ଶ୍ୟାମା କିଙ୍କର ମହାନ୍ତି

ଆଶିଷ, ସ୍ୱପ୍ନା ଆଉ ଅଭିଜିତ ମୋ ସହକର୍ମୀ । ଏମାନେ ସମସ୍ତେ ଉଚ୍ଚଶିକ୍ଷିତ ଓ ବୃତ୍ତିଗତ ଦୃଷ୍ଟିରୁ କୁଶଳୀ । ସମସ୍ତେ ଖାଣ୍ଟି ଓଡ଼ିଆ । କିନ୍ତୁ ଇଂରାଜୀ ମାଧ୍ୟମରେ ପାଠ ପଢିଥିବାରୁ ଓଡ଼ିଆ ଠିକରେ ପଢିପାରନ୍ତି ନାହିଁ । ଓଡ଼ିଆ ଖବରକାଗଜ ଉପରେ ଦୈବାତ କେବେ ଆଖି ପକାଉଥିଲେ ସମ୍ପାଦକୀୟ/ପ୍ରତିଦ୍ଵନ୍ଦିତା/ଆଇନଶୃଙ୍ଖଳା ଭଳି ଶବ୍ଦ ସବୁ ଠିକରେ ପଢି ନପାରି ମୋ ସାହାଯ୍ୟ ନିଅନ୍ତି । ବୟସରେ ତିନିହେଁ ମୋଠୁ ବହୁତ ସାନ, ହେଲେ ବି ବନ୍ଧୁ ଭଳି ମିଶୁ ଆମେ ।

କିଛି ଦିନ ତଳେ ଆଉ ଜଣେ ସହକର୍ମୀଙ୍କ ଗୋଟେ ଉତ୍ସବରେ ଯୋଗ ଦେବା ପାଇଁ ଆମେ ତିନି ଜଣ ମିଶିକି ଯାଉଥିଲୁ ଗୋଟିଏ ଗାଡ଼ିରେ । ମୋ ଗାଡ଼ିର ମ୍ୟୁଜିକ ସିଷ୍ଟମରେ ଥିଲା ଖୋକା ଭାଇଙ୍କ ଗୀତ : “ନଦୀର ନାମ ଅଳସକନ୍ୟା…/ଚନ୍ଦ୍ରମଲ୍ଲୀ ହସେ…।“ ଅନୁଭବ କଲି ସେମାନେ ସେ ଗୀତ ଶୁଣୁନାହାନ୍ତି, ହୁଏତ ବୋର୍ ହେଉଛନ୍ତି । ଆଶିଷ କହି ବି ଦେଲା ଶେଷରେ, “ଭାଇ ଅଲଗା କିଛି ଗୀତ ଲଗାଅ ମ ! ମୁଁ ଏଥର ଟ୍ରାକ୍ ଚେଞ୍ଜ କରିଦେଲି । “ପ୍ରେମିକାର ବାରିଆଡ଼େ ବାଇଡଙ୍କ…./ଝିଅକୁ ହେଲାଣି ସତର… ।“ ଡାସବୋର୍ଡରେ ଆଙ୍ଗୁଠିରେ ତାଳ ଦେଉଛି ଆଶିଷ, ମୁଣ୍ଡ ହଲାଉଛି ଅଭିଜିତ ଆଉ ଚୁପିଚୁପି ହସୁଛି ସ୍ୱପ୍ନା ।’ ଟୁଟୁ ଭାଇ, ଅକ୍ଷୟ ମହାନ୍ତିର ଏତେ ବଢିଆ ଗୀତ ଅଛି , ମୁଁ ଶୁଣିନଥିଲି ଜମା’, କହିଲା ଅଭିଜିତ ।

ବାଃରେ ମେରେ ଭାଇ ! ତୁମ ପସନ୍ଦକୁ ମାନିବାକୁ ପଡ଼ିବ । ଏମିତି କିଛି କହିବି ବୋଲି ଭାବୁଥିଲି, କିନ୍ତୁ କହିଲିନି । କଣ ଆଉ କହିଥାନ୍ତି ସେମାନଙ୍କୁ । କାରଣ ମୁଁ ଦେଖିଚି ସେମାନେ ୟୁଟ୍ୟୁବରୁ ‘ବୋଉ ମାରିବ ବୋଉ ମାରିବ…’ ଗୀତ ଡାଉନଲୋଡ଼ କରନ୍ତି, ହ୍ଵାଟ୍ସଆପରେ କିଏ ପଠେଇଥିବା ଦିପୁ ଦମଦମର କମେଡ଼ି ଦେଖନ୍ତି କିନ୍ତୁ ସୁନନ୍ଦା ପଟ୍ଟନାୟକ/ରଘୁନାଥ ପାଣିଗ୍ରାହୀଙ୍କୁ ଚିହ୍ନନ୍ତି ନାହିଁ ବା ଜାଣିବାକୁ ଚାହାନ୍ତି ନାହିଁ । ଶସ୍ତା ଆଲବମ ଗୀତର ନାୟିକାର ଷ୍ଟେଜ ଶୋ’ ଦେଖିବାକୁ ଯାଆନ୍ତି କିନ୍ତୁ ସ୍ଵାଧୀନତା ଦିବସ ପାରେଡ଼ ଦେଖିବାକୁ ନଯାଇ ଛୁଟିଦିନ ଟିଏ ମିଳିଲା ଭାବି ଡେରି ପର୍ଯ୍ୟନ୍ତ ଶୁଅନ୍ତି । ମଜା କଥା ହେଲା, ଫେସବୁକରେ ମୁଁ ପୋଷ୍ଟ କରୁଥିବା କବିତାଗୁଡିକୁ ଲାଇକ କରୁଥିବା ଦେଖି ମୁଁ ସ୍ୱପ୍ନାକୁ ଥରେ କହିଲି, “ଯାହେଉ ! ତମେ ମୋ ଲେଖା ସବୁ ପଢୁଛ, ସେଥିପାଇଁ ଧନ୍ୟବାଦ ।“ ସେ ମୋତେ କହିଥିଲା, “ନା । ମୁଁ ତ ଓଡ଼ିଆ କବିତା ପଢେନି ! ଆପଣଙ୍କ କବିତା ସହ ଯେଉଁ ଫୋଟୋ ଆଟାଚ୍ ଥାଏ ସେସବୁ ମୋତେ ଭଲ ଲାଗେ । ହାଃ ହାଃ …।  

ଗୋଟେ ଦିନର କଥା କହୁଛି । ମୁଁ ଓଡ଼ିଆ ଖବରକାଗଜ ପଢୁଥିଲି ଲଞ୍ଚ ବ୍ରେକରେ । ଆଶିଷ କହିଲା, “ଭାଇ ଆଜିର ହେଡଲାଇନ୍ସ କଣ ? ମୁଁ କହିଲି, “ମନୋଜ ଦାସ ଚାଲିଗଲେ ।“ ପାଖ ସିଟରେ ବସିଥିବା ଅଭିଜିତ ପଚାରିଲା, “ମନୋଜ ଦାସ କିଏ ?”

ୟେ ତୋ ହଦ୍ ହୋ ଗୟା ୟାର । ମୁଁ ଖବରକାଗଜଟିକୁ ମୋ ଟେବୁଲ ଉପରେ କଚାଡ଼ି ଦେଇ ସିଟରୁ ଉଠି ଚାଲିଗଲି । ପଛରୁ ସ୍ୱପ୍ନା କହିବାର ଶୁଣିଲି, “ଆଜି ଟୁଟୁଭାଇଙ୍କ ମୁଡ୍ ଭଲ ନାହିଁ ବୋଧେ…।

ମାର୍କଣ୍ଡେଶ୍ୱର ସାହି, ପୁରୀ, ମୋ – ୯୮୬୧୧୯୧୩୮୦

ଲେଖକ ପରିଚୟ

ଲେଖକଙ୍କ ପେଶାରେ ଜଣେ ଇଞ୍ଜିନିୟର ହେଲେ ଓଡ଼ିଆ ଭାଷା ପ୍ରୀତି ସହିତ ସାହିତ୍ୟକୁ ଖୁବ ଭଲ ପାଆନ୍ତି । ଓଡ଼ିଶାର ଅନେକ ଅଗ୍ରଣୀ ପତ୍ରପତ୍ରିକା ଓ ସମ୍ବାଦପତ୍ରରେ ତାଙ୍କ ଲେଖା ପ୍ରକାଶିତ ହୁଏ । ତେବେ ମୁଖ୍ୟତଃ କବିତା ଲେଖୁଥିଲେ ବି କେବେକେବେ ଲେଖକ ଗଳ୍ପ, ବ୍ୟଙ୍ଗ ଓ ଫିଚର ବି ଲେଖନ୍ତି ।

Related Posts

Leave a Reply

Your email address will not be published. Required fields are marked *