“ବୟସର କୃଷ୍ଣଚୂଡ଼ା” ଶୀର୍ଷକରେ ଭୁବନେଶ୍ୱର ‘ସମ୍ବାଦ ସାହିତ୍ୟଘର’ର ବିଶେଷ ଆସର

ଭୁବନେଶ୍ୱର : ବର୍ଷର ସବୁଠୁ ତତଲା ଋତୁରେ ଫୁଟେ ନାଲି ଫରଫର କୃଷ୍ଣଚୂଡ଼ା । ତା’ ଉଜ୍ଜ୍ଵଳ ଓଢଣୀରେ ଅଟକେ ବାଟୋଇ । ତା’ ତେଜମୟତାରେ ଅଭିଭୂତ ହୁଏ କବି ଓ କଳାକାର । କୃଷ୍ଣଚୂଡ଼ା ଅନ୍ୟମାନଙ୍କ ପାଇଁ ଏକ ଫୁଲ ହେଇପାରେ କିନ୍ତୁ କବି ଲେଖକଙ୍କ ପାଇଁ ସେ ସଂଘର୍ଷମୟ ବୟସ ଓ ଯୌବନର ପ୍ରତୀକ । “ବୟସର କୃଷ୍ଣଚୂଡ଼ା” ଶୀର୍ଷକ ଏକ ନିଆରା ସାନ୍ଧ୍ୟ ଆସରରେ ଯୋଗଦେଇ ଏଭଳି କହିଛନ୍ତି ଭୁବନେଶ୍ୱର ‘ସମ୍ବାଦ ସାହିତ୍ୟଘର’ର ସଭାପତି ସରୋଜ ବଳ ।

କଥା, କବିତା ଓ ସଙ୍ଗୀତକୁ ନେଇ ଆୟୋଜିତ ଏହି ବିଶେଷ କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ କୃଷ୍ଣଚୂଡ଼ା ପେନ୍ଥା ଦେଇ ସ୍ଵାଗତ କରିଥିଲେ ‘ସମ୍ବାଦ ସାହିତ୍ୟଘର’ର ରାଜ୍ୟ ସଂଯୋଜିକା ତଥା କବୟତ୍ରୀ ଡ. ଶୁଭଶ୍ରୀ ଲେଙ୍କା । ଏହାବ୍ୟତୀତ ଭୁବନେଶ୍ୱର ସାହିତ୍ୟଘରର ଭିନ୍ନ ଭିନ୍ନ କଳାତ୍ମକ ଆସରର ପ୍ରଭାବ କିପରି ସାରା ରାଜ୍ୟର ସାହିତ୍ୟଘର ଉପରେ ପଡୁଛି ଓ ନୂଆନୂଆ ସାହିତ୍ୟଘର ସୃଷ୍ଟି କରିବାକୁ ପ୍ରେରିତ କରୁଛି, ତାହା ସୂଚନା ଦେଇଥିଲେ । ସାହିତ୍ୟ କେବଳ ଶବ୍ଦର ମିଳନ ନହୋଇ ଭାବ ଓ ସମ୍ପର୍କର ମିଳନର ଆଧାର ହେଉ ବୋଲି ସେ କହିଥିଲେ ।

ଅନ୍ୟତମ ଅତିଥି ଭାବେ କବି ପିନାକୀ ମିଶ୍ର ଯୋଗଦେଇ ‘ସାହିତ୍ୟଘର’ର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ତାଙ୍କ ଲିଖିତ କବିତା ପାଠ କରିଥିଲେ । ଅନ୍ୟତମ ଅତିଥି ଭାବେ ବିଶିଷ୍ଟ କବି, ଅନୁବାଦକ ତଥା ‘ବର୍ଣ୍ଣାଳୀ’ର ସମ୍ପାଦକ ସୁରେନ୍ଦ୍ର ପାଣିଗ୍ରାହୀ ଯୋଗଦେଇ ଏକ କୃଷ୍ଣଚୂଡ଼ା ଆଧାରିତ ହୃଦୟସ୍ପର୍ଶୀ ଛନ୍ଦ କବିତା ଆବୃତ୍ତି କରିଥିଲେ ।

ସାହିତ୍ୟଘରର ସମ୍ପାଦକ ଗାଳ୍ପିକ ସୁବ୍ରତ ସେନାପତିଙ୍କ ସଂଯୋଜନାରେ ଆୟୋଜିତ ଏହି ଆସରରେ ପ୍ରଖ୍ୟାତ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତିଙ୍କ ବହୁଚର୍ଚ୍ଚିତ ‘କୃଷ୍ଣଚୂଡ଼ା’ ଶୀର୍ଷକ ଗଳ୍ପଟିକୁ ନାଟକୀୟ ଢଙ୍ଗରେ ପାଠ କରିଥିଲେ ଗାଳ୍ପିକ ସୁମନ ଦାଶ । ସେହିପରି ରୁଦ୍ର ମାଧବ, ବେଦପ୍ରକାଶ ନାୟକ, ଅଂଶୁମାନ ସାହୁ, ସୁଶାନ୍ତ ମିଶ୍ର ପ୍ରମୁଖ ତରୁଣ କଥାକାରମାନେ ସ୍ଵରଚିତ ଅଳ୍ପଗଳ୍ପ ପାଠ କରିଥିଲେ । କବିତା ଆବୃତ୍ତି କରିଥିଲେ ଧର୍ମରାଜ ମହାମଲ୍ଲିକ, ସଂଗ୍ରାମ ମହାରଣା, ଶ୍ରୀସିକ୍ତା ଶୁଭଦର୍ଶିନୀ, ମୌସୁମୀ ଦାଶ, ସ୍ଵପ୍ନା ବେହେରା, ଅମିତ ସାହୁ, ଶୁଭଶ୍ରୀ ଶୁଭସ୍ମିତା ମିଶ୍ର, ତ୍ରିଲୋଚନ ମହାନ୍ତି ଓ ସୁବ୍ରତ ସେନାପତି । ଗଳ୍ପ ଓ କବିତା ମଝିରେ ଗୀତ ଗାଇ ଆସରକୁ ଆହୁରି ମନୋରଞ୍ଜନ ଭରା କରିଥିଲେ ଅର୍ପିତା ପତି, ସୁଶାନ୍ତ ସାହୁ, ଅନୀଲ, ଜ୍ୟୋତିରଞ୍ଜନ, ଅନ୍ତର୍ଯ୍ୟାମୀ ମିଶ୍ର, ସରୋଜ ବଳ ଓ ଅଭିନାଶ ଦାସ ।

ଅନୁଷ୍ଠାନର ଉପସଭାପତି ସୁମିତ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶୁଭାଶିଷ ପଟ୍ଟନାୟକ, ଗୌରୀ ସାହୁ, ପିବିକେ କାହ୍ନା, ପ୍ରିୟାଙ୍କା ରାୟ, ସୁକାନ୍ତ ମହାରଣା ପ୍ରମୁଖ ଲେଖକ ଓ ସାହିତ୍ୟାନୁରାଗୀ ଯୋଗଦେଇ ଆସରଟିକୁ ସଫଳ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *