ଶବ୍ଦାଞ୍ଜଳି: ପାଠକମାନେ ଆମୋଦିତ ହେବେ

ପ୍ରଫେସର ଶାନ୍ତନୁ କୁମାର

ପୁସ୍ତକ: ଶବ୍ଦାଞ୍ଜଳି ୨୦୨୧
ଅନୁବାଦକ: ମୃଣାଳ
ପ୍ରକାଶକ: ଶେଫାଳୀ କମ୍ୟୁନିକେସନ୍ସ
ପୃଷ୍ଠା: ୮୭, ମୂଲ୍ୟ: ୧୦୦ ଟଙ୍କା
ସମୀକ୍ଷା: ପ୍ରଫେସର ଶାନ୍ତନୁ କୁମାର

‘ଶବ୍ଦାଞ୍ଜଳି’ ସଦ୍ୟ ପ୍ରକାଶିତ- ମୁଖ୍ୟତଃ ହିନ୍ଦୀ ଓ ଉର୍ଦ୍ଦୁ ଭାଷାରୁ ନିର୍ବାଚିତ କବିତାର ଓଡ଼ିଆରେ ଅନୂଦିତ କବିତା ସଂଗ୍ରହ । ଏହା ପୂର୍ବରୁ ମୃଣାଳଙ୍କର ଏହିପରି ଏକ କବିତା ସଂକଳନ ୨୦୨୦ରେ ବି ପ୍ରକାଶିତ ହୋଇଥିଲା । ଆଲୋଚ୍ୟ ସଂକଳନରେ ଅନେକ କ୍ଷେତ୍ରରେ ଅନୁବାଦ ସହିତ ମୂଳ ଲେଖା ବି ସ୍ଥାନିତ ହୋଇଥିବାରୁ ପାଠକମାନେ ଅଧିକ ଉପଭୋଗ କରିପାରିବେ ।
ଅନୁବାଦ ସବୁବେଳେ ଗୋଟିଏ ଭାଷାର ସାରସ୍ୱତ ସମ୍ପଦ ଓ କୃତୀକୁ ଅନ୍ୟ ଭାଷାର ପାଠକପାଠିକାଙ୍କ ସହିତ ପରିଚିତ କରାଯାଏ । ସାରସ୍ୱତ ସେତୁ ସ୍ଥାପନ କରେ, ଆତ୍ମୀୟତା ବଢ଼େ ଓ ଭାବ ଜଗତରେ ଏକ ହେବାରେ ସାହାଯ୍ୟ କରେ । ବହୁ ଭାଷାରେ ପାରଦର୍ଶୀତା ରଖୁଥିବା ମୃଣାଳଙ୍କର ଏହି ଅନୁବାଦ ସଂକଳନ ସେହି ଦୃଷ୍ଟିରୁ ତାତ୍ପର୍ଯ୍ୟପୂର୍ଣ୍ଣ । ବିଭିନ୍ନ ଭାଷାର କବିତା ବିଷୟରେ ସଂକ୍ଷିପ୍ତ ପରିଚୟ ଦେଇ, ସେହି ଭାଷାର କବିମାନଙ୍କୁ ଅଧିକ ଜାଣିବାର ସାହାଯ୍ୟ କରିଛନ୍ତି ଅନୁବାଦକ । ପୁଣି ଏଥିରେ ପ୍ରସିଦ୍ଧ କବି କାର୍ଲ ସାଣ୍ଡବର୍ଗ (୧୮୭୮-୧୯୬୭)ଙ୍କ ଏକ ପଂକ୍ତିର ଅନୁବାଦ କରିଛନ୍ତି ଆରମ୍ଭରେ- “କବିତା ପ୍ରତିଛବି, ଯିଏ ଛାଇକୁ କହେ: ନାଚ ।” …..କବିତାର ସଂଜ୍ଞା ଓ ସ୍ୱରୂପ ବିଷୟରେ ଏହି ସୁନ୍ଦର ଅଭିବ୍ୟକ୍ତି ପାଠକକୁ ମୁଗ୍ଧ କରେ ।
ସଙ୍କଳନର ପ୍ରଥମ କବିତା ମଧ୍ୟପ୍ରଦେଶର କବି ଓ ଗାଳ୍ପିକ ଉଦୟ ପ୍ରକାଶଙ୍କର ରଚିତ ‘ମୃତ୍ୟୁ’ । ପାର୍ଥିବ ଶରୀରର ଅବସାନ ଅସଲ ମୃତ୍ୟୁ ନୁହେଁ, ଯେତେବେଳେ ମଣିଷ ଆତ୍ମ ଅଭିବ୍ୟକ୍ତି ଓ ସର୍ଜନାତ୍ମକ ଭାବନା କରିପାରେ ନାହିଁ, ତା’ର ମୃତ୍ୟୁ ହୋଇଯାଏ । କବିଙ୍କ ଭାଷାରେ: “କିଛି ନ ଭାବିଲେ, କିଛି ନ କହିଲେ ଲୋକ ମରିଯାଏ ।”
ପ୍ରତିଭାଶାଳୀ ନାଟ୍ୟକାର, ପଥପ୍ରାନ୍ତ ନାଟକର ସଫଳ ଉଦ୍ଗାତା ସଫଦର ହାସ୍ମୀଙ୍କୁ ୧୯୮୯ରେ ନାଟକ ‘ହଲ୍ଲା ବୋଲ୍’ରେ ଅଭିନୟ କରୁଥିବାବେଳେ ହତ୍ୟା କରାଗଲା। ରାଜନୈତିକ ନାଟକ କ୍ଷେତ୍ରରେ ଏହି ପ୍ରତିଭାଙ୍କ ସ୍ମୃତିରେ ରଚିତ କବିତା ‘ସେ ଏଇଠି କେଉଁଠି ଅଛନ୍ତି’ ପାଠକଙ୍କୁ ବିମୋହିତ କରିବା ସହିତ ଏକ ଭିନ୍ନ ଭାବଜଗତକୁ ନେଇଯାଏ। କବି କହିଛନ୍ତି: ତାଙ୍କ ପାଇଁ ଅଶ୍ରୁ ଝରାଅ ନାହିଁ, କାରଣ ସେ ଏଇଠି କେଉଁଠି ଅଛନ୍ତି।
ସେ ଲେଖିଛନ୍ତି, “ସେ ପବନର ଜୀବନ, ସୂର୍ଯ୍ୟର ପ୍ରଶ୍ୱାସ, ପାଣିର ବଂଶୀସ୍ୱନ, ପୃଥିବୀର ହୃତସ୍ପନ୍ଦନ, ସେ ସମୁଦ୍ରର ପ୍ରତିଛବି ।
ସେ କେବଳ ହାଡ଼ ମାଂସର ଶରୀର ନୁହନ୍ତି ଯେ ପଚି ନଷ୍ଟ ହୋଇଯିବେ । ସେ କେବଳ ରକ୍ତ ତ ନଥିଲେ ଯେ ମାଟିରେ ଶୁଖିଯିବେ ।”
ଅନୁବାଦକ ମୃଣାଳ ହୃଦୟସ୍ପର୍ଶୀ ଶବ୍ଦରେ କହିଛନ୍ତି-
“ସବୁ ଚେହେରାକୁ ଭଲ ଭାବେ ଦେଖ,
ହେଲେ ତାଙ୍କ ପାଇଁ କାନ୍ଦ ନାହିଁ ।
ସେ ଏଇଠି କେଉଁଠି ଅଛନ୍ତି
ସେ ଏଇଠି କେଉଁଠି ଅଛନ୍ତି ।”
ବିଦ୍ରୋହୀ/ବିପ୍ଳବୀମାନଙ୍କର ସୂକ୍ଷ୍ମ ରୂପ ଓ ବିଦେହ ବାସ୍ତବତାର ନୂଆ ପରିଭାଷା ସୃଷ୍ଟି କରେ, ଆମକୁ ସତ୍ୟ କହିବାକୁ ଭିନ୍ନ ସାମର୍ଥ୍ୟ ଦିଏ ।
ପରବର୍ତ୍ତୀ କବିତା ‘ପ୍ରାର୍ଥନା’ରେ ଅଛି ଭିନ୍ନ ସ୍ୱାଦ । ଅନନ୍ୟ, ଗତାନୁଗତିକ ପଥର ପଥିକ ନୁହନ୍ତି । ଭଗବାନ ପ୍ରାର୍ଥନା କରୁଛନ୍ତି ଗାଢ଼ ନିଦ ପାଇଁ ଯେଉଁଠି ସେ ଶୁଣୁଥିବେ ଜୀବନର ଅସରନ୍ତି ନାନାବାୟା ଗୀତ ।
“ରାତିରେ ଯେତେବେଳେ ସମସ୍ତେ
ଅଲଗା ଅଲଗା ସ୍ୱପ୍ନ ଦେଖୁଥିଲେ
ମୁଁ ଚେଇଁଥିଲି ।
ହେଲେ ପ୍ରଭୁ ମୋତେ ଏମିତି ଗହମ ନିଦ ଦିଅ
ସେ ନିଦରେ ମୁଁ ସାରା ଜୀବନ
ଶୁଣୁଥାଏ ନାନାବାୟା ଗୀତ ।”
‘ସୂର୍ଯ୍ୟ ବୁଡ଼େନିରେ’ କବିତାରେ କବି କେଦାରନାଥ ଅଗ୍ରୱାଲ କହିଛନ୍ତି: “ସୂର୍ଯ୍ୟ ବୁଡ଼େ ନାହିଁ, ମଣିଷ ଆଲୋକ ଆଡ଼ୁ ମୁହଁ ବୁଲେଇ ନିଏ ।” ସୂର୍ଯ୍ୟ ତ ସ୍ଥିର, କିନ୍ତୁ ବିରାଗୀ ମଣିଷ ଏମିତି ଅନ୍ଧାରରେ ବୁଡୁଥାଏ ।
ଏ ସଙ୍କଳନର ଅନେକ କବିତା ତିନି ଚାରି ଧାଡ଼ିର, କିନ୍ତୁ ଏଥିରେ ଅଛି ମଣିଷର ଉପଲବ୍ଧିର ସାନ୍ଧ୍ର ଅଭିବ୍ୟକ୍ତି । କେୱଲ ଶର୍ମାଙ୍କ ‘ଯନ୍ତ୍ରଣାର ସମ୍ପର୍କ’ ଯନ୍ତ୍ରଣା ବହୁତ ଗଭୀର ହୁଏ । ପ୍ରସିଦ୍ଧ କବି ଗୁଲଜାରଙ୍କ ଅତି କ୍ଷୁଦ୍ର କବିତାକୁ ବାରମ୍ବାର ଫେରି ଆସିବାକୁ ଇଚ୍ଛା ହୁଏ । ସେଥିରେ ଅଛି କେତେ ଅନ୍ତରଙ୍ଗ ଅନୁଭବ ଓ ନିଷ୍ଠାପର ଅଭିବ୍ୟକ୍ତି । ‘ମିଛ’ କବିତା ଟି ଦେଖନ୍ତୁ:
“କହିଲ, କିଛି ମିଛ କଥା
ହେଲେ ସେ ହସିକି କହିଲା
ତମ କଥା ବହୁତ ମନେ ପଡ଼ୁଥିଲା ।
ପୁଣି ‘ଭଲ ହୋଇଛି’ କବିତାରେ-
“ଚଢ଼େଇ ଜାଣିନି ତା’ର ଧର୍ମ କ’ଣ
ନହେଲେ ଆକାଶରୁ ବି ରକ୍ତର ବର୍ଷା ଝରନ୍ତା ।
ଜତିନ୍ ଜୟସୱାଲଙ୍କ କବିତା ଛୋଟ କଳେବରରେ କେତେ ଗଭୀର କଥା କୁହାଯାଇପାରେ- ତାର ଉଦାହରଣ । ଯଥା: “ରାତି ପରେ ନୂଆ ପ୍ରଭାତ ଆସିବ । ଦିନ ବଦଳିବନି, ତାରିଖ ବଦଳି ଯିବ ।”
ଜୀବନରେ ଗତାନୁଗତିକତାର ଯାନ୍ତ୍ରିକ ପୁନରାବୃତ୍ତି ହେଉଥାଏ ବା ବଢୁଥାଏ ଆଉ ସବୁଦିନେ ତାରିଖ ବଦଳିଥାଏ ।
“ସମସ୍ତେ କଏଦୀ ଏଠି
କେହି ସ୍ୱପ୍ନର । କେହି ଇଚ୍ଛାର ।”
“ନିରବତାର ମଜା ଅଲଗା
କଥା କହି ତାକୁ ନଷ୍ଟ କରନି ।”
ନିଜକୁ ଠିକ୍ ଓ ଅନ୍ୟକୁ ଭୁଲ ପ୍ରମାଣିତ କରିବାକୁ ଯାଇ ସମ୍ପର୍କ ଭାସିଯାଏ । ଆମେ କିଛି କହିବା ଆଉ ସହିବା ଭିତରେ ଜୀବନ ମାଡ଼ି ଚାଲେ । (ଖୁସି ଫେରି ଆସିବ।) ଦୁଇ ଜୀବନରେ କେତେ ଚମତ୍କାର କଥା କହୁଛନ୍ତି- ଆମ ସମସ୍ତଙ୍କ କଥା।
“ସବୁ ମଣିଷର ଦୁଇଟା ଜୀବନ ଥାଏ
ଗୋଟେ ଯାହା ସେ ବଞ୍ଚୁଛି
ଆଉ ଗୋଟେ ଯାହା ସେ ବଞ୍ଚିବାକୁ ଚାହୁଁଛି ।”
ଏହି ସ୍ୱପ୍ନ ଓ ବାସ୍ତବତାର ଦ୍ୱନ୍ଦ୍ୱ ଓ ଜୀବନକୁ କେତେବେଳେ କବିତା ପୁଣି କେତେବେଳେ କାହାଣୀ କରି ରଖିଥାଏ । ଏହି ପରିପ୍ରେକ୍ଷୀରେ ମନେପଡ଼େ ରବଟ୍ ଫ୍ରଷ୍ଟଙ୍କ “ରୋଡ୍ ନଟ୍ ଟେକେନ୍” କବିତା । କବିତାରେ ଅଛି କବିଙ୍କ ବର୍ତ୍ତମାନର ସ୍ଥିତି ଓ ହରେଇ ଥିବା ଭାବନା ଭିତରେ ସଂଘାତ ।
ପ୍ରକୃତି ଓ ପ୍ରତିବାଦର କବିତା ଲେଖୁଥିବା ଜେସିନ୍ତା କେରକେଟା ‘ସଭ୍ୟତାର ମୃତ୍ୟୁ’ରେ ପ୍ରଦୂଷଣ ଓ ଏହାର ଭୟାବହ ପରିଣତିର କଥା ଦର୍ଶାଇଛନ୍ତି ।
“ନଈହିଁ ଜାଣିଛି
ସେ ମଲା ପରେ ଆସେ
ସଭ୍ୟତାର ମୃତ୍ୟୁର ପାଳି ।”
ପ୍ରଖ୍ୟାତ କବି ଜାଭେଦ ଅଖତାରଙ୍କ କବିତା “ତୁ ସେଇ କଥା ସବୁ ଲେଖ”- ସାମ୍ପ୍ରତିକ ସମୟର ସବୁ କବି/ଲେଖକ ଏବଂ ଗଣମାଧ୍ୟମ କର୍ମୀିଙ୍କ ପାଇଁ ଆହ୍ୱାନ:
“ଯାହା ଘଟିଯାଉଛି ସେ କଥା ତ କେହି …….
ଯାହା ଘଟିବା ଉଚିତ ତୁ ସେଇ କଥା କହ ।”
ଏ ଧାଡ଼ିସବୁ ପାଠକଙ୍କୁ ଆତ୍ମ-ମନସ୍କ କରିବ, ଭିଜେଇ ଦେବ ଗଭୀର ଜୀବନାଭୁତିରେ ।
ତୁର୍କୀର ରୋମାଣ୍ଟିକ ବିପ୍ଳବୀ କବି ନାଜିମ ହିକ୍ମତଙ୍କର ଜୀବନ ଧର୍ମୀ ଚମତ୍କାର କବିତା ‘ବଞ୍ଚିବା’ । କବିତା ଶେଷ ଧାଡ଼ି: “ଏମିତି ବଞ୍ଚିବା ଯେ, ଯେମିତି ଆମେ ଆଉ ମରିବାର ନାହିଁ ।”
ଏ ସଙ୍କଳନରେ ଅଛି ନାନକ ସିଂହଙ୍କର ଜାଲିୟାଁୱାଲା ବାଗ୍ ହତ୍ୟାକାଣ୍ଡ ପରିପ୍ରେକ୍ଷୀରେ ଲିଖିତ ଦୀର୍ଘ କବିତା ଖୁନୀ ବୈଶାଖୀର କିଛି ଅଂଶର ଅନୁବାଦ ।
ଏ ସଙ୍କଳନରେ ସ୍ଥାନିତ ହୋଇଛି ନିଦା ଫାଜଲି ଏବଂ ଫୈଆଜ ଅହମଦ ଫୈଆଜଙ୍କ କେତୋଟି ଚମତ୍କାର କବିତା ।
ସୌମ୍ୟା ପାଠକଙ୍କ କବିତା “କାରଣ ଚୋରକୁ ତ କେହି ଧରିଲେ ନାହିଁଁ” ନାରୀ ଜୀବନର ବାସ୍ତବ ଗାଥା । ଅସଲ ସମାଧାନଠାରୁ ଦୂରେଇ ଯାଉଥିବା ଋଢ଼ୀବାଦୀ ମନୋଭାବ ପ୍ରତି କରୁଣ କଟାକ୍ଷ ।
ଅନୁବାଦକ ମୃଣାଳଙ୍କ କବିତା ନିର୍ବାଚନ ଅଭିନନ୍ଦନୀୟ । ଅତ୍ୟନ୍ତ ସରଳ ସାବଲୀଳ ଭାଷାରେ ମୂଳ କବିତା ପ୍ରତି ବିଶ୍ୱସ୍ତ ହୋଇ ଅନୁବାଦ କରି ଆମକୁ ଉନ୍ନତ ମାନର ହିନ୍ଦୀ-ଉର୍ଦ୍ଦୁ କବିତା ସହିତ ପରିଚିତ କରି ସେ ସମସ୍ତ- ସାହିତ୍ୟ ଅନୁରାଗୀଙ୍କର ଶ୍ରଦ୍ଧାଭାଜନ ହୋଇଛନ୍ତି । ଆଶା ଓ ବିଶ୍ୱାସ, ପାଠକମାନେ ଏହି ସଙ୍କଳନ ପଢ଼ି ଆମୋଦିତ ଓ ଆନନ୍ଦିତ ହେବେ ।

Related Posts

Leave a Reply

Your email address will not be published. Required fields are marked *