ବିଜୟଲକ୍ଷ୍ମୀ ଦାଶ
ଶବ୍ଦର ତରଙ୍ଗଟିଏ
ବେଳୁ ବେଳ ବଢୁଥାଏ
ତୁମକୁ ଛୁଇଁବାକୁ ଯାଇ
ବାରବାର ଫେରୁଥାଏ
ପ୍ରତିଥର ହାର ପରେ
ନିରାଶାଟେ ଘାରୁଥାଏ
ସୁଖ ଦୁଃଖ ଯା’ ଯେତେ
ପ୍ରତିକ୍ରିୟା କରୁଥାଏ
ରାଗେ କେବେ କେବେ କାନ୍ଦେ
କେବେ ପୁଣି ଡରୁଥାଏ
ପାପୀ(ତୁଚ୍ଛା ଭୟ ଗୋଟେ) ଟିଏ ବୋଲି କିବା
ବାରବାର ହାରୁଥାଏ ??!!
ତୁମ ମୁହଁରେ ହସ ଖଣ୍ଡେ
ସେଇମିତି ଲାଖିଥାଏ
ଶୂନ୍ୟ ହୋଇ ଯିବାକଥା
କେମିତି ମୁଁ ଭୁଲି ଯାଏ ?!
ଆତ୍ମହରାଠାରୁ ଆତ୍ମଗ୍ଲାନି
ସବୁ ରାସ୍ତା ସରିଯାଏ
ଅନ୍ତହୀନ ପ୍ରତିକ୍ଷାରେ
ମନ ମୋର ମରିଯାଏ ।
ବେଳ ରତରତ ଫେରିବାକୁ ହେବ
ଭାବୁଛି ଏବେ ମୁଁ କିଏ ?
ଆସିଲି କେଉଁଠୁ ଯିବି କେଉଁଠିକୁ
ହଜାଇ କାହାକୁ ଖୋଜୁଥାଏ ?
ଏବେ ନିଶବ୍ଦ ପୃଥିବୀ,ନିର୍ଲିପ୍ତ ମୁଁ’ଟିଏ
ଶୂନ୍ୟ ପଥେ ଚାହିଁ ରହେ
ପ୍ରବାହମାନ ଅସଂଖ୍ୟ ତରଙ୍ଗର ସ୍ପର୍ଶ
ବ୍ରହ୍ମାଣ୍ଡ କି ବାର୍ତ୍ତା ଦିଏ !!??
ନିଦ୍ରା ଭାଜେ ଅବା ଜୀବ ଜାଗେ
ଜଗତ ତୁମମୟ ହୁଏ
ଛୁଇଁଗଲ କି ପ୍ରିୟ ? କ୍ଷଣୁ କ୍ଷଣ
ମୁଁ’, ‘ତୁମେ’ ହେଉଥାଏ ।
ସାଇକୋଥେରାପିଷ୍ଟ, ଢେଙ୍କାନାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ
ଲେଖକ ପରିଚୟ
ଜଣେ ମନୋଚିକିତ୍ସକ ହେତୁ ଯେକୌଣସି ବ୍ୟକ୍ତି ଏବଂ ବ୍ୟକ୍ତିତ୍ଵଙ୍କୁ ଖୁବ୍ ପାଖରୁ ପଢିବାକୁ ଭଲ ପାଆନ୍ତି ସେ । ସେସବୁ ଆଧାର କରି ଲେଖାଲେଖି ବି କରନ୍ତି । ଲେଖିବା ଗୋଟେ ବହୁତ ଭଲ ଅଭ୍ୟାସ ବୋଲି ତାଙ୍କର ମତ । ଲେଖିବା ଦ୍ଵାରା ମସ୍ତିଷ୍କ କ୍ରିୟାଶୀଳ ରହିବା ସହିତ ଅବଚେତନ ମନରେ ଥିବା ଦ୍ୱନ୍ଦ ଓ ଚାପ ମଧ୍ୟ ହ୍ରାସ ପାଇଥାଏ । ଲେଖିବା ଏକ ବଢିଆ ଷ୍ଟ୍ରେସ୍ ରିଲିଭର୍ ବୋଲି ସେ କୁହନ୍ତି ।