ପ୍ରଥମ ‘ବର୍ଷା ସମ୍ମାନ’ରେ ସମ୍ମାନିତ ହେଲେ ତିନି ସାହିତ୍ୟିକ

ଭୁବନେଶ୍ୱର : ବର୍ଷା ପବ୍ଲିକେଶନ ପକ୍ଷରୁ ଶୁକ୍ରବାର ଗୀତଗୋବିନ୍ଦ ସଦନଠାରେ ପ୍ରଥମ ବର୍ଷା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମ “ବର୍ଷା ସମ୍ମାନ ୨୦୨୩” ପ୍ରଦାନ କରାଯାଇଥିଲା । “ବର୍ଷା କଥା ସମ୍ମାନ” ପାଇଁ କଥାକାର ପ୍ରଦୀପ୍ତ କୁମାର ମିଶ୍ରଙ୍କ ଗଳ୍ପ ପୁସ୍ତକ ‘ଛଦ୍ମଘଟ’, “ବର୍ଷା କବିତା ସମ୍ମାନ” ପାଇଁ କବି ସତ୍ୟବାଦୀ ରାଉତଙ୍କ କବିତା ପୁସ୍ତକ ‘ମୁଁ ନଥିବି ଏ ନଈ ଥିବ’ ଏବଂ “ବର୍ଷା ଉନ୍ମେଷ ସମ୍ମାନ” ପାଇଁ ଯୁବକବି ତପନ କୁମାର ବାରିକଙ୍କ କବିତା ପୁସ୍ତକ ‘କେଇ ଫର୍ଦ୍ଦ ଜହ୍ନରାତି’କୁ ପୁରସ୍କୃତ କରାଯାଇଥିଲା ।

ଉତ୍ସବରେ ଆଲୋଚକ ଅଜୟ ସ୍ଵାଇଁ, ଶ୍ରୀଦେବ, କେଦାର ମିଶ୍ର, ସ୍ଵପ୍ନା ମିଶ୍ର, ପବିତ୍ର ମୋହନ କର ଏବଂ ଶରତ ଚନ୍ଦ୍ର କର ଉପସ୍ଥିତ ରହି ଆଶୀର୍ବଚନ ପ୍ରଦାନ କରିଥିଲେ । ଏହାପରେ ବର୍ଷା ପବ୍ଲିକେଶନ ପକ୍ଷରୁ ପ୍ରକାଶିତ ପୁସ୍ତକ କବି ଦେବବ୍ରତ ଜେନାଙ୍କ କବିତା ପୁସ୍ତକ ‘ଏଡ଼ୱାର୍ଡର ମୁହଁ’, କବି ସତ୍ୟ ସାହୁଙ୍କ କବିତା ପୁସ୍ତକ ‘ମାଟି ଘୁଙ୍ଗୁର’, କବି ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସଙ୍କ ‘କିଛି କଥା କହି ହୁଏ ଆଉ କିଛି ବାକି ରହେ’, କଥାଶିଳ୍ପୀ ସୁସ୍ମିତା ପଟେଲଙ୍କ ଉପନ୍ୟାସ ‘ଅନ୍ତହୀନ ପ୍ରତୀକ୍ଷା’, ଗଳ୍ପ ପୁସ୍ତକ ‘ଡାଏରୀ’, ଚିନ୍ମୟୀ ପଣ୍ଡାଙ୍କ ଗଳ୍ପ ପୁସ୍ତକ ‘ଜୀବନ ହଜିବା ପାଇବା ଭିତରେ’, କବି ବାଦଲ ମହାନ୍ତିଙ୍କ ସ୍ମୃତିଲେଖ ‘କଲମର କୁହୁ’, ‘ମୋ ମନର ଯେତେ କଥା’, ଉପନ୍ୟାସ ‘ମାଇଚିଆ’ ଓ ‘ମାୟାମଞ୍ଚ’ ଏବଂ ସମୀର କରଙ୍କ ଆତ୍ମଅନୁଶୀଳନ ଭିତ୍ତିକ ପୁସ୍ତକ ‘ଏକ ଭିନ୍ନ ଚିନ୍ତନ’ ଉନ୍ମୋଚିତ ହୋଇଥିଲା ।

ଦ୍ଵିତୀୟ ଅଧିବେଶନରେ ପାରମ୍ପରିକ ସାହିତ୍ୟକୁ ନେଇ ଆଲୋଚନା କରାଯାଇଥିଲା । ଉକ୍ତ ଆଲୋଚନାରେ ଅଭିମନ୍ୟୁ ସାମନ୍ତସିଂହାରଙ୍କ ‘ବିଦଗ୍ଧ ଚିନ୍ତାମଣି’ ଉପରେ ବିଶିଷ୍ଟ ଆଲୋଚକ ଅସିତ ମହାନ୍ତି, କବିସୂର୍ଯ୍ୟ ବଳଦେବଙ୍କ ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ’ ଉପରେ ଆଲୋଚକ ଅଜୟ ସ୍ଵାଇଁ, ବଳରାମ ଦାସଙ୍କ ‘ଭାବ ସମୁଦ୍ର’ ଉପରେ ଆଲୋଚକ ସନ୍ତୋଷ ରଥ, ଭକ୍ତ ଦାସଙ୍କ ‘ମଥୁରା ମଙ୍ଗଳ’ ଉପରେ ଆଲୋଚକ ଆଲୋକ ରଞ୍ଜନ ଷଡ଼ଙ୍ଗୀ ଆଲୋଚନା କରିଥିଲେ । ଅଭିନେତ୍ରୀ ମଧୂମିତା ମହାନ୍ତି ସଭା ପରିଚାଳନା କରିଥିବାବେଳେ ଯୁବକବି ଓ ପ୍ରାବନ୍ଧିକ ପରଂବ୍ରହ୍ମ ତ୍ରିପାଠୀ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରକାଶନୀ ସଂସ୍ଥାର ନିର୍ଦ୍ଦେଶକ ବାଦଲ ମହାନ୍ତି ଧନ୍ଯବାଦ ଅର୍ପଣ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *