ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶନା ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, ଓଡ଼ିଶାରେ ଗତ ଦୁଇ ବର୍ଷ ହେଲା ଅସ୍ମିତା ଶବ୍ଦ ବହୁଳ ବ୍ୟବହାର ହେଉଛି, ଯାହା ପୂର୍ବରୁ ଆଲୋଚନା ହେଉ ନଥିଲା । ଓଡ଼ିଆ ଅସ୍ମିତାର ପ୍ରଥମ ପ୍ରମାଣ ମହାପ୍ରଭୁ ଜଗନ୍ନାଥ । ସାରଳା ଦାସ ଓଡ଼ିଆ ଅସ୍ମିତାର ଅନ୍ୟ ଏକ ପ୍ରମାଣ । ଆଜିର ଉତ୍ସବକୁ ଓଡ଼ିଶା ଅସ୍ମିତାର ଉଦଘାଟନ ପର୍ବ ବୋଲି କୁହାଯିବା ଠିକ ହେବ । ପ୍ରଥମଥର ପାଇଁ ଭାରତରେ ବ୍ରିଟିଶ ଶାସନ ସମୟରେ ଯେତେବେଳେ ଭାଷାକୁ ନେଇ ଆନ୍ଦୋଳନ ଚାଲିଥିଲା ସେ ସମୟରେ ପ୍ରଥମ ଭାଷାଭିତ୍ତିକ ସ୍ଵତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶା ଗଠନ ହୋଇଥିଲା ଏବଂ ସ୍କୁଲ ସ୍ତରରୁ ଓଡ଼ିଆ ଭାଷାରେ ଅଧିକ ପାଠ ପଢାଯିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।
ସାରଳା ଦାସଙ୍କ ଜନ୍ମସ୍ଥାନକୁ ନେଇ ଦ୍ଵନ୍ଦ୍ଵ ଲାଗି ରହିଥିବା ବେଳେ ଆମେ କାହିଁକି ଗୋଟିଏ ଜାଗାରେ ତାଙ୍କୁ ସୀମିତ ରଖିବା ବୋଲି ପ୍ରଫେସର ବୈଷ୍ଣବଚରଣ ସାମଲ କହିଥିଲେ । ବାଲିକୁଦା-ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା କହିଥିଲେ, ସାରଳା ଦାସ ଓଡ଼ିଆ ଜାତିର ଚିରନମସ୍ୟ ଓ ଚିର ବନ୍ଦନୀୟ । ଆମ ମାଟିର ଦାୟିତ୍ଵ ହେଉଛି ଆମେମାନେ ସାରଳା ଦାସଙ୍କର ପ୍ରତିଭା ଓ ସାହିତ୍ୟକୁ ପ୍ରତିଷ୍ଠିତ କରାଇବା । ବାଣୀପର୍ବ ସାହିତ୍ୟ ଉତ୍ସବର ଆବାହକ ଦେବେନ୍ଦ୍ରନାଥ ରାଉତଙ୍କ ଆବାହକତ୍ଵରେ ଆୟୋଜିତ କାର୍ଯ୍ୟକ୍ରମରେ ଆୟୋଜକ କମିଟି ସଭାପତି ଗୌରାଙ୍ଗ ଚରଣ ହୋତା, ଜିଲ୍ଲା ପରିଷଦ ସଭାପତି ମନୋଜ ଭୋଇ, ସାହିତ୍ୟିକ ଅଜୟ ମିଶ୍ର, ଉଦୟନାଥ ସାହୁ, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ ବେହେରା, ଓଡ଼ିଆ ସମାଜର ସଭାପତି ବିଧୁଭୂଷଣ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଦୂରଦର୍ଶନ ଉପସ୍ଥାପକ ଅଭିନନ୍ଦନ ଦାସ, ପଣ୍ଡିତ ସିଦ୍ଧେଶ୍ଵର ପଣ୍ଡା ଓ ସାରଳା ସଂସ୍କୃତି ଗବେଷକ ରାମାକାନ୍ତ ରାଉଳ ମଞ୍ଚ ପରିଚାଳନା କରିଥିଲେ । ଅନୁଷ୍ଠାନର ସଂଯୋଜିକା ସ୍ନେହମୟୀ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ । ପରେ ପାଇକ ଆଖଡ଼ା ଓ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ପ୍ରଫେସର ଉଦୟନାଥ ସାହୁ ଓ ଡକ୍ଟର ରମେଶ ଚନ୍ଦ୍ର ମଲ୍ଲିକଙ୍କ ସମ୍ପାଦନାରେ ‘ଶତାଦ୍ଦୀର ସାରଳା ସମୀକ୍ଷା’ ଲୋକାର୍ପିତ ହୋଇଥିଲା ।
