ଅପର୍ଣ୍ଣା ସିଂହ

ତା ଗାଁରେ ସୂରୁଜ ବୁଡିଲେ
ନିଇତି ସଞ୍ଜ ଆସେ ନଇଁ ନଇଁ,
ଏପଟେ ତା ଅପେକ୍ଷାରେ ମୋ ଗାଁର
କେତେ ଯେ ସଞ୍ଜ ଗଲା ପାହି,
ତାର ହିସାବ ମୋ ପାଖେ ନାହିଁ।

ତା ଗାଁ ମନ୍ଦିର ସୁନ୍ଦର ଦିଶେ
ସଞ୍ଜ ଆଳତୀରେ ସଜେଇ ହେଇ,
ମୁଁ ବି ସଜାଏ ଆଳତୀର ଥାଳି
ହେଲେ ମୋ ମନର ଦେବତା
ମୋ ମନ୍ଦିରେ ଆସେ ନାହିଁ ।

ସେ ହସେ ସଞ୍ଜୁଆ ତାରା ଆଉ
ପୁନେଇ ଚାନ୍ଦକୁ ପାଖରେ ପାଇ,
ସେ କିବା ଜାଣେ ତା ବିନା
ମୁଁ ସଞ୍ଜ କାଟେ
ଅମାବାସ୍ୟା ଜହ୍ନକୁ ସାଙ୍ଗରେ ନେଇ ।

ତା ଗାଁ ଘର ସବୁ ସୁନ୍ଦର ଦିଶଇ
ଯେବେ ସେସବୁକୁ ସଞ୍ଜ ଯାଏ ଛୁଇଁ,
ମୁଁ ହିଁ ଅଭାଗିନୀ ସଞ୍ଜକୁ ଝୁରେ
ତା ବିନା ଏବେ ସଞ୍ଜ ଆସେନି
କି ମୋ ଜୀବନେ ଜୀବନ ନାହିଁ ।

ସେ କିବା ଦେଖିପାରେନା
ତା ଅଗଣାର ସଞ୍ଜବତୀକୁ
କେମିତି ଜଳିଜଳି ପାଉଁଶ ହୁଏ,
ଶୁଣି ନେ କାହିଁକି ସେ ତା ମନକଥା
ଯେ ସେ ତାକୁ ହିଁ ଭଲପାଏ ଭଲପାଏ ।

ରଘୁନାଥଗଞ୍ଜ, ମୟୂରଭଞ୍ଜ

ଲେଖକ ପରିଚୟ

ସାହିତ୍ୟ ମୋର ମାଆ । ସେ ମୋର ପ୍ରତିଟି ରକ୍ତ ବିନ୍ଦୁରେ ପ୍ରବାହିତ । ସାହିତ୍ୟ ବିନା ଏ ଶରୀର ଶବ । ପ୍ରଥମରୁ ମୁଁ ଜଣେ ବକ୍ତାଟିଏ ହିଁ ଥିଲି । ରାଜ୍ୟସ୍ତରୀୟ ଓଜସ୍ଵିନୀ ଓଡ଼ିଶାରେ କଟକର ଶହୀଦ୍ ଭବନ ଠାରେ ୨୦୧୮ ମସିହାରେ ପ୍ରତିଭା ରାୟ ମାଡ଼ାମଙ୍କ ସହ ଭେଟିଲା ପରଠାରୁ ଲେଖାଲେଖି ପ୍ରତି ମୋର ଆଗ୍ରହ ଆହୁରି ଦୃଢ଼ ହେଲା ଏବଂ ପ୍ରତିଭା ରାୟ ମାଡ଼ାମଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲି ମୁଁ । ମୋର ଏଯାଏଁ ଗୋଟିଏ ବି ପୁସ୍ତକ ପ୍ରକାଶିତ ହୋଇନାହିଁ କିନ୍ତୁ ଚେଷ୍ଟା ଓ ଆଶା ରଖିଛି ।

Related Posts

Leave a Reply

Your email address will not be published. Required fields are marked *