ବର୍ଷୀୟାନ ସାହିତ୍ୟିକ ସାତକୋଡ଼ି ହୋତାଙ୍କ ପରଲୋକ

ବର୍ଷୀୟାନ ସାହିତ୍ୟିକ, ପ୍ରଶାସକ ତଥା ଖବରକାଗଜ ‘ସମୟ’ର ମୁଖ୍ୟ ସମ୍ପାଦକ ସାତକୋଡ଼ି ହୋତା (୯୫)ଙ୍କର ଗତକାଲି ମଧ୍ୟାହ୍ନରେ ପରଲୋକ ଘଟିଛି । ନୂଆପଲ୍ଲୀ ସ୍ଥିତ ତାଙ୍କ ବଡ଼ ଝିଅଙ୍କ ଘରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଦୁଇ ପୁଅ ଓ ଦୁଇ ଝିଅଙ୍କ ସମେତ ବନ୍ଧୁ ଓ ପରିବାରବର୍ଗ ଉପସ୍ଥିତ ଥିଲେ । ଆଜି ପୁରୀ ସ୍ଵର୍ଗଦ୍ଵାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଅପରପକ୍ଷେ ଖବର ପ୍ରଘଟ ହେଲା ପରେ ଅପରେ କଳା, ସାହିତ୍ୟ ଓ ସଂସ୍କୃତି ତଥା ସାମ୍ବାଦିକତା ଜଗତରେ ଶୋକର ଛାୟା ଖେଳି ଯାଇଛି ।

ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଗ୍ରାମରେ ୧୯୨୯ ସେପ୍ଟେମ୍ବର ୨୯ରେ ଜନ୍ମ କରିଥିଲେ ସେ । ୧୯୫୨ରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇ ରାଜ୍ୟ ସରକାରଙ୍କ ଅଧୀନରେ କର୍ମମୟ ଜୀବନ ଆରମ୍ଭ କରିଥିଲେ । ୧୯୫୩/୫୪ରେ ବାଣିଜ୍ୟିକ କର ଅଧିକାରୀ ଭଳି ଗୁରୁତ୍ଵପୂର୍ଣ୍ଣ ପଦବୀରେ ନିଯୁକ୍ତି ପାଇଥିଲେ । ଓଡ଼ିଶା ସମେତ ବିହାର, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆସାମ, ଉତ୍ତରପ୍ରଦେଶ ଓ ଆନ୍ଧ୍ରପ୍ରଦେଶ ଭଳି ବିଭିନ୍ନ ରାଜ୍ୟରେ ଚାକିରି ଜୀବନ ଅତିବାହିତ କରିଥିଲେ । ୧୯୭୩ ରୁ ୧୯୭୭ ଯାଏଁ ଖୋର୍ଦ୍ଧା ରୋଡ଼ ଡିଭିଜନର ଡିଭିଜିନାଲ୍ ସୁପରିଟେଡେଣ୍ଟ ଏବଂ ପାରାଦ୍ଵୀପ ବନ୍ଦରର ଟ୍ରଷ୍ଟି ଭାବେ କାର୍ଯ୍ୟ କରିଥିଲେ । ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧକାରୀ, ମୁଖ୍ୟ ମାର୍କେଟିଂ ସୁପରିଟେଡେଣ୍ଟ, ଓଡ଼ିଶା ସରକାରକୁ ଡେପୁଟେସନରେ ଆସି ୧୯୭୯ ରୁ ୧୯୮୫ ମଧ୍ୟରେ ରେଳ ସମନ୍ବୟ କମିଶନର ଏବଂ ପରିବହନ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଦାୟିତ୍ଵ ନେଇଥିଲେ । ସେହିପରି ଓଡ଼ିଶା ରୋଡ଼ ଟ୍ରାନ୍ସପୋର୍ଟ କର୍ପୋରେସନର ଅଧ୍ୟକ୍ଷ ଭାବେ ଦାୟିତ୍ଵ ତୁଲାଇଥିଲେ । ଚାକିରିର ଶେଷାର୍ଦ୍ଧ ବେଳକୁ ମୁକଯ ବାଣିଜ୍ୟିକ ସୁପରିଟେଡେଣ୍ଟ ଏବଂ ଅତିରିକ୍ତ ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରି ୧୯୮୭ରେ ଚାକିରି ଜୀବନରୁ ସେ ଅବସର ନେଇଥିଲେ ।

ଅବସର ନେଲା ପରେ ସଭାପତିତ୍ଵ ନେଇ ଭୁବନେଶ୍ୱରରେ ପୁସ୍ତକମେଳାର ଅୟମାରମ୍ଭ କରିଥିଲେ । ଲେଖକ ସାମ୍ମୁଖ୍ୟ ଓଡ଼ିଶା ଏବଂ ଓଡ଼ିଶା ଲେଖକ ସମବାୟ ସମିତିର ସଭାପତି ଦାୟିତ୍ଵ ନେଇଥିଲେ । ଏହାସହିତ ଏକାଧିକ ସାହିତ୍ୟ, ସଂସ୍କୃତି ଓ କଳା ସହ ଜଡ଼ିତ ଅନୁଷ୍ଠାନର ପ୍ରତିଷ୍ଠାତା ଭାବେ ତାଙ୍କର ବେଶ ପ୍ରସିଦ୍ଧି ଥିଲା । ଗଳ୍ପ, ଉପନ୍ୟାସ, କବିତା, ଅନୁବାଦ ଆଦିରେ ସେ ଲେଖନୀ ଚାଳନା କରିଥିଲେ । ତାଙ୍କ ବଳିଷ୍ଠ କୃତି ପାଇଁ ଓଡ଼ିଆ ସାହିତ୍ୟ ସବୁବେଳେ ମନେରଖିବ । ୨୭ ଟି ଗଳ୍ପ, ୨୧ ଟି ଉପନ୍ୟାସ ଓ ଗୋଟିଏ କବିତା ବହି ପ୍ରକାଶ ପାଇଥିଲେ ହେଁ ତାଙ୍କ ସୃଜନୀ ସେ କବିତାରୁ ଆରମ୍ଭ କରିଥିଲେ । ୧୯୮୭ ରେ ତାଙ୍କ ଉପନ୍ୟାସ ‘ଅଶାନ୍ତ ଅରଣ୍ୟ’ ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲା ବେଳେ ‘ମୁକ୍ତିମନ୍ତ୍ରୀ’ ଓ ‘ଜନନୀ ଜନ୍ମଭୂମି’ ଗଳ୍ପ ସଂକଳନ ପାଇଁ ୨୦୦୪ ରେ ତାଙ୍କୁ ସମ୍ମାନଜନକ ‘ଶାରଳା ପୁରସ୍କାର’ ମିଳିଥିଲା । ବିବିଧ ଅନ୍ୟାନ୍ୟ ସମ୍ମାନରେ ସମ୍ମାନିତ ହେବା ସହିତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସେ ପୂର୍ବତନ ସଭାପତି ବି ଥିଲେ । ୧୯୯୬ରୁ ଦୈନିକ ଖବରକାଗଜ ‘ସମୟ’ ସମ୍ପାଦକ ରୂପେ ସେ ଦାୟିତ୍ଵ ତୁଲାଇ ଆସୁଥିଲେ । ତାଙ୍କ ବିୟୋଗରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।

Related Posts

Leave a Reply

Your email address will not be published. Required fields are marked *