ଦେବଯାନୀ ରାୟ

ଆସ ଖରାକୁ ପିଠି କରି ଗଢ଼ିବା ଆମ୍ବ୍ର କୁଞ୍ଜ
କୋଇଲି କୁହୁତାନେ ଚିତ୍ରେଇବା ସ୍ଵପ୍ନ ପୁଞ୍ଜ ।

ମହାବାତ୍ୟା ଭୋଗି ସାରିଥିବା ଡେଣାମାନଙ୍କୁ
ଦେଇଦେବା ଗୋଟେଗୋଟେ କୁହୁକ ସ୍ପର୍ଶ
ଅସଜଡ଼ା ଜୀବନକୁ ସଜେଇବା ଧାଡ଼ି କରି
ନିଜ ଇଚ୍ଛାରେ ଭରିଦେବା ସବୁଜ ଉଲ୍ଲାସ ।

ଆସ, ବିକଳ ବିବର୍ଣ୍ଣ ଦିଶୁଥିବା ବକ୍ଷ ଦେଶୁ ପୋଛିଦେବା
ନିଦାଘ ନିର୍ଜନ
ଛାତି ସାରା ବିଞ୍ଛିଦେବା ପ୍ରେମ ଝଙ୍କାର, ଏପ୍ରିଲ୍ ର ଇଦ୍ ଜହ୍ନ
ପିଆଲା ମଧୁଶାଳାର ବିମୁଗ୍ଧ ମୁହାଣ
ଲେଉଟାଣି ସମୟରେ ରାତିର ବଗିଚାରୁ ତୋଳି ନେବା
ଶବ୍ଦର ତାରାଫୁଲ, ଜହ୍ନ ଜୋଛନାର ଯୁକ୍ତାକ୍ଷର
ପବନର ବଂଶୀସ୍ୱନ
ବିବିଧ ବର୍ଣ୍ଣର ଆକାଶରୁ ପରସ୍ପର ଖୋଜିନେବା
ଦେହର ମହାକାବ୍ୟ, ପ୍ରେମ ପ୍ରଭଞ୍ଜନ….।

ସମୁଦ୍ରେ ସିମାହୀନ ଆହ୍ଲାଦ ସହ ଭୁଲିଯିବା
ନିରାନନ୍ଦ ଦୁଃସ୍ଵପ୍ନଙ୍କ ଧୂଳିଝଡ଼, ବଜ୍ର, ବିଜୁଳି
ଯେତେ ସମ୍ମୋହନ … ମଧୁର ମୂର୍ଚ୍ଛନା …,
ତତଲା ଦୀର୍ଘଶ୍ୱାସ ସହ
ସ୍ନାୟୁରେ ସ୍ନାୟୁରେ ଭରିଦେବା ତରଳ ଲାଭା ପରି
ଅଜସ୍ର ଲଳିତ ଉନ୍ମାଦନା
ଦେହର ନିର୍ଦ୍ଦିଷ୍ଟ ବିନ୍ଦୁରେ
ଅୟୁତ କାମନା ।

ଯେଉଁଠି ଋତୁ ସହ ବାଟ ହୁଡ଼େ
ମନର ଉଦାସୀନ ଅଭିଳାଷ
ବୁନ୍ଦାଏ ପ୍ରେମର ନିର୍ବାଣ ବାସ୍ନାରେ ମହକି ଉଠେ
ସଂସାରୀର ଲାଜବତୀ ହସ ।

ଆସ, ଖରାକୁ ପିଠି କରି ପୁଣିଥରେ ସାଉଁଟିବା
ମରୁରେ ହଜିଥିବା ଚମତ୍କାରୀ ଚୋରାବାଲିର
ନୀଳ ନିବିଡ଼ ଶୋଷ …।

ଜଟଣୀ, ଖୋର୍ଦ୍ଧା, ମୋବାଇଲ – ୯୪୩୭୪୧୩୩୧୪

ଲେଖକ ପରିଚୟ

ପ୍ରତ୍ୟେକ ମଣିଷ ଜଣେ ଜଣେ ସ୍ରଷ୍ଟା । କେହି ତାକୁ ଘଷିମାଜି ପରିପୁଷ୍ଟ କରିଥାଏ ତ ଆଉକେହି ଏଥି ପ୍ରତି ନଜର ଦେଇପାରେନା । ପରିବାର ଭିତରେ ଭାଇଭଉଣୀ, ପୁଅଝିଅ,  ଅନ୍ୟମାନେ ବି ମୋ ଅଜାଣତରେ ମୋ ଲେଖାର ଜଣେ ଜଣେ ପୃଷ୍ଠପୋଷକ । ଜଣେ ସାଧାରଣ ଗୃହିଣୀ ହେଲେ ସୁଦ୍ଧା  ଲେଖାଲେଖି ଏକ ଅଭ୍ୟାସ । ଟିକିଏ ସମୟ ମିଳିଲେ ଖୋଲା ପଡ଼ିଥିବା କଲମ ଓ ମୁକୁଳା ଖାତାରେ ମୋର ଭାବନାର ରୂପରେଖ ବର୍ଣ୍ଣନା କରିଥାଏ । ଏଯାବତ୍ ବହୁ ପତ୍ରପତ୍ରିକା ତଥା ବିଭିନ୍ନ ଖବର କାଗଜରେ ରେ ମୋର ଲେଖା ସ୍ଥାନ ପାଇଛି ।

Related Posts

Leave a Reply

Your email address will not be published. Required fields are marked *