ଶରତ କୁମାର ରାଉତ

“ଆପଣଙ୍କୁ କେବେ ଦେଖିବା ଭଳି ମନେ ହେଉଛି !” ମୁଁ ସନ୍ଦେହରେ ପଚାରିଲି ବିକାଶ ବାବୁଙ୍କୁ ।

“ହଁ..ହଁ…ମନେ ପଡ଼ୁଛି, ମତେ ଜୀବନ ବୀମା ଅଫିସ୍ ରେ ଦେଖିଥିଲେ !”

“ଛଅ ମାସ ତଳର କଥା” ବିକାଶ ବାବୁ ଚଟ୍‌କିନା ଉପସ୍ଥାପନ କରିଥିଲେ । “ମୁଁ ଜୀବନ ବୀମାର ଏଜେଣ୍ଟ । ସେ ଜଣେ ପଲିସି ହୋଲ୍‌ଡ଼ରଙ୍କ ନୋମିନିଙ୍କ ସହ ଅଫିସ୍ ଆସିଥିଲେ । ପଲିସି ହୋଲ୍‌ଡ଼ର ଜଣଙ୍କ ଦୁର୍ଘଟଣାରେ ମରିଯାଇଥିଲେ । ଡ଼େଥ୍ ହେଲ୍‌ପ ପାଇଁ ।“ ବିକାଶ ବାବୁ ସେତେବେଳେ ନିଜର ପରିଚୟ ଦେଇଥିଲେ । ସହରର ସେ ଜଣେ ସାମ୍ବାଦିକ । ତା ପରଠୁ ଆଉ କେବେ ଦେଖା ହୋଇନି ତାଙ୍କ ସହ । ଭଡ଼ାଘର ଖୋଜିଖୋଜି ଆଜି ଆମ ଘର ସାମ୍ନା ଦାଦାଙ୍କ ଘର ପାଇ ଯାଇଛନ୍ତି । ସେମାନେ ସ୍ୱାମୀ-ସ୍ତ୍ରୀ ଓ ଝିଅଟି । ବୟସ ପଚିଶ ଛବିଶ ଭିତରେ । ଦୁର୍ବଳ ଦେହ । ଡ଼େଙ୍ଗା କି ବାଙ୍ଗରା ନୁହଁନ୍ତି । ମିଥୁନ କଟ୍ ଚୁଳ । ମୁଁ ବିସ୍ମିତ ହେଲି । ସହର ଛାଡ଼ି ମଫସଲ ଆସିଲେ କାହିଁକି ?

ସହରଠୁ ଆମ ଗାଁ ଦୁଇ କିଲୋମିଟର ଦୂର ଗୋବରୀ ନଈ କୂଳରେ । ସହଜେ ବର୍ଷା ଦିନ ଆରମ୍ଭ । ନାଲି ମୋହରମ୍ ପଡ଼ିଥିଲେ ବି ଦାଣ୍ଡରେ କାଦୁଅ । ଭଡ଼ାଘରେ ବାଥ୍ ରୁମ୍ କି ପାଇଖାନାର ସୁବିଧା ନାହିଁ । ପିଇବା ପାଣିର ଭାରି ସମସ୍ୟା । ନଈରେ ପାଣି ବଢିଗଲେ ଗାଧୋଇବାକୁ ହଇରାଣ । ଝାଡ଼ା ଫେରିବାକୁ ଆଉରି ସମସ୍ୟା । ଚଳିବେ କେମିତି ?

ଜିନିଷପତ୍ର ସେମିତି କିଛି ନାହିଁ । କଳା-ଧଳା ଛୋଟ ଟିଭିଟେ, ଭଙ୍ଗା ଆଲଣା, ସ୍ୟାନିଓ ସିଲିଙ୍ଗ୍ ଫ୍ରାନ୍ ଟେ, ଦସ୍ତା ବାକ୍ସ ଦୁଇଟି, ଦୁଇଟି ଚେୟାର ଓ ଟେବୁଲ୍ ଟେ ! ବାସ୍‌ !

ମଣିଷ ଚାହେଁ ନିଜଠୁ ଆଉ କିଏ ଭଲରେ ନରହୁ ! ବିଶେଷକରି ପଡ଼ୋଶୀଙ୍କ ଭିତରେ ପ୍ରତିଯୋଗିତା ଚାଲେ ଏହାକୁ ନେଇ । ମୁଁ ତୁଳନା କରିବାକୁ ଲାଗିଲି ତାଙ୍କୁ, ସ୍ଥାନୀୟ ଅନ୍ୟ ଭଡ଼ାଟିଆ ଓ ମୋ ସହ ।

ଏଇ କିଛି ସମୟ ପୂର୍ବରୁ ସେ ଆସିଛନ୍ତି । ତାଙ୍କୁ ଅନ୍ୟାନ୍ୟ କଥା ପଚାରିବା ଠିକ୍ ହେବନି ବୋଲି ଭାବିଲି । “ଏଠି କିଛି ଅସୁବିଧା ହେବନି ! ବରଂ ସହରରେ ସବୁବେଳେ କିଛି ନା କିଛି ସମସ୍ୟା ! ଟିକେ କ’ଣ ହେଲେ ସାଂପ୍ରଦାୟୀକ ଦଙ୍ଗା, ବୋମା ବିଷ୍ପୋରଣ, ଗୁଳିଗୋଳା ବିନିମୟ କି ଭୁଜାଲି ମାଡ଼ ! ଦିନ ଦ୍ୱିପ୍ରହରରେ ମଦ୍ୟପଙ୍କ ଉତ୍ପାତ !” ତାଙ୍କୁ ଉତ୍ସାହିତ କଲି । ଯାହା ସବୁ ମଣିଷର ସ୍ୱାଭାବ ।

ଦୁଇ ତିନି ଦିନ ପରେ ତାଙ୍କ ସ୍ତ୍ରୀ ସୁରଭି ପଡ଼ୋଶୀ ସ୍ତ୍ରୀ ଲୋକଟିକୁ କହୁଥିଲେ, “ସ୍କୁଟରଟି ବିକିଦେଲୁ ! ନୂଆଟେ କିଣିବୁ ! ନୂଆ ସାଇକେଲ୍‌ଟା, ଫ୍ୟାନ୍‌ଟେ, ଟେପ୍ ରେକର୍ଡ଼ଟେ ପରା ଚୋରି ହୋଇଗଲା !” ସେ ପ୍ରତିଷ୍ଟିତ ବୋଲି ନିଜକୁ ପରିଚୟ ଦେଉଥିବାର ମୁଁ ଶୁଣିଲି । ସନ୍ଦେହ ଥିଲା ତାଙ୍କ କଥାରେ । ବ୍ୟସ୍ତ ଥିଲି । ଏକଥା ଉପରେ ସମୟ ନଷ୍ଟ କରିବାକୁ ଚାହିଁଲିନି ।

“ସେ କିଏ ଜଣେ ଲୋକଟା କୁଆଡ଼େ ସାମ୍ବାଦିକ ନା ଲେଖକ ଏଠି ରହୁଛନ୍ତି ଯେ, ୧୩୦ ଟଙ୍କାର ବାକି ନେଇଛନ୍ତି, ଦଉଛି ଦଉଛି କହି ଏଗାର ଦିନ ହେଲାଣି !” ଆମ ଘର ପାଖ ଦୋକାନୀ ଉତ୍ୟକ୍ତ କଣ୍ଠରେ କାହାକୁ କହୁଥିବାର ଶୁଣି ମୁଁ ସନ୍ଦିହାନ ହୋଇଗଲି । ନିଶ୍ଚୟ ବିକାଶ ବାବୁ ଘୋର ଅଭାବ ଭିତରେ ରହୁଛନ୍ତି ଭାବିବାକୁ ବିଳମ୍ବ ହେଲାନି । “ହଁ, କଅଣ ମିଳୁଥିବ ସାମ୍ବାଦିକତାରୁ….ଲେଖାଲେଖିରୁ…?’ କିନ୍ତୁ ପରକ୍ଷଣରେ ତାଙ୍କ ସାମ୍ବାଦିକତା ପ୍ରତି ମୋର ଅବିଶ୍ୱାସ ହେଲା ! ସକାଳ ଆଠଟାରେ ସେ ଯାଆନ୍ତି ସହରକୁ ଓ ଫେରନ୍ତି ଦଶଟାରେ । ତେବେ ରିପୋର୍ଟ ସଂଗ୍ରହ କରନ୍ତି କେତେବେଳେ ? ଏଣୁ ସେ ସାମ୍ବାଦିକ ନୁହଁନ୍ତି ବୋଲି ମୁଁ ଭାବିନେଲି । ଏକଦମ୍ ଦରିଦ୍ର ଲୋକଟି ସହ ତାଙ୍କୁ ତୁଳନା କରିବାକୁ ମୁଁ ପଛେଇଲିନି । ଏଠି ରହିବାର ପ୍ରଥମ ଆଠଦଶ ଦିନ ଭଙ୍ଗା ସାଇକେଲ୍ ଟିକୁ ପେଲିପେଲି ଯାଉଥିଲେ । ବୋଧେ ସଜ କରିପାରିଲେନି ! ସେ ବି କୁଆଡ଼େ ଗଲା ଜଣା ନାହିଁ । ଏବେ ଚାଲି ଚାଲି ଯା’ଆସ କରୁଛନ୍ତି । ପୁଣି ଛିଣ୍ଡା ଚପଲକୁ ଆଡ଼୍‌ଜଷ୍ଟ କରି । ଆଉ ତାଙ୍କ ବେଶପୋଷାକ ଦେଖିଲେ, ଯିଏ କେହି ଭାବିବ ସେ ଶ୍ରମିକଟିଏ !

ମତେ ଭାରି ଦୁଃଖ ଲାଗେ, ଆମ ଘର ପାଖରେ ଚଟ୍‌ପଟି ବାଲାଟି ଅଟକି ଥିବାବେଳେ ତାଙ୍କ ଝିଅ ରେନି ଚଟିପଟି ବାଲା ଆଡ଼କୁ ହାତ ବଢେଇ କରୁଣ ଦୃଷ୍ଟିରେ ଚାହିଁ, “ଦେ…ଦେ…” ଖନି ଖନି ସ୍ୱରରେ କହୁଥିବାବେଳେ ମୁଁ ମୋ ପୁଅ ବବ୍ ଲୁକୁ ଚତ୍ପଟି କିଣି ଦେଉଥାଏ । ସେ ତା’ ହାତରେ ଆଠିଣିଟି ଦେଇ ପାରନ୍ତିନି ! ବେଳେବେଳେ ସ୍ୱାମୀ-ସ୍ତ୍ରୀ ନଶୁଣିବା ପରି ଚୁପ୍ ରହନ୍ତି କିମ୍ବା ରେନିକୁ ଉଠେଇ ନେଇ କବାଟ ବନ୍ଦ୍ କରି ଦିଅନ୍ତି । ଥରେ ରେନି ହାତରେ ଦୁଇଟା ଚେନାଚୁର ଦେଇଥିଲି । ସେଦିନୁ ମତେ ଦେଖିବାକ୍ଷଣି ମୋ ପାଖକୁ ଆସିବା ପାଇଁ ସେ ବିକଳ ହୁଏ । ମୋ ଆଡ଼କୁ ଚାହିଁ “ଦେ..ଦେ…” କହେ । ରେନିକୁ କୋଳେଇ ମୋ ପୁଅ-ଝିଅଙ୍କ ଭଳି ଗେହ୍ଲା କରିବାକୁ ଚାହୁଁ ଥିଲେ ବି ପାରେନି । କାହିଁକି କେଜାଣି, ବିକାଶ ବାବୁ ସେହି ପ୍ରଥମ ଦିନ ଛଡ଼ା ମୋ ସହ ଆଉ କଥାବାର୍ତ୍ତା କରନ୍ତି ନାହିଁ । କବାଟ ଖୋଲାଥିଲା ବେଳେ ଦେଖେ, ବିକାଶ ବାବୁ କ’ଣ ଲେଖିବାରେ କି ପଢିବାରେ ବ୍ୟସ୍ତ । ବାହାରକୁ ଆସିଲେ ସେହି ପିଣ୍ଡାରେ ଏପଟସେପଟ ହୁଅନ୍ତି ରେନି ସହ । ମୁଁ ସାମ୍ନା ପିଣ୍ଡାରେ ଛିଡ଼ା ହେଇଥାଏ କିମ୍ବା ବସିଥାଏ । ସେ ମୁହଁକୁ ସୁଦ୍ଧା ଚାହୁଁ ନଥିବାବେଳେ କ’ଣ ଦରକାର ? ପ୍ରାୟ ସେ ଚୂପ୍ ଚାପ୍ । ଭାବୁକ ଭଳି ଦେଖା ଯାଆନ୍ତି । ସୁରଭି ମଧ୍ୟ ଜଣେ ଦୁଇଜଣ ସ୍ତ୍ରୀ ଲୋକଙ୍କ ଛଡ଼ା ବେଶୀ କାହା ସହ ମିଶନ୍ତିନି । ତେବେ ରେନିକୁ ଆପଣାର କରିବି କେମିତି ?

କ୍ରମେ ଜଣା ପଡ଼ିଗଲା, ଭାରି ଅସୁବିଧାରେ ଚଳୁଛନ୍ତି ସେମାନେ । ଗୋଟେ ପରେ ଗୋଟେ ପୁରୁଣା ଜିନିଷକୁ ଦରଅଦରରେ ବିକୁଛନ୍ତି । କେବେ ଚାଉଳ ଥିଲେ ପରିବା ନାହିଁ ତ ତେଲ କି ଲୁଣ ନାହିଁ । ଆଠ ଦଶ ଦିନରେ ଥରେ ବିକାଶ ବାବୁଙ୍କ ବାପା କାନ୍ଧରେ ବସ୍ତା ବୋହି ଆସନ୍ତି । ବୋଧେ ଚାଉଳ ଓ ପରିବାପତ୍ର ! ତାଙ୍କର ଆସିବା ଡ଼େରି ହେଲେ ଏମାନଙ୍କର ଉପାସ ! ପ୍ରାୟ ପଖାଳ ଖାଇ ନିଅନ୍ତି ଲଙ୍କା ପିଆଜ ଲଗେଇ । କେବେ ବି ଶୁଭିନି ତାଙ୍କ ଘରୁ ତେଲ ମସଲାର ଛୁଙ୍କ ! ଅଧିକାଂଶ ସମୟରେ ରେନି ଖୁବ୍ କାନ୍ଦେ । ବୋଧେ ଖାଇବା ପାଇଁ । ଦୁଇ ବର୍ଷର ପିଲାଟା ! ଏଣୁ ତେଣୁ ଚାହିଁବା ସ୍ୱାଭାବିକ । ସେ କ’ଣ ବୁଝିବ ବାପ-ମା’ଙ୍କ ଅବସ୍ଥା !

ସୁରଭି ପ୍ରାୟ ବସନ୍ତି ଦାଣ୍ଡ ପିଣ୍ଡାରେ । ରେନି ସେଇଠି ଖେଳେ । ଯେତେବେଳେ ମୁଁ ଅଫିସ୍ ବାହାରେ କି ପରିବାପତ୍ର ପାଇଁ ମାର୍କେଟ କି ପୁଅଝିଅଙ୍କୁ ରିକ୍ସାରେ ସ୍କୁଲ୍ ପଠାଏ । ସୁରଭିଙ୍କ ସୁନ୍ଦୁରୁଆ ମୁହଁଟା ଚିନ୍ତାରେ ଡ଼ୁବି ଯିବା ପରି ଜଣାଯାଏ । ହୁଏତ ତାଙ୍କ ମନ ବିଦ୍ରୋହୀ ହୋଇ ଉଠୁଥିଲା ବିକାଶ ବାବୁଙ୍କ ବିରୁଦ୍ଧରେ । ବାସ୍ତବିକ ଏମିତି ସଂସାରରେ ଲାଭ କ’ଣ ? ଯିଏ ସ୍ତ୍ରୀ-ପିଲାକୁ ଠିକ୍ ଭାବେ ମୁଠାଏ ଖାଇବାକୁ ଦେଇପାରେନା ତା’ର ସଂସାର କରିବାର ଅଧିକାର କ’ଣ ଅଛି ? ଜଣାପଡ଼େ ଯେମିତି ସେ ଭାବୁଛନ୍ତି, ବିକାଶ ବାବୁଙ୍କୁ ବାହା ହୋଇ ସେ ଭୁଲ୍ କରିଛନ୍ତି ! ବିକାଶ ବାବୁ ତାଙ୍କୁ ପ୍ରତାରଣା କରିଛନ୍ତି ! ମୋ ମନ ବି ବିଦ୍ରୋହୀ ହୋଇଉଠେ ବିକାଶ ବାବୁଙ୍କ ବିରୁଦ୍ଧରେ ।

ଜଣାପଡ଼େ ବିକାଶ ବାବୁ ଖୁବ୍ ଜ୍ଞାନୀ, ସରଳ, ନମ୍ର ! ସାମ୍ବାଦିକତା ପାଠ ପଢିଛନ୍ତି । ଚାକିରି କରିବାର ବହୁ ସୁଯୋଗ ଆସିଥିଲେ ହେଁ ଛାଡ଼ିଛନ୍ତି । ଆଉ ସୁରଭି ନର୍ସିଂ ଟ୍ରେନିଂ ଶେଷ କରିଛନ୍ତି । ନିଯୁକ୍ତି ପତ୍ର ଆସିଥିଲେ ହେଁ ବିକାଶ ବାବୁ ଛାଡ଼ି ନାହାଁନ୍ତି । କ’ଣ ପାଇଁ ?…..ଭାବେ । ତାଙ୍କ ଶିକ୍ଷା-ଦୀକ୍ଷା, ଜ୍ଞାନ-ଗାରିମା, ଚାଲିଚଳନୀକୁ ନେଇ ମୁଁ ତାତ୍ସଲ୍ୟ କରେ ।

ବାସ୍ତବିକ ତାଙ୍କ ଅବସ୍ଥା ଥିଲା ଖୁବ୍ ଶୋଚନୀୟ । “ଆରେ..ଏମିତି ଅବସ୍ଥା ଭୋଗିବା ଅପେକ୍ଷା ସେମାନେ ଗାଁକୁ ଚାଲି ଯାଉନାହାଁନ୍ତି କାହିଁକି ?” ଭାବେ । ବଡ଼ ତାଜୁବ ଲାଗେ । କଅଣ ଆଉ ଭବିଷ୍ୟତ ପନ୍ଥା ଉଣ୍ଡାଳୁଛନ୍ତି ଏମାନେ ? ଭାବେ, ଅନେକ ବେଳ ଯାଏ, ଜରୁରୀ କାମ ବି ଭୁଲିଯାଏ, କୋଉଠିକୁ ଯାଇପାରେନା । ବେଳେବେଳେ ଇଛା ହୁଏ ବିକାଶ ବାବୁଙ୍କୁ ପରାମର୍ଶ ଦେବି କିମ୍ବା କଠୋର ଭାଷାରେ ସଚେତନ କରେଇବି, “ଏତେ ବଡ଼ ଦୁନିଆଁରେ ସ୍ତ୍ରୀ-ପିଲାଙ୍କୁ ଧରି ଶୂନ୍ୟ ହାତରେ ସହରରେ ରହିବା ଆଦୌ ଠିକ୍ ନୁହେଁ ! କ’ଣ ଆଉ କରିପାରିବେ ଆପଣ ? କଅଣ ସ୍ୱତନ୍ତ୍ରତା ଅଛି ଆପଣଙ୍କଠି ? ନା ଅସାଧାରଣ ବ୍ୟକ୍ତିତ୍ୱ ନା ଯନ୍ତ୍ର-ମନ୍ତ୍ର-ତନ୍ତ୍ର ବିଦ୍ୟାରେ ପାରଙ୍ଗମ ଆପଣ ? କୋଉଥିପାଇଁ ଏତେ ସମସ୍ୟାରେ ପଡ଼ି ରହିଛନ୍ତି ଏଠାରେ ? ଆରେ, ପଡ଼ୋଷୀମାନେ ଭଲ କହୁଛନ୍ତି ? ଏମିତି ଚଳିବା ଅପେକ୍ଷା ଆତ୍ମହତ୍ୟା କରିନେବା ଭଲ !”

ରେନିର ଶୁଖିଲା ମୁହଁ ଦେଖି ମୋ ହୃଦୟଟା ସତରେ କାନ୍ଦି ଉଠେ । ଛୁଆଟା ପାଇଁ ଖଣ୍ଡେ କପଡ଼ା ତ ଦରକାର ! ଅନେକ ଥର ଭାବିଛି, ମୋ ଝିଅ ଡ଼୍ରେସ୍ ରୁ ଗୋଟେ ନୂଆ ଡ଼୍ରେସ୍ ନିଜ ହାତରେ ପିନ୍ଧାଇଦେବି ରେନିକୁ । କିନ୍ତୁ ନା, ମୋ ଅଯାଚିତ ଦାନକୁ ଯଦି ପ୍ରତ୍ୟାଖାନ କରନ୍ତି ସେମାନେ ! ଫେରି ଆସେ ବାସ୍ତବତାକୁ ।

ତିନି ମାସ ବିତିଗଲାଣି । କିନ୍ତୁ ବିକାଶ ବାବୁ ଘରଭଡ଼ା ବାବଦକୁ ପଇସାଟିଏ ଦେଇ ନାହାଁନ୍ତି । ମାଲିକ ବିରକ୍ତ ହେବା ସ୍ୱାଭାବିକ । ଦାଦା ଉତ୍ୟକ୍ତ ହୋଇ ପଡ଼ିଛନ୍ତି । ଘର ଛାଡ଼ିବାକୁ ଧମକ ଦେଉଥିବା ବେଳେ ମୁଁ ପହଞ୍ଚିଥିଲି । “କହୁଛନ୍ତି ଯେତେବେଳେ ଅପେକ୍ଷା କରୁନ ଆଉ ମାସେ ! ”ଦାଦାଙ୍କୁ ଅନୁରୋଧ କଲା ଭଳି କହିଲି । ବିକାଶ ବାବୁ ହୁଏତ ଚାହୁଁଥିଲେ ତାଙ୍କ ପାଇଁ ଏତିକି କିଏ କହୁ ! କିନ୍ତୁ ମତେ ଧନ୍ୟବାଦ୍ ବି ଦେଲେ ନାହିଁ । ହୁଏତ ସେତେବେଳେ ସେ ଲାଜ-ଅପମାନରେ ସଢି ଯାଇଥିଲେ, ଭାବି ନିଜକୁ ତାଙ୍କ ସପକ୍ଷରେ ବୁଝେଇଲି ।

କେବେ ବି ତାଙ୍କ ଘରକୁ କେହି ଆସିବାର ଦେଖାଯାଇନି । ହେଲେ ଆଜି ତାଙ୍କ ଘର ଆଗରେ ଅଟକିଥିବା କାର୍ ଟି ଦେଖି ମୁଁ ଆଶ୍ଚର୍ଯ୍ୟ-ଅଭିଭୂତ !ବିକାଶ ବାବୁ ଘରୁ ବାହାରି ସିଧା ପଶିଗଲେ କାର୍ ଭିତରକୁ । ଚାଲିଗଲା କାର୍ ।

କାହିଁକି କେଜାଣି ପିଣ୍ଡାରେ ଛିଡ଼ା ହୋଇଥିବା ସୁରଭିଙ୍କର ଟିକେ ଆଗର ଫିକା ମୁହଁ ଉଜ୍ଜଳ ଦେଖା ଯାଉଥିଲା । କଥା କ’ଣ ? ଯେଉଁ ମୁହଁଟି ଦେଖିଲେ ମନରେ ଦୟା ଉତୁରେ, ଆଜି ସେହି ମୁହଁ ଦେଖି ‘ଇର୍ଷା’ ! ମଣିଷର ଖୁସି କ’ଣ ସତରେ ସହିପାରେନା ମଣିଷ ? ମୁଁ କିଛି ବୁଝିପାରୁ ନଥିଲି । ମନରେ ଅସୁମାରୀ ସଂଶୟ ! ମୋ ସ୍ତ୍ରୀ ମତେ ଘର ଭିତରକୁ ଡ଼ାକି ଗୋଟେ ଅସ୍ୱାଭାବିକ କଥା କହିଲା, “କାର୍ ରେ କିଏ ଆସିଥିଲେ ? ଇୟେ ତାଙ୍କ ସହ କୁଆଡ଼େ ଗଲେ ? ମୁଁ ଭାବୁଛି…..”ଖୁବ୍ ରାଗିଗଲି ମୁଁ । ମନେ ହେଉଥିଲା ଚାପୁଡ଼ାଟେ ବସେଇବାକୁ ତା’ ଗାଲରେ । ବାସ୍ତବିକ ସ୍ତ୍ରୀଗୁଡ଼ା ଇର୍ଷା ପରାୟଣା ! ସନ୍ଦେହୀ ! ଛୋଟକୁ ବଡ଼ କରି କହନ୍ତି ! ଜଣଙ୍କୁ ବଦ୍ ନାମ କରେଇବାକୁ ସେମାନଙ୍କୁ ନିମିଷେ ଲାଗେନି !” ମୁଁ ଉତ୍ୟକ୍ତ ସ୍ୱରରେ କହିଲି, “କ’ଣ ଏଣୁତେଣୁ ଗପୁଛ…ଏତେଦିନ ଭିତରେ ଦେଖିଛ ତାଙ୍କଠି କିଛି ଦୁର୍ବଳତା ? ଦୁଃଖ-ଅନାଟନରେ ପଡ଼ି କ’ଣ ନିଜତ୍ୱକୁ ବଳି ଦେଉଛନ୍ତି ସମସ୍ତେ ? ଯଦି କେହି ତାଙ୍କର ଆତ୍ମୀୟ ହୋଇଥିବେ ! ଏମିତି କିଛି ମାନେ ଅଛି, ବିକାଶ ବାବୁ ଅସୁବିଧାରେ ଚଳିଲେ ବୋଲି ତାଙ୍କର କେହି ବନ୍ଧୁ-ପରିଚିତ ସୁଖରେ ନାହାଁନ୍ତି ନା କାର୍ ଚଢନ୍ତିନି !” ସେ ଚୁପ୍ ହୋଇଗଲା ।

ପୁଣି ଫେରିଲି ପିଣ୍ଡାକୁ । ଆଗରେ ରିକ୍ସାଟିଏ ଅଟକିଲା । ଓହ୍ଲେଇଲେ ବିକାଶ ବାବୁ । ଗ୍ୟାସ୍ ଚୂଲା-ସିଲିଣ୍ଡର ଓ ଫିଲ୍ଟରଟି ନେଇ ଘରେ ରଖି ଆସିଲେ । ମୁଁ ଆଶ୍ଚର୍ଯ୍ୟ ହେଲି । ବିକାଶ ବାବୁ ପୁଣି ସେହି ରିକ୍ସାରେ ବାହାରିଗଲେ ସହର ଆଡ଼େ ।

ପିଣ୍ଡାରେ ବସି ରହିଲି ଅନ୍ୟ ମନସ୍କ ଭାବରେ । ଭିତରେ ଭିତରେ ଚା’ ମଗାଇ ପିଉଥିଲି । ପ୍ରାୟ ଦୁଇ ଘଣ୍ଟା ପରେ ବିକାଶ ବାବୁ ନୂଆ ସ୍କୁଟରଟି ଚଳାଇ ଆସିଲେ । କିଣି ଆଣିଲେ ବୋଧେ । ତାଙ୍କ ମୁହଁରୁ ଜଣା ପଡ଼ୁଥିଲା, ଯେମିତି ସେ ଚନ୍ଦ୍ରପୃଷ୍ଠ ଆବିଷ୍କାର କରି ଫେରୁଛନ୍ତି ।

ପରେ ପରେ ଟ୍ରଲିଟିଏ ଆସିଲା ।ଲଦା ହୋଇଥିଲା ପଲଙ୍କଟେ ଓ ଅନ୍ୟାନ୍ୟ ଆସବାବପତ୍ର । ଟ୍ରଲିବାଲା ସହ ମିଶି ସବୁ ଜିନିଷ ଉଠେଇ ନେଲେ ଘର ଭିତରକୁ ବିକାଶ ବାବୁ । ଟ୍ରଲିବାଲାକୁ ଧରାଇ ଦେଲେ ପଚାଶ ଟଙ୍କିଆ ନୋଟ୍ ଟିଏ । ମୁଁ ଆଉରି ଆଶ୍ଚର୍ଯ୍ୟ ହେଲି ! କି ଖାତିର ଇୟେ ! କିଛି ଶୁଣା ଶବ୍ଦ ନଥିଲା, ହେଲେ କ୍ଷଣକ ଭିତରେ ସବୁ ପରିବର୍ତ୍ତନ !

ନିଦ ହେଲାନି ରାତିରେ । ଯିଏ ନିଜର ସ୍ତ୍ରୀ-ପିଲାଙ୍କୁ ମୁଠାଏ ଖାଇବାକୁ ଦେବାରେ ଅକ୍ଷମ ଥିଲା, ନିମିଷକେ ସିଏ ଲକ୍ଷ ଲକ୍ଷ ଟଙ୍କାର ଜିନିଷ କିଣିବାକୁ ସକ୍ଷମ ! ସେହି ଅଜଣା କାମଟା କ’ଣ କି ? ଯୋଉ କାମ ପାଇଁ ବିକାଶ ବାବୁ ଅପେକ୍ଷିତ ଥିଲେ ଏଯାଏ-ସବୁ ଦୁଃଖ ଯନ୍ତ୍ରଣାକୁ ସ୍ୱାଗତ କରି ! ଭାବୁ ଭାବୁ ସକାଳ ହୋଇଯାଇଥିଲା ।

ଏବେ ମୋର ଏକାନ୍ତ ଆବଶ୍ୟକ ହୋଇପଡ଼ିଲା ଘଟଣା ସଂପର୍କରେ ଜାଣିବାକୁ । ଚା’ ପିଉପିଉ ଦାଣ୍ଡ ପିଣ୍ଡାକୁ ଆସିଗଲି । ଆଶ୍ଚର୍ଯ୍ୟରେ ମୁଁ ଜଡ଼ ପାଲଟିଗଲି । ଆଁ…..କେଇ ଘଣ୍ଟା ତଳର ଶ୍ରୀହୀନା ସୁରଭିଙ୍କ ଦେହରେ ଛାଇ ଯାଇଥିଲା ଗହଣା ! ଝଟକୁଛନ୍ତି ସେ ଦେବୀ ପରି ! ମୁଁ ନିଜକୁ ଯେତିକି ପଡ଼ ବୋଲି ଭାବୁଥିଲି, ହଠାତ୍ ଯେମିତି ତାଙ୍କ ତୁଳନାରେ ନିଜକୁ ବାମନ ବୋଲି ମନେ କଲି । ଏଥର ଘଟଣା ସଂପର୍କରେ ଜାଣିବାକୁ ଆଉରି ଉତ୍କଣ୍ଠିତ ହୋଇପଡ଼ିଲି । ମୋ ଭିତରର ଇର୍ଷା ସବୁ ଏକଜୁଟ ହୋଇ ଆଗକୁ ବାହାରି ଆସିଲେ ଅନ୍ୟ ସମସ୍ତଙ୍କୁ ଆଡ଼େଇ ଦେଇ । ଇୟେ ଇର୍ଷାପରାୟଣ ନୁହେଁ ତ ଆଉ କ’ଣ ?

ଏବେ ଠାରୁ ତାଙ୍କର କାର୍ଯ୍ୟସୂଚୀ ସଂପୂର୍ଣ୍ଣ ବଦଳି ଯାଇଥିଲା । ସକାଳୁ ବାହାରି ଯାଆନ୍ତି ସ୍କୁଟର୍‌ରେ ଓ ଫେରନ୍ତି ଦିନ ଦୁଇଟାରେ । ପୁଣି ଚାରିଟାରେ ବାହାରି ଫେରୁଥିଲେ ରାତି ଆଠ କି ନଅଟାରେ ।

କ୍ରମେ ମୁଁ ଆଉରି ଇର୍ଷାରେ ଜଳିଗଲି ତାଙ୍କର ପ୍ରତିଷ୍ଠାକୁ ଦେଖି । ନିତି ମାଂସ, କ୍ଷିରୀ, ପୁରି, ଇତ୍ୟାଦି ଉଚ୍ଚମାନର ଖାଦ୍ୟ! ପ୍ରେସରକୁକର୍ ସଁ ସଁ ଶବ୍ଦ ମୋ ଭିତରେ ପଶି ଇର୍ଷାରେ ଉତ୍ତେଜିତ କରୁଥିଲା ମତେ । ତାଙ୍କ ବରୁଦ୍ଧରେ ନଯିବାକୁ ମୋର ଇର୍ଷାଳୁ ମନ ପାଇଁ ଅନ୍ୟ ବାଟ ନଥିଲା ।

କିନ୍ତୁ ବିକାଶ ବାବୁଙ୍କ ଚଳନୀ ଗର୍ବିତ ନଥିଲା । ଥିଲା ଭଦ୍ରତା, ସରଳତା ଆଉ ନମ୍ରତା ! ବରଂ ମୋର ଘୃଣ୍ୟ ପ୍ରକୃତି ସହି ପାରୁନଥିଲା ତାଙ୍କ ପ୍ରତିଷ୍ଠାକୁ । ତା’ ନହେଲେ ମୋର କ’ଣ ଦରକାର ଥିଲା ନିଜ ଧନ୍ଦା ଛାଡ଼ି ତାଙ୍କ ପଛରେ ଲାଗିବାକୁ ! ଇୟେ ନୀତି ଅମଣିଷତ୍ୱ ନୁହେଁ ତ ଆଉ କ’ଣ ? ନିଜର କାମ ଧନ୍ଦା ଛାଡ଼ି ଯେତେ ଚେଷ୍ଟା କଲେ ବି ତାଙ୍କ ସଂପର୍କରେ କିଛି ଜାଣି ହେଲାନି । ଆଉ କ’ଣ କରାଯାଇ ପାରିବ ? ହଠାତ୍ ଗୋଟେ ଉପାୟ ମନକୁ ଜୁଟିଲା । ପଦାରେ ପଡ଼ିବନି । ସହର ଥାନାରେ ସବ୍‌-ଇନିସ୍‌ପେକ୍ଟର ଅଛି ସାଙ୍ଗ ଶିଶିର । ତାଛଡ଼ା ସ୍ଥାନୀୟ ଖବରକାଗଜରେ ଘଟଣାଟି ପ୍ରକାଶ କରାଇବି । ଅନୁସନ୍ଧାନ କରାଯାଉ ପ୍ରଶାସନ ଦ୍ୱାରା । କୋଉଠୁ ସେ ଏତେ ପଇସା ଆଣିଲେ । ବାବୁ ସ୍ୱୟଂ ବୁଝିଯିବେ ! ସ୍କୁଟର୍ ଚଢା ଛଃ….!…ଏକାଥରକେ ମାମୁଁ ଘରେ ! ଦେଖୁଥିବେ ସେହି ଅନ୍ଧକାର ପ୍ରକୋଷ୍ଠ ଭିତରେ ନିଜର ଆଭିଜାତ୍ୟକୁ ! ଆଉ ସୁରଭିଙ୍କ ଗହଣା ପିନ୍ଧା-ଦେଖେଇ ହେବା ନୀତି…..ପ୍ରକାଶ ପାଇଯାଉ ଦୁନିଆ ଆଗରେ ଏହି ରହସ୍ୟ !

ଖବରକାଗଜ ଅଫିସ୍ ଟି ଥିଲା ଦୁଇ ମହଲା ବିଶିଷ୍ଟ । ଉପର ମହଲାରେ ସଂପାଦକଙ୍କ ପ୍ରକୋଷ୍ଠ । ସହରର କେଇଜଣ ଡ଼ିଗ୍ରୀଧାରୀ ଯୁବକ ମଧ୍ୟ କାର୍ଯ୍ୟରତ । ସମସ୍ତଙ୍କୁ ଅତିକ୍ରମ କରି ପହଞ୍ଚିଲି ସଂପାଦକଙ୍କ ପ୍ରକୋଷ୍ଠ ପାଖରେ । ପିଅନ ଅନୁମତି ଦେଲେ ଭିତରକୁ ଯିବା ପାଇଁ ।

କିନ୍ତୁ ମୁଁ ଆଶ୍ଚର୍ଯ୍ୟର ଚରମ ସୀମାରେ ପହଞ୍ଚିଗଲି । ମୋ ଭିତରଟା ଥରି ଉଠିଲା । ଭୁଲିଗଲି ଯାହା କହିବାକୁ ଭାବିଥିଲି । କାହା ଆଗରେ ଅଭିଯୋଗ କରିବି କାହା ବିରୁଦ୍ଧରେ ? ସ୍ୱୟଂ ବିକାଶ ବାବୁ ସଂପାଦକଙ୍କ ଆସନରେ ବସିଥିଲେ । ମତେ ସେ କେତେବେଳେ ବସିବାକୁ କହିଥିଲେ ବି ମୁଁ ଜାଣି ପାରିନଥିଲି । ସେହି ଋଚିପୂର୍ଣ୍ଣ କୋଠରୀ ଦେଖି ମୁଁ ଆବାକ୍ ହୋଇ ଯାଉଥିଲି ।

ସେ ହସିଲେ ପରିହାସ ଢଙ୍ଗରେ ।

“ବୁଲି ଆସିଥିଲି !” ନିଜକୁ ନିୟନ୍ତ୍ରଣରେ ରଖି ଆବେଗ ସ୍ୱରରେ କହିଲି ଆଗତୁରା । ଭଗବାନଙ୍କୁ ପ୍ରାର୍ଥନା କରୁଥିଲି, କେମିତି ଏଠୁ ଖସିଯିବି ଯଥାଶୀଘ୍ର । ମୋର ହୃତ୍ କମ୍ପନ ଜାଣି ହୁଏତ ସେ ମୋ ଦୁର୍ବଳତା ଅନୁଭବ କରିନେବେ ।

ଦୀର୍ଘ ନିଃଶ୍ୱାସଟାଏ ବାହାରିଗଲା ତାଙ୍କ ଭିତରୁ । ପିଅନକୁ ଡ଼ାକି କଫି ପାଇଁ ତଳକୁ ପଠାଇଦେଲେ । ମୋ ଭିତରେ ଉଠିଥିବା ପ୍ରଶ୍ନଗୁଡ଼ିକୁ ସେ ଜାଣିପାରିବା ଭଳି ନିଜର ଲେଖକୀୟ ଓ ସାମ୍ବାଦିକତା ସଂପର୍କରେ କହିବାକୁ ଲାଗିଲେ । ଯେମିତି କି ସେ ପ୍ରମାଣ କରେଇ ଦେବାକୁ ଚାହୁଁଥିଲେ, ଆଜି ମଧ୍ୟ ସମାଜରେ ସାହିତ୍ୟ ଓ ମୁଦ୍ରା ଅଚଳ ହୋଇନି କି ଭବିଷ୍ୟତରେ ହେବାର ନାହିଁ-ଯାହା କିଛି ଲୋକେ ଭାବୁଛନ୍ତି ।

କୋରିଆପଲ୍ଲା, ଓଉପଦ, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ମୋ- ୯୩୩୭୩୬୯୪୪୮

ଲେଖକ ପରିଚୟ

ପେଶାରେ ଜଣେ ସାମ୍ବାଦିକ , କିନ୍ତୁ ବିଭିନ୍ନ ଖବରକାଗଜ ତଥା ପତ୍ରିକାରେ ନାନା କାହାଣୀ, କବିତା ଏବଂ ଅନୁବାଦ କରିବାରେ ଜଣେ ଲୋକପ୍ରିୟ ତଥା ନିୟମିତ ଲେଖକ । ଅନୁବାଦିତ କାହାଣୀ ସହିତ ଗୋଟିଏ ପୁସ୍ତକ ପ୍ରକାଶ ହୋଇଛି ।

Related Posts

Leave a Reply

Your email address will not be published. Required fields are marked *