ସରୋଜ ବଳ

ନା ମୁଁ ପଢ଼ିଛି ରେଭେନ୍‍ସାରେ
ନା ମୁଁ ଗୀତଗାଇଛି ଆକାଶବାଣୀରେ
ନା କରିଛି ମହାନଦୀରେ ଜ୍ୟୋତ୍ସ୍ନାବିହାର
ନା କଟକଚଣ୍ଡୀଙ୍କ ପଥରବାଘର ଆଁ ଭିତରେ
ହାତ ପୂରାଇ ହସିଛି ନିଜ ଭାଗ୍ୟ ଉପରେ

ତଥାପି କଟକ ଅଟକାଏ ସବୁଥର
ଅନ୍ୟମନସ୍କ କରେ ରିଂରୋଡ୍‍ର ପବନ ଓ ବାଲି
ବାଦାମବାଡ଼ିର ହାଉଯାଉ ଭିଡ଼ ଭିତରେ
କିଏଗୋଟେ ମୋ ନାଁ ଧରି ଡାକେ ଆଉକାହାକୁ
ମୁଁ ପଛକୁ ଚାହେଁ ବାରବାର ବୁଲି

କଟକ ଅଟକାଏ ଗୋଟେ ହଜିଯାଇଥିବା
ଦ୍ବିପହର ଧରେଇଦେଇ ମୋ ହାତରେ
ସେଲଟର୍‍ ଛକରେ ବାଟବଣା ହେଇଥିବା ସଂପର୍କ
ଓ କାଠଯୋଡ଼ି ବାଲିରେ ଓଲଟିପଡ଼ିଥିବା ଡଙ୍ଗା ପରି
ମୁଁ ସ୍ଥବିର ହୋଇ ଠିଆହୁଏ
ସବୁଜବତି ଜଳୁଥିବା ଟ୍ରାଫିକ୍‍ ଛକରେ

ଖାନ୍‍ନଗର ମଶାଣିକଡ଼ ପାର୍କରେ
ଦିନେ ମନାକରିଥିଲା ସଂଜର ପବନ
ପୋଡ଼ାମଣିଷର ଗଂଧ ବୋହିଆଣିବାକୁ ଆମ ମଝିକୁ
କାରଣ ଆମେ ସେଦିନ ଛିଞ୍ଚୁଥିଲୁ ପ୍ରେମର ପରଫ୍ୟୁମ୍‍
କଟକର କାଖତଳ ଜାମାରେ ଓ
ଶରତ ନାୟକଙ୍କ ଷ୍ଟୁଡିଓରେ ବସି ଚା’ ପିଉପିଉ ଭାବୁଥିଲୁ
ବାହାରେ ବର୍ଷା କେମିତି ଈର୍ଷାରେ ମରିଯାଇପାରେ

ଶତାବ୍ଦୀଭବନର ମଂଚକୁ ଅଚାନକ କେବେ
ଉଠିଆସିବେ କି ଅକ୍ଷୟ ମହାନ୍ତି ହାର୍ମୋନିୟମ ଧରି
ମୁଁ କବିତା ଶୁଣୁଶୁଣୁ ଭାବେ, ଅମରେଶ ପଟ୍ଟନାୟକଙ୍କର
ଚହଟା ଘାଟରେ ବିଜୟ ମଲ୍ଲଙ୍କ ଧଳାଦାଢ଼ି ଓ
ଲାଲ ଅବିରରେ ଦେବୀଦତ୍ତ ମହାନ୍ତିଙ୍କ ମୁହଁ ମୋତେ ଲାଗେ
ସବୁଦିନ କଟକରେ ଚାଲିଛି ଫଗୁଖେଳ ଓ ମନଚୋରି

କଟକର ପ୍ରେମିକାମାନେ ବାହାହେଇଗଲେଣି କେବେଠୁ
ଓ ତଥାପି କାହିଁକି ଲିଙ୍କରୋଡ ଫ୍ଲାଏଓଭର୍‍ ଉପରେ
ଦ୍ରୁତଗତିରେ ଗାଡ଼ି ନେଇ ଯିବା ବେଳେ
ବ୍ରେକ୍‍ ଉପରେ ଲଦି ହେଇଯାଏ ପାଦ, ଯେମିତି ଲଦିପଡ଼େ
କଉଣସି ଝିଅର ଆମ୍ବୁଆଳି ଛାତି, ବାଇକ୍‍-ଟୋକାର ପିଠିରେ

ଜ୍ଞାନୀ ଆଜିକାଲି ଛାଡ଼ିଦେଲାଣି ପିଆପିଇ ଓ ନେତାଜୀର
ବାପା ହେବା ପରଠୁ ଦେଖାନାଇଁ
ସେଇ ମର୍ମନ୍ତୁଦ ଦୁର୍ଘଟଣା ପରଠୁ ଡାକ୍ତର ଅମିୟ ବି
ବୁଲୁଛନ୍ତି କରୁଣତମ ଅନୁଭବର ଶବ୍ଦ ହୋଇ
ସରୋଜ ମହାନ୍ତି ଆଉ ବୁଝୁନାହାନ୍ତି ଝଙ୍କାର
ଗୀତ ଛାଡ଼ି ମୋହିତ ଦା’ ମାରିଲେଣି କବିତାର କାତ
ରେଡିଓ ଷ୍ଟେସନ୍‍ ଛାଡ଼ିବାପରେ
ନମ୍ବର ଲାଗୁନାଇଁ ଆଉ ମୃତ୍ୟୁଞ୍ଜୟ ସାମଲଙ୍କର
ଝୁମ୍ପା ଏବେ ମାତିଛି କୁଟୀରଶିଳ୍ପରେ, ଲେଖାଲେଖି ଛାଡ଼ି
ମୋର ତ କୋଉକାଳୁ ସେଇ ଟୋପି, ସେଇ ଦାଢ଼ି

କଟକରେ ପାଦଦେଲେ ଯଦିଓ
ସକାଳର କୁକୁଡ଼ା ପରି ଡାକେ ଆଲମଚାନ୍ଦ ବଜାର, ହେଲେ
ଦେବଦାସ ଛୋଟରାୟ ଆଜିକାଲି ବେଶି ଦିଲ୍ଲୀରେ
କିଏ ଶୁଣୁଛି ରେଡିଓରୁ ତାଙ୍କ ଗୀତ ଏବେ
ହିଙ୍ଗ୍‍ଡିଆ ଭାଷାର ମେସଅପ୍‍ ଭିଡ଼ରେ
ସେ ଗୀତ ବି କୋଉ ଗୀତରେ ଗଣା
ୟୁଟ୍ୟୁବର ମିଲିଅନ୍‍ ଭିଉ ହେବାର ଯୋଗ୍ୟତା ନଥିଲେ

ସବୁଥର ଫେରିଲାବେଳେ କଟକରୁ, ଭାବେ
କଟକ ମୋର କିଏ କି?
ମୁଁ କାହିଁକି ଫେରେ ବାରବାର ଏଠିକି
ନା ମୋର ଜନ୍ମସ୍ଥାନ, ନା ମୋର ଚାକିରି
ନା ଷ୍ଟାଡିଅମ୍‍ ବାହାର ଦହିବରା ମୋର ପ୍ରିୟ
ନା ରହେ ମୋ ଅଭିସାରିକା ଏଠି
ଫଟା ଜିନ୍‍ସ ଓ ମୋଟା ଫ୍ରେମ୍‍ର ଚଷମା ନାଇ
ଯାହାର ଦୁଇ ଓଠ ମହାନଦୀ ଓ କାଠଯୋଡ଼ି ହୋଇ
ତରଳୁଥାନ୍ତି ଦ୍ବିପହର ଉଜ୍ଜ୍ବଳ ଖରାରେ
ଓ ମୁଁ ହଲୁଥିବା ଦାନ୍ତ ଭଳି ଧପାଲୁଥାଏ
ସେ ଦୁଇ ଓଠ ମଝିରେ ବିଫଳ ପ୍ରେମିକଟେ ପରି!

କେଡ଼େ ଛଟକରେ କଟକ
ମୋ ଛାତିଯାଏ ରାସ୍ତାଟିଏ ଗଢ଼ିଦେଲାଣି ଦେଖ
ଆଉ ସେ ରାସ୍ତାରେ ଟ୍ରାଫିକ୍‍ ପୋଲିସ ହୋଇ
ଅଟକାଉଛି ମୋତେ ମୋରି ସ୍ମୃତି…
ତମେ କଣ ଜାଣିନ
ଏ ଲଗାମଛଡ଼ା ସ୍ମୃତିର କରାମତି ?

ବରମୁଣ୍ଡା, ଭୁବନେଶ୍ୱର

ଲେଖକ ପରିଚୟ

ସିନ୍ଦୂରା, ଭୋର୍‍, ବାଣୀବିକାଶ, ରେବତୀ, ଗଳ୍ପପତ୍ରିକା, ପୁସ୍ତକମେଳା ହାଲଚାଲ୍‍, ମତ, ସାମ୍ନା ଆଦି ପତ୍ରିକାର ସଂପାଦକ ଓ ‘ଟାଇମ୍‍ପାସ୍‍’ ପ୍ରକାଶନର ନିର୍ଦ୍ଦେଶକ ଭାବେ ସେ ସାହିତ୍ୟ ମହଲରେ ସୁପରିଚିତ ତଥା ସମକାଳୀନ ଓଡ଼ିଆ କବିତା ଓ କଥାସାହିତ୍ୟରେ ଜଣାଶୁଣା ନାମ ସରୋଜ ବଳ । ୧୪ଟି କବିତା ସଂକଳନ, ୪ଟି ଗଳ୍ପ ପୁସ୍ତକ ଓ ଗୋଟିଏ ଉପନ୍ୟାସ ସହ କେତେଗୁଡ଼ିଏ ଅନୂଦିତ ଓ ସଂକଳିତ ପୁସ୍ତକର ସେ ରଚୟିତା । ସାହିତ୍ୟ କୃତି ପାଇଁ ଅନେକ ରାଜ୍ୟ ସ୍ଥରୀୟ ପୁରସ୍କାର ଓ ସମ୍ମାନ ପାଇବା ସହିତ ଚିତ୍ରକଳା, ଫଟୋଗ୍ରାଫି, ସଙ୍ଗୀତ ନିର୍ଦ୍ଦେଶନା, ଗାୟନ, ଅଭିନୟ, ବୃତ୍ତଚିତ୍ର ନିର୍ମାଣ ଓ ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ସେ ସକ୍ରିୟ ।

Related Posts

Leave a Reply

Your email address will not be published. Required fields are marked *