ବିଶିଷ୍ଟ ସ୍ତମ୍ଭକାରଙ୍କ ଗହଣରେ ପାଳିତ ହୋଇଯାଇଛି “ବହିର ଜନ୍ମଦିନ”

ଭୁବନେଶ୍ୱର : ଓଡ଼ିଶାର ସ୍ଵନାମଧନ୍ୟ ବ୍ୟଙ୍ଗ ସାହିତ୍ୟିକ ତଥା ସ୍ତମ୍ଭକାର ଜ୍ଞାନ ହୋତାଙ୍କ ଜନ୍ମଦିନ ଅବସରରେ ତାଙ୍କ ଦ୍ଵାରା ରଚିତ ଭିନ୍ନ ଧରଣର ବ୍ୟଙ୍ଗ ପୁସ୍ତକ ‘ପଇତା ମାରା’ ସମେତ ପ୍ରିୟବ୍ରତ ପଣ୍ଡାଙ୍କ ‘କବିର ସ୍ଵର୍ଗବାସ’ ଓ ସରୋଜ କୁମାର ଶତପଥୀଙ୍କ ଲିଖିତ ପୁସ୍ତକ ‘ତେଲ ମାଲିସ’ ରବିବାର ଦିନ ଜୟଦେବ ଭବନ ପରିସରରେ ଲୋକାର୍ପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବରିଷ୍ଠ ସିନେ ନିର୍ମାତା ତଥା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ସାହିତ୍ୟିକ ବୈଷ୍ଣବ ଚରଣ ମହାନ୍ତି ଓ ଶିକ୍ଷାବିତ ଅଧ୍ୟାପକ ବିଶ୍ଵରଞ୍ଜନ ଯୋଗ ଦେଇ ପୁସ୍ତକକୁ ଲୋକର୍ପଣ କରିଥିଲେ ।

ଉନ୍ମୋଚନ ପାଇଁ ପୁସ୍ତକଗୁଡ଼ିକୁ ବାଉଁଶ ଟୋକେଇରେ ଗାମୁଛା ଘୋଡ଼େଇ, ଗେଣ୍ଡୁମାଳ ଗୁଡ଼େଇ ଅଣାଯାଇଥିଲା । ପୁସ୍ତକ ଲୋକର୍ପଣ ଅବସରରେ ନିଜ ପୁସ୍ତକ ସମ୍ପର୍କରେ ଶ୍ରୀ ହୋତା କହିଛନ୍ତି, ପଇତା ପାରମ୍ପରିକ ଭାବେ ପିନ୍ଧା ଯାଇଥାଏ । ଆଧୁନିକ ଯୁବଗୋଷ୍ଠୀ ଅନେକ ସମୟରେ କର୍ମବ୍ୟସ୍ତତା ଭିତରେ ସେ ପଇତାର ଗୁରୁତ୍ଵକୁ ବୁଝି ପାରନ୍ତି ନାହିଁ । କିନ୍ତୁ ସେହି ପଇତା ଯେ ଦୈନନ୍ଦିନ ଜୀବନରେ କାମରେ ଆସିଥାଏ ଯାହା ଦ୍ଵାରା ସ୍ଆପ କାମୁଡ଼ାର ଶିକାର ବ୍ୟକ୍ତିର ଜୀବନ ବଞ୍ଚା ଯାଇପାରେ ତାହା ଲେଖକ ନିଜ ଲେଖା ମାଧ୍ୟମରେ ଚମତ୍କାର ଢଙ୍ଗରେ ଉପସ୍ଥାପନ କରିଛନ୍ତି । ସେହିଭଳି ନିଶାଗ୍ରସ୍ତ ହୋଇ ଗାଡ଼ି ଚଲେଇଲେ ଯେତିକି ଦୁର୍ଘଟଣାର କାରଣ ପାଲଟି ନଥାଏ ଚପଗ୍ରସ୍ତ ହୋଇ ଗାଡ଼ି ଚଳାଇଲେ ମଣିଷ ଅଧିକ ଦୁର୍ଘଟଣାର ଶିକାର ହେବାର ଆଶଙ୍କା ରହିଥାଏ ଯାହା ସେ ନିଜ ପୁସ୍ତକରେ ବ୍ୟଙ୍ଗାତ୍ମକ ଶୈଳୀରେ ଉପସ୍ଥାପନ କରିଛନ୍ତି । ଶ୍ରୀ ହୋତାଙ୍କ ପୁସ୍ତକରେ ସ୍ଥାନ ପାଇଥିବା ଲେଖାଗୁଡ଼ିକ ଦୈନିକ ଖବରକାଗଜ ‘ସକାଳ’ରେ ନିୟମିତ ଭାବେ ପ୍ରକାଶ ପାଇଆସୁଛି ।

ଅପରପକ୍ଷେ ବ୍ୟଙ୍ଗ ଏକ ସ୍ବତନ୍ତ୍ର କଳା, ଯାହା ଲେଖିବା ଯେତିକି କଷ୍ଟସାଧ୍ୟ ବୁଝିବା ପାଇଁ ବି ସେତିକି ବୌଦ୍ଧିକତାର ଆବଶ୍ୟକ ଅଛି ବୋଲି ବିଶିଷ୍ଠ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସେହିଭଳି ସମାଜ ସୁଧାରିବାକୁ ଅନ୍ୟତମ ପ୍ରକୃଷ୍ଠ ମାଧ୍ୟମ ବ୍ୟଙ୍ଗ ସାହିତ୍ୟ ବୋଲି ବି ବକ୍ତାମାନେ ଦୃଢ ମତ ରଖିଥିଲେ । ଏଭଳି ଏକ ଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ ଅତିଥିମାନେ ଆୟୋଜକଙ୍କୁ ଓ ପୁସ୍ତକର ଲେଖକଙ୍କୁ ପ୍ରଶଂସା କରିଥିଲେ । ବ୍ୟଙ୍ଗ କବି ଓ ଲେଖକମାନଙ୍କ ଉଦ୍ୟମ ଯୋଗୁ ଓଡ଼ିଶାରେ ବ୍ୟଙ୍ଗ ସାହିତ୍ୟ ବଞ୍ଚି ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଡ. ସନ୍ଦୀପ ମହାପାତ୍ର ସଭା ପରିଚାଳନା କରିଥିବା ବେଳେ ଛନ୍ଦା ମିଶ୍ର ଓ ଡ. ଦେବାଶିଷ ମହାପାତ୍ର ପୁସ୍ତକ ସମୀକ୍ଷା କରିଥିଲେ । ଏହାସହିତ ପାଠକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ ପ୍ରିୟବ୍ରତ ପଣ୍ଡା, ସରୋଜ କୁମାର ଶତପଥୀ । କାର୍ଯ୍ୟକ୍ରମର ଆବାହକ ଥିଲେ ଅସିତ ମହାନ୍ତି ଓ ସ୍ଵାଗତ ଭାଷଣ ଦେଇଥିଲେ ଡ. ଜ୍ଞାନୀ ଦେବାଶିଷ । ପରିଶେଷରେ ପ୍ରକାଶକ ରାଜକିଶୋର ଦାସ (ଏଥେନା ବୁକ୍ସ)ଧନ୍ୟବାଦ ଅର୍ପଣ କରିଥିଲେ । ତେବେ କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ଅତିଥିମାନଙ୍କୁ ନଡ଼ିଆ ଓ ପୁଷ୍ପ ବୃକ୍ଷ ଦେଇ ସ୍ଵାଗତ କରିବା ।

Related Posts

Leave a Reply

Your email address will not be published. Required fields are marked *