ସୁବଳ ମହାପାତ୍ର
ସତ୍ୟବ୍ରତ ଦାସ ଓରଫ ସତ୍ୟ ବାବୁ, ବୟସ ୬୮ ବର୍ଷ । କୋରାପୁଟର କୌଣସି ଏକ ଅନାମଧନ୍ୟ ମୁଣ୍ଡା ପଲ୍ଲୀରେ ନିଜର ହାତ ତିଆରି କୁଡ଼ିଆରେ ଅବସ୍ଥିତ । କୁଡ଼ିଆ ସାମ୍ନାରେ ନିଜର ହାତ ତିଆରି ବଗିଚା । ବଗିଚାରେ ବିଭିନ୍ନ ରଙ୍ଗର ଫୁଲ । ବଗିଚା ବିଶେଷ କରି ଟଗର ଫୁଲରେ ଭର୍ତ୍ତି । ଟଗର ଫୁଲ ପ୍ରତି ସତ୍ୟ ବାବୁଙ୍କର ବିଶେଷ ଆକର୍ଷଣ । ଆଗରୁ ନଥିଲା କିନ୍ତୁ ସ୍ତ୍ରୀଙ୍କ ମୃତ୍ୟୁ ପରେ ଆକର୍ଷଣ ବଢିଯାଇଛି । ସେଥିପାଇଁ ତ ଭୁବନେଶ୍ୱରର ଚାକଚକ୍ୟ ଭରା ଦୁନିଆଁ ଛାଡ଼ି ସେ ପଳେଇ ଆସିଛନ୍ତି ଏ ମୁଣ୍ଡାପଲ୍ଲୀକୁ, ଯେଉଁଠି ନଙ୍ଗଳା ପିଲା, ନଙ୍ଗଳା ମାଇକିନା, ନଙ୍ଗଳା ଲୋକ ଆଉ କଅଣ ଖାଇବିର ହାହାକାର । ଯେଉଁଠି ନା ଅଛି ଡାକ୍ତରଖାନା, ନା ବସ ଆଉ କାରର ସୁବିଧା ! ଯୁଆଡ଼େ ଯା ପାଦରେ ଚାଲିଚାଲି । ସବୁ ଆଡ଼େ ଜଙ୍ଗଲ ଆଉ ପାହାଡଡ଼ । ପିଇବାକୁ ଝରଣା ପାଣି । ଖାଇବାକୁ କେବେ ଭାତ ମିଳେ ତ କେବେ ଆମ୍ବ ଟାକୁଆ ଜାଉ । ହାଣ୍ଡିଆ ପିଇବାରେ ସେ ଏବେ ଅଭ୍ୟସ୍ତ ହେଇଗଲେଣି । ଆଗରୁ ଭଲ ଲାଗୁନଥିଲା । କାହିଁ ବିଦେଶୀ ପାନୀୟ ଆଉ କାହିଁ ହାଣ୍ଡିଆ ।
କିଛି ମୁଣ୍ଡା, ବାବୁ ବୋଲି ମାନନ୍ତି, କେବେ କେବେ ଜଙ୍ଗଲୀ ମାଉଁସ ଭାଗ୍ୟରେ ଜୁଟେ । କୁଟୁରା ଅବା ବାରହା । ସତ୍ୟବାବୁ ବି ସବୁବେଳେ ମୁଣ୍ଡାମାନଙ୍କୁ ସାହାଯ୍ୟ କରନ୍ତି । କେବେ କାହା ଦେହ ଖରାପ ତ କେବେ ମ୍ୟାଲେରିଆ, ଔଷଧ ସବୁବେଳେ ପାଖରେ ଥାଏ । ଯମୁନା ବୋଲି ଝିଅଟିଏ ଆସି କଣ ଦି’ଟା ଫୁଟେଇ ଦେଇ କି ଯାଏ । ଖାଇବାକୁ ତ ଏକୁଟିଆ ମଣିଷ । ବେଳେବେଳେ ଯମୁନା, ସତ୍ୟବାବୁଙ୍କ ଘରେ ଖାଇ କି ଯାଏ ଆଉ ତା ଘର ଲୋକଙ୍କ ପାଇଁ ନେଇ କି ବି ଯାଏ । ସପ୍ତାହରେ ଥରେ ହାଟ । ହାଟ ୧୫ କି.ମି. ଦୂର । ଯମୁନାର ବାପା ପଇସା ନେଇ ହାଟ କରିଦିଏ । କେବେକେବେ ସତ୍ୟବାବୁ ନିଜେ ଯାନ୍ତି । ଭଲମନ୍ଦ ଦେଖିକି ଗାଁ ଲୋକଙ୍କ ପାଇଁ ଆଉ ଯମୁନା ପାଇଁ କିଛିକିଛି ଚିଜ ନେଇ କି ଆସନ୍ତି । ଯମୁନାକୁ ଦେଖିଲେ ସ୍ତ୍ରୀ କଥା ମନେପଡ଼େ ସତ୍ୟ ବାବୁଙ୍କର । ନାଁ ସୁଶୀଳା । ଭାରି ଗୁଣର କିନ୍ତୁ ସତ୍ୟବାବୁଙ୍କୁ ଗୁଣ ଚିହ୍ନିବାକୁ ଲାଗିଗଲା ୪୦ ବର୍ଷ । ଗୁଣ ଚିହ୍ନିଲାବେଳକୁ ସୁଶୀଳା ଆଉ ଇହଧାମରେ ନାହାନ୍ତି ।
ଦିନ ଥିଲା, ସତ୍ୟବାବୁ ଥିଲେ ଓଡ଼ିଶାର ନାମକରା ଇଞ୍ଜିନିଅର । ପଇସା ଯାହାକୁ ଯେତେ । ଖାଇପିଇ ଫିଙ୍ଗିଲେ ବି ସରିବନି । ମଦ, ମାଂସ, ନାରୀ ଥିଲା ତାଙ୍କ ଜୀବନ । ୨୩ ବର୍ଷରେ ସେ ଚାକିରି କଲେ, ୨୪ ରେ ବାହାଘର । ବାହା ହେଇ ନୂଆନୂଆ ଘରକୁ ଆସିଥାନ୍ତି ସୁଶୀଳା । ସମସ୍ତଙ୍କୁ ନିଜର କରିବାର କଳା ତାଙ୍କୁ ଜଣା ଥିଲା । ଶାଶୂ, ଶଶୁର, ଦିଅର, ନଣନ୍ଦ ସମସ୍ତେ ନିଜର । ସେମାନେ ବି ସୁଶୀଳାକୁ ଦଣ୍ଡେ ନଦେଖିଲେ ରହି ପାରନ୍ତିନି । ସୁଶୀଳା କିନ୍ତୁ ନିଜ ସ୍ୱାମୀକୁ ନିଜର କରି ପାରିଲେନି । ସତ୍ୟବାବୁ ତାଙ୍କ ଗାଁରେ ଏକ ମାତ୍ର ଇଞ୍ଜିନିଅର ହିସାବରେ ତାଙ୍କର ଗର୍ବ ଯେ କାହିଁରେ କଣ । ସିଭିଲ ଇଞ୍ଜିନିଅର ସେ । ମାସକୁ ଟଙ୍କା ୫୦୦୦୦ ରୋଜଗାର ତାଙ୍କର । ସେତେବେଳେ ଟଙ୍କା ୧୦୦୦ରେ ପୁରା ପରିବାର ମାସେ ଚଳୁଥିଲେ । ସେ କଣ କାହା ବୋପାକୁ ଡରିଛନ୍ତି !
ମାସକୁ ୨୫ ଦିନ ବାହାରେ କଟେ । ଆଜି ସାଇଟ ଭିଜିଟ ତ କାଲି ଅଫିସ ମିଟିଂ । ସାଇଟ ଭିଜିଟରେ ଉପୁରି ଭଲ ମିଳେ । କେବେ ପଇସା ତ କେବେ ଦାମୀ ଇଂରାଜୀ ମଦ ବୋତଲ । କେବେକେବେ ହୋଟେଲରେ ନାରୀ ଶଯ୍ୟାସଙ୍ଗିନୀ । ସେ ଏମିତି କେତେ ଯେ ଝିଅଙ୍କ ସହ ରାତି ବିତେଇଛନ୍ତି ତାର ହିସାବ ନାହିଁ । ସୁଶୀଳା କିନ୍ତୁ ଗାଁରେ ଥାଆନ୍ତି । ଗାଁରେ ତାଙ୍କ ଘର । +୨ ଯାଏ ପାଠ ପଢିଛନ୍ତି । କିନ୍ତୁ ମଫୁ ବୋଲି ସତ୍ୟବାବୁ ତାଙ୍କୁ କେବେ ବାହାରକୁ ନିଅନ୍ତିନି ।
ଏମିତି ଏମିତିରେ କଟି ଯାଏ ଜୀବନ । ସୁଶୀଳା କେବେ କିନ୍ତୁ ଅଭିଯୋଗ କରି ନାହାନ୍ତି । ୪୦ ବର୍ଷ ବୟସରେ ଥରେମାତ୍ର କହିଥିଲେ ଏବେ ଏସବୁ ଛାଡ଼ । ପୁଅ ୨ ଜଣ ବଡ଼ ହେଲେଣି । କଣ ଭାବିବେ ସେମାନେ । କିନ୍ତୁ ଠୋ ଠୋ ହସରେ ଉଡ଼େଇ ଦେଇଥିଲେ ସେ । ଇଞ୍ଜିନିଅର ସତ୍ୟବ୍ରତ ଦାସର ପୁଅ ଏମାନେ । ଏସବୁ ଏବେଠୁ ଶିଖିବେନି ତ ବଡ଼ ହେଲେ କଣ ଅଫିସର ଆଗରେ କୋଲଡ ଡ୍ରିଂକ୍ସ ଧରି କି ପାର୍ଟିରେ ବୁଲିବେ ? ଏବେଠୁ ସବୁ ଶିଖିବା ଦରକାର । ମୋ ପୁଅ ସେମାନେ । ପରେ ଥରେ ଅଧେ ସେ ବି ଭାବିଛନ୍ତି ଏକଥା କିନ୍ତୁ ପରେ ପୁଣି ଯଉ କଥାକୁ ସେଇ କଥା । ଚାଳିଶି ପରା ଯୌବନର କାଳେସି । ଏତେଦିନର ଅଭ୍ୟାସ କଣ ଏମିତି ଛାଡ଼ି ଯିବ !
ସେ ଗୋଲାପ ଫୁଲକୁ ସବୁବେଳେ ଭଲପାନ୍ତି । ଗୋଲାପ ହେଲା ଗୋଟେ ଫୁଲ ଯାହାର ବାସନା ଅଛି । ସେ ବାସନା ସମସ୍ତଙ୍କୁ ଆତ୍ମବିଭୋର କରିଦିଏ । ଗୋଲାପ ପାଖକୁ ଭଅଁର ବେଶି ଯାନ୍ତି । ପ୍ରେମିକ ପ୍ରେମିକାଙ୍କର ତ ଜୀବନ ଗୋଲାପ ! ଗୋଲାପ ହେଲା ପ୍ରେମର ପ୍ରତୀକ । ସେଥିରେ ପୁଣି ଲାଲ ଗୋଲାପ ତାଙ୍କର ଭାରି ପସନ୍ଦ । ସୁଶୀଳା କିନ୍ତୁ ଭଲପାନ୍ତି ଟଗର ଫୁଲକୁ । ହେଃ ! ଟଗର ଗୋଟେ ଫୁଲରେ ଗଣା ? ନା ରଙ୍ଗ ଅଛି ନା ଅଛି ମାଦକତା ! ନା ବାସ୍ନା ଅଛି ନା ଅଛି ପ୍ରେମର ଗଭୀରତା ! କେତେ ନିରଠା ଲୋକ ଗୋଟେ ସୁଶୀଳା ! ପ୍ରେମ ଜଣା ନାହିଁ । ଯେତେବେଳେ ଦେଖ ଖାଲି କାମ ଆଉ କାମ । ସେଥିପାଇଁ ତ ଘରକୁ ଯିବାକୁ ଇଚ୍ଛା ହୁଏନି । ସବୁକାମ ସାରି ବେଡ଼ ରୁମକୁ ଆସିଲାବେଳକୁ ରାତି ୧୨ । ସେତେବେଳକୁ ତ ଗାଁରେ ଛୁଆମାନେ ଆଉଥରେ ଉଠନ୍ତି ଖାଇବା ପାଇଁ । ପୁଣି ରାତି ୪ଟାରୁ ସୁଶୀଳା ଉଠିକି ଯିବ ଗାଧେଇବା ପାଇଁ । କୁଳବଧୂମାନେ କୁଆଡ଼େ ସୂର୍ୟୋଦୟ ପୂର୍ବରୁ ମାଛି ଅନ୍ଧାରରୁ ପୋଖରୀରେ ଗାଧେଇ କି ଆସିବେ । କିଏ ଏତେ ସବୁ ମାନୁଛି ଆଜିକାଲି । ସ୍ୱାମୀକୁ ଦେବାପାଇଁ ଯଦି ଟିକେ ସମୟ ନାହିଁ ସ୍ତ୍ରୀ ପାଖରେ, ତେବେ ଘରକୁ ଆସିବା ହିଁ ବେକାର । ୟା’ଠୁ ତ ସେଇ ହୋଟେଲରେ କଲ ଗାର୍ଲ ମାନେ ଭଲ । କମ ସେ କମ ଆଠ ଘଣ୍ଟା ତ ତମ ପାଖରେ ରହିବେ । ଚାହିଁଲେ ପୁରାଦିନ ଆଉ ରାତି ବି ରହିବେ । ଖାଲି ପଇସା ଟିକେ ଅଧିକା ।
ଥରେ କହୁକହୁ ସେ ସୁଶୀଳାଙ୍କୁ କହିଦେଲେ, ତମ ପରିକା ନିରଠା ଲୋକ ମୁଁ କେଉଁଠି ବି ଦେଖିନି । ସବୁବେଳେ ଖାଲି କାମ । ସେଥିରେ ପୁଣି ଭଲପାନ୍ତି ଟଗର ଫୁଲକୁ । ଛିଃ, କି ବାଜେ ଚୟେସ ତମର ! ସେଦିନ ସୁଶୀଳା କହିଥିଲେ, “ଗୋଲାପକୁ ଦେଖିଲେ ସିନା ପ୍ରେମିକା କଥା ମନେପଡ଼େ, କିନ୍ତୁ ସେସବୁ କ୍ଷଣସ୍ଥାଇ । ଟଗର ଫୁଲକୁ ଦେଖିଲେ ମନେପଡ଼େ ଭଗବାନଙ୍କ କଥା । ତାଙ୍କ ପାଦତଳେ ମୋ ମନ ସବୁବେଳେ ଥାଉ । ଆଉ ଭୁଲିଯାଅନି ଯେ ମୋ ଭଗବାନ ହେଲ ତୁମେ । ତୁମ ପାଦ ତଳେ ମୋ ମନ ସବୁବେଳେ ଥାଉ । ତୁମ ବାପାମା ଯିଏ ତୁମକୁ ଜନ୍ମ ଦେଇଛନ୍ତି ସେମାନଙ୍କ ସେବା ମୁଁ କରୁଥାଏ । ତୁମେ ଯଉଠି ବି ଥାଅ ଭଲରେ ଥାଅ ।”
ବାପାମାଙ୍କ ସେବାରେ ସୁଶୀଳା କେବେ ଅବହେଳା କରିନାହାନ୍ତି । ସତ୍ୟବାବୁ ତ ଜାଣି ବି ନାହାନ୍ତି ବାପାମାଙ୍କ ସେବା କଣ । ଥରେ ଏଇ ଗାଁରେ ଗୋଟେ ୧୧ କେ.ଭି. ବିଦ୍ୟୁତ ଲାଇନ ଯିବାର ଥିଲା । ଖାଇବା ରହିବାରେ ଅସୁବିଧା ହେଲା ବୋଲି ବାପାମାଙ୍କୁ କହି ସୁଶୀଳାକୁ ଆଣିବାକୁ ଚାହିଁଥିଲେ, କିନ୍ତୁ ସୁଶୀଳା ଆସିବାକୁ ମନା କଲେ । ବାପାମାଙ୍କୁ ଖାଇବା ପିଇବାରେ ଅସୁବିଧା ହେବ ବୋଲି । ସେବେଠୁ ସେ ସୁଶୀଳାଙ୍କୁ କେବେ ବି ନେଇନାହାନ୍ତି କୁଆଡ଼େ । ଏବେ ୬୮ ବର୍ଷ ବୟସରେ ସେ ବୁଝିପାରୁଛନ୍ତି ବାପାମାଙ୍କର କଣ ଦରକାର ଥିଲା । ଆଉ କଣ ପାଇଁ ସୁଶୀଳା ମନାକଲେ ଆସିବା ପାଇଁ । ଏବେ ସୁଶୀଳା ନାହାନ୍ତି । ପୁଅ ଦି’ଜଣ ତାଙ୍କ ସ୍ତ୍ରୀ, ପିଲାଛୁଆ ଧରି ବାହାରେ । ଜଣେ ଆମେରିକାରେ ତ ଜଣେ ଲଣ୍ଡନରେ । ବୋହୂମାନେ ଶଶୁରର ସେବା କରିବାକୁ ମନା କରିଦେଲେ । ସିଧାସିଧା ଶୁଣେଇଦେଲେ, ଯଦି ଆମକୁ ସାଙ୍ଗରେ ନବ ନିଅ ନହେଲେ ଆମେ ବାପଘରେ ରହିବୁ । ଏଠି ବୁଢାର ସେବା କରିବାକୁ ଆମେ ତମକୁ ବାହାହେଇ ନଥିଲୁ । ପିଲାମାନେ ବି ନାଚାର । ସେଥିପାଇଁ ତ ସତ୍ୟବାବୁ ଭୁବନେଶ୍ୱର ଛାଡ଼ି ଏଠିକୁ ଚାଲି ଆସିଲେ ! ଏଇଟା ଦିନେ ଥିଲା ତାଙ୍କର କର୍ମ ଭୂମି । ବର୍ଷେକାଳ ସେ ଏଠି ରହି କି କାମ କରେଇଛନ୍ତି । କିନ୍ତୁ ସେତେବେଳେ ଏ ଜାଗା ଭଲ ଲାଗୁନଥିଲା । ପ୍ରତି ୧୦ ଦିନ ଅନ୍ତରରେ ସେ ଜିପ ନେଇ ସହରକୁ ଯାନ୍ତି ଆଉ ସେଠୁ ପେଟି ପେଟି ମଦ ବୋତଲ ନେଇ କି ଆସନ୍ତି, ଏଠି ମିଳେନି ବୋଲି । ଖାଇବାରେ ଅସୁବିଧା ବୋଲି ଗୋଟେ ରୋଷେଇୟା ବି ସାଙ୍ଗରେ ଥାଏ । ଯୁଆଡ଼େ ଗଲେ କମ୍ପାନୀ ଜିପରେ । ଗୋଡ଼ ତଳେ ଲାଗେନି । ଏବେ ସେସବୁ ଜୀବନ ଛିଃ ଲାଗୁଚି । ଅପର୍ଯ୍ୟାପ୍ତ ପଇସା ଅଛି ତାଙ୍କ ପାଖରେ କିନ୍ତୁ ଆଉ ସେବେଳର ମନ ନାହିଁ ।
ଘୃଣା ଆସିଗଲା ଜୀବନ ପ୍ରତି, ଯେଉଁଦିନ ବଡ଼ ବୋହୂ ତାଙ୍କ ଖାଇବା ଥାଳିରେ ପାଣି ଭର୍ତ୍ତି କରିଦେଲା ପୁଅ ସହ ପାଟି କରି । କଥା ଏତିକି ଥିଲା ଯେ ବଡ଼ପୁଅର କଣ କାମ ଥିଲା ଚେନ୍ନାଇରେ ଆଉ ସେ ବୋହୂକୁ ନନେଇ କି ଏକା ଚାଲିଗଲା । ଫୋନରେ ଯେତେପାରେ ଗାଳି କଲା ପୁଅକୁ ଆଉ ରାଗରେ ଆସି ଖାଇବା ଥାଳିରେ ପାଣି ଢାଳିଦେଲା । ସେଇଦିନ ହିଁ ସେ ନିଷ୍ପତି କଲେ ଘର ବୃଦ୍ଧାଶ୍ରମକୁ ଦାନ କରି କେଉଁ ଗୋଟେ ଜାଗାକୁ ପଳେଇବେ ଯେଉଁଠି ତାଙ୍କୁ କେହି ଚିହ୍ନି ନଥିବେ କି ଜାଣି ନଥିବେ । ଏଠିକୁ ଆସିବାର ବର୍ଷେ ହେଇଗଲା । ସୁଶୀଳା ଯେ ଗୋଟେ ଦେବୀ ଥିଲେ ସେ ଏବେ ବୁଝି ପାରୁଛନ୍ତି । କେବେ ବି ସେ ସମ୍ମାନ କରିନାହାନ୍ତି ତାଙ୍କୁ । ସବୁବେଳେ ମିଛ ଆଉ ଧୋକା । ଆଉକିଛି ବି ଦେଇ ନାହାନ୍ତି ସେ ସୁଶୀଳାଙ୍କୁ । ବାପମାଙ୍କ ସେବା ତାଙ୍କର ଦାୟିତ୍ୱ । ପିଲାଙ୍କ ଦାୟିତ୍ୱ ତାଙ୍କର । ଦିଅର, ନଣନ୍ଦଙ୍କ ଦାୟିତ୍ୱ ତାଙ୍କର । ସତ୍ୟବାବୁ ଖାଲି ପଇସା ପଠେଇ ଦିଅନ୍ତି । ଚାକିରି ସରିବାବେଳକୁ ବାପମା ଆରପାରିରେ । ସୁଶୀଳାଙ୍କୁ ଜରାୟୁ କ୍ୟାନ୍ସର । ଥରେ ଦି’ଥର ଡାକ୍ତର ପାଖକୁ ଯିବାକୁ କହିଥିଲେ ସୁଶୀଳା କିନ୍ତୁ ତାଙ୍କ ଅବହେଳା ଯୋଗୁ ଡାକ୍ତର ପାଖକୁ ଗଲେ ଲାଷ୍ଟ ଷ୍ଟେଜରେ । ଆଉ ୬ ମାସ ପରେ ସୁଶୀଳା ସବୁଦିନ ପାଇଁ ତାଙ୍କୁ ଛାଡ଼ି ଚାଲିଗଲେ । ସେଥିପାଇଁ ନିଜକୁ ଦାୟୀ କରନ୍ତି ସତ୍ୟବାବୁ ।
ସୁଶୀଳାଙ୍କ ସ୍ମୁତିରେ ସେ ତିଆରି କରିଛନ୍ତି ଟଗର ବଗିଚା ଆଉ ଗୋଟେ ଚାଳ ଘର ନିଜ ହାତରେ । ଦରକାର ନାହିଁ ତାଙ୍କର କୋଠା ଘର କି ସେ ପଇସାର ଶେଯ । ଦରକାର ନାହିଁ ସେ ପୁଅବୋହୂ ବା ବୋହୂର ହାତପରଷା । ଏଠି ଶାନ୍ତି ଅଛି, ସ୍ମୁତି ସବୁ ମନେ ପକେଇବାକୁ ସମୟ ଅଛି, ପାହାଡ ଅଛି, ନଦୀ ଝରଣାର କୁଳୁକୁଳୁ ନାଦ ଅଛି, ଅଛି ପ୍ରକୃତିରେ ସୌନ୍ଦର୍ଯ୍ୟ । ଆଉ ଅଛି ଭଲପାଇବା, ମଣିଷପଣିଆ, ଭାଇଚାରା । ଗାଁ ଯେ ଏତେ ସୌନ୍ଦର୍ଯ୍ୟରେ ଭରା ସେ ଜାଣି ନଥିଲେ । ଏଇ ଗାଁକୁ ସେ ଘୃଣା କରୁଥିଲେ ଆଉ ଆଜି ଏଇ ଗାଁକୁ ଭଲପାଇ ବସିଛନ୍ତି । ନାହିଁ ଏଠି ମଣିଷର ମୌଳିକ ସୁବିଧା । ନା ଅଛି ଡାକ୍ତରଖାନା, ନା ଅଛି ଖାଇବାକୁ ଟଙ୍କାକିଆ ଚାଉଳ, ନା ମୁଣ୍ଡ ଗୁଞ୍ଜିବାକୁ ଅଛି କୋଠାବାଡ଼ି । କିନ୍ତୁ ଅଛି ଏଠି ଜୀବନ, ଜୀବନ ଜିଇଁବାର ଶକ୍ତି ଆଉ ସତେଜତା ।
ବଣ୍ଡ୍ ପେପରରେ ତାଙ୍କର ସବୁ ସ୍ଥାବର ଅସ୍ଥାବର ସମ୍ପତି ସେ ଯମୁନା ନାଁରେ କରି ଦେଇଛନ୍ତି । ପେପରରେ ଦସ୍ତଖତ କରୁକରୁ କେତେବେଳେ ଯେ ସେ ଶୋଇ ପଡ଼ିଛନ୍ତି ଜଣା ନାହିଁ । ଯମୁନାର ଡାକରେ ନିଦ ଭାଙ୍ଗିଲା । ସେ କହୁଥିଲା,”ଏ ବାବୁ ! ସକାଳଟାରୁ ଏ ଫୁଲ କ୍ଷେତରେ ସୁଇଚୁ ଯେ ଆସି ୧୨ ଟା ବାଜିଲାନ, ଆ ଖାଇବୁ, ବା ଆଜି କୁଟ୍ରା କେ ମାଉଁସ ଆନି ଥିଲା, ମୁଇଁ ତୋର ପାଇଁ ଘିନି କି ଆଇଚି । ନାଲି ଭାତ, ମାଉଁସ ଆର ହାଣ୍ଡିଆ ।” ସେ କିନ୍ତୁ ଜାଣି ନଥିଲା ଯେ ସେ ଆଜି ଏକ କୋଟି ୭୦ ଲକ୍ଷ ଟଙ୍କାର ମାଲିକାଣି ।
ଖଲାରୀ, ଅନୁଗୋଳ, ଓଡ଼ିଶା – ୭୫୯୧୨୨
ଲେଖକ ପରିଚୟ
ବୃତ୍ତିରେ ସଫ୍ଟୱାର ଇଞ୍ଜିନିଅର । ଗପ ପଢୁପଢୁ ହଠାତ ମନହୁଏ ମୁଁ ଗୋଟେ ଗପ ଲେଖନ୍ତି ନି ? ଆଉ ୨୦୧୪ ରେ ଲେଖି ବସେ ଏକ ଗଳ୍ପ । କିନ୍ତୁ ଗପଟି କାହିଁକି କେଜାଣି ମନକୁ ପାଏନି । ତାପରେ ଆଉ ଦୁଇଟି ଗଳ୍ପ ପତ୍ରିକାରେ ଆସିବା ପରେ ଚାଲେ ପଢା । ପଢିବା ପାଇଁ ନୁହେଁ ଲେଖିବା ପାଇଁ ପଢା । ଆଉ ଆସ୍ତେଆସ୍ତେ ନିଜ ଭୁଲକୁ ସୁଧାରି ସୁଧାରି ଆଜି ପାଖାପାଖି ୫୦ ଉପରେ ଗଳ୍ପ ଆସିଗଲାଣି ଆହ୍ଵାନ, ଆମେ ଓଡ଼ିଆ, ବେଦାନ୍ତୀ, ପୌରୁଷ ଓ ଷ୍ଟୋରିମିରର ପରି ପତ୍ରିକାରେ ।