ଦମୟନ୍ତୀ ବେଶ୍ରାଙ୍କୁ ‘ଉତ୍କଳ ଭାରତୀକୁ କୁନ୍ତଳା କୁମାରୀ ସାବତ’ ସମ୍ମାନ

ଭୁବନେଶ୍ୱର : କଟକ ବିଜୁ ପଟ୍ଟନାୟକ ଛକ ସ୍ଥିତ ସାରସ୍ଵତ ପୀଠ ସାରଳା ଭବନଠାରେ ଉତ୍କଳଭାରତୀ କୁନ୍ତଳା କୁମାରୀ ସାବତ ଫାଉଣ୍ଡେସନ ପକ୍ଷରୁ କୁନ୍ତଳା କୁମାରୀ ସାବତଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ଓଡ଼ିଶା ସରକାରଙ୍କ ପ୍ରମୁଖ ଶାସନ ସଚିବ କବି ବିଷ୍ଣୁପଦ ସେଠୀ ଯୋଗ ଦେଇ ଉଦଘାଟନ କରିବା ସହିତ ବିଶାଳ ପ୍ରତିଭାର ଅଧିକାରୀ କୁନ୍ତଳା କୁମାରୀ ସାବତ ସାହିତ୍ୟ ରଚନା, ସମାଜସେବା ଓ ଚିକିତ୍ସକ ରୂପେ ଖ୍ଯାତି ଅର୍ଜନ କରିଥିଲେ । ପ୍ରକୃତିର ଶୋଭା ଲାବଣ୍ୟ, ବିଭୁପ୍ରେମ ଓ ଜାତୀୟ ଚେତନା ଥିଲା ତାଙ୍କ କବିତାର ମୂଳମନ୍ତ୍ର । ‘ଶେଫାଳି ପ୍ରତି’ କବିତା ତାଙ୍କର ଏକ ଅନବଦ୍ୟ ସୃଷ୍ଟ ଥିଲା ବୋଲି କହିଥିଲେ । ଫାଉଣ୍ଡେସନର ସଭାପତି ଡ. ଇଂ ପ୍ରଭାକର ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଲୋକସେବକ ମଣ୍ଡଳର ଓଡ଼ିଶା ଶାଖା ଅଧ୍ୟକ୍ଷ ତଥା ଦୈନିକ ‘ସମାଜ’ର ମୁଖ୍ୟ ନିରଞ୍ଜନ ରଥ ମୁଖ୍ୟ ଅତିଥି, ବିଶିଷ୍ଟ ଭେଷଜ ବିଜ୍ଞାନୀ ପ୍ରଫେସର ଡା ନିରଞ୍ଜନ ତ୍ରିପାଠୀ ସମ୍ମାନିତ ଅତିଥି ଏବଂ ବିଶିଷ୍ଟ ଶଲ୍ୟ ଚିକିତ୍ସକ ଡା ରମେଶ ଚନ୍ଦ୍ର ଦାସ ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ବିଶିଷ୍ଟ ଲେଖିକା ପଦ୍ମଶ୍ରୀ ଡ. ଦମୟନ୍ତୀ ବେଶ୍ରାଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ‘ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାରସ୍ଵତ ସମ୍ମାନ’ ପ୍ରଦାନ କରାଯାଇଥିଲା । ପୁରସ୍କାର ସ୍ୱରୂପ ୨୫ ହଜାର ଟଙ୍କା ଅର୍ଥରାଶି, ମାନପତ୍ର ଓ ଉତ୍ତରୀୟ ଦିଆଯାଇଥିଲା । ଚିକିତ୍ସାବିତ ପ୍ରଫେସର ଡା ହେମଲତା ସ୍ଵାଇଁ, ପ୍ରଫେସର ଡା ସନ୍ଧ୍ୟାରାଣୀ ମହାରଣା, ଡା ସଂଘମିତ୍ରା ଦାଶ, ପ୍ରଫେସର ଡା ସୁହାସିନୀ ଦେହୁରି, ଡା ଗିରିଜା ନନ୍ଦନ ମହାପାତ୍ର ଏବଂ ପ୍ରଫେସର ଡା ବିଶ୍ଵଜିତ ଦାସଙ୍କୁ ସମ୍ମାନଜନକ ‘ଉତ୍କଳ ଭାରତୀ କୁନ୍ତଳା କୁମାରୀ ଚିକିତ୍ସାବିଜ୍ଞାନ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଫାଉଣ୍ଡେସନ ସାଧାରଣ ସମ୍ପାଦକ ଡ. ଚୌଧୁରୀ ସତ୍ୟ ଦାସ ପ୍ରାକ ସୂଚନା, ଉପସଭାପତି ନାଟ୍ୟକାର ସଞ୍ଜିତ ପଟ୍ଟନାୟକ ସ୍ଵାଗତ ଭାଷଣ ଏବଂ ଉପସଭାପତି ଗାଳ୍ପିକା ସୋହାଗିନୀ ବେହେରା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ସୂଚନା ଥାଉ ଯେ ସମ୍ବର୍ଦ୍ଧିତ ପ୍ରତିଭାଙ୍କ ଉଦ୍ଦେଶ୍ୟରେ ଡ. ମଞ୍ଜୁଶ୍ରୀ ଶାସ୍ତ୍ରୀ, ଜୟଲକ୍ଷ୍ମୀ ସେଠୀ, ଇଂ ସୁଶାନ୍ତ ସେଠୀ, ବିଭୁ ପ୍ରସାଦ ରାଉତ ମାନପତ୍ର ପାଠ କରିଥିଲେ । କୈଳାସ ଚନ୍ଦ୍ର ଦଳାଇ, ଅଧ୍ୟାପକ ନିର୍ମଳ ଚନ୍ଦ୍ର ପହି, ବ୍ରଜ କିଶୋର ବେଉରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ସାହିତ୍ୟିକ, ବୁଦ୍ଧିଜୀବୀ ଓ ଚିକିତ୍ସାବିତ ଯୋଗ ଦେଇଥିଲେ ।

Related Posts

Leave a Reply

Your email address will not be published. Required fields are marked *