ବିଶିଷ୍ଟ ସାହିତ୍ୟିକ ଇନ୍ଦୁଭୂଷଣ କରଙ୍କ ପରଲୋକ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ତଥା ଓଡ଼ିଶା ସାହିତ୍ୟ ଏକାଡ଼େମୀର ପୂର୍ବତନ ସଚିବ ଇନ୍ଦୁଭୂଷଣ କରଙ୍କର ଆଜି ଅପରାହ୍ନ ୨ ଟାରେ ଭୁବନେଶ୍ୱର ସ୍ଥିତ ବିବେକାନନ୍ଦ ହସ୍ପିଟାଲରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ଏହି ଖବର ପ୍ରଚାରିତ ହେବାପରେ ଓଡ଼ିଆ ସାହିତ୍ୟ ଜଗତରେ ଗଭୀର ଶୋକ ପ୍ରକାଶ ପାଇଛି । ଏହାସହିତ ତାଙ୍କ ଜନ୍ମମାଟି ବାଲେଶ୍ଵରରେ ମଧ୍ୟ ଶୋକର ଛାୟା ଖେଳି ଯାଇଛି । ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ମଧ୍ୟ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

ଇନ୍ଦୁଭୂଷଣ ୧୯୩୫ ମସିହା ମାର୍ଚ୍ଚ ୧୨ ତାରିଖରେ ବାଲେଶ୍ଵର ଜିଲ୍ଲା ସ୍ଥିତ ଭୋଗରାଇ ବ୍ଲକର ଚଣ୍ଡୀପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଥିଲେ ପ୍ରଖ୍ୟାତ ଲେଖକ ସ୍ଵର୍ଗତ ମନୋଜ ଦାସଙ୍କ ବାଲ୍ୟବନ୍ଧୁ । ୧୯୫୭ ରେ ଫକୀରମୋହନ କଲେଜରେ ବିଏ ପଢୁଥିବାବେଳେ ସେ ଛାତ୍ର ସଂସଦର ସଭାପତି ନିର୍ବାଚିତ ହୋଇଥିଲେ । ୧୯୫୯ ମସିହାରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତର ଡିଗ୍ରୀ ହାସଲ କରିବା ପରେ ୧୯୬୦ ରେ ସେ ଓଡ଼ିଶା ପ୍ରଶାସନିକ ସେବାରେ ଜଣେ ଅଧିକାରୀ ଭାବେ ନିଜ କର୍ମମୟ ଜୀବନ ଆରମ୍ଭ କରିଥିଲେ । ଛାତ୍ର ଜୀବନରୁ ସାହିତ୍ୟ ରଚନାରେ ବ୍ରତୀ ଥିବା ଶ୍ରୀ କରଙ୍କର ପ୍ରଥମ କବିତା ସଂକଳନ “ନିସଙ୍ଗ ଆକାଶ” ୧୯୭୬ ରେ ପ୍ରକାଶ ପାଇଥିଲା । ଏହାବ୍ୟତୀତ ସେ ‘ସାହିତ୍ୟ’, ‘ସମାଜ ଓ ସଂସ୍କୃତି’, ‘ଆଶାର ଆଲୋକ’, ‘ଶବ୍ଦର ଆକାଶ’, ‘ଯାଇପାରେ କାହିଁକି ଯିବି ?’ ଓ ‘ଉଲଙ୍ଗରାଜା’ ଆଦି ଉଲ୍ଲେଖନୀୟ ପୁସ୍ତକ ରଚନା କରିଥିଲେ । ବିଭିନ୍ନ ପଦପଦବୀରେ ଦକ୍ଷତାର ସହ କାର୍ଯ୍ୟ କରିଥିବା ଶ୍ରୀ କର ସାହିତ୍ୟ ଏକାଡ଼େମୀର ସଚିବ ଭାବେ ୧୯୯୦ ରୁ ୧୯୯୪ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରି ନିଜର ସାରସ୍ଵତ ପରାକାଷ୍ଠା ଓ ପ୍ରଶାସନିକ ଦକ୍ଷତାର ପରିଚୟ ଦେଇଥିଲେ । ଅନେକ ପ୍ରବନ୍ଧ, କବିତା ଓ ନାଟକ ରଚନା ସହିତ ଜଣେ ସୁଦକ୍ଷ ଓ କୁଶଳୀ ଅନୁବାଦକ ଓ ବିଭିନ୍ନ ପତ୍ରପତ୍ରିକାର ସଂପାଦକ ଭାବେ ତାଙ୍କର ସ୍ଵତନ୍ତ୍ର ପରିଚୟ ରହିଥିଲା । ବାଲେଶ୍ଵରର ସୌଖୀନ ନାଟ୍ୟ ସଂସ୍ଥା “ସ୍ରଷ୍ଟା”ର ସେ ଥିଲେ ପ୍ରତିଷ୍ଠାତା ଓ ପରାମର୍ଶଦାତା । ଏସବୁର ଉର୍ଦ୍ଧ୍ଵରେ ନିଜର ଅମାୟିକ ବ୍ୟବହାର ଓ ଲୋକସମ୍ପର୍କ ପାଇଁ ସେ ସମସ୍ତଙ୍କର ଶ୍ରଦ୍ଧାଭାଜନ ହୋଇଥିଲେ ।

ତାଙ୍କ ବିୟୋଗରେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଭାପତି ହୃଷୀକେଶ ମଲ୍ଲିକ, ଉପସଭାପତି ସଂଗ୍ରାମ ଜେନା, ସଚିବ ପ୍ରବୋଧ ରାଉତ, ବିଶିଷ୍ଟ କଥାକାର ଗୌରହରି ଦାସ, “ପୌରଷ”ର ସମ୍ପାଦକ ଅସିତ ମହାନ୍ତି ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି ।

Related Posts

Leave a Reply

Your email address will not be published. Required fields are marked *