ଅମୀୟ ବେଜ

ଏରୁଣ୍ଡି ଡେଉଁଡେଉଁ ପାଣି ମୁନ୍ଦେ ଥୋଇଦେଲା ଆଣି ବୋଉ ।
ଆଉ ଯେ’ ହେଇଥିଲେ କହିଥାନ୍ତି –
ନା ଶୋଷ ନାହିଁ ଥାଉ …

ଆଜିବି ପିଉପିଉ ପାଟି ଧାରୁ ଇଡ଼ିଯାଏ ପାଣି ଦେହଯାକ ।
ସେବେ ପରି ଏବେବି ପୋଛିଦେଲା ବୋଉ ମୁହଁକୁ ମୋର,
ବାପାଙ୍କ ଗାମୁଛାରେ ।
ଅବଶ୍ୟ କହିଲାନି –
ବଡୁଟେ ହେଲୁଣି ଢଙ୍ଗ ଶିଖିଲୁନି ଟିକେ…

ବାପାଙ୍କ ଗାମୁଛା ଭାରି ଅସନା ସତେ ।
ବୋଉ କୁହେ ତାଙ୍କ ଝାଳ ବେଶି ବୋହେ ।
ମୁଁ ହସେ ।
ତାକୁ ନପଡୁ ମନେ ବାପାଙ୍କ କଥା ସବୁ ଆଉ ।
ବାପା ଛାଡ଼ି ଯାଇଛନ୍ତି ତାପାଇଁ ଗାମୁଛା ଖଣ୍ଡିଏ କେବଳ …

ପଚାରିଲି ମାମୁନି ଦିଶୁନି ଯେ ବୋଉ ?
ଶଙ୍କିଗଲା ଟିକେ ସିଏ ।
ସିଲେଇ ଶିଖୁଛି ଆରସାହି ବୈଶାଳୀ ପାଖରେ…

ଆଉ ବିନୋଦ ?
ବୋଉ ଆଖି ଛଳଛଳ ।
ଫେରିବ କି ନା କହିଯାଇନି ଯିବାବେଳେ ….

ବୋଉ ଚାହିଁଥିଲା ମୁହଁକୁ ମୋର ।
ମୁଁ ବି ତାକୁ ବେଶ୍ କିଛି ବେଳ ।

ଆମେ ପରସ୍ପରକୁ ଏମିତି ଚହାଁଚହିଁ ହେଉ ସବୁବେଳେ ।
ଜଣାଇବାକୁ ନିଜନିଜର ମୁରବୀପଣିଆକୁ ।

ଗୋଟେ ଅସମ୍ଭବ ଦାୟିତ୍ଵ ତୁଲାଇବାକୁ …

ଘଟଗାଁ, କେନ୍ଦୁଝର

ଲେଖକ ପରିଚୟ

ଯେତିକି ଆବଶ୍ୟକ ତାଠୁ ଅଧିକ ହେଉଛି ‘ସାହିତ୍ୟ’ । ନିଜକୁ ସଳଖ କରି ରଖିବାର ଏକମାତ୍ର ସତ୍ ମାଧ୍ୟମ ବି କହିହେବ । ଆଉ ପ୍ରକାରେ କହିଲେ ଉଦାର ଓ ସହିଷ୍ଣୁ ହେବାର ସର୍ବୋତ୍ତମ ମନ୍ତ୍ର । ବୃତ୍ତିରେ ବିଦ୍ୟୁତ୍ ଯନ୍ତ୍ରୀ କିନ୍ତୁ ରୁଚି ଲେଖାଲେଖି ଓ ଗୀତ ବୋଲିବା । ଏଯାବତ ୭ ଖଣ୍ଡ ଗଳ୍ପ ସଂକଳନ ପ୍ରକାଶିତ ହୋଇସାରିଛି । ବିଭିନ୍ନ ପତ୍ରପତ୍ରିକା ଓ ଖବରକାଗଜରେ ଅନେକ ଗପ ପ୍ରକାଶିତ ହୋଇଥିବାବେଳେ କଳିଙ୍ଗ ଲିଟେରାରୀ ପୁରସ୍କାର, ଟାଇମପାସ୍ ବେଷ୍ଟ ସେଲର୍ ପୁରସ୍କାର, କଟକ ଲିଟେରାରୀ ବହି ପୁରସ୍କାର ଆଦିର ଅଧିକାରୀ ହେବାର ସୌଭାଗ୍ୟ ପ୍ରାପ୍ତ ହେବ ।

Related Posts

Leave a Reply

Your email address will not be published. Required fields are marked *