ସ୍ମୃତି କୁହେ, ତୁମେ ପାଉଁଶ ତଳେ

ସୀମାଞ୍ଚଳ ରଣା

ରାତିର ନିର୍ଜନତା ଆମ୍ବ ଗଛରୁ ଝିଙ୍କାରୀର ଝୀଂଝୀଂ ଶବ୍ଦ ଆଉ ଜୁରୀକୁପୁଡାରୁ ହେଟାର ଗର୍ଜନରେ ଥରିଉଠେ ଶରୀର, ଟାଙ୍କୁରି ଉଠେ ଲୋମ । ବିଜୁଳି ଆଲୋକକୁ ପର କରି ଫିକାଫିକା ଜହ୍ନ ଆଲୁଅରେ ବସି ବିଗତ ଦିନର ଚେନାଏ ସ୍ମୃତିକୁ ମନ ଆଇନାର ଦେଖିବାକୁ ଚେଷ୍ଟା କରୁଛି ମୁଁ ,ନିସଙ୍ଗ ବେଳାର ମଧୁରତାକୁ ଉପଭୋଗ କରି । ଲିଭିଯାଇଛି ଜୀବନର ସଞ୍ଜସଳିତା ମୋ ଅଗଣାରେ, ସଞ୍ଜଆଳତି ସ୍ୱପ୍ନ, ହୃଦୟଟା ଜଳିପୋଡି ଛାରଖାର । ହେଲେ ସ୍ମୃତିର ପାଉଁଶ ତଳେ ଆଜିବି କାହାର ଚିହ୍ନା ମୁଁହ । ମୋତେ ଖୁବ ଆକୁଳ ସ୍ୱରରେ ସେ କୁହେ- ବାଇକା ଧନ ଆନୁ ଇଦେ ବି ନିଙ୍ଗେ ଜେଡା ଗିପିମାଇଁ ।

କିଏ ତୁମେ ? କାହିଁକି ଏ କରୁଣ ଆର୍ତ୍ତନାଦ?

ତୁମେ……..ସରିତା ନା ? ସେଇ ହଷ୍ଟେଲର ଚୁଲବୁଲି ପ୍ରଜାପତି; ଯାହାକୁ ଧରିନେବା ପାଇଁ ଅନେକ ଆଗମ୍ୟ ଅତିଥି ହୋଇଥିଲେ ? ହେଲେ ତୁମେ ବନ୍ଦୀ ହୋଇଥିଲ ମୋ ବାହୁରେ ! ତୁମେ ସେଇ ସରିତା ନା; ଯେ ମୋ ପାଇଁ ରାତିର ଅନ୍ଧାର ଆଉ ଡାକିନୀ ପିଶାଚିନିଙ୍କୁ ଭୟ ନକରି ତମାମ୍ ରାତିରେ ଦୁର୍ଗା ମନ୍ଦିର ପଥର ଉପରେ ବସି କହୁଥିଲା ପ୍ରେମର ଅକୁହା କଥା ! ହେଲେ ଆଜି ତୁମେ କେଉଁଠି ? ମୋତେ ଏତେ ବଡ଼ ଦୁନିଆରେ ଏକା କରିଦେଇ, କଣ ମୁଁ ମନେପଡୁନି ତୁମର ? ହେ ସରିତା ! ଦେଖନା ! ମୁଁ ଆଉ ବଞ୍ଚିବା ଶିଖିପାରୁନି । ତୁମେ……..ତୁମେ ଥରେ ହାତଠାରି ଡାକିଦିଅ ମୋତେ ତୁମ ନିଖୋଜ ସହରକୁ, ତୋଳିବା ରାଜମହଲ । ଖାସ ସ୍ମୃତିରେ ରାଜାରାଣୀ ହୋଇ ।

ଓଇ………ମାଏଂ ଇନା ଆଇମାଞ୍ଜି ଇନୁ ? ଇନା ପାଗଲ ଡେହେଙ୍ଗି ରଆନେ କାତାବାର୍ତ୍ତା ଗିପିମାଞ୍ଜି ଓଇ ?

ହଠାତ ଭାବନା ଆଉ ବାର୍ତ୍ତାଳପରୁ ନିବୃତ୍ତ ରହିଗଲି ଏଇ ମଝିପଡ଼ା ସାଙ୍ଗ ସଞ୍ଜୟର ଡାକରେ । ନାଇରେ ସାଙ୍ଗ ଏମିତି ବସିଥିଲି ଏଠି ଆଉ ସରିତା କଥା ଭାବୁଥିଲି । ଦିନେ ଅତୀତଟା ଏଇଠି ବିତିଥିଲା ତା ସହ । କେତେ ରାତି ଏଠି ତା ସହ ଗପି ବିତେଇ ଦେଇଛି ହିସାବ ନାହିଁ ।

ସରିତା ?

ସରିତା କିଏ ? କାହିଁ ମୋତେ ତ କିଛି କହିନୁ କେବେ ? ପଚାରି ପକାଇଲା ସଞ୍ଜୟ ।

ସଞ୍ଜୟର ଉତ୍ତର ଦେବାକୁ ବି ବାଧ୍ୟ ଥିଲି ମୁଁ । ଭାରି ଜିଦିଆ ସେ । ନକହିଲେ କଣ ମୋତେ ଶାନ୍ତିରେ ରଖେଇ ଦେବ !

ଶୁଣିବୁ ସଞ୍ଜୟ ମୋ ସରିତା କଥା ? ମୋ ଛାତିତଳ ନୀରବ ଯନ୍ତ୍ରଣା କଥା ? କହୁଛି ଶୁଣ ।

ମୋର ଠିକ ମନେଅଛି ସେଦିନର କଥା । ଯେବେ ମୁଁ ସରିତାକୁ ଦେଖିଥିଲି ପ୍ରଥମଥର । ସେଦିନ ହୁତହୁତ ହୋଇ ଜଳୁଥିଲା ମୋ ଗାଁ ପାଖ ଗାଁ ବାରଖମ୍ବା ସ୍ୱାମୀଜୀଙ୍କ ହତ୍ୟା ପରେ ସାମ୍ପ୍ରଦାୟକ ଦଙ୍ଗାରେ ଜଳୁଥିଲା ବାରଖମ୍ବା । ଗୋଷ୍ଠୀ ସଂଘର୍ଷରେ ଖଣ୍ଡା କାତି-ବର୍ଚ୍ଛା-ତୀର ଆଉ ବନ୍ଧୁକର ଟ୍ରିଗାର ହିଁ କଥା କହୁଥିଲା । ପରସ୍ପର ମଧ୍ୟରେ ଢେଲାମାଡ଼ ଶ୍ରାବଣର ବର୍ଷାପରି ବର୍ଷିଗଲା । ମୁଁ ଦେଖିଛି ସେ ବିଭୀଷିକା । ଖଗେଶ୍ଵର ପଡିଯାଇଛି ଭୂମିରେ ଢେଲା ମାଡ଼ରେ । ନିରବି ଯାଇଛି ତା ଦୁର୍ଲଭ ମାନବ ଜନ୍ମର ରକ୍ତମାସଂ ଶରୀର । ନା ଆଉ ରହି ହେବନି ଭାବି ପଳେଇ ଆସିଲି ଗାଁକୁ । ହଷ୍ଟେଲ ପାଖରେ ଦେଖିଥିଲି ସେଦିନ ସରିତାକୁ । ସରିତା ପ୍ରଧାନ । ବେଶି ନୁଁହ, ଏଇ ପନ୍ଦର କି ଷୋହଳ ହେବ । ନୂଆ ନୂଆ ଯୌବନ ବନରେ ମହୁମାଛି ସେ, ଓଠରେ ପୀରତି ପୀୟୂଷ, ଆଖିରେ ଲାଜର କାହାଣୀ, ଧୀରଧୀର ଚାଲିରେ ମାଦକ ଭରା ଆକର୍ଷଣ । ତା କୁଞ୍ଚିତ କୁନ୍ତଳ ଆଉ ଚୁନରୀ ରୋ ଅବୋଲକରା ସତେଯେମିତି ମୋତେ ପାଗଳ କରି ଦେଇଥିଲା । ତାକୁ ଦେଖି ଆଶ୍ଚର୍ଯ୍ୟ ବି ହୋଇଗଲି ମୁଁ । କାହିଁକିନା ସେ ଥିଲା ମୋ ସ୍କୁଲର ସପ୍ତମ ଶ୍ରେଣୀର ଛାତ୍ରୀ ଆଉ ମୁଁ ଷଷ୍ଠ ଶ୍ରେଣୀର ଛାତ୍ର । କିନ୍ତୁ ମୁଁ ଜାଣିନଥିଲି ଯେ ମୋ ସ୍କୁଲରେ ଏମିତି ଏକ ସୁନ୍ଦରୀ ସରିତା ପଢୁଛି । ଗାଁରେ ସ୍କୁଲ ଥିବାରୁ ମୁଁ  ଘରୁ ଯିବାଆସିବା କରୁଥିଲି । ସେ କିନ୍ତୁ ସିନ୍ଦ୍ରୀଗାଁରୁ ଆସି ଏଠି ପଢୁଥିଲା । କୋଡ଼ିଏ କିମି ଦୂରତା ପାଇଁ ହଷ୍ଟେଲରେ ରହୁଥିଲା । ମୁଁ ପାଠପଢ଼ାରେ ଥିଲି ଦୁର୍ବଳ ଆଉ ସେଥିପାଇଁ ସ୍କୁଲ ବି ଯାଉନଥିଲି ଠିକରେ । ଦୁଇଦିନ ସ୍କୁଲ ଗଲେ ଆଉ ଚାରିଦିନ ଟ୍ରାକ୍ଟରରେ ଇଟାବାଲି ବୋହିବା ପାଇଁ ଶ୍ରମିକ ହୋଇଯାଉଥିଲି । ଯାହା ସେଇଠୁ ପଇସା ମିଳେ ବିସ୍କୁଟ ମିକ୍ସର ଖାଇ ଏହି ଦୁର୍ଗା ମନ୍ଦିର ପଥର ଉପରେ ଅଧରାତି କାଟିବା ପରେ କାହା ବାରଣ୍ଡା ହିଁ ଥିଲା ମୋର ଶୟନ କକ୍ଷ । ହେଲେ ଏଥିପାଇଁ ମୋ ପିଉସୀର ଥିଲା ଅନେକ ବାରଣ । ତା ଭଲପାଇବା ଆଗରେ ବାଧ୍ୟ ହେଉଥିଲି ଘରକୁ ଯିବା ପାଇଁ । ମୁଁ ଥିଲି ମାଆ ଛେଉଣ୍ଡ । ଜନ୍ମର ଦୁଇ ମାସ ପରେ ଆଉ ଏହି ଆଖିରେ ଦେଖିନି ମୁଁ ମୋ ମା’ର ମନଲୋଭା ମୁଁହ । ବକଟେ ଛୁଆ କାହିଁବା ମନେ ରଖିବ ସେ ମଧୁର ମା’ର ମୁଁହ ? ମୋ ପିଉସୀ ଦେଇଛି ମୋତେ ନୂଆ ଜୀବନ । କୋଳେଇକାଖେଇ ମଣିଷ କରିଛି ମୋତେ । ଏଥିପାଇଁ ଆଜିବି ସେ ଅବିବାହିତ ।

ସରିତାକୁ ଦେଖିବା ପରେ ମୋ ବାଲ୍ୟ ଶ୍ରମିକରେ ରୋକ ଲାଗିଲା । ମୁଁ ସଜାଡ଼ିଲି ନିଜକୁ । ଅନିଚ୍ଛା ସତ୍ତ୍ୱେ ମଧ୍ୟ ସ୍କୁଲ ଯିବା ଆରମ୍ଭ କରିଦେଲି । କାହିଁକିନା ସରିତାକୁ ଦେଖିବା ପାଇଁ ଏକମାତ୍ର ନିର୍ଭରଶୀଳ ସ୍ଥାନ ଥିଲା ସ୍କୁଲ । ଏମିତି କିଛିଦିନ ଗଲା । ତାକୁ ଦେଖିଦେଖି ପିଲାଙ୍କ ଟାହିଟାପରା, ସ୍କୁଲ କାନ୍ଥରେ ସରିତା-ଅଜୟ ନାଁ ଖୁବ ଲେଖାହେଲା । ଆସ୍ତେଆସ୍ତେ ସେ ଆସିଗଲା ମୋ ହୃଦୟ ସାମ୍ରାଜ୍ୟ ଭିତରକୁ, ବିସ୍ତାରି ଦେଲା ତା ସ୍ନେହର ପରିସରକୁ । ଏବେ ଆମେ ଥିଲୁ ମୁକ୍ତ ବିହଙ୍ଗ । ଇଚ୍ଛା ଅନୁସାରେ ଉଡୁଥିଲୁ ନୀଳ ଆକାଶରେ ପ୍ରେମପକ୍ଷୀ ହୋଇ ।

ଜାରି ରହିଛି କର୍ଫ୍ୟୁ । ଲାଗିଛି ଶହେ ଚୌରାଳିସି ଧାରା । ସନ୍ଧ୍ୟା ହେଲେ ତାଟିକବାଟ ବନ୍ଦ । ବଜାର ଘାଟ ବନ୍ଦ । ସୁରକ୍ଷା ପାଇଁ ତର ମାରୁଛନ୍ତି କାବରୀଚିତାମାନେ । ଆମେ କିନ୍ତୁ ମୁକ୍ତ ଆଉ ଆମ ମିଳାମିଶା ପାଇଁ ଯେମିତି କେହି ରୋକ ଦେବାକୁ ନାହାନ୍ତି । ଦିନରେ ସ୍କୁଲରୁ ଫେରିବାବେଳେ ପାଚେରୀ ଉପରେ ଖଣ୍ଡେ ଇଟା ଉପରେ ଲାଲ କପଡା ଗୁଡ଼ାଇ ଦେଲେ ସରିତା ବୁଝିଯାଏ ଯେ ଆଜି ରାତିଟା କେବଳ ଆମର ସେହି ଦୁର୍ଗା ମନ୍ଦିର ପଥର ଉପରେ । ମୁଁ  ଠିକ ରାତି ସାତରେ ଘରୁ ଧାନଡୋଲିରୁ ମୁଣାଏ ଧାନ ବିକିଦେଇ ରାତି ଦଶରେ ପହଞ୍ଚି ଯାଏ ସରିତା ପାଖରେ । ସାଙ୍ଗରେ ନେଇଥାଏ ମୁଢି, ମିକ୍ସର, ତେଲ, ସାବୁନ, ନେଲପଲିସ, ଟିକିଲି ଇତ୍ୟାଦି । ବାସ ! ୟା’ପରେ ଗପର ପସରା ସେହି ପଥର ଉପରେ । ରାତିର ନିର୍ଜନତା ଆମ ପାଇଁ ଥିଲା ମଧୁଜାମିନି, ସକାଳ ପାହିବା ଆଗରୁ ସେ ଚାଲିଯାଏ ପାଚେରୀ ଡେଇଁ ହଷ୍ଟେଲ ଭିତରକୁ । ସରିତା ଟିକେ ମୋଟି, ତେଣୁ ତାକୁ ମୋ ହାତରେ ହି ଟେକି ଥୋଇ ପାଚେରୀ ପାର ହେବାକୁ ହୁଏ । ସମୟ ସାଥ ଦିଏ ହେଲେ ଏ ଦୁନିଆ ଭାରି ବେଇମାନି କରନ୍ତି । ଭାଙ୍ଗିଦିଅନ୍ତି ସୁନାର ସ୍ୱପ୍ନ କୁଟୀରକୁ । ସେୟା ହିଁ ହେଲା । ମୋ କକା ଥିଲେ ସ୍କୁଲର ସଭାପତି । କଥା ଯାଇ ତାଙ୍କ କାନରେ ପଡିଲା । ଏଥର ବିପଦ ମୋ ବଦଳରେ ସରିତା ଉପରକୁ ଆସିଲା । ସରିତାକୁ ନିଆଁପାଣି ବାସନ୍ଦ ପରି ବିଦ୍ୟାଳୟ ଏବଂ ହଷ୍ଟେଲରୁ ବାସନ୍ଦ କରାଗଲା । ମୁଁ ମୋ କକାଙ୍କ ପାଦଧରି ମୋତେ ବାସନ୍ଦ କରିବା ପାଇଁ କହିଥିଲି । କିନ୍ତୁ ସେ କିଛି ଶୁଣିଲେନି । ସରିତାର ପାଠପଢ଼ା ସେଦିନ ପ୍ରେମ ପାଇଁ ହିଁ ବନ୍ଦ ହୋଇଗଲା । ସେଦିନ ଥିଲା ଗଣେଶ ପୂଜା । ଘରୁ ହଳଦୀ ବିକି ନୂଆ ଡ୍ରେସ କିଣିଲି । ସରିତାକୁ ଅପେକ୍ଷା କଲି ବାରଖମ୍ବା ତୋଟା ପାଖେ । ଏଇପଟେ ସରିତା ଆସିବ କହିଛି । ସେ ଚାଲିଯିବ ତା ଜନ୍ମ ମାଟିକୁ । ଗାଁର ମହୁଲବନ ଶିଆଳିଲତା ତାକୁ ଡାକୁଛି- ଇନୁ ବାମୁ ଲା ବୁଡି ପାଠ ପଢି ଇନାଗିଦି ଇନୁ, ଇମ୍ବାଇ ଚାକରି ସିନେ ? ହଁ ଏଇଥିପାଇଁ କଣ ଗାଁକୁ ଚାଲିଯିବ ସରିତା ନା ଏ ପ୍ରେମ ପାଇଁ କଳଙ୍କିନି ହୋଇ ? ହଁ ଏକଥା କାହିଁ ବୁଝିବ ବିଧବା ସାନ୍ଦ୍ରଲୀ ।

ସରିତା ଆସୁଛି । ହାତରେ ପେଡିଟିଏ । ଭିତରେ କିଛି ଡ୍ରେସ ଆଉ ବହି । ମୋତେ ଦେଖି ପେଡି ଥୋଇଦେଇ, ଜାବୁଡି ଧରି ବହେ କାନ୍ଦିଲା ସେ । କାହିଁକିନା ଆଉ ଦେଖା ହେବା ଏତେ ସହଜ ନୁହେଁ । ଏଠୁ ତା ଗାଁ ଖୁବ ଦୂର । କେବେକେମିତି ଦେଖା ହୋଇପାରେ ନହେଲେ ନାହିଁ । ଇନାତିକି ଡ଼ି ମାଞ୍ଜିଲା,ଆନୁ ଇନା ବୁଡ଼ଜାରାଇ ନିଙ୍ଗି ?

ପୁଣି କୋହ ବଢିଗଲା ସରିତାର । ପିଲାଙ୍କ ପରି କାନ୍ଦିଉଠିଲା । ଲୁହ ପୋଛୁପୋଛୁ କହି ଉଠିଲା ସରିତା- ଏ ସତ କାତା ବେସ୍ତାମୁଁ ତୋ ଇନୁ ନାଙ୍ଗୀ ଅଦି ତ ?

ମୋ ଉତ୍ତର ଥିଲା- ହାଁ ଇନୁ ତୋ ନାନ୍ଦା ଜୀଉ ଆନୁ ଇସିଙ୍ଗାନା ପିହାନ ରାହୀଆଇ । ଅଟେ ଏସେ ଦିନା ସାଲବାକାରୀ ଆନୁ କାଲୁ ସିବାତିକି ବାଇ ଅଟେ ବାନି ବାର୍ଷା ଆମୁ ଡାଞ୍ଜିନା ଆତେ ।

ସମୟ ବିଳମ୍ବ ହେଉଛି । ସରିତାକୁ ଯିବାକୁ ହେବ କୋଡ଼ିଏ କିମି । ସାଙ୍ଗରେ ଯାଇ ଛାଡ଼ିଦେଇ ଆସିବି ବୋଲି କହିଲି ହେଲେ ସେ ମନାକଲା । ଗଲାବେଳେ ପଦେ କହିଗଲା- ସେ ସାଜି ମାଇଁ ଧନ ଇଦେ ନିଙ୍ଗି ଏଲୁ ଗିଆନା ରାହିଆବନ ଦିନେ ।

ବିଦାୟ ସରିତା । ଟା…… ଟା……. ଟା……..। ସରିତା ସାଳୁଆ ବନ ଭିତରେ ଆସ୍ତେଆସ୍ତେ ହଜିଗଲା ମୋ ଆଖିରେ ଅସରାଏ ଅଶ୍ରୁ ଦେଇ ।

ଏବେ ଦଙ୍ଗା ଶାନ୍ତ ପଡ଼ିଗଲାଣି । କେନ୍ଦ୍ର ପଠାଇଥିବା ସେନା ଛାଉଣୀରୁ ଗହଳ କମିଲାଣି । ଜଳି ଯାଇଥିବା ଘର, ଚର୍ଚ୍ଚ,ସଭାଗୃହ ମରାମତି ଆରମ୍ଭ ହେଲାଣି । ଭୟ ତେଜି ଗ୍ରାମମୁଖା ହେଲେଣି ଅନେକ ଗ୍ରାମବାସୀ । ନା ଆଉ ଗାଁ ଭଲ ଲାଗୁନି ଏ କରୁଣ ଦୃଶ୍ୟ ଦେଖି । ସହଜେ ତ ସରିତା ଏବେ ବହୁଦୂରେ, ସେ ଥିଲା ବୋଲି ତ ମୋ ଗାଁ ର ସକାଳ ରକ୍ତିମାବରଣ ଲାଗୁଥିଲା, ଛାମୁଣ୍ଡିଆରେ କଖାରୁ ଡଙ୍କାରୁ ହଳଦିଆ  ଫୁଲର ସୌନ୍ଦର୍ଯ୍ୟ ଥିଲା ଖାସ !

ହଁ, ମଝିରେମଝିରେ ସିନ୍ଦ୍ରିଗାଁ ଯାଇ ତାକୁ ଦେଖି ଆସୁଥିଲି । ସେ ରାନ୍ଧିଥିବା କୁଏରି ଆଉ ମାଣ୍ଡିଆ ପେଜରେ କ୍ଳାନ୍ତ ଦୂର କରି ପୁଣି ଫେରି ଆସୁଥିଲି ଗାଁକୁ । ସରିତା ଯିବାପରେ ମୋ ପାଠପଢ଼ାରେ ବି ଡୋରି ଲାଗିଗଲା । ମୁଁ ପୁନର୍ବାର ସେଇ ବାରବୁଲା ବାବୁଲା ସ୍ଥାନକୁ ଅଧିକାର କରିନେଲି । ସେଦିନ ଦଶହରା ଥିଲା । ସରିତା ଡାକିଛି ବାଲିଗୁଡା ଯାତ୍ରା ଦେଖିଯିବାକୁ । ମୁଁ କାନ୍ଦୁଲ ଗଣ୍ଡେ ବିକିଦେଇ ନୂଆ ଡ୍ରେସଟିଏ କରିନେଲି ତା ପାଇଁ । ସେଦିନ ଯାତ୍ରା ଦେଖିସାରି ଆସିଲାବେଳେ ଧବଳେଶ୍ଵର ପାହାଡ଼ ଉପରେ କିଛି ସମୟ ବିତାଇ ଆସିଥିଲୁ ଆମେ । ସରିତା ମୋ ଦେହରେ ଆଉଜି ଯାଇ ନେହୁରା ହେଉଥିଲା ଶୀଘ୍ର ବାହାଘର କଥା ଚିନ୍ତା କରିବାକୁ । ମୁଁ ବି କଥା ଦେଇ ଆସିଲି ଆସନ୍ତା ବର୍ଷକୁ ନିଶ୍ଚିତ ଆମ ବାହାଘର ହେବ ବୋଲି । ସମୟ ଥିଲା ଆମ ପାଇଁ ଅସହଯୋଗ । ସରିତାର ମାଙ୍କ ନିଷ୍ପତିରେ ସରିତାକୁ ଅନ୍ୟତ୍ର ବିବାହ କରିବା ପାଇଁ ବାଧ୍ୟ କରାଗଲା । ମୁଁ ଦାଦନ ରୂପେ ବେଙ୍ଗାଳୁରୁରେ ଥାଏ । ଗାଁରୁ ଫୋନ ଆସିଲା ଯେ ସରିତା ନିଜ ଅନିଚ୍ଛା ସତ୍ତ୍ୱେ ଅନ୍ୟତ୍ର ବିବାହ କରିନେଇଛି । ମୋ ପାଦତଳ ମାଟି ଖସିଗଲା । ଥକାମାରି ବସି ପଡ଼ିଲି । ସରିତା ତୁମେ କଣ ସତରେ ମୋତେ ମନ ଦେଇ ନଥିଲ ? ତୁମେ କଣ ଏ ପାଗଳ ପାଇଁ ଜନ୍ମ ନେଇ ନଥିଲ ?

ହୃଦୟକୁ ପଚାରିଲି ସରିତା କିଏ ? ସ୍ପନ୍ଦନର ତୀବ୍ରତା ହିଁ ମୋ ଉତ୍ତର ଥିଲା ଯେ ସରିତା ତୁମର ନୁହେଁ । ହେଲେ ମୁଁ ଜୀବନଠୁ ବି ଅଧିକା ଭଲପାଇବା ଦେଇଛି ତାକୁ, ମୋ ଗରିବପଣକୁ ବାଜିମାତ ଦେଇ ମୁଁ ଧାନ, ଚାଉଳ, କାନ୍ଦୁଲ, ହଳଦୀ ବିକି ତାକୁ ପାଠ ପଢିବା ପାଇଁ ସାହାଯ୍ୟ କରିଛି କାହିଁକି ? କାରଣ ସେ ମୋ ନିଜର ………..। ନା । ଏ ଝିଅମାନେ ସ୍ୱାର୍ଥପର । ଏମାନେ ମଣିଷକୁ ଗୋଲାମ କରି ସ୍ୱାର୍ଥ ହାସଲ କରନ୍ତି । ମୋର କଣ ଥିଲା ସ୍ୱାର୍ଥ ? ସେ କଳା କି ଗୋରା ପରଖିବା ପାଇଁ କେବେ ଏ ଆଖି ଚାହିଁନି । ରାତିର ଏକାନ୍ତରେ ଦେହର ଉଷ୍ମତା ଆଗରେ ମୋ ସଂଯମତା ଜିତିଯିବାର ହୋଇଛି, ପୁରୁଷଟିଏର ସ୍ୱାର୍ଥ କହିଲେ ନାରୀଦେହ ଯାହା ମୁଁ ଛୁଇଁବାକୁ ବି ସାହାସ କରିନି ।  ତେବେ ମୋର କଣ ସ୍ୱାର୍ଥ ଥିଲା ଯେ ସରିତା ଆଜି ଦୂରେଇ ଦେଲା ? ନା ମୋତେ ଓଡିଶା ଯିବାକୁ ପଡ଼ିବ । ପଚାରିବି ସରିତାକୁ । କାହିଁକି ସେ ଏପରି କଲା । ନିଜର ଆସବାବପତ୍ର ଧରି ପୁଣି ଗାଁକୁ ଆସିଲି । ଗାଁ ମାଟିରେ ସରିତା ବିନା ବଞ୍ଚିବା କଷ୍ଟକର ହୋଇ ପଡ଼ିଲା । ଭାବିଲି ମାମୁଁଘର ଟିକାବାଲି ଯାଇ ରହିବି । ପ୍ରଥମେ ସରିତାର ଗ୍ରାମକୁ ଯାଇ ଅନୁସନ୍ଧାନ କଲି ସରିତାର ବିବାହର କାରଣ । ହଁ ସେ ଆଉ କଣ କରିଥାନ୍ତା ! ବାପା ତ  ମଦ ଖାଇ ଝିଅକୁ ସମର୍ପଣ କରିଛି ବାଲ୍ୟବେଳେ । ଆଉ ଏବେ ତ ସେ ବାପାଛେଉଣ୍ଡ । ତେଣୁ ମା’ଙ୍କ ଅନୁରୋଧରେ ବିବାହ କରିନେଲା ଅନ୍ୟତ୍ର । ସବୁ ଶୁଣିବାପରେ ଚାଲିଆସିଲି ଟିକାବାଲି ମାମୁଁଘରକୁ । ଏବେ ସରିତା ଓ ମୁଁ ଭିନ୍ନଭିନ୍ନ ସମ୍ପର୍କରେ । ସେ ଖୁବ ଦୂରରେ ମୋଠାରୁ । ନା ଅଛି ଦେଖା ନା ସାକ୍ଷାତ । କେବଳ ଶୂନ୍ୟ ଅପରାହ୍ନରେ ଜୀଇଁବା ଶିଖୁଛୁ ଆମେ ଦୁହେଁ ।

ସରିତା ବିବାହ କରିବାର ଗୋଟାଏ ବର୍ଷ ହୋଇଗଲାଣି । ସ୍ୱାମୀ ବୋଲି ଯାହା ହାତ ଧରିଲା ସେ ମଧ୍ୟ ଅଷ୍ଟବାଳୁଙ୍ଗା । ଦିନରାତି ମହୁଲି ନିଶାରେ ତା ଦୁନିଆ । ଏପଟେ ମୋତେ ଦୂରେଇ ରହିବା ବି ସରିତା ପକ୍ଷେ କଷ୍ଟକର ହୋଇଗଲାଣି । ସେଦିନ ଥିଲା ହୋଲିପର୍ବ । ସକାଳୁ ମାମୁଁଘର ପଡୋଶୀଙ୍କ ସହ ହୋଲି ଖେଳିବି ବୋଲି ଟିକାବାଲି ବଜାର ଯାଇ ସବୁ ପ୍ରକାର ରଙ୍ଗ ନେଇ ଆସିଲି । ହଠାତ ଫୋନ ଆସିଲା ଜଣେ ବନ୍ଧୁଙ୍କ ନିକଟରୁ ଯେ ମୋ ସରିତା ଆଉ ଏହି ଦୁନିଆରେ ନାହିଁ । ସେ ଚାଲିଗଲା ଏକ ନୂଆ ଦୁନିଆକୁ ସଭିଙ୍କୁ ପର କରି । ସ୍ୱାମୀ ପ୍ରେମିକ ସଂସାର ମା ମମତା ଏସବୁ ଆଗରେ ତା ନବନିର୍ବାଚିତ ସ୍ଥାନ ହିଁ ତା ପାଇଁ ବୋଧେ ମହାନ ଥିଲା । ନାରୀ ଜନ୍ମର ମହତ୍ତ୍ୱ ମାତୃତ୍ୱର ଅଭିଳାଷ ସବୁ କିଛି ତା ପାଇଁ ତୁଚ୍ଛ ଥିଲା । ସେ ଚାଲିଗଲା ସେହି ଦୁନିଆକୁ ଯେଉଁଠି ତାହାର ଶାନ୍ତି ଅଛି,ଯେଉଁଠି ଏ ଦୁନିଆର ଲୋକ ନାହାନ୍ତି । କେବଳ ସେ ସ୍ଵାଧୀନତା ହିଁ ପାଇବ ସେ ଦୁନିଆରେ । ହୋଲିରେ କମ୍ପୁଛି ଟିକାବାଲି ସହର । ମାମୁ ଖୋଜୁଛନ୍ତି ମୋତେ । ସାଙ୍ଗସାଥି ଖୋଜୁଛନ୍ତି ଅଜୟ କେଉଁଠି । କଣ ବା କରିଥାନ୍ତି ମୁଁ ? ଭିତରପଟୁ କବାଟ କିଳି ମୁଁ ଜାବୁଡି ଧରିଥିଲି ସରିତାର ଫୋଟକୁ ଆଉ ଢାଳିଦେଉଥିଲି ହୃଦୟର ଅକୁହା ବେଦନାର ଅଶ୍ରୁଧାର । ସେଦିନ ମାମୁ ପ୍ରଥମଥର ପାଇଁ ଜାଣିଲେ ଯେ ମୁଁ କାହାକୁ ଗୋଟେ ଭଲପାଇ ହାରିଯାଇଛି । ମୋତେ ବୁଝାଇଥିଲେ- ଦେଖ ଅଜୟ ଏ ଦୁନିଆରେ କିଏ କାହାପାଇଁ ତିଆରି ହୋଇଛି ତାହା କେବଳ ଭଗବାନଙ୍କ ଇଚ୍ଛାରେ ହିଁ ଆବିଷ୍କାର । ତେଣୁ ମନ ଦୁଃଖ କରନା । ଦୁନିଆ ବଦଳିବା ସହ ତୁ ବି ବଦଳିବୁ । ଏହାପରେ ମୁଁ ଘରକୁ ଚାଲି ଆସିଲି । କିଛିଦିନ ପର୍ଯ୍ୟନ୍ତ ଠିକରେ ଖିଆପିଆ ମଧ୍ୟ କଲିନି । ଆସ୍ତେଆସ୍ତେ ସରିତାକୁ ଭୁଲିଯିବା ପାଇଁ ଚେଷ୍ଟା କରୁଛି । ହେଲେ ପାରୁନି । ଇତି ମଧ୍ୟରେ ସରିତା ବିଷୟରେ ବହୁତ ତଥ୍ୟ ପାଇଛି । ସରିତା ଜୀବନରେ କେବଳ ମୋତେ ହିଁ ଭଲପାଇଛି । ବିବାହ କରି ମଧ୍ୟ ସେ ମୋତେ ହିଁ ଅପେକ୍ଷାରେ ଥିଲା । ଦୁନିଆର ଅପବାଦ ନିଜର କରିପାରିବନି ବୋଲି ସେଦିନ ସେ ନିଜ ଘରେ କେହି ନଥିଲା ବେଳେ ଦଉଡି ଖଣ୍ଡେରେ……………….ନା ଆଉ କୋହ ଚାପି ହେଲାନି । ମୋ କାନ୍ଦିବା ଦେଖି ସଞ୍ଜୟ ବି କାନ୍ଦି ପକାଇଲା । ଆଶ୍ୱାସନ ଦେଇ କହିଲା- ଏ କଣ ଅଜୟ ! ଛାତି ତଳେ ଏତେ ଯନ୍ତ୍ରଣା ? ତୋ ସରଳ ହୃଦୟେ ଏତେ କଷ୍ଟ ? ଆଉ ତୁ ଆଜିଯାଏ ଏକାଏକା ସହି ଚାଲିଛୁ ? ହଉ ସେ ସରିତା ତ ଆଜି ବହୁଦୂରରେ । ହେଲେ ତୋର ତ ଭବିଷ୍ୟତ ଅଛି ! ଆଗକୁ ଚିନ୍ତା କରେ । ଆ ଘରକୁ ଯିବା । ରାତି ଅନେକ ହେଲାଣି । ମୁଁ ଯିବାକୁ ଉଦ୍ୟତ ହୁଅନ୍ତେ ନଜର ପଡିଗଲା ସେ ସ୍କୁଲ ପାଚେରୀ ଉପରକୁ ଜହ୍ନ ଆଲୁଅରେ ଲାଲ କପଡା ଭିଡା ଇଟା ଖଣ୍ଡିକ ଝାପ୍ସାଝାପ୍ସା ଦିଶୁଛି । ଆଉ ପାଚେରୀ ସେପଟେ ଥିବା ଫୁଲଗଛର ଶୀର୍ଷ ଭାଗ ଠିକ ସରିତାର କେଶ ପରି ଲାଗୁଛି । ମୁଁ କେବଳ ହାତଠାରି ବିଦାୟ ଦେଉଥାଏ । ସାଜି ମାଇଁ ସରିତା ନାଡାଙ୍ଗ ଡ଼ିଙ୍ଗିନେ ମେହେମୁ ।

ବାଙ୍ଗାଲୋର, କର୍ଣ୍ଣାଟକ, ଫୋନ: ୮୨୮୦୯୧୩୯୬୬

ଲେଖକ ପରିଚୟ

ସାହିତ୍ୟକୁ ନିଜ ସହ ଯୋଡ଼ିବା ପାଇଁ ମୋ ଯୌବନ ହିଁ ସାଥ ଦେଇଛି । ମହାବିଦ୍ୟାଳୟରୁ କବିତା ଲେଖା ଆରମ୍ଭ । ପ୍ରେମରେ ବିଫଳତା ମୋ ସାହିତ୍ୟ ଜୀବନ ପାଇଁ ଆଶୀର୍ବାଦ । ଆଧୁନିକ ଯୁବପିଢିରେ ଜଣେ ପ୍ରେମ, ବିରହ ଓ ଶୃଙ୍ଗାର କବି ରୂପେ ପରିଚିତ ହେବା ସହିତ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହ ଜଡ଼ିତ । ଅନ୍ୟ ଏକ ବିଶେଷତ୍ୱ ହେଲା ଲୋକକଳା ଓ ପାରମ୍ପରିକ ଆଦିବାସୀ ନୃତ୍ୟ ପ୍ରବୀଣ । ଏଥିପାଇଁ ବିଶ୍ୱ ମୁକ୍ତ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜ କଂସଙ୍କ ଦ୍ଵାରା ସମ୍ବର୍ଦ୍ଧିତ ମଧ୍ୟ । ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ସଚେତନତା ମୂଳକ ପଥପ୍ରାନ୍ତ ନୃତ୍ୟର ସଫଳ କାର୍ଯ୍ୟନିର୍ବାହ ପାଇଁ ପୂର୍ବରୁ ପୁରସ୍କୃତ ।

Related Posts

Leave a Reply

Your email address will not be published. Required fields are marked *