ସୁଚରିତା ପାତ୍ର
ତା’ର ଷ୍ଟେସନ…
ସେ ସବୁବେଳେ କୁହେ
ଷ୍ଟେସନ ଥରିଗଲେ
ପାଣି ପରି ସେ ବି ଚହଲିଯାଏ …
କେଜାଣି ତା’ର କ’ଣ ଏତେ ଆନ୍ତରିକତା
ଏଇ ବାଣୀବିହାର ଷ୍ଟେସନ ସହ
ରେଳ ଟ୍ରାକ୍ ଠାରୁ ଆରମ୍ଭ କରି ବଗି ଯାଏଁ
ଲୁଚକାଳି ଖେଳୁଥିବା ଟିଣଛପର ଛାତ ସହ ସେଇ ଜହ୍ନର
ସିମେଣ୍ଟ ଚଉକିରେ ବସି ରହି ଟ୍ରାକର କଙ୍କାଳକୁ ଗଣି ବସେ !
ଟ୍ରେନର ଗରମ ନିଃଶ୍ୱାସରେ
ସେ ଅବା ଦୀର୍ଘଶ୍ଵାସ ଛାଡ଼େ …
ଯଦିଓ ବାଣୀବିହାର ଟ୍ରେନରେ ବସେନା କି ଓହ୍ଲାଏନା ସେ
ହେଲେ ଅପେକ୍ଷା କରେ
ହଁ ତା’ର ଷ୍ଟେସନ
ସେ ସବୁବେଳେ କୁହେ ।
ପ୍ଲାଟଫର୍ମକୁ ଦି’ ଭାଗ କରିଥିବା
ସେଇ କଙ୍କାଳର ଦେହ
ବେଳେବେଳେ କଟକଟ କଳା ଦିଶେ ତ
କେତେବେଳେ ଛେତା ଲାଲ୍
ଫିର୍ ବି ସେଇ ଅଭିଶପ୍ତ କାଳୀ
ସେଇ ଲାଲ୍ ରେ ରୋଜ୍ ଘଷିମାଜି ହୁଏ
ହଁ ସେଇ ତା’ର ଷ୍ଟେସନ
ସେ ସବୁବେଳେ କୁହେ ।
ଉଜୁଡା ପ୍ଲାଟଫର୍ମକୁ ଭଲପାଇ ହୁଏନା
ହେଲେ କେଜାଣି କାହିଁକି ସେ ସଭିଙ୍କୁ
ଦିନ ଦ୍ଵିପହରରେ ନାନାବାୟା ଗୀତ ଗାଇ ଶୁଣାଏ
ଗାମୁଛାଟିଏ ପାରି କାହାର ଲେଞ୍ଜେରା ଆଖିରେ ନିଦ ଆସେ
କେଉଁ ମାଆର ମାଛକାତିଆ ଫୁଙ୍ଗୁଳା ଗୋଡ଼ ଗଡୁଥାଏ
ଛୁଆର କୁନି ହାତ ମାଆ ଅଜାଣତରେ
ଅପରିଚିତ ଲୋକ ଆଗରେ ମେଲିଯାଏ
ହେଲେ ସେଇ ତା’ର ଷ୍ଟେସନ
ସେ ସବୁବେଳେ କୁହେ ।
ଅଚିହ୍ନା ରାତିରେ ସେ ଜିଦି କରି
ତା ଓ ମୋ ମଝିରେ ବସେ
ଏବେ ଭାଙ୍ଗିଯାଇଥିବା ତା’ ପାହାଚରେ
ମୋ ଗୋଡ଼ ଖସିଗଲେ
ସେ ଭିଡ଼ିଧରେ
ବାପି ଭାଇ ଦୋକାନ ଲାଗି
ସେଇ କାନ୍ଥ ପାଖରେ
ସେ ମୋ ପାଇଁ ଅପେକ୍ଷା କରେ
ହଁ ସେଇ ତା’ର ଷ୍ଟେସନ
ସେ ସବୁବେଳେ କୁହେ ।
ମୋତେ ତା’ ଗାଡ଼ି ପଛରେ ବସିବାଠୁ
ହାତ ଧରି ଚାଲିବା ପାଇଁ ଭଲଲାଗେ
ସେଇ ରସୁଲଗଡ଼ ଓଭରବ୍ରିଜ ରାସ୍ତାରେ ଆମେ ଚାଲୁ
ହେଲେ ସେଇ ବାଣୀବିହାର ଷ୍ଟେସନ ଉପରକୁ ଆସିଲେ
ସେ ପୁଣି ଅଟକେ
ମୋ ହାତ ଧରି ସେ ଅନ୍ତହୀନ କଙ୍କାଳ ସେପାଖେ
ସୂର୍ଯ୍ୟ ଅସ୍ତ ହେବାର ଦେଖାଏ …
ସହରକୁ ପିଠି କରି ଆମେ
ଏକା ଲୟରେ ଷ୍ଟେସନକୁ ଚାହିଁ ରହୁ …
ଅବାସ୍ତବ ସହର ଆଉ ଷ୍ଟେସନ ମଝିରେ
ଆମେ ହିଁ ପ୍ରାଚୀର ସାଜୁ
ହଁ ସେଇ ତା’ର ଷ୍ଟେସନ
ସେ ସବୁବେଳେ କୁହେ ।
ରସୁଲଗଡ଼, ଭୁବନେଶ୍ୱର
ଲେଖକ ପରିଚୟ
କର୍ମମୟ ଜୀବନର ଟ୍ରେନ୍ ହାଲିଆ ହୋଇ ଏଇ ବାଣୀବିହାର ଷ୍ଟେସନରେ ଅଟକି ଯାଏ । ମଣିଷଠାରୁ ଅଧିକ ମୁଁ ନିସ୍ତେଜ ପଦାର୍ଥଗୁଡ଼ିକୁ ଭଲପାଏ । ଆଉ ସେସବୁକୁ ମୋ କବିତା ମାଧ୍ୟମରେ ଜୀବନ୍ୟାସ ଦେବାକୁ ଚେଷ୍ଟା କରେ । ସାମ୍ବାଦିକତା ପେଶାର ଛୁକ୍ ଛୁକ୍ ଗତିରେ କବିତା ହିଁ ସାଇନ୍ ମାରି ଆଗକୁ ବଢ଼ିବାକୁ ଉତ୍ସାହ ଯୋଗାଏ ।