ଭାରତର ଇତିହାସ ସଂଘର୍ଷର ଇତିହାସ

ସାହିତ୍ୟ ଏକାଡ଼େମୀ ପକ୍ଷରୁ ‘ସାହିତ୍ୟ ଓ ଭାରତଛାଡ଼ ଆନ୍ଦୋଳନ’

ମୁମ୍ବାଇ : ଭାରତର ଇତିହାସ ଶତତ ସଂଘର୍ଷର ଇତିହାସ । କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ମୁମ୍ବାଇସ୍ଥିତ ଏସିଆଟିକ ସୋସାଇଟି ଦରବାର ହଲରେ ‘ସାହିତ୍ୟ ଓ ଭାରତଛାଡ଼ ଆନ୍ଦୋଳନ’ ଶୀର୍ଷକ ଦୁଇ ଦିନିଆ ସର୍ବଭାରତୀୟ ସମ୍ମିଳନୀ ଉଦଘାଟନ ଅବସରରେ ବକ୍ତାମାନେ ଏହି ମତ ଦେଇଛନ୍ତି ।

‘ଆଜାଦି କି ଅମୃତ ମହୋତ୍ସବ’ ପାଳନ ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏକାଡ଼େମୀର ସଚିବ କେ. ଶ୍ରୀନିବାସ ରାଓ ସ୍ଵାଗତ ଭାଷଣ ଦେଇଥିଲେ । ସେ ନିଜର ଅଭିଭାଷଣରେ ଭାରତଛାଡ଼ ଆନ୍ଦୋଳନର ଐତିହାସିକ ପୃଷ୍ଠଭୂମୀ ଏବଂ ଭାରତୀୟ ଭାଷାଗୁଡ଼ିକ ସାହିତ୍ୟିକ ଯୋଗଦାନ ଉପରେ ଆଲୋକପାତ କରିଥିଲେ । ସ୍ଵାଧୀନତା ଆନ୍ଦୋଳନ ସମୟରେ ପ୍ରକାଶିତ ଖବରକାଗଜ ଏବଂ ପୁସ୍ତକ ଭାରତୀୟ ଜନମାନସକୁ ଗଭୀର ଭାବେ ପ୍ରଭାବିତ କରିଥିଲା ବୋଲି ସେ କହିଥିଲେ ।

ରାୟପୁର ସ୍ଥିତ କୁଶାଭାଉ ଠାକରେ ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଶ୍ୱବିଦ୍ୟାଳୟର କୁଳପତି ତଥା ବିଶିଷ୍ଟ ସାହିତ୍ୟିକ ବଳଦେବଭାଇ ଶର୍ମା ଉଦଘାଟନୀ ଭାଷଣରେ କହିଥିଲେ, ଭାରତର ଇତିହାସ ଗୋଲମର ଇତିହାସ ନୁହେଁ, ଏହା ଶତତ ସଂଘର୍ଷର ଇତିହାସ । ସେ ସମୟରେ ସାହିତ୍ୟିକ ଏବଂ ସାମ୍ବାଦିକମାନେ ବଳିଷ୍ଠ ସାହିତ୍ୟ ରଚନା କରି ବ୍ରିଟିଶ ଶାସନ ବିରୋଧରେ ଭାରତୀୟ ଜନମାନସକୁ ଏକତ୍ରିତ କରିବାରେ ସକ୍ଷମ ହୋଇଥିଲେ । ସେ ଆହୁରି କହିଥିଲେ ଯେ ୧୯୪୨ ମସିହାର ଆଜିର ଦିନ (ଅଗଷ୍ଟ ୮)ରେ ସର୍ବଭାରତୀୟ କଂଗ୍ରେସ କମିଟିର ବମ୍ବେ ଅଧିବେଶନରେ ମହାତ୍ମା ଗାନ୍ଧୀ ଭାରତଛାଡ଼ ଆନ୍ଦୋଳନର ଡାକରା ଦେଇଥିଲେ । ତେଣୁ ସ୍ଵତନ୍ତ୍ରତା ଆନ୍ଦୋଳନର ସାକ୍ଷ୍ୟ ବହନ କରୁଥିବା ସ୍ଥାନ (ମୁମ୍ବାଇ)ରେ ସାହିତ୍ୟ ଏକାଡ଼େମୀ ପକ୍ଷରୁ ‘ଆଜାଦି କି ଅମୃତ ମହୋତ୍ସବ’ ପାଳନ କରାଯିବା ଅତ୍ୟନ୍ତ ଗର୍ବ ଓ ଆନନ୍ଦର ବିଷୟ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ବିଶିଷ୍ଟ ଓଡ଼ିଆ କଥାକାର ଗୌରହରି ଦାସ ଅତିଥି ଭାବେ ଯୋଗଦେଇ ଭାରତଛାଡ଼ ଆନ୍ଦୋଳନରେ ଭାରତୀୟ ସାହିତ୍ୟ ତଥା ବିଶେଷକରି ଓଡ଼ିଆ ସାହିତ୍ୟର ଭୂମିକା ଉପରେ ବିଷଦ ଆଲୋଚନା କରିଥିଲେ । ଉଦଘାଟନୀ ବକ୍ତବ୍ୟରେ ଗୁଜୁରାଟର ପ୍ରସିଦ୍ଧ ସାହିତ୍ୟିକ, ବିଦ୍ଵାନ ସିତାଂଶୁ ଯଶଚନ୍ଦ୍ର ତତ୍କାଳୀନ ସମୟ ଓ ସାହିତ୍ୟ ଉପରେ ଆଲୋଚନା କରିଥିଲେ ।

ଏହି ଅବସରରେ ପ୍ରସିଦ୍ଧ ମରାଠୀ ଲେଖକ ବିଶ୍ଵାସ ପାଟିଲଙ୍କ ଅଧ୍ୟକ୍ଷତାରେ ଦେଶାତ୍ମବୋଧ ଗଦ୍ୟ ଏବଂ ପଦ୍ୟ ଆସର ଅନୁଷ୍ଠିତ ହୋଇଥିଲା । ଶ୍ରୀ ପାଟିଲ ପ୍ରଥମେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନ ଉପରେ ଆଧାରିତ ନିଜର ପ୍ରସିଦ୍ଧ ମରାଠୀ ଉପନ୍ୟାସ ମହାନୟକର ଇଂରାଜୀ ଅନୁବାଦ ପାଠ କରିଥିଲେ । ସେହିପରି ଉଷା ଠକ୍କର ‘ଗାନ୍ଧୀଜୀ କେ ସାହିତ୍ୟ’, ଶମିମ ତାରିକ ‘ଭାରତ ଛୋଡୋ ଆନ୍ଦୋଳନ’ ଏବଂ ‘ମୌଲାନା ଅବଦୁଲ କଲାମ ଆଜାଦ’, ବି. ରଙ୍ଗରାଓ ସ୍ଵାଧୀନତା ଆନ୍ଦୋଳନରେ ବାବା ସାହେବ ଆମ୍ବେଦକରଙ୍କ ଯୋଗଦାନ ଉପରେ ଆଲୋକପାତ କରି ନିଜର ନିବନ୍ଧ ପାଠ କରିଥିଲେ । ଏହି ଅବସରରେ ମରାଠୀ କବି-ଲେଖକ ରବି ଲାଖେ, ଗିରୀଶ ପତକେ ହିନ୍ଦୀ ଏବଂ ମରାଠୀ ପ୍ରସିଦ୍ଧ ଦେଶଭକ୍ତପୂର୍ଣ୍ଣ କବିତା ପାଠ କରିଥିଲେ । ଏକାଡ଼େମୀର ଉପସଚିବ କୃଷ୍ଣା କିଂବହୁନେ ଧନ୍ୟବାଦ ଦେଇଥିଲେ ।

Related Posts

Leave a Reply

Your email address will not be published. Required fields are marked *