ପ୍ରଥମ ପ୍ରେମିକା

ପ୍ରତ୍ୟୁଷ କୁମାର ସା

ଜୀବନର କେଉଁ ମୋଡ଼ରେ କାହା ସହ ପ୍ରେମ ହୋଇଯିବ କିଏ କହିପାରିବ? ଏମିତିରେ ଆମ ଦୁନିଆରେ ପ୍ରେମ ସହ ପରିଚିତ ନଥିବା ଲୋକଙ୍କ ସଂଖ୍ୟା ଖୁବ୍ କମ୍ । ଆଉ ଏହି ସଂଖ୍ୟାଲଘୁ ତାଲିକାରେ ରାଧୁଆ ବି ନଥିଲା । କେଉଁ ଏକ ଦୂର୍ବଳ ମୁହୂର୍ତରେ ସେ ବି ପାଇଥିଲା ସାଥୀଟିଏ । ଜୀବନର ପ୍ରଥମ ପ୍ରେମିକା, ପ୍ରେମର ପ୍ରଥମ ଅନୁଭୂତି । ସେଇ ପ୍ରେମିକାକୁ ନେଇ ଅସରନ୍ତି ସ୍ମୃତି । ଯାହାକୁ ଆଜି ବି ସନ୍ତକ ଭଳି ସାଉଁଟି ରଖିଛି ।
ପ୍ରଥମ ପ୍ରେମ, ସାଥୀଟିଏ ସିନା ହେଲା, ଜୀବନ ସାଥୀ ହେବା ସଂଭବ ନଥିଲା । ସମୟ ସ୍ରୋତରେ ବିବାହବନ୍ଧନରେ ବାନ୍ଧି ହୋଇଗଲା ରାଧୁଆ । ବିବାହିତ ପୁରୁଷ, ପ୍ରଥମ ପ୍ରେମର ସ୍ମୃତିକୁ ସାଇତି ରଖିବା କେତେ କଷ୍ଟ, ଯିଏ ଅଙ୍ଗେନିଭାଇଛି ସେ ହିଁ ବୁଝିବ । ବିବାହର କେଇ ମାସ ଯାଏଁ ସବୁ ଠିକ୍‌-ଠାକ୍ ଚାଲିଲା, ଯେ ପର୍ଯ୍ୟନ୍ତ ପ୍ରଥମ ପ୍ରେମର ଗୁମର, ପତ୍ନୀଙ୍କ ଗୋଚରକୁ ଆସିନଥିଲା । ହେଲେ କେତେ ଦିନ ଆଉ ଲୁଚିଥାନ୍ତା । ଧିରେ ଧିରେ ସନ୍ଦେହ ବଢ଼ିଲା । ପତ୍ନୀଙ୍କୁ ଆଉ ଅଛପା ରହିଲାନି, ଲୁଚି ଲୁଚି ଆଉ କାହା ସହ ବିତୁଛି ରାଧୁଆଙ୍କ ସମୟ ।
ସେ ଦିନ ହଠାତ୍ ରାତି ଅଧରେ ପତ୍ନୀଙ୍କ ଭାଙ୍ଗିଛି । ବିଛଣାରୁ ରାଧୁଆ ଗାୟବ । ଛପି ଛପି ଡ୍ରଇଂ ରୁମ୍‌କୁ କଣେଇ ଚାହିଁଲା ବେଳକୁ ହାତରେ ସ୍ମାର୍ଟ ଫୋନ୍ ଏବଂ ମୁହଁରେ ସ୍ମିତ ହସ । ମୋବାଇଲକୁ ଚାହିଁ ଚାହିଁ ବେଶ ଖୁସି ହେଉଛି ରାଧୁଆ । ରାଗରେ ନିଆଁ ବାଣ, ପତ୍ନୀ । ପତ୍ନୀଙ୍କୁ ହଠାତ୍ ପାଖରେ ଦେଖି ହଡବଡେଇ ଗଲା ରାଧୁଆ । କିଛି କହିବା ଆଗରୁ ପତ୍ନୀ ପଚାରିଲେ-ରାତି ଅଧରେ ଏଠି କ’ଣ କରୁଛି । ପତ୍ନୀଙ୍କୁ ଶାନ୍ତ କରିବା ପାଇଁ ଅତି ଧିମା ଗଳାରେ ରାଧୁଆ କହିଲା-ନା’, ନା’ ସେ କିଛି ନୁହେଁ । ନିଦ ହେଉନଥିଲା ତ’, ଡ୍ରଇଂ ରୁମରେ ଗଡ଼ି ମୋବାଇଲ ଦେଖୁଥିଲି । କାଳେ ମୋବାଇଲ ଲାଇଟ୍ ଓ ସାଉଣ୍ଡରେ ତୁମେ ଡିସ୍‌ର୍ଟଭ୍ ହୋଇଯିବ, ସେଥିପାଇଁ ବାହାର ଘରକୁ ଚାଲି ଆସିଥିଲି । ଏହି ଘଟଣା ପରେ ଆହୁରି ଘନୀଭୂତ ହୋଇଗଲା ପତ୍ନୀଙ୍କ ସନ୍ଦେହ । କିଛି ନକହି, ଚୁପ୍‌-ଚାପ ଆସି ଶୋଇଗଲେ ।—
ରାତିର ଏହି ଘଟଣାକୁ ଭୁଲେଇବା ପାଇଁ ଏବଂ ପତ୍ନୀଙ୍କ ମୁଡ୍‌କୁ ହାଲୁକା କରିବା ପାଇଁ ପରଦିନ ଆଉ ଅଫିସ୍ ଗଲାନି ରାଧୁଆ । ନିଷ୍ପତି ନେଲା, ଆଜି ବୁଲାବୁଲି କଲେ ଘରଣୀର ମୁଡ ଠିକ୍ ହୋଇଯିବ । ପତ୍ନୀଙ୍କୁ ମଲ୍‌କୁ ବୁଲେଇ ନେବା ପାଇଁ ବାହାରିଲା ରାଧୁଆ । ମଲ୍ ପରେ ପୁସ୍ତକମେଳା ଆଡୁ ବି ଘେରାଏ ବୁଲାଇ ଆଣିଲା । ହେଲେ ଉଭୟ ମଲ୍ ଓ ପୁସ୍ତକମେଳାରୁ ବେଶ କିଛି ସମୟ ଧରି ଗାୟବ ଥିଲା ରାଧୁଆ । ରାଧୁଆର ଏହି ଅନୁପସ୍ଥିତି ପତ୍ନୀଙ୍କୁ ଯେମିତି ବିରକ୍ତ କରୁଥିବା ତାଠୁ ଅଧିକ ସନ୍ଧିହାନ କରୁଥିଲା ।
ପତ୍ନୀ ନିଷ୍ପତି କରି ସାରିଥିଲେ, ଯାହା ହୋଇଯାଉ ପଛେ ଏହି ଲୁଚକାଳି ଖେଳର ଆଜି ଅବସାନ ହେବ । ରାଧୁଆକୁ ସିଧାସିଧା ପଚାରିଲେ-କ’ଣ ଲୁଚାଉଛ ସଫାସଫା କୁହ? କାହାକୁ ପ୍ରେମ କରୁଛ? ଚୋରି ଧରା ପଡ଼ିଯିବା ପରେ ରାଧୁଆ ପାଖରେ ଆଉ ଚାରା ନଥିଲା- ହଁ, ସେ ମୋ’ ପ୍ରଥମ ପ୍ରେମିକା । ସେଦିନ ରାତିରେ ପ୍ରେମିକାକୁ ସହ ସମୟ ବିତୁଥିଲା? ମଲ୍ ଏବଂ ପୁସ୍ତକମେଳାରେ ତାଙ୍କୁ ଭେଟିବା ପାଇଁ ଯାଇଥିଲ? ରାଧୁଆର ସେଇ ସମାନ ଉତ୍ତର ଥିଲା-ହଁ । ପତ୍ନୀ ପୁଣି ପ୍ରଶ୍ନ କଲେ-ତୁମ ପ୍ରେମିକାର ନାଁ କ’ଣ ଜାଣିପାରେ କି? ରାଧୁଆର ଉତ୍ତର ଥିଲା- ନିଶ୍ଚୟ । ନାଁ ହେଉଛି ପୁସ୍ତକ । ବହି ହିଁ ତ’ ମୋର ପ୍ରଥମ ପ୍ରେମିକା ।

ଲେଖକ ପରିଚୟ:
ପ୍ରତ୍ୟୁଷ ବୈଦ୍ୟୁତିକ ଗଣମାଧ୍ୟମରେ ସାମ୍ବାଦିକତା କରନ୍ତି । ଏହା ସହ ସେ ନିୟମିତ ବିଭିନ୍ନ ଖବରକାଗଜରେ ସ୍ତମ୍ଭ ଲେଖୁଛନ୍ତି । ସୃଜନାତ୍ମକ ସାହିତ୍ୟ ରଚନାରେ ମଧ୍ୟ ସେ ସିଦ୍ଧହସ୍ତ ।
ଗ୍ୟାରେଜ୍ ଛକ, ପୁରୁଣା ଭୁବନେଶ୍ବର – ୦୨, ମୋବାଇଲ-୯୪୩୭୩-୬୬୯୮୪

Related Posts

Leave a Reply

Your email address will not be published. Required fields are marked *