ସେ ଦିନର ସକାଳ ଆଉ ସଞ୍ଜ

ଡ. ଅମୀୟ ମହାପାତ୍ର

ସିନ୍ଦୂରା ଫାଟିଲା
ପୂରୁବ ଆକାଶେ ସୂରୁଯ ଉଠିଲା
ପକ୍ଷୀ କଳରବ ସକାଳ ସନ୍ଦେଶ ଦେଇଗଲା ।

ସକାଳ ଶୀତଳ ସୁଲୁସୁଲୁ ବାଆ
ଦେହ ଉଲୁସାଇ ଦିଏ,
ସୁନ୍ଦର ଶ୍ୟାମଳ ପ୍ରକୃତି ସୁଷମା
ଜନ ମନ ମୋହି ନିଏ ।

ସାରା ଆକାଶରେ ଧଳା ବାଦଲର
ପତଳା ଚାଦର ଧୀରେଧୀରେ ଭରିଗଲା,
କେତେ ରଙ୍ଗରେ ରଙ୍ଗିମା ଆକାଶ
ଉଡ଼ି ବୁଲୁଛନ୍ତି କାକ କୁମ୍ଭାଟୁଆ
କଜଳପାତି, ହଳଦୀ ବସନ୍ତ
ପକ୍ଷୀଙ୍କ କୁଜନ ସଙ୍ଗୀତ ସୁରେ ଭରି ଦେଲା ।

ସକାଳର ଏଇ ଅପୂର୍ବ ମୁହୂର୍ତ୍ତ
ଦିବ୍ୟ ଚେତନର ସ୍ନିଗ୍ଧ ଅନୁଭବ,
ପକ୍ଷୀମାନଙ୍କର କାକ୍କଳୀ କୂଜନ
କି ଚମତ୍କାର ଆହାଃ ! କି ଅପରୂପ
ମନଲୋଭା ଏଇ ପ୍ରଭାତୀ ଲାବଣ୍ୟ ।

ଦିନ ଅବଶେଷେ
ଦିନମଣି ହସେ ପଶ୍ଚିମ ଆକାଶେ
ମାଗଇ ମେଲାଣି ଯିବାକୁ ବାସେ,
ଗାଁ ମନ୍ଦିରର ଘଣ୍ଟଘଣ୍ଟା ଧ୍ୱନି
ହରି ନିଏ ମନ ଅବସାଦ,
ଦୂରୁ ଭାସି ଆସେ ଗୁରୁ ଗମ୍ଭୀର
ଐଶ୍ୱରୀୟ ଶଙ୍ଖ ନାଦ ।

କେତେବେଳେ ପୁଣି, ଗାଁ ଦାଣ୍ଡରେ
ଗୋଧୂଳିର ଧୂଳି ଉଡ଼େଇ ଉଡ଼େଇ
ଘର ଲେଉଟାଣି ଗୋରୁ ପଲଙ୍କର
ଶୁଭେ ହମ୍ବା ରଡ଼ି ତାଳ ଦେଇ ।

ଗାଈଆଳ ପିଲା ବେସୂରା ବଂଶୀର ,
ମୃଦୁ ସ୍ୱନ ଆସେ ଛୁଟି
ଦୂର ପାହାଡ଼ ଫାଙ୍କରେ ବୁଡ଼ିଯାଏ ସୂର୍ଯ୍ୟ
ଲାଗେ, ସତେ କେଉଁ ଯଶୋଦା ମାଆର
ଅଝଟିଆ କାହ୍ନା ବଇଁଶୀ ବଜେଇ
ମାଆର କୋଳକୁ ଆସୁଛି ଦଉଡ଼ି ଦଉଡି ।

ସରାଗରେ, ମା’ ଚାହିଁଛି ଯେମିତି
ପୁଅର ଆସିବା ବାଟକୁ,
କୋଳେ ଭରିନେଇ କୁଣ୍ଢଇ ଧରି
ସେନେହ ଚୁମାରେ ଭରି ଦେଇଗଲା
କଅଁଳ ପୁଚୁକା ଗାଲକୁ ।

ସଂସାରେ ଦୁର୍ଲଭ ମାଆର ମମତା
କିଛି ନାହିଁ ତାର ସମ
ଜଗତେ ଶାଶ୍ୱତ ମା’ର ବାତ୍ସଲ୍ୟ ପ୍ରେମ ।

ଗ୍ରାମ – ରାସୋଳ, ଜିଲ୍ଲା – ଢେଙ୍କାନାଳ, ପିନ – ୭୫୯୦୨୧

ଲେଖକ ପରିଚୟ

ପିଲା ଦିନରୁ କିଛି ନୂଆ ଲେଖିବାର ସଉକ୍ ଥିଲା, କିନ୍ତୁ କାର୍ଯ୍ୟ ବ୍ୟସ୍ଥତା ଭିତରେ ଲେଖାଲେଖି ପ୍ରତି ଧ୍ୟାନ ଦେଇ ପାରିନଥିଲି । ଏବେ ଅବସର ନେବା ପରେ ଦ୍ୱିତୀୟ ବାର କିଛି ଲେଖିବାର ପ୍ରୟାସ କରିଛି । ଆଶା କରୁଛି ଓଡ଼ିଶା ସାହିତ୍ୟ ପୋର୍ଟାଲର ପାଠକମାନଙ୍କୁ କବିତାଟି ଭଲ ଲାଗିବ ।

Related Posts

Leave a Reply

Your email address will not be published. Required fields are marked *