ଦୀପ୍ତି ଦାସ
ପିଠି କରି ବସିଛି ପୋଖରୀର
ଅହଙ୍କାରୀ ନୀର
ପଦୁଅଁ ପତର ବିନତି କରେ
ପାଶେ ଥାଇ ତୁ ମୋର ।
କିଆଁ ରହୁ ଏତେ ଦୂର
ସାଥି ବିହୀନ ସେ
ରହିଥାଏ ଉର୍ଦ୍ଧମୁଖ
ଝରାଇ ଦେବ କି କାଳେ
ବର୍ଷା ପାଣି ବୁନ୍ଦାଟିଏ
ନହୋଇ ବିମୁଖ ।
କପଟମୟୀ ବର୍ଷା ଆସେ କରି ଛଳ
ଧରି ସାଥେ ପଦ୍ମ ପତରର ପ୍ରତୀକ୍ଷା ଫଳ
ଝରିଯାଏ ତା ଦେହରେ
ସମ୍ପର୍କର ରେଶମ ସୂତାଟିଏ ବାନ୍ଧି
ହୁଏ ଢଳଢଳ
ଦେଖ ପୁଣି ବାର ରୂପ
ନିମିଷକେ ଛିଡ଼ାଏ
ସମ୍ପର୍କର ସୁତା ଖିଅ ।
ପୋଖରୀର ଜଳ, ବର୍ଷା ଜଳ ସଙ୍ଗେ
ଆଖିର ଜଳ ବି ତା ନୁହେଁ ନିଜର
ଝରାଇ ପାରିବନି ସେ ଜଳ ଟିକକ ବି
କାରଣ ତାହା ତ ପୁଣି ଜଳ ।
ଡମଣା, ଜଗତସିଂହପୁର
ଲେଖକ ପରିଚୟ
ମୁଁ ଜଣେ ଗୃହିଣୀ । କବିତା ଲେଖିବାର ନିଶା କଲେଜ ପଢିବା ସମୟରୁ । ସାଂସାରିକ ବ୍ୟସ୍ତତା ଭିତରେ ବହୁ ବର୍ଷ ହେବ ଲେଖିବା ଛାଡ଼ି ଦେଇଥିଲି । ଏବେ ପୁଣି କଅଁଳ ଦୂବଟିଏ ପରି ମୁଣ୍ଡ ଟେକିଛି କବିତା ଲେଖିବା ।