ହିମାଂଶୁ ଆଚାରୀ

ସକାଳର ସେଇ ସ୍ୱର୍ଣ୍ଣିମ ଆଭାରେ କିଏ ଆଙ୍କିଦେଲା ରାତି
ପାଦଟି କାହିଁକି ପରାକ୍ରମୀ ହେଲା ଫୁଲିଲା କାହିଁକି ଛାତି,
ଗଡ଼ ଜିଣି ରାଜା ଫେରିବା ଆଗରୁ କିଏ ବିଞ୍ଚିଦେଲା କଣ୍ଟା
ଅଦୃଶ୍ୟ ହେଉ କି ଅଦୃଷ୍ଟ ହେଉ ସେ କପାଳର କଳା ଛିଟା !
ଅକାତକାତ ଏ ଆଖିର ଧାରରେ କେମିତି ଭାସୁଛ ଦେଖ
ସାଉଁଟା ସ୍ମୃତିର ଚଉକାଠ ତଳେ ଝାପସା ଦିଶୁଛି ମୁଖ,
ଅଗଣା ତୁମର ଅରଣ୍ୟ ହେଇଛି ପସରା ମେଲିଛି ଦୁଃଖ
ଯେଉଁ ଓଠ ଦିନେ ହସ ଦେଇଥିଲା ସେ ଓଠ ପାଳୁଛି ଶୋକ !
ଭାବିଥିଲ ତୁମେ ଫେରିବା ବାଟରେ ଫେରିଥାନ୍ତା ଅନୁଭୂତି
ସଞ୍ଜ ସହ କାହିଁ ସନ୍ଧି କରି ତୁମେ ଗାଉଥିଲ ମୃତ୍ୟୁଗୀତି,
ଚାଲିଗଲା ବେଳେ ଚାଳରେ ଥିଲା କି ଅଶୁଭ ପକ୍ଷୀର ଆଖି
ଗଜ ଉଦ୍ଧାରଣ ବାହାନାକୁ ତୁମେ କେଉଁଠାରୁ ଥିଲ ଶିଖି ?
ଅଫେରା ଦେଶର ବାଦଶାହ ତୁମେ ଫେରିଯାଅ ଫେରିଯାଅ,
ଏ ଲୁହ ନଈରେ କେମିତି ଭାସିବୁ ଥରେ ଖାଲି କହିଦିଅ !!
ସଂପାଦକ- ଚନ୍ଦନଧାରା, ଉମରକୋଟ, ନବରଙ୍ଗପୁର, ମୋବାଇଲ : ୯୭୭୭୧୫୫୫୦୮
ଲେଖକ ପରିଚୟ
ଦୀର୍ଘ ତିନି ଦଶନ୍ଧି ଧରି ଲେଖନୀ ଚାଳନା ଜାରି ରଖିଥିବା ହିମାଂଶୁ ଆଚାରୀ ଏକାଧାରରେ ଜଣେ କବି, ଗାଳ୍ପିକ ଏବଂ ସଫଳ ସଂପାଦକ । ଓଡ଼ିଶାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସେ ସମ୍ମାନିତ ଓ ସଂବର୍ଦ୍ଧିତ । କବିଙ୍କର ଏଯାବତ୍ ତିନୋଟି କବିତା ସଙ୍କଳନ “ଆଲୋକିତ ଅନ୍ଧାର”, “ପାପୁଲି” ଏବଂ “ତଥାସ୍ତୁ କର ଈଶ୍ୱର” ବିପୁଳ ପାଠକୀୟ ଆଦୃତି ଲାଭ କରିଛି । ତାଙ୍କ ସଂପାତିତ ସାହିତ୍ୟ ପତ୍ରିକା “ଚନ୍ଦନଧାରା” ସାଂପ୍ରତିକ ସମୟର ସାହିତ୍ୟ ସେବା ଯୋଗାଇଦେବାର ପ୍ରୟାସ ଜାରି ରଖିଛି ।
କୋହଭରା ଏ କବିତା, ଖୁବ ଛୁଇଁଲା