ଅରବିନ୍ଦ ଦାସ

ନୂଆ କରି ଖୋଲିଥିବା ନିଶାମୁକ୍ତି କେନ୍ଦ୍ରକୁ ନିଜ ପୁଅକୁ ନେଇ ଆସିଥିଲେ ତା ବାପାମା’ । ସବୁପ୍ରକାର ନିଶାରୁ ମୁକ୍ତି ପାଇଁ ଏଠାରେ ଉପାୟ ମିଳିପାରିବ ବୋଲି ଚାରିଆଡ଼େ ବିଜ୍ଞାପନ ଲଗା ଯାଇଥିଲା । କିଶୋର ବୟସର ଅନେକ ପିଲାଙ୍କୁ ନେଇ ସେମାନଙ୍କ ଅଭିଭାବକମାନେ ପ୍ରାୟ ଆସୁଥିଲେ ଏଇ କେନ୍ଦ୍ରକୁ; ଆଉ ସମସ୍ତଙ୍କର ପ୍ରାୟ ସେଇ ଗୋଟିଏ ଅଭିଯୋଗ ନିଜ ପିଲାଙ୍କ ବିଷୟରେ ।

– ଆମ ପିଲାଟା ଆଡିକ୍ଟ ହୋଇଯାଇଛି ।

ଡକ୍ଟର ସୁନିତା ବି ଏଇ ସେଣ୍ଟରରେ ପରାମର୍ଶଦାତା ଭାବେ କାମ କରନ୍ତି । ନିଜ ସାମ୍ନାରେ ବସିଥିବା ପରିବାରକୁ ଅନାଇ ଡକ୍ଟର ସୁନିତା ପଚାରିଲେ,

– କଣ ହୋଇଛି ?

ପିଲାଟିର ବାପା ଚଟକିନା କହିଲେ,

– ଆମର ଏଇ ଗୋଟିଏ ବୋଲି ପୁଅ । ତା ଭବିଷ୍ୟତ କ୍ୟାରିଅର ପାଇଁ ଆମେ ଦୁହେଁ ଚିନ୍ତିତ । ଏବେ ତ ଜାଣନ୍ତି ସବୁ ପାଠପଢା ଅନଲାଇନ । ହେଲେ ଆମ ପୁଅ ପାଠପଢା ବଦଳରେ ମୋବାଇଲ ଫୋନରେ ଭିଡ଼ିଓ ଗେମ୍ ଖେଳ, କାର୍ଟୁନ ଦେଖା ନିଶାରେ ଆଡିକ୍ଟ

ହୋଇଯାଇଛି । ପ୍ଲିଜ ଆମକୁ ସାହାଯ୍ୟ କରନ୍ତୁ ।”

ପିଲାଟିର ମାଆ ବ୍ୟସ୍ତ ହୋଇ କହିଲେ,

– ପାଠ ପଢ଼ାରେ ତାର ଜମା ମନ ନାହିଁ । ଆଗରୁ ସବୁବେଳେ ବାହାରକୁ ଖେଳିବାକୁ ପଳାଉଥିଲା । ଏବେ ବାଧ୍ୟ କରି ତାକୁ ଘରେ ରଖି ପଢିବାକୁ କହିଲେ, ଆମ କଥା ନଶୁଣି ଇଣ୍ଟରନେଟରେ ମାତୁଛି । ଦୟାକରି ତାର ଏଇ ନିଶାକୁ ଛଡ଼ାନ୍ତୁ । ଯେତେ ଟଙ୍କା ଲାଗିବ ଆମେ ଦେବାକୁ ପ୍ରସ୍ତୁତ, ଯେତେ ଦିନ ଏଠି ରହିବାକୁ କହିବେ ଆମେ ଏଠାରେ ଛାଡିବାକୁ ରାଜି ।”

ସାମ୍ନାରେ ବସିଥିବା ପିଲାଟିକୁ ଅନାଇଲେ ଡକ୍ଟର ସୁନିତା । ଚୁପଚାପ ସେ ଅନାଇଥିଲା ଝରକା ଫାଙ୍କରେ ଦେଖାଯାଉଥିବା ଆକାଶକୁ । ପିଲାଟିର ବୟସ ଆନୁମାନିକ ବାର ତେର ବର୍ଷ ହେବ ବୋଧେ । ମୃଦୁହସି ଡକ୍ଟର ସୁନିତା କହିଲେ,

-ଦେଖନ୍ତୁ ମୁଁ ଜଣେ ମନୋଚିକିତ୍ସକ ଭାବେ ପିଲାକୁ ପରୀକ୍ଷା କଲାପରେ ଯାହା ବ୍ୟବସ୍ଥା କରିବା କଥା କରିବି । ପୁଅକୁ ଛାଡ଼ି ଆପଣ ଦୁହେଁ ରୁମ୍ ବାହାରକୁ ଯାଆନ୍ତୁ ।”

ବାପାମା’ ଦୁହେଁ ବାହାରକୁ ଗଲାପରେ ପିଲାଟିର ମୁଣ୍ଡକୁ ସ୍ନେହରେ ଆଉଁଷି ଅନେକ ପ୍ରଶ୍ନ କଲେ ଡକ୍ଟର ସୁନିତା । ପ୍ରାୟ ଅଧଘଣ୍ଟା ପରେ ପିଲାର ବାପାମାଙ୍କୁ ରୁମ୍ ଭିତରକୁ ଡାକିଲେ ।

– ମ୍ୟାଡ଼ମ, କଣ ପରୀକ୍ଷା କଲେ ? ତା ସହ କଥା ହେଲେ ? କଣ ସବୁ କହିଲା ସେ ? କେତେଦିନ ଲାଗିବ ୟା ମୁଣ୍ଡରୁ ଏ ନିଶା ଉତୁରିବା ପାଇଁ ?”

ଗମ୍ଭୀର ସ୍ୱରରେ ଡକ୍ଟର ସୁନିତା କହିଲେ,

– ପୁଅକୁ ପଚାରି ସବୁ ବୁଝିଲି । ବ୍ୟସ୍ତ ହୁଅନ୍ତୁନି, ସମୟ ଲାଗିବ ହେଲେ ନିଶା ଉତୁରିଯିବ । ଏବେ ଇଣ୍ଟରନେଟ ଯୋଗୁଁ ଆଜିର ଆମ ଜୀବନଶୈଳୀ, ସାମାଜିକ ଚଳଣୀ ସମ୍ପୂର୍ଣ୍ଣ ବଦଳି ଯାଇଛି । ମୋବାଇଲ, ଲାପଟପ, ସୋସିଆଲ ମିଡିଆରେ ସମସ୍ତେ ଏଭଳି ମାତିଛନ୍ତି ଯେ ନିଜ ପରିବାର, ନିଜ ଲୋକଙ୍କ ସହ କଥାବାର୍ତ୍ତା, ଗପସପ ପାଇଁ ବି ସମୟ ଦେଇପାରୁନାହାନ୍ତି । ଆପଣଙ୍କ ପୁଅଠୁ ଜାଣିଲି ଜେ ଆପଣ ଦୁହେଁ ହ୍ଵାଟ୍ସଆପ, ଇନଷ୍ଟାଗ୍ରାମ, ଫେସବୁକରେ ମାତି ତା ସହ ପ୍ରାୟ କଥାବାର୍ତ୍ତା ବି କରୁନାହାନ୍ତି । ଏକାଠି ସମୟ ବିତାଉ ନାହାନ୍ତି । ବାହାରକୁ ଖେଳିବାକୁ ନଯାଇ, ସେ ବିଚରା ଘର ଭିତରେ ଆପଣ ଦୁହିଁଙ୍କ ସହ ରହି ବି ଏକୁଟିଆ ଅନୁଭବ କରୁଛି ବୋଲି ଏସବୁ ଗେମର ଆଡିକ୍ଟ ହୋଇଛି । ଆପଣ ଦୁହେଁ ଆମ କେନ୍ଦ୍ରକୁ କିଛି ସପ୍ତାହ ଆସି ସୋସିଆଲ ମିଡିଆ ଡିଆଡିକ୍ସନ କୋର୍ସ କରନ୍ତୁ । ଆପଣଙ୍କ ପୁଅ ନୁହେଁ, ବରଂ ଆପଣ ଦୁହିଁଙ୍କୁ ନିଶାମୁକ୍ତି ଦରକାର । ଆଉ ହଁ, ଟଙ୍କା ଖର୍ଚ୍ଚ ନୁହେଁ, ଆପଣ ଦୁହେଁ ନିଜ ପିଲା ସହିତ କିଛି ଅନ୍ତରଙ୍ଗ ଓ ମଧୁର ସମୟ ଖର୍ଚ୍ଚ କରନ୍ତୁ ।”

ମହାରାଣୀପେଟା, ବିଶାଖାପାଟଣା-୫୩୦୦୦୨, ଆନ୍ଧ୍ରପ୍ରଦେଶ, ଦୂରଭାଷ-୯୧୭୭୬୦୫୧୦୫   

ଲେଖକ ପରିଚୟ

ପେଶାରେ ଭାରତୀୟ ରାଜସ୍ଵ ବିଭାଗରେ ଅଧିକାରୀ ହେଲେ ମୁଁ ନିଜକୁ ସବୁବେଳେ ଜଣେ ଛାତ୍ର ହିଁ ଭାବେ । ପ୍ରତିଦିନ ଗପ ଲେଖିବାକୁ ଚେଷ୍ଟାକରେ । ‘ପ୍ରଜାପତିର ନୂଆ ଠିକଣା’, ‘ବିଅର’, ‘ପେଦାପୁରମର ପଦ୍ମା’, ‘ବିଧର୍ମୀ’ ନାମକ ଗଳ୍ପ ସଂକଳନ ପ୍ରକାଶିତ ହୋଇଛି ।

Related Posts

Leave a Reply

Your email address will not be published. Required fields are marked *