ମୁଁ ବାଜ ଆଉ ତୁମେ କାଉ

ଡମ୍ବରୁଧର ବେହେରା

ଇଛା କରେ ଅବ୍ୟକ୍ତକୁ ବ୍ୟକ୍ତ କରିବାକୁ
ଇଚ୍ଛା କରେ ଡେଣା ଖୋଲି
ମୁକ୍ତ ବିହଙ୍ଗ ସମ ଘୁରିଘୁରି ବୁଲିବାକୁ
କାଳେ ପହଞ୍ଚିଯିବି
ଜାଣତରେ ହେଉ କି ଅଜଣତରେ
ମୋ ସ୍ଥିରୀକୃତ ଲକ୍ଷ୍ୟ ପାଖରେ …।

ବାଜ ପକ୍ଷୀର ମନ ନେଇ
ଯେତେ କଳାକଳା କାଉ
ହେଉଥାଉ ମୋର ପଛେ
ରାଉ….. ରାଉ….
ଆଉ ଖୁମ୍ପି ଖୁମ୍ପି କରିଦେଉ ରକ୍ତାକ୍ତ
ମାଂସାଳ ପିଠିର ସବୁ ମାଂସ…।

ପୃଥିବୀ ଓ ଆକାଶ
ଯେଉଁଠି ହେଲେ ବି ତ
ଦିଗନ୍ତର ହୋଇଥିବ ଅନ୍ତ …?
ହୋଇଥିବ ଯେଉଁଠି ବି ତ ଏକାକାର…?

କାଉଟି ରାଉରାଉ ନହୋଇ
ପବନର ଚାପରେ ହେଉ କି
ଉଚ୍ଚତାର ଦୁରତ୍ଵରେ
ଅଣନିଶ୍ୱାସ ହୋଇ
ଆପଣାଛାଏଁ ବାତା ହତ କଦଳୀ ପ୍ରାୟେ
ଭୂମାତିତ ହୋଇଯିବ ନିଶ୍ଚୟ…।

ବାଜ ପକ୍ଷୀର ଆକ୍ରମଣରେ ନୁହଁ
ବରଂ ତା’ର ଉଚ୍ଚତାରେ
ନିରବରେ ନିରୁପାୟ
ନିରବତାର ଆଳରେ
କାରଣ ମୁଁ ବାଜ
ଆଉ ତୁମେ ସେହି କାଉ
ନରାବି ଆଉ ରାଉ… ରାଉ…!!

ଜଗଦଳପୁର, ବସ୍ତର, ଛତିଶଗଡ଼ମୋ – ୯୪୩୭୭୮୮୪୬୪

ଲେଖକ ପରିଚୟ

ପେଶା ଶିକ୍ଷକତା, ନିଶା ସହିତ୍ୟକତା । ଓଡ଼ିଆ ଭାଷାର ଛାତ୍ର ଓ ଶିକ୍ଷକ ଜୀବନ ହିଁ ତାଙ୍କ ହାତରେ ଧରେଇ ଦିଏ କଲମ, ଲେଖାଇ ଦିଏ ଆପଣାଛାଏଁ କିଛି ସୃଜନ । ଏଯାବତ ତାଙ୍କ ଦ୍ୱାରା ପ୍ରକାଶିତ ପୁସ୍ତକ ହେଉଛି : ଆଲୋଚନା ଗୁଚ୍ଛ (ସମାଲୋଚକ ପୁସ୍ତକ) ଓ ସ୍ଵୟଂସିଦ୍ଧା (କବିତା ପୁସ୍ତକ) । ଏକାଧାରରେ ସେ ମାନବବାଦୀ, ଭାବୁକ, କବି, ଗାଳ୍ପିକ, ପ୍ରାବନ୍ଧିକ ଓ ସମାଲୋଚକ ।ହିନ୍ଦୀ, ଇଂରାଜୀ ଓ ଓଡ଼ିଆ ତିନୋଟି ଭାଷାରେ ତାଙ୍କର କଲମ ଶାଣିତ । ଅନେକ କବିତା ଜାତୀୟ ଏବଂ ଆନ୍ତର୍ଜାତୀୟ ପତ୍ରପତ୍ରିକା ତଥା ସମ୍ବାଦପତ୍ରରେ ପ୍ରକାଶିତ । ଏଥିପାଇଁ ମଧ୍ୟ ତାଙ୍କୁ ମିଳିଛି ଅନେକ ପ୍ରଶଂସା ପ୍ରଶସ୍ତି ।

Related Posts

Leave a Reply

Your email address will not be published. Required fields are marked *