ଦେବେନ୍ଦ୍ର ଲାଲ
‘ଭାଷା’ ନିଜେ କେବେ ବଞ୍ଚେ କି ?
ନା, ଭାଷାକୁ ବଞ୍ଚାଇବାକୁ ହୁଏ !
ଭାଷାକୁ ବି ପଶୁ, ପକ୍ଷୀ, କୀଟ-ପତଙ୍ଗ ଓ ସରୀସୃପ ଭଳି
ପ୍ରବଳ ଭୋକ ହୁଏ;
ରୋଗ ବି ହୁଏ ଭାଷାକୁ ଖୁବ୍
ଯେମିତି ମଣିଷକୁ ହୁଏ
ଜ୍ୱର, ଗଣ୍ଠିବାତ, ଉଦରପୀଡ଼ା, ହୃଦଘାତ, ଶର୍କ୍କରା ଇତ୍ୟାଦି
ଏବଂ କେଉଁଠିକେଉଁଠି
ଗୁପ୍ତରୋଗର ବି ଖୁବ୍ ଶିକାର ହୁଏ ଭାଷା
ଏଡସ୍, ଗନେରିଆ ଓ ସିଫ୍ଲିସ୍ ଭଳି
ପୁଣି କେବେକେବେ ସଙ୍କ୍ରମଣର ବି ଶିକାର ହୁଏ ଭାଷା…
କେଉଁଠିକେଉଁଠି ତ’ ଭାଷାକୁ
ଟାଣିଓଟାରି ଜୋର୍ ଜବରଦସ୍ତି କରିଦିଆଯାଏ ଅନ୍ଧ, ବିକଳାଙ୍ଗ…
କେଉଁଠି ପୁଣି ଅପମାନିତ କରାଯାଏ ଖୁବ୍ ଭାଷାକୁ
କେହିକେହି ତ’ ଅଲିଖିତ ନିୟମ ସବୁ କରି
ଝୁଲାଇ ଦିଅନ୍ତି ଫାଶୀ ଖୁଣ୍ଟରେ ନିରୀହ ଭାଷାକୁ…
କେଜାଣି ଅତୀତରେ ଏଇମିତି କେତେ ଯେ’ ଭାଷାର ଅକାଳ ମୃତ୍ୟୁ ଘଟିସାରିଛି
କେଜାଣି ଆଗକୁ କେତେ ଯେ’ ଘଟିବାର ବାକି ଅଛି… କେଜାଣି ?
ହେଲେ ମୋର ଈଶ୍ଵରଙ୍କୁ ପ୍ରାର୍ଥନା, ଈଶ୍ଵରଙ୍କ ପୂର୍ବରୁ
ଏଇ ମଣିଷକୁ ମୋର ପ୍ରାର୍ଥନା
ବିଶ୍ଵର ପ୍ରତିଟି ଭାଷାକୁ ଜୀବିତ ରଖାଯାଉ ନିଜର ଭାବି
ଭାଷାକୁ ନେଇ ଯୁଦ୍ଧ ନହେଉ କେଉଁଠି
ଭାଷାକୁ ନେଇ କେଉଁଠି କେଉଁ ବିବାଦ ନଉପୁଜୁ
ଝିମାଣି ଖେଳରୁ ମହାଭାରତ ହେଲା ଭଳି
କେଉଁ ଭାଷା ବି କାରଣ ନହେଉ କାହାରି ଦୁଃଖର,
କାହାରି ଲୁହର, କାହାରି ଭୋକର…
ପ୍ରତିଟି ଭାଷାରେ ମଣିଷ ସୁନ୍ଦର କରି ଗୀତ ଗାଉ, ସ୍ୱର କରି
କଥା କହୁ,
ପ୍ରତିଟି ଭାଷାର କାହାଣୀ ଶୁଣନ୍ତୁ
ପ୍ରତିଟି ଦେଶର, ପ୍ରତିଟି ପ୍ରାନ୍ତର ସୁକୁମାରମତି ଶିଶୁମାନେ
ଓ ପ୍ରତିଟି ଭାଷାର ମିଳିତ ଉଚ୍ଚାରଣ ଧ୍ୱନିତ କରୁ…
ପୃଥିବୀର ଜୟ ହେଉ !
ପୃଥିବୀର ଜୟ ହେଉ !!
ପୃଥିବୀର ଜୟ ହେଉ !!!
କେସିଙ୍ଗା, କଳାହାଣ୍ଡି
ଲେଖକ ପରିଚୟ
ଜଣେ କବି ଯିଏ ଭଲ ପାଇବା ଶିଖୁଛି । ପ୍ରେମକୁ ବୁଝୁଛି । ପାଖାପାଖି ୩୦ ବର୍ଷ ହେବ କବିତା ଲେଖୁଛି ।