ଅନୁପ କୁମାର ଦଳବେହେରା

ଧବଳ ରୂପସୀ କବିର ପ୍ରେୟସୀ
ଆକାଶ ମଥାର ଟୀକା
ଅନୁପ୍ ଛାତିର ପ୍ରଣୟ ସନ୍ତକ
ନୀରବ ପଣର ଲେଖା ।

ଅନ୍ଧାର ରାତିରେ, ଆଲୋକ ଦେହରେ
ଜିଇବାକୁ ଦିଅ ରାହା
ଦେବଦାସ ମୁଁ ସୁରା ପାନ କରେ
ସଜାଇ ତୁମକୁ ପ୍ରିୟା,
ପଥପରେ ମୋର ପାଦ ଟଳମଳ
ଚାଲୁଥାଏ ଏକା ଏକା ।

ଉପରକୁ ଚାହିଁ କେତେ‌ ଗାଳି ଦିଏ
ନୀରବେ ଯାଉଛ ସହି
ପ୍ରତାରିକା ବୋଲି ଯେତେ ମୁଁ କହିଲି
ମୋ ପିଛା ଛାଡୁନ କାହିଁ,
ଟିକେ କଟୁ କଥା ପ୍ରିୟା ସହିଲାନି
ପ୍ରେମ ପଡ଼ିଗଲା ଫିକା ।

ଶୀତଳ ପରଶ ଯେତେ ଢାଳୁଥାଅ
ଲିଭାଇବାକୁ ମୋ ଜ୍ୱାଳା
ସେତିକି ଇନ୍ଧନ ମିଳେ ବେଦନାକୁ
ପୋଡ଼ିବାକୁ ହୃଦ କୀଳା,
ହସି ପିଉଥାଏ ପାଖେ ହସୁଥାଏ
ସଜେଇ ଜହ୍ନକୁ ପ୍ରେମିକା
ଧବଳ ରୂପସୀ କବିର ପ୍ରେୟସୀ
ଆକାଶ ମଥାର ଟୀକା ।

         ଅନୁପ କୁମାର ଦଳବେହେରା, ଦେଉଳବସ୍ତ ,ଜଟଣୀ, ଦୂରଭାଷ : ୭୦୦୮୨୭୮୩୮୭

ଲେଖକ ପରିଚୟ

ସ୍କୁଲରେ ପାଠ ପଢିଲାବେଳୁ ହିଁ ମୋତେ ଲେଖିବାର ଉତ୍ସାହ ମିଳିଥିଲା । ମୁଁ ମୋ ମାମୁଁଙ୍କ ଲେଖାରୁ ଅନୁପ୍ରାଣିତ ହୋଇଥିଲି ଓ ଲେଖିବା ଆରମ୍ଭ କରିଥିଲି । ହିନ୍ଦୀ ଶାୟରୀରୁ ଆରମ୍ଭ କରି କ୍ରମେ ଓଡ଼ିଆ ସାହିତ୍ୟ ଆଡ଼କୁ ମୁହାଁଇଲି । ସଂଚାର ଖବରକାଗଜରେ ଦୁଇଥର ମୋ କବିତା ପ୍ରକାଶିତ ହେଲାପରେ ଲେଖିବାକୁ ଆହୁରି ମନ ବଳିଲା । ତେବେ ମୁଁ ଜଣେ ପାଠକ ହେବାକୁ ଇଛୁକ ଥାଏ ।

Related Posts

Leave a Reply

Your email address will not be published. Required fields are marked *