ଭାସ୍ଵତୀ ବାସୁ
୧.
ସେ କହିଲା ତା ଓଠ କୁଆଡ଼େ
ଶୁଆ ଥଣ୍ଟ ପରି ଟାଣ
ଆଉ ମିଛ ହସ ପାଇଁ ଟାଣ ଓଠ ଜରୁରୀ ।
୨.
ସେ କହିଥିଲା ପ୍ରେମ ଦବ
ହେଲେ ମୋ ମୁଠାକ ଯାକ ଧୂଳି।
ଏବେ ବର୍ଷା ଯାହା, ଧୂଳି ସେଇଆ।
୩.
ଅଣ୍ଟାଏ ପାଣିରେ ଠିଆ ହେଇ
ଗମ ଗମ ଝାଳେଇବା ଯଦି ସମ୍ପର୍କ
ତେବେ କଜ୍ଜଳ ନାଇଲେ କେତେ, ନ ନାଇଲେ କେତେ,
ଆଖି ପୋଡ଼ିବା ଥୟ।
୪.
ସେ ମୋ କାନ୍ଧରେ ମୁଣ୍ଡ ରଖି ଶୋଇଗଲା
ଆଉ ମୁଁ
ଯେତେ ଥର ବୁଲାଣି ବୁଲିଲି
ନିଜକୁ ହିଁ ପାଇଲି ଏକେଲା, ତକିଆରେ ଅଚିହ୍ନା ବାସ୍ନା।
୫.
ଭବିଷ୍ୟତର ତ ସ୍ମୃତି ନଥାଏ
ସେଇଥିପାଇଁ ହିଁ ଭିକାରୀ ଭଳି
ଅତୀତର ଦୁଆରେ ଠିଆ।
କିନ୍ତୁ କାନ୍ଥ ଘଣ୍ଟାର କଣ୍ଟା ହଜିଛି, ତା ଦୁଆରେ ତାଲା।
୬.
ମତେ ପଚାରନା ନଦୀ କେମିତି ଦିଶେ
ସମୁଦ୍ରର ଠିକଣା ଖୋଜି ଖୋଜି
ମୋ ଦୁଇ ପାଦ ମରୁଭୂମି
ଅଳତା ହଜିଛି ଅଦୃଶ୍ୟ ତୁଠରେ।
୭.
ସେ ଭୁଳିଯାଇଛି ଯେ
ମୋ ପାଇଁ ପ୍ରେମ ହିଁ ପକ୍ଷୀ ବସା
ନ ହେଲେ ତ ଡେଣା ସାରା କେବଳ ଆକାଶ ।
ଭୁବନେଶ୍ୱର, ଖୋର୍ଦ୍ଧା, ମୋ – ୯୯୩୮୭୧୩୩୪୬
ଲେଖକ ପରିଚୟ
ବାବୁଜୀଙ୍କ ଯିବା ପରେ ସେଇ ଶୁନ୍ୟ କାଳରେ ହିଁ ମୁଁ କବିତା ଲେଖିବା ଆରମ୍ଭ କଲି କହିଲେ ଚଳେ । କବିତା ମୋ ପାଇଁ ମାନସିକ ଯନ୍ତ୍ରଣା ନିବୃତ୍ତିର ଗୋଟେ ବାଟ ପାଲଟିଗଲା । ଜୀବନର ଯାବତୀୟ ଉତ୍ଥାନପତନ କବିତା ଆକାରରେ ବାହାରି ଆସେ ଆଉ ମୁଁ ଶାନ୍ତ ହୁଏ । ମୋ କବିତା ମୋ ଡାଏରି ଭଳି । କବିତା ଲେଖେ କାରଣ ମୁଁ ଅନ୍ତର୍ମୁଖୀ । ବାହାରେ ଖୁବ ହସେ ହେଲେ ମନ ଖୋଲି ପାରେନା । ଡରେ । କବିତାରେ ବହୁତ ସତ “ରୂପକ” ପଛରେ ଲୁଚେଇ କହିଦେଇ ହୁଏ । “ବାଦଶାହ ଓ ପ୍ରେମିକା” ଏବଂ “ବାଟ ଅବାଟ” ନାମରେ ଏଯାବତ ଦୁଇଖଣ୍ଡ ସଂକଳନ ପ୍ରକାଶିତ ହୋଇସାରିଛି ।