‘କାଦମ୍ବିନୀ’ ସାହିତ୍ୟ ପତ୍ରିକାର ରୌପ୍ୟ ଜୟନ୍ତୀ ସମାରୋହ

ଭୁବନେଶ୍ୱର : ମାସିକ ଓଡ଼ିଆ ପତ୍ରିକା କାଦମ୍ବିନୀର ରୌପ୍ୟ ଜୟନ୍ତୀ ସମାରୋହ ସ୍ଥାନୀୟ ଏକ ଘରୋଇ ହୋଟେଲରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଭାରତୀୟ ଶାସ୍ତ୍ରୀୟ ଭାଷା ମଧ୍ୟରେ ଓଡ଼ିଆ ଭାଷାର ଏକ ସମୃଦ୍ଧ ଇତିହାସ ରହିଛି ବୋଲି କହିଛନ୍ତି । ଓଡ଼ିଆ ଭାଷା ହେଉଛି ସାଂସ୍କୃତିକ ଅଭିବ୍ୟକ୍ତି ଓ ଭାବନାର ଅପୂର୍ବ ଭଣ୍ଡାର । କାଦମ୍ବିନୀ ବରିଷ୍ଠ ଲେଖକଙ୍କୁ ସମ୍ମାନ ଦେବା ଓ ନବୀନଙ୍କୁ ପ୍ରୋତ୍ସାହନ ଦେବା ଏକ ପ୍ରଶଂସନୀୟ କାର୍ଯ୍ୟ ବୋଲି ସେ କହିଥିଲେ । ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରସାର ଓ ପ୍ରଚାର କ୍ଷେତ୍ରରେ କାଦମ୍ବିନୀର ଉଲ୍ଲେଖନୀୟ ଅବଦାନ ରହିଛି । ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ମନଲାଖି ଲେଖାସବୁ କାଦମ୍ବିନୀରେ ପ୍ରକାଶିତ ହେଉଥିବାରୁ ଏହା ଜନାଦୃତ ହୋଇପାରିଛି ବୋଲି ସେ କହିଥିଲେ ।

ପ୍ରାରମ୍ଭରେ ସ୍ୱାଗତ ଭାଷଣ ଦେଇ କାଦମ୍ବିନୀ ଓ କୁନିକଥାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ ଯେ କାଦମ୍ବିନୀ ପତ୍ରିକାରେ ୨୫ ବର୍ଷ ମଧ୍ୟରେ କୌଣସି ଲେଖାକୁ କେହି ବି ସମାଲୋଚନା କରିନାହାନ୍ତି । ବର୍ଷ ସାରା କାଦମ୍ବିନୀ ପକ୍ଷରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ରୌପ୍ୟ ଜୟନ୍ତୀ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାର ୨୫ଜଣ ଯୁବ ସାହିତ୍ୟିକଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଗବେଷଣା ନିମନ୍ତେ ଫେଲୋସିପ ପ୍ରଦାନ କରାଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଭାରତୀୟ ଡାକ ବିଭାଗ ପକ୍ଷରୁ ଜାରି କରାଯାଇଥିବା କାଦମ୍ବିନୀ ରୌପ୍ୟ ଜୟନ୍ତୀ ସ୍ମାରକୀ ଡାକ ଟିକଟ, କାଦମ୍ବିନୀ ରୌପ୍ୟ ଜୟନ୍ତୀ ସଂଖ୍ୟା ଓ କୁନିକଥା ଜୁଲାଇ ସଂଖ୍ୟାର ଉନ୍ମୋଚନ କରାଯାଇଥିଲା ।

Related Posts

Leave a Reply

Your email address will not be published. Required fields are marked *