ଭୁବନେଶ୍ଵର : ଭାଷା ଓ ଭାବକୁ ନେଇ ଯେଉଁ ଖେଳ ଖେଳା ଯାଏ ସେ ହେଉଛି ସାହିତ୍ୟ । ତେଣୁ ଭାଷା ଓ ଭାବ ଏକାଠି ରହିଲେ ସାହିତ୍ୟ ଦୀର୍ଘାୟୁ ହେବ । ପ୍ରତି ଘରେ ଯଦି ସାହିତ୍ୟ ଘର ହୋଇଯିବ ତେବେ ଭାଷା ସାହିତ୍ୟକୁ କେହି ମାରି ପାରିବେ ନାହିଁ । ଏଥିପାଇଁ ଘରେଘରେ ଏକ ସାହିତ୍ୟ ଘରର ଆବଶ୍ୟକତା ନାହିଁ । ଏହି ସାହିତ୍ୟ ଘର ଏବେ ସମସ୍ତଙ୍କ ପକେଟରେ ଅଛି । ମୋବାଇଲ ଫୋନକୁ ସାହିତ୍ୟ ସେବାରେ ଲଗାଇବା । ନୂଆ ପିଢି ଓଡ଼ିଆ ପଢୁନାହାନ୍ତି, ବହି ପଢିବାକୁ କାହାର ଆଗ୍ରହ ରହୁ ନଥିବା କଥା ଏବେ ସମସ୍ତଙ୍କୁ ଆନ୍ଦୋଳିତ କରୁଛି । ହେଲେ ଏହି ଛାପା ପ୍ରକ୍ରିୟା ମାତ୍ର ୨୦୦ ବର୍ଷର । ତେଣୁ ୨୦୦ ବର୍ଷ ପୂର୍ବରୁ ସାହିତ୍ୟ ଯେମିତି ବଞ୍ଚିଥିଲା ସେମିତି ବଞ୍ଚିବ । ଭଦ୍ରକ ପାର୍ବତୀ ଗୋବିନ୍ଦ ସାହିତ୍ୟ ସଂସଦ ଓ ବ୍ୟାସନଗର ଆମ ସାହିତ୍ୟ ପରିବାର ପକ୍ଷରୁ ଜୟଦେବ ଭବନଠାରେ ଆୟୋଜିତ ସାହିତ୍ୟ ମହାକୁମ୍ଭ – ୨୦୨୫ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି କହିଛନ୍ତି ‘ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡ଼’ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ ।
ଉକ୍ତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ଅବସରରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ ସାହିତ୍ୟ ପାଇଁ ସମସ୍ତେ ଏକାଠି ହେଲେ ଓଡ଼ିଆ ଭାଷା ସାହିତ୍ୟ ଆହୁରି ରୁଦ୍ଧିମନ୍ତ ହେବ ବୋଲି କହିଥିଲେ । ମୁଖ୍ୟବକ୍ତା ଅଧ୍ୟାପକ ବିଶ୍ଵରଞ୍ଜନ କହିଥିଲେ, ପରିବାରରେ ପରସ୍ପର ଭିତରେ ସ୍ନେହ, ପ୍ରେମ, ପ୍ରୀତିର ପରିବେଶ ଆଣିଥାଏ ସାହିତ୍ୟ । ଏଣୁ ସମସ୍ତେ ନିଜ ଘରେ ଗୋଟିଏ ସାହିତ୍ୟ ଘର ତିଆରି କରନ୍ତୁ ।
ପାର୍ବତୀ ଗୋବିନ୍ଦ ସାହିତ୍ୟ ସଂସଦ ପ୍ରତିଷ୍ଠାତା ଶଶଧର ପଣ୍ଡାଙ୍କ ସଭାପତିତ୍ଵରେ ସମ୍ପାଦକ ଶରତ କୁମାର ଶତପଥୀ ସମ୍ପାଦକୀୟ ଅଭିଭାଷଣ ରଖିଥିଲେ । ଅନୁଷ୍ଠାନର ମୁଖପାତ୍ର ‘ପ୍ରୀତିଲଗ୍ନା’, ସରୋଜ ଶତପଥୀଙ୍କ ଅନୁବାଦକ ‘ବ୍ୟଙ୍ଗସଂଗ୍ରହ’, ରମେଶ ଚନ୍ଦ୍ର ପସାୟତଙ୍କ ‘ଈପ୍ସିତ ସକାଳ’, ସଞ୍ଜୁଲତା ନାୟକଙ୍କ ‘ଭାବାର୍ପଣ’, ସୁଜିତ କୁମାର ମିଶ୍ରଙ୍କ ‘ଅନ୍ତର ଆଳାପ’ ପୁସ୍ତକ ଲୋକାର୍ପିତ ହୋଇଥିଲା । ଓଡ଼ିଶାର ୧୦ଟି ସାହିତ୍ୟ ଅନୁଷ୍ଠାନକୁ ‘ଉତ୍କର୍ଷ ସମ୍ମାନ’ ପ୍ରଦାନ କରାଯାଇଥିଲା । ଆରମ୍ଭରେ କବିତା ପାଠ ଉତ୍ସବ ଓ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ‘ସାହିତ୍ୟ ଅନୁଷ୍ଠାନ ପୃଷ୍ଠାଭୂମିରେ ଲେଖକୀୟ ସ୍ୱୀକୃତି’ ଶୀର୍ଷକ ଆଲୋଚନାରେ ଅକ୍ଷୟ କୁମାର ଦାସ, କେଶବ ଚନ୍ଦ୍ର ରାଉତ, ଅଲେଖ ପ୍ରସାଦ ମହାରଣା ଯୋଗ ଦେଇଥିଲେ । କବିତା ଆସରକୁ ସନ୍ଧ୍ୟାରାଣୀ ଘଡ଼ାଇ, ଜୟନ୍ତୀ ଜେନା, ସୁସ୍ମିତା ମହାପାତ୍ର, ସୁମିତ୍ରା ମିଶ୍ର ପରିଚାଳନା କରିଥିଲେ ।