ଭୁବନେଶ୍ଵର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସହଯୋଗରେ ବିଶିଷ୍ଟ ଗବେଷକ ତଥା ପ୍ରାବନ୍ଧିକ ନୃସିଂହ ଚରଣ ଷଡ଼ଙ୍ଗୀଙ୍କୁ ‘ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ-୨୦୨୧’ ପ୍ରଦାନ କରାଯାଇଛି । ଆଜି ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ଉପଲକ୍ଷେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ରହି ଶ୍ରୀ ଷଡ଼ଙ୍ଗୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ।
ସୂଚନା ଅନୁସାରେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର, ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଉତ୍କୃଷ୍ଟ ଓ ନିରନ୍ତର କାର୍ଯ୍ୟ, ଗବେଷଣା ଏବଂ ସାମଗ୍ରିକ ସାହିତ୍ୟ କୃତି ଆଦିକୁ ବିଚାରକୁ ନେଇ ଡ. ଷଡ଼ଙ୍ଗୀକୁ ଏହି ସମ୍ମାନ ପ୍ରଦାନ କରାଯିବା ସହିତ ପାଞ୍ଚ ଲକ୍ଷ ଟଙ୍କା ପୁରସ୍କାର ରାଶି, ଅଙ୍ଗବସ୍ତ୍ର ଓ ତାମ୍ର ଫଳକ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ବିଶିଷ୍ଟ କଥାଶିଳ୍ପୀ ଓ ଔପନାସିକ ଶାନ୍ତନୁ ଆଚାର୍ଯ୍ୟ, ବିଭାଗୀୟ ଶାସନ ସଚିବ ବିଜୟ କେତନ ଉପାଧ୍ୟାୟ, ସ୍ବତନ୍ତ୍ର ଶାସନ ସଚିବ ଦେବପ୍ରସାଦ ଦାଶ, ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଚିବ ଚନ୍ଦ୍ରଶେଖର ହୋତା ଉପସ୍ଥିତ ଥିଲେ ।
ମନ୍ତ୍ରୀ କହିଥିଲେ, ‘ବ୍ୟାସକବି ଫକୀରମୋହନଙ୍କ ସାହିତ୍ୟ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ । ସମାଜର ସତ୍ୟତାକୁ ନିଜର ସାହିତ୍ୟରେ ପରିପ୍ରକାଶ କରୁଥିଲେ । ଆଜିର ସମୟରେ ମଧ୍ୟ ବ୍ୟାସକବିଙ୍କ ଲିଖିତ ଗଳ୍ପ, କବିତା ଓ ଉପନ୍ୟାସର ପ୍ରାସଙ୍ଗିକତା ରହିଛି । ଆଜିର ଯୁବପିଢି ବ୍ୟାସକବିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବା ଦିଗରେ ନିଜର ଯୋଗଦାନ ଦେବେ ବୋଲି ମୁଁ ଆଶା କରୁଛି ।’
ଶ୍ରୀ ଷଡ଼ଙ୍ଗୀ ନିଜର ଅଭିଭାଷଣରେ ବ୍ୟାସକବି ଫକୀରମୋହନଙ୍କ ସାହିତ୍ୟ କୃତି ଉପରେ ଆଲୋକପାତ କରିବା ସହ ଏହା ସର୍ବଦା ତାଙ୍କୁ ପ୍ରେରଣା ପ୍ରଦାନ କରିଛି ବୋଲି କହିଥିଲେ । ଔପନାସିକ ନାଥାନିଏଲଙ୍କ ଲିଖିତ ‘ଦି ହାଉସ ଅଫ୍ ସେଭେନ ଗାବେଲ୍ସ’ ଏବଂ ଫକୀରମୋହନଙ୍କ ରଚିତ ‘ଛ’ମାଣ ଆଠଗୁଣ୍ଠ’ ଉପନ୍ୟାସର ଏକ ତୁଳନାତ୍ମକ ଗବେଷଣା ଉପରେ ସେ ବକ୍ତବ୍ୟ ପ୍ରଦାନ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ‘ରାଜକବି ଗୋବିନ୍ଦଭଞ୍ଜ ଗ୍ରନ୍ଥାବଳୀ’ ଏବଂ ‘ସାହିତ୍ୟିକ ଜାନକୀ ବଲ୍ଲଭ ମହାନ୍ତି (ଭରଦ୍ଵାଜ)’ ପୁସ୍ତକ ଉନ୍ମୋଚନ ହୋଇଥିଲା ।
