ତାରାପ୍ରସାଦ ଜେନା
ସେଇ ଗଛ ଅଛି ସେଇ ଛାଇ ଅଛି, ତୁମେ ନାହଁ ଛାଇ ତଳେ
ସେଇ ଗୀତ ଅଛି ସ୍ବର ହଜିଲାଣି, ଜାଣିନାହିଁ କେତେବେଳେ ।
ମେଘ ଉଠୁଥିଲା ବର୍ଷା କାଚୁଥିଲା, ମନେପଡ଼ି କାନ୍ଦ ଲାଗେ
ସେଇ ବର୍ଷା ଭିଜା ଛପା ଅନ୍ଧାରକୁ କେତେ ମିଠା ଅନୁରାଗେ !
ଲୀଳାବତୀ ତୁମେ ଲୀଳା କରୁଥିଲ ସନ୍ଦେହର ପ୍ରେମ ଫାଙ୍କି
ବେଳେବେଳେ ମୁଁ ଯେ ଅଣାୟତ୍ତ ପିଲା ଧରୁଥିଲି ସ୍ନେହ କଙ୍କି ।
ବୟସର ଦେହ ଯଉବନ ଦାହ, ସହିବାଟା କିଏ ବୁଝେ
ପ୍ରେମ କରଜକୁ କିଏ କରିଥିଲା, କେମିତିକା ପୁଣି ଶୁଝେ !
ହସିବାର କାନ୍ଦ ଗୁମୁରୁଛି ଆଜି, ତୁମେ ନାହଁ ମୋର ପାଶେ
ପୁରୁଣା ସେ ଚିଠି ବାର ବାର ଖୋଜି ପଢ଼େ ଅବା ପ୍ରେମ ତ୍ରାସେ ।
ଦରଦର ବନ୍ଧୁ କିଏ ଏଠି କା’ର ହିସାବଟା ପରା ଖେଳ
ଭେଟ ହେଲେ ପୁଣି ଆଖି ପଚାରନ୍ତା, ମନେଅଛି ନାହିଁ ମେଳ !
ଜୀଇବାଟା କେବେ ଅଭିଶାପ ହେଲେ ଦଗ୍ଧ ହୁଏ ଫୁଲବନ
ଚଇତାଳି ଛୁଆଁ ବଇଶାଖ ବାଆ ମୁଗ୍ଧ ନୁହେଁ ଆନମାନ ।
ସା.-ରଣପୁର (ଗୋଡ଼ିପାଟଣା ସାହି), ଡାକ- ରାଜ ରଣପୁର, ୭୫୨୦୨୬, ଦୂରଭାଷ-୯୩୪୮୦୫୪୩୦୦
ଲେଖକ ପରିଚୟ
ଗୀତି କବିତାରେ ଆଧୁନିକ ବିଷୟ ବସ୍ତୁକୁ ସହଜ ସାବଲୀଳ ଢଙ୍ଗରେ ଉପସ୍ଥାପିତ କରିବାରେ ଗଭୀର ବିଶ୍ଵାସୀ । ଲୋକଗୀତ ଢାଞ୍ଚାରେ ଗୀତ ଲେଖି ପୁନଶ୍ଚ ଲୋକଗୀତର ପ୍ରକାଶ ଧାରାକୁ ଉଜ୍ଜୀବିତ କରିବାରେ ସତତ ଚେଷ୍ଟିତ । ଶିଶୁ ସାହିତ୍ୟରେ ମଧ୍ୟ ଜଣେ ସଫଳ ଲେଖକ । ଓଡ଼ିଆ ବର୍ଣ୍ଣବୋଧକୁ ଯଥୋଚିତ ସମ୍ମାନ ଦେବାରେ ଅଙ୍ଗୀକାର ବଦ୍ଧ !