ଡ. ଶୈଳଜା ମିଶ୍ର

ଦିନେ ରାସ୍ତାରେ ଯାଉଥିବା ସମୟରେ ଦେଖିଲି ଗୋଟିଏ କୁକୁର ଓ ଏଣ୍ଡୁଅର ଚକାପାଞ୍ଝା ଖେଳ l କୁକୁରଟି କୌଣସିମତେ ଏଣ୍ଡୁଅଟିକୁ ପାଇବାକୁ ଚେଷ୍ଟା କରୁଥିଲା l ମାଟିକୁ ରାମ୍ପି ବିଦାରି ଝାମ୍ପି ନେଇ ଆହାର କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରି କୁଁକୁଁ ହୋଇ ଏକ ଚାରିଚକିଆ ଗାଡ଼ି ପାଖରେ ଘୁରି ବୁଲୁଥାଏ l ଆଉ ସେହି ନିରୀହ ଏଣ୍ଡୁଅଟି ବଞ୍ଚିବା ପାଇଁ କାର ଚକ ଉପରେ ବସିଛି l ଏହି ଛୋଟ ଜୀବଟି ଆତ୍ମାରକ୍ଷା ପାଇଁ ପାଟି ଆଁ କରି ଫଁଫଁ ହେଉଥାଏ l କୁକୁରଠାରୁ ମୁକ୍ତି ପାଇବାକୁ ଚାହୁଁଥାଏ l ଏହି ଦୃଶ୍ୟ ଦେଖିଲା ପରେ, ମୋ ପାଦ ଅଟକିଗଲା l ମନ ଭିତରେ ଦୟା ଉଦ୍ରେକ ହେଲା । ଏହି ଅସୁରକ୍ଷିତ କ୍ଷୁଦ୍ର ନିରୀହ ଜୀବଟିକୁ ବଞ୍ଚାଇବା ମୋର କର୍ତ୍ତବ୍ୟ ପରି ମୋତେ ମନେହେଲା ।

ରାସ୍ତାରେ ଯିବା ସମୟରେ ଅଚାନକ ଏମିତି ଗୋଟେ ଚାରିଚକିଆ ଗାଡ଼ି ପାଖରେ ନିରୀକ୍ଷଣ ଦୃଷ୍ଟି ନେଇ ଅଟକି ଯିବା, କାହାର ସନ୍ଦେହ ଆକର୍ଷଣ କରିବାକୁ ଯଥେଷ୍ଟ । ତେବେ ଏଠାରେ କହି ରଖିବାକୁ ଚାହେଁ ଯେ ମୁଁ ମୋର ପୁଅକୁ ଟିଉସନରୁ ଆଣିବାକୁ ଯାଉଥାଏ ଆଉ ଏକ କଲୋନୀ ଭିତର ଦେଇ ଚାଲି ଚାଲି ଯାଉଥାଏ । ରାସ୍ତାରେ କୁକୁର ଓ ଏଣ୍ଡୁଅକୁ ଭେଟିବା ନିହାତି ଏକ ସାଧାରଣ କଥା ମଧ୍ୟ । କିନ୍ତୁ ମୁଁ ଚାଲୁଚାଲୁ ଏମିତି ଏକ ଗାଡ଼ି ପାଖରେ ଅଟକିଯିବା ଗାଡ଼ିକୁ ନିରୀକ୍ଷଣ କରିବା ଏକ ଆସାଧରଣ ନିଶ୍ଚେ । ଏ ଅସାଧାରଣ ଘଟଣାକୁ ଦେଖି ବୋଧହୁଏ ସେ ଗାଡ଼ିର ମାଲିକ ହୋଇଥାଇ ପାରନ୍ତି, ନିଜ ବାଲକୋନୀରେ ଥାଇ ମୋତେ ପ୍ରଶ୍ନ କଲେ – “କ’ଣ ହେଲା କି ?” ମୁଁ ଟିକେ ଚମକି ପଡ଼ିଲି । ପୁଣି ତାଙ୍କ ଆଡ଼କୁ ଚାହିଁ ସମସ୍ତ ଘଟଣା କହିଲି । ମୋ କଥା ସବୁ ଶୁଣି ସାରି ସେ ଅଳ୍ପ ହସିଲେ । ମୁଁ ଆଶ୍ଚର୍ଯ୍ୟ ହେବା ଉତ୍ତାରୁ ମୋତେ କହିଲେ – “ସେମାନେ ଖାଦ୍ୟ ଆଉ ଖାଦକ । ଏଥିରେ ବିଚଳିତ ହେବାର କ’ଣ ଅଛି ? ଚିନ୍ତା କରିବାର କ’ଣ ଅଛି ?” ହେଲେ ସେ ବୟୋଜ୍ୟେଷ୍ଠ ବ୍ୟକ୍ତି ଜଣଙ୍କ କଥାକୁ ମୁଁ ଆଦୌ ଗୁରୁତ୍ୱ ଦେଲିନି । ମୋ ସାମର୍ଥ୍ୟ ମୁତାବକ ପାଖରେ ପଡ଼ିଥିବା ଛୋଟ ଟେକାଟିଏ ମାରି ସେ କୁକୁରକୁ ସେ ସ୍ଥାନରୁ ହୁଡ଼େଇଲି l ନିଜ ଅନିଚ୍ଛା ସତ୍ତ୍ୱେ କୁକୁରଟି ଟେକା ମାଡ଼ ଭୟରେ ସେଠାରୁ ପଳାଇଲା l ସେହି ସମୟରେ ଏଣ୍ଡୁଅଟି ଗାଡ଼ି ତଳେ କଉଠି ଲୁଚିଗଲା l ମନେମନେ ଈଶ୍ୱରଙ୍କୁ ସ୍ମରଣ କଲି, ଯାହାହେଉ ବଞ୍ଚିଗଲା ନିରୀହ ଜନ୍ତୁଟି ଆଉ ସେ ଅଟକିଥିବା ପାଦ ଆଗକୁ ବଢାଇଲି । ଭୁଲିଗଲି ବି ଉକ୍ତ ଘଟଣା ।

କିନ୍ତୁ ଏ କ’ଣ ? ପୁଅକୁ ଧରି ଫେରିଲାବାଟରେ ଠିକ ସେହି ରାସ୍ତାରେ ଠିକ ସେହି ସ୍ଥାନରେ ଏଣ୍ଡୁଅଟିକୁ ଗାଡ଼ି ତଳେ ଚାପି ହୋଇ ମରି ପଡ଼ିଥିବାର ଦେଖିଲି । ନିଜକୁ ପ୍ରଶ୍ନ କଲି । ମୁଁ କି ସତରେ ତାକୁ ସୁରକ୍ଷା ଦେଇ ପାରିଲି ? ମୃତ୍ୟୁ ମୁଖରୁ ବଞ୍ଚେଇ ଦେଇପାରିଲି ? ଏଇ ଅଳ୍ପ ସମୟ ତଳେ ଘଟିଥିବା ଘଟଣା ଏକ ସଂଯୋଗ ଥିଲା ନା ମୁଁ ହିଁ ପାଲଟିଗଲି ଏକ ଯୋଗସୂତ୍ର !

ପଟିଆ, ଭୁବନେଶ୍ୱର

ଲେଖକ ପରିଚୟ

ଓଡ଼ିଶା ଲେଖିକା ସଂସଦର ଜଣେ ସଭ୍ୟା । ଅନେକ ପତ୍ରପତ୍ରିକାରେ ମୋର ମୋର ଲେଖା ପ୍ରକାଶିତ ହୋଇଥିଲେ ହେଁ ନିଜ ଅବହେଳା ଯୋଗୁ ଏଯାବତ ଖଣ୍ଡେ ସଂକଳନ କରିପାରି ନାହିଁ । ତେବେ ସାହିତ୍ୟକୁ ନେଇ ନିଜର ସାଧନା ଜାରି ରଖିଛି ।

Related Posts

Leave a Reply

Your email address will not be published. Required fields are marked *